କ୍ଷୁଦ୍ରଗଳ୍ପ – ଶବ୍ଦଭେଦ – ଅମିୟ ବେଜ୍

ଲେଖକ ପରିଚୟ

ଅମିୟ ବେଜ
ଘଟଗାଁ, କେନ୍ଦୁଝର | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 55 ଜଣ ପାଠକ ପଢି ସାରିଛନ୍ତି

ଶଃ, ବଂଶନାଶ ବେଳେ ଏପରି କୁଳାଂଗାର ଘୋଡାମୁହାଁ ପୁତ୍ର ର ଜନ୍ମ ହୁଏ । ଏକେତ ପାଟି ଫିଟୁନଥିଲା, ଆଉ ଫିଟିଲାରୁ ବାହାରୁଛି ଅପଶବ୍ଦ । ହେଇପାରେ ଏସବୁ ମା-ବାପାଙ୍କ କୃତକର୍ମର ଫଳ । ନିଆଁ ଗିଳିଛନ୍ତି, ଅଂଗାର ମଳ ହୋଇ ବାହାରିବ ନା ? ଚିତ୍କାର କରୁଥିଲେ ବୈଠକୀରୁ ଥାଇ ପଂଡିତ ହରିବଂଶ ଚୌଧୁରୀ । ହୁଲୁସ୍ତୁଲ୍ ହେଉଥିଲା ଘର ତାଙ୍କର ଏଇ ଅଭିସମ୍ପାତରେ । ସ୍ତବ୍ଧ ନୀରବ ସବୁକିଛି । ବନ୍ଦ ହୋଇଯାଇଛି ଫୁଲକୁଣ୍ଡ ମାନଙ୍କ ର କମ୍ପନ । ଅଟକି ଯାଇଛି ଝର୍କା ଦୁଆର ପଛର ପବନ । ମୁଣ୍ଡପୋତି ବସିରହିଛନ୍ତି ସୁଧାକର ଚୌଧୁରୀ । ଲିଟୁନ୍ ର ପିତା , ହରିବଂଶ ଙ୍କ ପୁତ୍ର , ସରଳା ଙ୍କ ପତିଦେବ । କୁହାଯାଏ ମୌନପଣ ସମ୍ମତ୍ତି ଓ ବିପତ୍ତି ଉଭୟ ର ଲକ୍ଷଣ । କଥାରେ ଲଥା ଯୋଡିଲେ ମାଳତୀ ଦେବୀ ଏଥର । ଲିଟୁନ୍ ର ଜେଜୀମା ।

– କେଉ ବଜ୍ଜାରୀଙ୍କ ଠୁଁ ଶିଖି ଆଇଛି ଏସବୁ ଛତରା କଥା ସବୁ ? ମନା କରୁଛି ଏ ମୂକ ପିଲାକୁ ସାଧାରଣ ସ୍କୁଲକୁ ନ’ଛାଡିବାକୁ । ଇୟେତ ଗୋଟେ ସାଧାରଣ ପିଲା ନୁହେଁ ? ବାରପିଲାଙ୍କ ଠୁ ବାରକଥା ଶିଖିବ । କିଏ ମାନିଲା ମୋ’କଥା ? ମା’ଭାଗ ପଣ କରି ଆଇଛି ଯେମିତି ଆମ ନାକ କଟାଇବାକୁ । ଛୁଆଟେ’ ଜନ୍ମ କଲାତ କଲା ପୁଣି ଅପଙ୍ଗ । ଆଉଗୋଟେ କର କହିଲାରୁ ଗଣ୍ଠିଧନ କରି ଜାବୁଡି ଧରୁଛି ଏଇଟିକୁ । ଯିଏ ନିଜକୁ ଅସମ୍ଭାଳ ସେ ପୁଣି କୂଳ ବଂଚାଇବ କେମିତି ? ଆମର ବାମଭାଗ୍ୟ ଯାହା… ଲିଟୁନ୍ କୁ ବୁଝିବାର ଜୁ’ ନଥିଲା , ତା’ ଯୋଗୁଁ ଏସବୁ ଗହଳି ଚାଲିଛି । ସେ କାହୁଁ ବୁଝନ୍ତା ଏତେସବୁ ? ସେ ବୁଝେ କେବଳ ଏ ସଂସାରରେ ଜଣେ ମାତ୍ର ପ୍ରାଣୀ ଅଛି ତା’ପାଇଁ । ସିଏ ହେଲା ତା’ ମା’ । ସନ୍ତାନ ପ୍ରତି ବିମୁଖ ହୋଇ ନୀରବ ରହିବା ଓ ଭାଗ୍ୟକୁ ନିନ୍ଦୁଥିବା ମଣିଷଟିଏ ପିତା ଆଦୌ ହୋଇନପାରେ । ଆଉ ଜେଜେମା’ ଜେଜେବାପା ମାନେ ସ୍ନେହାଁଶୀଳ , ଏକଥାକୁ ହୃଦୟଙ୍ଗମ କଲାପରି ଘଟଣା କେବେ ଘଟିଛିକି ଆଉ ? ତାକୁ ନେଇ ତ ଯାବତୀୟ ଦୁର୍ଘଟଣା । ଲିଟୁନ୍ ଢେର୍ ବଡ଼ ହୋଇଗଲା ଯେବେ , ସମସ୍ତେ ନିଶ୍ଚିତ ହେଲେ ସେ ଜଣେ ବାକ୍-ରହିତ ସନ୍ତାନ । ବହୁଚେଷ୍ଟା , ଏପରିକି ଅନେକ ଅତ୍ୟାଧୁନିକ ଚିକିତ୍ସା ର ଅସଫଳ ପ୍ରୟାସ ପରେ ବରଂ ଧିରେଧିରେ ପିଲାଟି ଆହୁରି ଅଦ୍ଭୁତ ହୋଇପଡୁଥିଲା । ଅଦ୍ଭୁତ ହେଉଥିଲା ତା’ ଜିଦ୍ ଅଝଟ , ଅଳିଅର୍ଦଳି , ଅଦ୍ଭୁତ ପୁଣି ତା’ର ଆଚରଣ – ବିଚରଣ । ସଂସାରର ଗଢ଼ଣ ସର୍ବଦା ଜଞ୍ଜାଳମୟ । ଏଥିରୁ ମୁକ୍ତି କାହିଁ ? ଅଥଚ ମୁକ୍ତି ଚାହୁଁଥିଲେ ଜେଜଜେଜୀ , ବାପା ମଧ୍ୟ । ଅନେକ ବୁଝାବୁଝି କରିସାରି ଯେବେ ସୁଧାକର ଚୌଧୁରୀ ଭିନ୍ନକ୍ଷମ ସରକାରୀ ସୁବିଧାପ୍ରାପ୍ତ ଆବାସିକ ବିଦ୍ୟାଳୟ ର ଠିକଣା ଖୋଜିଆଣନ୍ତି , ଘରେ ଖେଳିଯାଏ ଉତ୍ସାହର ବାତାବରଣ । ଆଉ ଏଇସମୟରେ ଢାଲପରି ଆଗରେ ଛିଡାହେଲେ ସରଳା ।

“ମୋ ବିନା ସେ , ତା’ ବିନା ମୁଁ ବଂଚିବା ଏକଦମ୍ ଅସମ୍ଭବ । ପାରୁଛ ଯଦି ମୋତେବି ଛାଡିଦିଅ ନେଇ ସେ ଅନାଥ ମାନଙ୍କ ପାଖରେ । ଅଂଧ ମୁକ ବଧିର ହୋଇ କାଟିଦେବି ବାକି ଜୀବନ । ମୋ’ଠୁଁ ଅଲଗା କରନି ମୋ ଜୀବନ ଧନକୁ । ସେ ଏଇଠି କାହାର କିଛି ଅଡୁଆ କରିବନି । କଥାଦେଲି ମୁଁ । ତା’କୁ ଏଇ ପାଖ ସରକାରୀ ସ୍କୁଲ୍ ରେ ଛାଡିଦିଅ । ସକାଳୁ ଯାଇ ସଂଜକୁ ଫେରିଆସୁଥାଉ ମୋ’କୋଳକୁ । ନହେଲେ ମୋତେ ବିଷ ଠୋପେ ଦେଇଦିଅ । “ବୋଧେ ଜୀବନର ପ୍ରଥମଥର ମୁହଁ ଖୋଲି କିଛି ଜୋର୍ କରି ସ୍ବାମୀ ଙ୍କୁ କହୁଥିଲେ ସରଳା । ନଚେତ୍ , ଅଭିଶପ୍ତ ମାତୃତ୍ବର ତାତ୍ସଲ୍ଯ ନେଇ ଅପମାନିତ ହେବା ପରେ , ନାରୀଟିଏର ଅଧିକାର ବୋଲି ଥାଏବି କଣ ଆଉ ? ‘ସେ ଯାହା କରୁଛି କରୁ ‘ କହି ଅନ୍ନଜଳ ଛାଡିଦେଲେ କିଛିଦିନ ହରିବଂଶ ଚୌଧୁରୀ । ପରେପରେ ବୋଧେ ସବୁ ଶାନ୍ତ ପଡି ଆସିଲା । ପୁଣି ଆଜି …. ସରକାରୀ ସ୍କୁଲରେ ସାଙ୍ଗସାଥି ମାନଙ୍କ ତା’ପ୍ରତି ପ୍ରଥମେ ପ୍ରଥମେ ଅମନ ହେବାକୁ ଲାଗିବାରେ ଅସ୍ବାଭାବିକ କିଛି ନଥିଲା । ଅନେକ ବୁଝାସୁଝା କରି ନିଜେ ଆଣି ଛାଡିଯା’ନ୍ତି ସରଳା । ଫେରିବାବେଳକୁ ନେଇଆସନ୍ତି ସୁଧାକର ସ୍କୁଲରୁ । ଏଇତକ ଦାୟିତ୍ୱ ବି କେବେକେଵେ ଭାରି ପଡିଯାଏ ତାଙ୍କୁ । ଏକ କିମ୍ଭୁତକିମ୍ବାକାର ପିଲାଟିକୁ ଦେଖି ବାକିପିଲାଏ ଥଟ୍ଟା ପରିହାସ କରିବା , ତା’ପାଖ ନମାଡିବା , ଶିକ୍ଷକ ଶିକ୍ଷିକା ମାନେ ଏଠାକୁ ନ ଆଣି ଉପଯୁକ୍ତ ସ୍ଥାନକୁ ପଠାଇବାକୁ ପ୍ରବର୍ତ୍ତାଇବା ପରି ଅନେକ୍ ବାଧାକୁ ଅତିକ୍ରମ କରିବାକୁ ପଡେ ସରଳାଙ୍କୁ ।

ଜୀବନ ଅଛି ତ ଜଂଜାଳ ଅଛି । ବଂଚିବାର ଅଭ୍ୟାସ ନକଲେ ବଂଚିହୁଏନି ସତେ । ସରଳା ବୁଝନ୍ତି ଅଥଚ ସମାଜକୁ ଏପରିକି ସୁଧାକର ଙ୍କୁ ବି ବୁଝାଇପାରନ୍ତିନି । ଏଇତକ କଷ୍ଟ ଦିଏ ଭାରି । ପିଲାଜନ୍ମର ବିଫଳତାକୁ ନାରୀ ମୁଣ୍ଡରେ ଅଠାବୋଳି ପୁରୁଷ ସ୍ବାମୀ ହୋଇପାରେ କିନ୍ତୁ ପିତା ହେବାତ ଏକ ଗୌରବର ବିଷୟ । ସନ୍ତାନ ଯାହା କିଛି ବି ହେଉ । ଆଶା ରଖିଥାନ୍ତି ସରଳା ନିଶ୍ଚେ ଲିଟୁନ୍ ଅନ୍ୟ ପିଲାଙ୍କ ପରି ଦିନେ କଥାହେବ । ତା’ଙ୍କୁ ମା’ ଡାକିବ । ସେଇ ଅମୃତବୋଳା ଡାକରେ ସେଦିନ ସାର୍ଥକ ହୋଇଯିବ ଜୀବନ । ତାଙ୍କର ଯାବତୀୟ ତ୍ୟାଗ , ଯାବତୀୟ ଅପନିନ୍ଦା , ଯାବତୀୟ ଉତ୍କଣ୍ଠା , ଯାବତୀୟ ପ୍ରତ୍ୟାଷା ର ଦିନେ ଅନ୍ତ ହେବ । ଘର ଭିତର ଟାରେ କେବଳ ତାତ୍ସଲ୍ଯ କଟାକ୍ଷ ଶୁଣି ଅବା କେଉଁ ଅନାଥ ଦିବ୍ୟାଙ୍ଗ ଆବାସରେ ରହି କଥା ଶିଖିବ କେମିତି ବାଳୁତ ? ବରଂ ସାଧାରଣ ସୁସ୍ଥ ପରିବେଶ , ସୁସ୍ଥ ସୁସଜ୍ଜିତ ସମବୟସର ପିଲାଙ୍କ ସହ ସମୟ କାଟିଲେ ହୁଏତ ହୋଇପାରେ ଆଂଶିକ ସମାଧାନ । ଏଇପରି କିଛି ଯୁକ୍ତି ରେ ଅଟଳ ରୁହନ୍ତି ସରଳା । ତକିଆ ଭିଜିଯାଏ କିନ୍ତୁ ଲୁହ ଧାରର ଶବ୍ଦ ଶୁଭେନି ଅନ୍ୟକୁ । ନିଶବ୍ଦତା ଆଉ ନୀରବପଣ ବେଳେବେଳେ ସବୁକଥା କହିଦେଉଥାଏ । ନାରୀ ଜୀବନର ସକଳ ସୁଖରେ ଘାଣ୍ଟି ହେବାର ସୌଭାଗ୍ୟ ନମିଳୁ ପଛେ , ପୁଅ ତାଙ୍କର କଥାପଦୁଟିଏ ହୋଇଯାଉ । ନିଜେ ବତାଉ ତା ନିଜ ଆବଶ୍ୟକତା ।

ଥରୁଟିଏ ମୁହଁ ଖୋଲି ମା’ ଡାକିଦେଉ ଲିଟୁନ୍…. ପଂଡିତ ହରିବଂଶ ଚୌଧୁରୀଙ୍କ ଅନ୍ତରଂଗ ବନ୍ଧୁ ଦମ୍ପତି ଏଇବାଟେ ନିଜ ଝିଅ ଘରୁ ଫେରିବାବାଟରେ ସୌଜନ୍ୟ ଦୃଷ୍ଟିରୁ ପାଦ ଥାପିଛନ୍ତି କୁଣିଆ ହୋଇ । ଦେଖିଯିବେ ବାର୍ଦ୍ଧକ୍ୟ ବେଳର ସୁଖଦୁଃଖଙ୍କୁ ଆଖିଖୋଲି । ଜୀବନଦୌଡ଼ର ହିସାବଫଳ ଜଣାପଡେ ବୃଦ୍ଧକାଳେ । କେତେ କରିପାରିଛ କେତେ ହାରିଦେଇଛ । ବନ୍ଧୁପତ୍ନୀ ଏସମୟରେ ଖୋଜନ୍ତି ନାତି ଟୋକାକୁ । ଆଢୁଆଳରେ କି ରଖିହେବ ମଣିଷ ପିଲାଟିକୁ । ସ୍କୁଲ୍ ବସ୍ତାନି ଫିଙ୍ଗିଦେଇ ଅବୋଧ ଲିଟୁନ୍ ଦୌଡି ଆସୁଛି ବୈଠକୀକୁ । ବୈଠକୀରେ କିଛି ନୂଆ ମଣିଷ । ସେମାନଙ୍କୁ ନେଇ ତା’ର କୌତୁହଳ । କୋଳାଇ ନେଉଛନ୍ତି ବନ୍ଧୁପତ୍ନୀ ବାଳୁତଟିକୁ । ଭ୍ରୁକୁଞ୍ଚନ କରି ନାନା ସନ୍ଦେହ ରେ ଦେଖୁଛନ୍ତି ବନ୍ଧୁ ଜଣକ । କୁଣିଆଙ୍କ କିଛି ପ୍ରଶ୍ନ ର ଉତ୍ତର ରେ ଲିଟୁନ୍ ଏଇ ଆଜି ଦୁଷ୍ଟ ସାଙ୍ଗମାନଙ୍କଠୁ ଉଦ୍ଦେଶ୍ୟପ୍ରଣୋଦିତ ଭାବେ ଶିଖିଆସିଥିବା ଏକମାତ୍ର ଅପଶବ୍ଦ କୁ ବାରମ୍ବାର ଉଚ୍ଚାରଣ କରିବାର ଚେଷ୍ଟାରେ ଝାଳନାଳ ହୋଇପଡୁଛି । ଖୁବ୍ ଖୁସିରେ ସେ ଶବ୍ଦ ଟିକୁ ଉଚ୍ଚାରଣ କରୁଛି । କହିଚାଲିଛି, କହିଚାଲିଛି ….. ଅପ୍ରସ୍ତୁତ ସମସ୍ତେ । ଅଭାବନୀୟ ଘଟଣା । ଏଡୁଟିକେ ପିଲା ମୁହଁରୁ ବାହାରୁଛି ଅସଭ୍ୟ ଶବ୍ଦ । ତାକୁନେଇ ପୁଣି ସେ ଖୁସି ହେଉଛି , ଡେଇଁ ବୁଲୁଛି ମାଙ୍କଡ଼ ପରି ।

‘ଡେରିହେବ ଆମେ ଆସୁଛୁ’ କହି ଉଠିଗଲେ ବନ୍ଧୁ ଦମ୍ପତି । ପଂଡିତ ହରିବଂଶ ଚୌଧୁରୀ ଙ୍କ କୋପ ଏବେ ପାହାଡ ଶିଖରରେ । ମାଟିରେ ମିଶିଯାଇଛି ସମ୍ମାନ ଟିକକ । ନା ଆଉ ଗୋଟାଇ ହେବ , ନା ଉଠାଇ ହେବ । ଢୋଓଓଓ ଶବ୍ଦ ରେ କମ୍ପି ଉଠିଲେ କାଂଥବାଡ଼ ।

– ଶଃ , ବଂଶନାଶ ବେଳେ ଏପରି କୁଳାଂଗାର ଘୋଡାମୁହାଁ ପୁତ୍ର ର ଜନ୍ମ ହୁଏ । ଏକେତ ପାଟି ଫିଟୁନଥିଲା , ଆଉ ଫିଟିଲାରୁ ବାହାରୁଛି ଅପଶବ୍ଦ । ହେଇପାରେ…….
ରୋଷେଇ ଘରୁ ଧାଇଁ ଆସିଲେ ସରଳା । ସେ ଶୁଣିସାରିଛନ୍ତି ସବୁକିଛି କାନଡେରି । ଲିଟୁନ୍ ପଶିଗଲାଣି ମା’କୋଳରେ ଭୀତତ୍ରସ୍ତ ବାଛୁରୀ ଟିଏ ପରି । ପ୍ରଥମ ଥର ହାତଆଂଗୁଠି ବଢାଈ , ନିଜ ସବୁତକ ବଳସାରି ଚିତ୍କାର କରି କହୁଛନ୍ତି ସରଳା –

– କି ଅଧିକାରରେ ମୋ’ ପୁଅ ପ୍ରତି ଆପଣଙ୍କ ହାତ ଉଠିଗଲା ବାପା ? କିଏ ଦେଇଛି ଏ ଅନୁମତି ଆପଣଙ୍କୁ ? ତା’ପ୍ରତି ଆପଣମାନେ କଣ କିଛି କମ୍ ଅପଶବ୍ଦ ର ପ୍ରୟୋଗ କରନ୍ତି କି ? ଆଜି ସେ ପ୍ରଥମ କରି ଯାହା ଶିଖି ଆସିଛି ସେୟା କହିଛି ।

କିଛି ତ କହୁଛି ମୋ ପୁଅ ଆଜି ?
କିଛି ତ କହିଛି … ?
ମୋତେ ଭଲଭାବେ ଶୁଭିଛି , ସେ’ ମା’ ମା’ ଡାକିଛି…..

ଘଟଗାଁ, କେନ୍ଦୁଝର

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

5 1 vote
Article Rating
Subscribe
Notify of
guest
0 Comments
Inline Feedbacks
View all comments