ଆକାଶ – ପଞ୍ଚାନନ ବେହେରା

ଲେଖକ ପରିଚୟ

ପଞ୍ଚାନନ ବେହେରା
ଦଶପଲ୍ଲା, ନୟାଗଡ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ତୁମ ରଙ୍ଗୀନ ଛାତ ଉପରେ
ତୁମେ ଦେଖିଛ କି ନା ଜାଣିନି,
ମୋ ଭଙ୍ଗା କାନ୍ଥ ପରେ ଲଦା
ଖଣ୍ଡିଆ ଚାଳ ଛାତ ଦେଇ
ମୁଁ କିନ୍ତୁ ଦେଖିଛି–
ମୋ ଆକାଶରେ
ଅସଂଖ୍ୟ ଜହ୍ନ,ତାରା,ଗ୍ରହ ନକ୍ଷତ୍ର
ଝୁଲୁଥାନ୍ତି ଦୋଳିରେ
ଏକ ପୂର୍ଣ୍ଣଛେଦ ବିହୀନ
ଦୋଳାୟମାନ ଗତିରେ
ଠିକ୍ ତୁମ ଏସି ରୁମ୍ ର
କାଚ ଖଣ୍ଡରେ ଖଞ୍ଜିତ
ସିଲିଂ ଲ୍ୟାମ୍ପ୍ ପରି ।
ତୁମ ମର୍ସିଡିସ୍ ଲକ୍ଜୁରି କାର୍ ର
ଫୋମ୍ ଛାତରେ
ତୁମେ ଆକାଶ ଖୋଜୁଥାଅ
ସେ କିନ୍ତୁ ଉଡୁଥାଏ
ମୋ ମନ ଅଗଣାରେ
ସୁନେଲି ପର ଝାଡ଼ି ଧାଉଁଥିବା
ଧାଡ଼ି ଧାଡ଼ି ଚଢ଼େଇଙ୍କ ସହ
ଅବା—-
ଶଙ୍ଖ ମଲମଲ ..କଳା ମଚମଚ
ମେଘମାଳାଙ୍କ ସହ ।
କୁଢ଼ କୁଢ଼ ଭଲପାଇବା, ଅନ୍ତରଙ୍ଗତା
ଆଉ ଆପଣେଇବାର ପୂର୍ଣ୍ଣ କଳାରେ
ଏକ ମଜଭୁତ କଂକ୍ରିଟ ଛାତ ଟିଏ ସେ
ମୁଣ୍ଡ ଉପରେ ।
କବିର କଳ୍ପନା,
ଶିଳ୍ପୀର ଭାବନା ସମୂହକୁ
ଯୋଡ଼ି ଜାଡ଼ି
ତାରକସିର ସୁନ୍ଦର
ଯୋଜନବ୍ୟାପୀ ଛତ୍ରଟିଏ ସେ ।
ରଙ୍ଗମୟ ସେ ରଙ୍ଗର ପୂଜାରୀ
ଦୁନିଆର ସବୁରଙ୍ଗ
ତା’ଠି ହିଁ ସମ୍ଭବ
ଦେଖୁନ,,,,
ନିଜର ପରାକାଷ୍ଠାରେ
ରଙ୍ଗ ମାନଙ୍କୁ ସଜାଡ଼ି
ପରଷୁଥାଏ ଇନ୍ଦ୍ରଧନୁ,,,,
ସେ ଭଲ ପାଏ, ପ୍ରେମ କରେ
ସେଇଥିପାଇଁତ ଅଲାଜୁକ ପଣେ
ଚୁମୁଥାଏ ମାଟିକୁ ସର୍ବସମ୍ମୁଖରେ ।
ଯାହା କୁହ,,,,ସଚ୍ଚା ପ୍ରେମିକ ଟାଏ ସେ ।
ଆକାଶର ଜୀବନ ଅଛି
ସେ ହସେ…କାନ୍ଦେ ବି…
ତାର ଗୁମସୁମ କାନ୍ଦରେ
ଝିପିଝିପି ବର୍ଷା ଝରେ
ଆଉ କେବେ…
ବିଜୁଳି ବଜ୍ରପାତରେ
ମହି ଥରେ ….
ଅସହ୍ୟ ଯନ୍ତ୍ରଣାର
ବୋଧ ହୁଏ ଏ କଠୋର ନିଦର୍ଶନ ।
ସେ ଅନନ୍ତ, ବ୍ୟାପକ
ପଞ୍ଚ ମହାଭୁତର ଏକାଂଶ ସେ ।
ଯେତେବେଳେ ଦେଖିଲେ
ସେ ସେମିତି
ଅପଲକ ଦୃଷ୍ଟିରେ
ଚାହିଁ ରହିଥାଏ ମୋ ଆଡ଼େ
ପ୍ରବର୍ତ୍ତାଉ ଥାଏ ସତେ ଯେମିତି…
ହୁଅ ପ୍ରଶସ୍ତ….
ହୁଅ ପ୍ରଶସ୍ତ….

ପଞ୍ଚାନନ ବେହେରା, ଦଶପଲ୍ଲା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ