ଜୀବନ ଜ୍ୱାଳା – ସରିତା ମହାନ୍ତି

ଲେଖକ ପରିଚୟ

ସରିତା ମହାନ୍ତି
ବାସୁଦେବପୁର, ବାଲିଆପାଳ, ବାଲେଶ୍ୱର | ସଦ୍ୟ ପୋଷ୍ଟ

Read More

ଧରମ ମାସ ଏ କାର୍ତ୍ତିକ ଆସିଲେ
ସ୍ମୃତି ମାଳଟିଏ ପିନ୍ଧି ମୁଁ ଦିଏ
ଜୀବନର ଖୁସି ଗଲା ଅପସରି
ଦୁଃଖ ଚିର ସାଥୀ ପୁନଶ୍ଚ ହୁଏ।

ବିଧାତା ଋଷିଲେ ହେଲି ଅଭାଗିନୀ
ଦୁଃଖର ବାଦଲ ଘେରିଲା ଆସି
ଅମା ଅନ୍ଧକାର ଘୋଟିଲା ଜୀବନେ
କାହା ପରେ ଆଉ ପାରୁନି ରୁଷି।

ନିଜଠୁ ନିଜର ସାଥୀ ଥିଲା ଯିଏ
ଅମଡ଼ା ରାସ୍ତାରେ ଏକା ଛାଡ଼ିଲେ
ପାଦରେ ଶିକୁଳି ସେ ଦିନୁ ପଡ଼ିଲା
ପର ନିଜ ସବୁ ଶତ୍ରୁ ହୋଇଲେ।

ଗୁରୁ ଗୁରୁଜନ ଆଶୀର୍ବାଦ ପୁଣ
ଈଶ୍ବରଙ୍କ ଦାନ କଲି ଗ୍ରହଣ
ପୂଜା ଡାଲାଟିରେ ପାଦ ମୋ’ ବାଜିଲା
କୋପ କଲେ ଗୃହ ଦେବତା ଜାଣ ।

ମନର ବେଦନା ବଖାଣି ନପାରି
ଘୁଣ ଖାଏ ଆଜି ସାରା ଶରୀର
ମୁଖରେ ସର୍ବଦା ଫୁଟି ଉଠେ ହସ
ସେ ହସରେ ଥାଏ ଦୁଃଖ ଜୁଆର।

ଅନୁତାପ ଜ୍ଵାଳା କରେ କଲବଲ
ଦେହ ଚାହୁଁଅଛି ଚିର ସମାଧି
ଭୟଭୀତ ଆଜି ମୋ’ ଜୀବନ ପଥ
ମୋ’ ଜୀବନଟା ଜ୍ୟାମିତି ପରିଧି।

ଦ୍ବନ୍ଦରେ ଜୀବନ ଦ୍ବନ୍ଦରେ ଭାବନା
ବ୍ୟତିବ୍ୟସ୍ତ ମନ ହୁଏ ବାଉଳା
ପାନ୍ଥଶାଳାରେ ମୋଦିତ ନୟନ
ଅଗଣାର ଫୁଲ ହେଲା ମଉଳା।

ଜୀବନ ମୋହର ଦୀପ ଶିଖାଟିଏ
ସଳିତାରେ ତେଲ ଗଲାଣି ସୁଖି
ଝରା ଶ୍ରାବଣର ଲୋତକ ଧାରରେ
ବିରହ ବେଦନା ରହିଛି ସାକ୍ଷୀ।

ଅବିଶ୍ବାସ ବିଷ ଅନଳ ରେ ଝାସ
ପ୍ରତିକ୍ରିୟାଶିଳ ହୁଏ ଶରୀର
ସାରା ଶରୀର ମୋ ଜ୍ଵାଳା ଜର୍ଜରିତ
ହୋଇ ପାରେ ନାହିଁ ତା’ ଉପଚାର।

ବାଲିଆପାଳ, ବାଲେଶ୍ୱର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ