ପୁନଶ୍ଚ କ୍ରୀତଦାସ – ପ୍ରମୋଦ କୁମାର ମହାନ୍ତି
ମଣିଷ ମଣିଷର ନୁହେଁ କିଣା ଚାକର
ସାରା ଦୁନିଆଁରେ ଖବର ହେଲା ପ୍ରଚାର
କଳା-ଗୋରା ଉଚ୍ଚ-ନୀଚ ଭେଦ ହେବ ଲୋପ
ସାମାଜିକ ନ୍ୟାୟ-ସାମ୍ୟ ନେବ ନୂଆ ରୂପ ll
ବଡ ବଡ ଦେଶ ପୁଣି କେତେ ମହାଦେଶ
ନବ ଚେତନା ଜାଗରଣ ହେଲା ପ୍ରକାଶ
ଲିପିବଦ୍ଧ ହେଲା କେତେ ଆଇନ ସଂହିତା
ଆଚରଣ ଉଚ୍ଚାରଣ ଦଲିଲ ସାଇତା ll
ରାଜନୀତି ଅର୍ଥନୀତି ହେଲା ପ୍ରଭାବିତ
ରାଜା ହେଲା ରଙ୍କ, ରଙ୍କ ନୂଆ ରାଷ୍ଟ୍ରଦୂତ
ଓଲଟ ପାଲଟ ହେଲା ପଦବୀ ଓ ପଦ
ପ୍ରଜାତନ୍ତ୍ର ଗଣତନ୍ତ୍ର ସ୍ୱରର ନିନାଦ ll
ଏକବିଂଶ ଶତାବ୍ଦୀର ଏକ ପଞ୍ଚମାଂଶ
ବିତିଲା ପରେ ବି ସେଇ ପ୍ରଥାର ଭଗ୍ନାଂଶ
ବିଜ୍ଞାନ ବୈଷୟିକ ଚିକିତ୍ସା ବିଶାରଦ
ବିଷାକ୍ତ ଭାବନା ପାଇଁ ନାହିଁ ତ ଔଷଧ ll
ଏବେ ବି ମଣିଷ ଚାହେଁ ମଣିଷ କିଣିବ
ତା’ ତନୁ-ମନ-ସ୍ବପ୍ନର ମାଲିକ ହୋଇବ
କାଗଜ କଲମରେ ଥାଉ ସବୁ ନିୟମ
“ପ୍ରଭୁତ୍ୱ ଜାହିର କରିବା ମୋ’ କୂଳ ଧର୍ମ” ll
ମାନବ ବୋଲି କହେ, ନାହିଁ ‘ମାନବିକତା’
‘ସ୍ୱୟଂ ପାଖେ ପରାସ୍ତ’, କହେ ‘ଜଗତଜିତା’
ଧନ-ପଦ-ମଦ ମତ୍ତ, ‘ପ୍ରଭୁ’ ହେବା ଆଶ
ମୂଢ଼ ଅଜ୍ଞ, ସେ ସ୍ୱୟଂ ପୁନଶ୍ଚ କ୍ରୀତଦାସ ll
ପ୍ରମୋଦ କୁମାର ମହାନ୍ତି
