ପ୍ରବନ୍ଧ – ଧର୍ମ-ସଂସ୍କୃତି-ପରମ୍ପରାର ମାସ କାର୍ତ୍ତିକ – ଡକ୍ଟର ଲକ୍ଷ୍ମଣ ସାହୁ

ଲେଖକ ପରିଚୟ

ଡକ୍ଟର ଲକ୍ଷ୍ମଣ ସାହୁ
ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, ମହାନଦୀବିହାର, କଟକ | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 40 ଜଣ ପାଠକ ପଢି ସାରିଛନ୍ତି

ବର୍ଷର ବାରଟି ମାସ ଭିତରେ କାର୍ତ୍ତିକ ମାସଟି ଏକ ଧାର୍ମିକ ମାସ । ଏହି ମାସରେ ପଡୁଥିବା ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣମା ମଧ୍ୟ ରାସ ପୂର୍ଣ୍ଣିମା ନାମରେ ଅଭିହିତ ‌। ଅନ୍ୟ ପଟରେ ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମା ‘ବୋଇତ ବନ୍ଦାଣ’ ଦିବସ ନାମରେ ଖ୍ୟାତ । ବହୁ ପୁରାକାଳରୁ ଏହି ଉତ୍ସବ ପାଳିତ ହୋଇଆସୁଛି । ଓଡ଼ିଶାର ସୁଦୃଢ ପରଂପରା, ଆଚାର ବିଚାର, ଚାଲିଚଳଣି, ସଂସ୍କୃତି, ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ ହୋଇ ଆସିଛି । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ଜଡ଼ିତ ଅଛି ଯେ ଏଭଳି ଏକ ପବିତ୍ର ଧାର୍ମିକ ଦିବସର ଗୁରୁତ୍ଵକୁ ଯଦି ବାଦ ଦିଆଯାଏ ତେବେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଅଣୁ ମାତ୍ର ଚିନ୍ତା ବି କରାଯାଇ ପାରିବ ନାହିଁ । ସେହି ଦୃଷ୍ଟିରୁ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ସୁଦୂର ପ୍ରସାରିତ ଓ ଭାବମୟ ପୂର୍ଣ୍ଣ ବୈଶିଷ୍ଟ୍ୟ ଦ୍ଵାରା ପରିପୂର୍ଣ୍ଣ । ପୂର୍ବତ୍ ଆଶ୍ୱିନ ମାସରେ ଯେତେବେଳେ ବିଶ୍ଵଜନନୀ କରୁଣାମୟୀ ମା’ ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ ମା’ କାଳୀଙ୍କ ଆରାଧନା ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମାହିତ ହୁଏ ସେତେବେଳେ ଦେବ ସେନାପତି କାର୍ତ୍ତିକଙ୍କ ଆରାଧନା ମନରେ ଜାଗ୍ରତ ହୁଏ । ତେଣୁ ଏହି ମାସରେ ଓଡ଼ିଶାର ପୁରପଲ୍ଲୀରେ ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ମହାଆଡମ୍ବରରେ ଅତ୍ୟନ୍ତ ଉତ୍ସାହର ସହିତ ପାଳନ ହୁଏ ।

ଓଡ଼ିଶାର ପ୍ରାତଃ ସ୍ମରଣୀୟ ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜ ରାଜ ଓ ଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରୁ କାର୍ତ୍ତିକ ମାସର ମାହାତ୍ମ୍ୟ ସଂପର୍କରେ ଉଲ୍ଲେଖ ଅଛି । ଏହି ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ମିଳେ । ପୁନଶ୍ଚ ଆଧ୍ୟାତ୍ମିକ ଦୃଷ୍ଟିରୁ କାର୍ତ୍ତିକ ଏକ ଧର୍ମ ମାସ ରୂପେ ଜନସାଧାରଣଙ୍କ ମନରେ ଦୃଢ ବିଶ୍ବାସ ରହିଛି । ଯାହା ଫଳରେ ଏହି ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳ- ବୃଦ୍ଧ- ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନ ଓ ନଗର ସଂକୀର୍ତ୍ତନରେ ଆତ୍ମବିଭୋର ହୋଇ ଉଠୁଥିବାର ଦେଖାଯାଏ । ମୃଦଙ୍ଗ, ଖୋଳ, ଝାଞ୍ଜ, ଗିନି, ପଖଉଜ, ମହୁରୀର ତାଳେ ତାଳେ ନଗର ପରିକ୍ରମା କରି ପୁଣ୍ୟ ଅର୍ଜନ କରନ୍ତି । ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚ ପର୍ବ ବା ମହାପଞ୍ଚକ ନାମରେ ପରିଚିତ । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଶୁଣାଯାଏ ଏହି ପବିତ୍ର ପାଞ୍ଚଦିନ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ ।

ଏସବୁ ଯାହା ହେଉନା କାହିଁକି ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ପାଲଟିଯାଏ । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପିଣ୍ଡ ପ୍ରଦାନ ଓଡ଼ିଶାରେ ସଂପ୍ରତି ପ୍ରଚଳିତ ନଥିଲେ ମଧ୍ୟ ଭକ୍ତି ସହକାରେ ବ୍ରତ ପାଳନ ଓଡ଼ିଆ ପରମ୍ପରାରେ ଅନୁସୃତ ରହିଛି । ଏହି ଦିବସରେ ମହିଳାମାନେ ରାଇ- ଦାମୋଦର ବ୍ରତର ଉଦ୍ ଯାପନ କରିଥାନ୍ତି । ପ୍ରତ୍ୟେକ ମହିଳା ପ୍ରତ୍ୟୁଷରୁ ଶଯ୍ୟା ଛାଡ଼ି ପୋଖରୀ ତୁଠରେ ମିଳିତ ହୁଅନ୍ତି ଓ ସ୍ନାନ ସାରି ଦେବଦେବୀ ଦର୍ଶନ ପାଇଁ ଯାଆନ୍ତି । ଦେବାଳୟରୁ ଫେରିବା ପରେ କାର୍ତ୍ତିକ ମାହାତ୍ମ୍ୟ ପାଠ ବା ଶ୍ରବଣରେ ମନ ଦିଅନ୍ତି । ତୁଳସୀ ବୃକ୍ଷକୁ ଏହିମାସରେ ଅତ୍ୟନ୍ତ ଭକ୍ତି ସହକାରେ ଆରାଧନା କରାଯାଏ । ବିଧବାମାନଙ୍କ ପକ୍ଷରେ ଏହି ମାସଟି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଗ୍ରାମାଞ୍ଚଳରେ ବିଧବା ନାରୀ ମାନେ ସକାଳ ସ୍ନାନ ପୂର୍ବକ ନଗର ପରିକ୍ରମା କରି ବର-ଓସ୍ତ ବା ମନ୍ଦିର ଚର୍ତୁପାଶ୍ୱ ଓଳାଇ ସ୍ୱଚ୍ଛ ପବିତ୍ର କରୁଥିବା ଦେଖାଯାଏ । ଏହି ମାସରେ ପଡୁଥିବା ଅଁଳା ନବମୀରେ ରାଧା ପାଦ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ପାଇଁ ଶ୍ରୀକ୍ଷେତ୍ର ନିକଟସ୍ଥ ସାକ୍ଷୀଗୋପାଳର ‘ସାକ୍ଷୀଗୋପିନାଥ’ ମନ୍ଦିର ଜନସମାଗମରେ ପୁରି ଉଠେ ।

କିମ୍ବଦନ୍ତୀ ଅନୁସାରେ ରାକ୍ଷସ ଜଳନ୍ଧର ନିଜ ସତୀ ସ୍ଵାଧୀ ପତ୍ନୀ ତୁଳସୀଙ୍କ ପାତିବ୍ରତ୍ୟ ବଳରେ ବଳୀୟାନ ହୋଇ ଉଠିଥିଲା । ଏପରିକି ବୃନ୍ଦାବତୀଙ୍କ ସତୀତ୍ଵ ଅମ୍ଳାନ ରହିଥିବା ପର୍ଯ୍ୟନ୍ତ ଦେବତାମାନେ ବହୁ ଚେଷ୍ଟା ସତ୍ତ୍ଵେ ଜଳନ୍ଧର କୌଣସି ଅନିଷ୍ଟ ଘଟିନଥିଲା । ଏହି ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଜାଗ୍ରତ ହୁଅନ୍ତି । ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସୃଷ୍ଟିକୁ ସୁଖମୟ କରିବା ପାଇଁ ବିଶେଷ ଅନୁଗ୍ରହ ପ୍ରଦର୍ଶନ କରନ୍ତି । ବିଶ୍ୱାସ କରାଯାଏ ଯେ ଭଗବାନ ବିଷ୍ଣୁଙ୍କ ଅର୍ଧଙ୍ଗିନୀ ମା’ ଲକ୍ଷ୍ମୀ ପୃଥିବୀ ଭ୍ରମଣ କରି ଭକ୍ତମାନଙ୍କୁ ଉଦ୍ଧାର କରନ୍ତି । କାର୍ତ୍ତିକ ମାସରେ ତୁଳସୀ ରୋପଣ ଏବଂ ବିବାହ ସର୍ବୋତ୍ତମ ବୋଲି ବିବେଚନା କରାଯାଇଛି । ଯେଉଁମାନେ ଏହି ମାସରେ ଦେବୀ ଲକ୍ଷ୍ମୀ-ନାରାୟଣଙ୍କୁ ପୂଜା କରନ୍ତି, ସେମାନେ କେବେବି ଅଭାବ ଅନଟନ ଅନୁଭବ କରନ୍ତି ନାହିଁ । ଧନ, ଐଶ୍ୱର୍ଯ୍ୟ, ପ୍ରାଚୁର୍ଯ୍ୟ ଓ ସୁଖ, ଶାନ୍ତି, ନିରୋଗ ଭିତରେ ଜୀବନ ଅତିବାହିତ କରନ୍ତି ।

ପୁରାଣ ତଥ୍ୟାବଳୀ ଅନୁସାରେ ଭଗବାନ ବିଷ୍ଣୁ ଓ ତୁଳସୀଙ୍କୁ ଶାଳଗ୍ରାମ ରୂପରେ ପୂଜା କରାଯାଏ । ଆଦର୍ଶ ଆୟୁର୍ବେଦିକ ମାନଙ୍କ ମତରେ କାର୍ତ୍ତିକ ମାସର ମହନୀୟ ମହତ୍ତ୍ଵ ରହିଛି । ସେମାନେ କୁହନ୍ତି- କାର୍ତ୍ତିକ ମାସରେ ସୂର୍ଯ୍ୟ କିରଣରେ ସ୍ନାନ କରିବାର ବିଶେଷ ମହତ୍ତ୍ଵ ରହିଛି । ଆୟୁର୍ବେଦ ଅନୁଯାୟୀ, କାର୍ତ୍ତିକ ମାସରେ ଡାଲି ଖାଇବା ଠାରୁ ଦୂରେଇ ରହିବା ଏବଂ ଅପରାହ୍ନରେ ଶୋଇବା ଉଚିତ୍ ନୁହେଁ । ବରଂ ଏହି ମାସରେ ଗୋଲମରିଚ ବ୍ୟବହାରରେ ବିଶେଷ ମହତ୍ତ୍ୱ ଅଛି । ବୈଦିକ ବିଶ୍ୱାସ ହେଉଛି ଯେ ଯଦି କାର୍ତ୍ତିକ ମାସର ସମସ୍ତ ଦିନ ଗଙ୍ଗା ସହିତ ସମାନ । ଏପରିକି ତ୍ରୟୋଦଶୀ, ଚତ୍ରୁର୍ଦଶୀ ଏବଂ ପୂର୍ଣ୍ଣିମାର ଶେଷ ତିନି ଦିନ ଯେ କେହି ଭକ୍ତ ସୂର୍ଯ୍ୟୋଦୟ ପୂର୍ବରୁ ଗଙ୍ଗାରେ ସ୍ନାନ ଓ ପୂଜା କରେ, ତେବେ ଭକ୍ତ କାର୍ତ୍ତିକ ମାସର ସକଳ ପୁଣ୍ୟ ଲାଭ କରିଥାଏ । କାର୍ତ୍ତିକ ମାସ ହେଉଛି ଦାନ, ଧର୍ମ, ପୁଣ୍ୟର ମାସ । ଉପାସନାର ଗୁଣାତ୍ମକ ଦୃଷ୍ଟିରୁ ବିଚାର କଲେ ପୁଷ୍କରିଣୀରେ ବା ନଦୀ ପୀଠରେ ସ୍ନାନ ସାରି କାର୍ତ୍ତିକ ମାହାତ୍ମ୍ୟ ପୁରାଣ ପାଠ ଦ୍ୱାରା ମନ ପ୍ରଫୁଲ୍ଲ ରହେ । ଏହି ମାସରେ କୁମାରୀ ଝିଅ ମାନେ ନଦୀ ବା ପୁଷ୍କରିଣୀକୁ ସ୍ନାନ କରିବାକୁ ଯାଆନ୍ତି ।

ଏହି ମାସରେ ଭଗବାନ ବିଷ୍ଣୁ, ମାତା ଲକ୍ଷ୍ମୀ, ରାମଦେବ ଧନଭନ୍ତରୀ, କାର୍ତ୍ତିକେୟ, ଗୋବର୍ଦ୍ଧନଙ୍କ ପୂଜାର ବିଶେଷ ମହତ୍ତ୍ଵ ରହିଛି । ବିଶେଷତ୍ଵ ହେଉଛି ମହାଭାରତ ଅନୁଶାସନ ମହୋତ୍ସବ ଅନୁଯାୟୀ କାର୍ତ୍ତିକ ମାସର ଶୁକ୍ଲା ପାକାରେ କାକାରର ବିଶେଷ ମହତ୍ତ୍ୱ ରହିଛି । ଶିବ ପୁରାଣ ଅନୁଯାୟୀ କାର୍ତ୍ତିକରେ ଦାନ, ଧର୍ମ କଲେ ପୂର୍ବ ଅର୍ଜିତ ମନ୍ଦ କର୍ମର କ୍ଷୟ ଘଟିଥାଏ । ସ୍କନ୍ଦ ପୁରାଣରେ କୁହାଯାଇଛି, ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଶ୍ରେଷ୍ଠ । ଗୀତାରେ ଭଗବାନ କୃଷ୍ଣ ଶ୍ରେଷ୍ଠତା ବିଚାର କରି କହିଛନ୍ତି ଯେ ବନସ୍ପତି ରେ ତୁଳସୀ, ତୀର୍ଥରେ ହରିକାପୁରୀ, ତିଥିରେ ଏକାଦାଶି ଏବଂ ମାସରେ କାର୍ତ୍ତିକ ଶ୍ରେଷ୍ଠ ଅଟନ୍ତି । ଏପରି ଭାବରେ କାର୍ତ୍ତିକ ସର୍ବୋତ୍ତମ ମାସ ଭାବେ ସନାତନ ଧର୍ମୀ ମାନେ ବିଶ୍ୱାସ କରିଥାନ୍ତି । ଏହି ଗଭୀର ବିଶ୍ୱାସ ଭିତରେ ‘ ଆକାମାବୈ ‘ ଗୁରୁତ୍ୱ ଉପଲବ୍ଧ ହୋଇଥାଏ । ଅର୍ଥାତ୍ ଆଷାଢ଼, କାର୍ତ୍ତିକ, ମାଘ, ବୈଶାଖ – ଏଇ ଚାରିମାସର ପ୍ରଥମ ଅକ୍ଷର । ଏହି ଚାରିମାସ ବର୍ଷର ପୁଣ୍ୟମାସ । ଆମର କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ସମୟରେ ଏଇ କଥା କୁହାଯାଏ । ମୁଖ୍ୟଃତ ଏଇ ଚାରି ମାସରେ ଚକୁଳିଆ ପଣ୍ଡାମାନେ ଗାଁ ଗାଁ ବୁଲି ଭିକ୍ଷା କରନ୍ତି ଓ ଏଇ ଚାରି ମାସରେ ପୁଣ୍ୟପ୍ରାପ୍ତି ନିମିତ୍ତ ଦାନ ଧ୍ୟାନାଦି କରାଯାଏ ।

ଉଜ୍ଜ୍ବଳ ଆକାଶଦୀପ ପ୍ରତିଷ୍ଠା ହେଉଛି ପବିତ୍ର କାର୍ତ୍ତିକ କୃତ୍ୟର ଆଉ ଏକ ମହତ୍ତ୍ଵପୂର୍ଣ୍ଣ ପୁଣ୍ୟ ଫଳ । କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ ହୋଇଆସୁଛି । ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ ଏକ ଉଚ୍ଚ ବାଉଁଶ ଖୁଣ୍ଟରେ ସରୁ ଦଉଡ଼ି ଦ୍ଵାରା ସନ୍ଧ୍ୟାରେ ଆକାଶଦୀପ ଦିଆଯାଏ । ଦିବସରେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜଳନ କରାଯାଇଥାଏ । ଏହି ଆକାଶଦୀପ କାର୍ତ୍ତିକ ମାସରେ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚ‌ଉରାମୂଳେ ପୋତାଯାଉଥିବା ବାଉଁଶ ଉପରକୁ ଉଠା ଯାଉଥିବା ଘିଅଦୀପ । ଗୋଟିଏ ଛିଦ୍ରଥିବା ମାଟି ହାଣ୍ଡିରେ ତଳେ ବାଲି ଓ ଗୋବର ରଖାଯାଇ ଏହା ଉପରେ ଦୀପ ରଖାଯାଏ । ଏହାକୁ ଏକ ଶିକାରେ ରଖି, ବାଉଁଶ ଅଗରେ ଥିବା ଶଗଡ଼ିରେ ଦ‌ଉଡ଼ା ଲଗାଯାଇ ଏଇ ଦୀପ ଉପରକୁ ଉଠାଯାଏ । ସଂପୃକ୍ତ ହାଣ୍ଡି ଆକାଶହାଣ୍ଡି, ବାଉଁଶ ଆକାଶବାଉଁଶ ରୂପେ ପରିଚିତ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏଭଳି ଦୀପଦାନ ବିଧି ରହିଛି ।

ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ । ସେ ଦିନ ପ୍ରତ୍ୟୁଷରୁ ଆବାଳ- ବୃଦ୍ଧା- ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଖେଳଣା ଡଙ୍ଗାରେ ଦୀପ ଜାଳି ଓ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ସମୟରେ ସମସ୍ତେ ଉତ୍ ଫୁଲ୍ଲିତ ଚିତ୍ତରେ ଗାନ କରନ୍ତି ‘ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ।’ ଏହି ଆନନ୍ଦ ଉଲ୍ଲାସ ଅବସରରେ ଗଭୀର ଭକ୍ତି ସହକାରେ ପ୍ରତ୍ୟେକ ପୁଣ୍ୟ ଅର୍ଜନ ସକାଶେ ମାନସିକ କରିଥାନ୍ତି । ସାଧାରଣତଃ ଦୃଢ ବିଶ୍ଵାସ ରହିଛି ଯେ ଏହିଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ । ଅପରପକ୍ଷରେ ଆଷାଢ଼,କାର୍ତ୍ତିକ, ମାଘ ଓ ବୈଶାଖ- ଏଇ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ । ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯିବା ବିଧି ବ୍ୟବସ୍ଥା ରହିଛି । ପୌରାଣିକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘ ଆ କା ମା ବୈ ’ସାଧାରଣ ଜନଜୀବନକୁ ଯେ ପ୍ରଭାବିତ କରୁ ନ ଥିବ ତାହା କୁହାଯାଇ ନପାରେ । ହୁଏତ ଗଙ୍ଗା ବା ଲକ୍ଷ୍ମୀନାରାୟଣ ଉପାସନା କରିବା ମୂଳରେ ଓଡ଼ିଶାର ନରନାରୀ ଜଳରେ ସ୍ଵଦେଶ ସଂସ୍କୃତିର ପ୍ରତୀକ ଉପାସନା ସାମଗ୍ରୀ ତାମ୍ବୁଳ, ଅକ୍ଷତ ଓ ତିଳ ନିକ୍ଷେପ ପୂର୍ବକ ପ୍ରତିଦାନ ସ୍ଵରୂପ ଦେବତାଙ୍କ ଠାରୁ ପୁଣ୍ୟ କାମନା କରିଥାନ୍ତି । ଏହି ଅବକାଶରେ ଶ୍ୟାମଦେଶ (ଥାଇଲ୍ୟାଣ୍ଡ )ରେ କଦଳୀପଟୁଆ ନିର୍ମିତ ଛୋଟଛୋଟ ଡଙ୍ଗା ଭସାଇବା ପରମ୍ପରା ଏବେ ମଧ୍ୟ ପ୍ରଚଳିତ ଅଛି ।

ଏହି କାର୍ତ୍ତିକ ପୂର୍ଣ୍ଣିମା ଅବକାଶରେ ପ୍ରାଚୀନ ଉତ୍କଳର ରାଜଧାନୀ ଐତିହାସିକ କଟକନଗରୀ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ଅନୁଷ୍ଠିତ ବାଲିଯାତ୍ରାର ଭୂମିକା ଯେତିକି ଗୁରୁତ୍ଵପୂର୍ଣ୍ଣ , ସେତିକି ସମଗ୍ର ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଛି । ଏସବୁ ଦୃଷ୍ଟିରୁ କହିବାକୁ ଗଲେ କାର୍ତ୍ତିକ ପୂର୍ଣ୍ଣିମା ଓଡ଼ିଶାର ଏକ ପ୍ରଧାନ ଉତ୍ସବ ପାଲଟି ଯାଇଛି । ଉତ୍କଳର ବିଲୁପ୍ତ ନୌପରମ୍ପରା ସହିତ ଏହାର ସଂପୃକ୍ତି ବହୁଭାବରେ ସ୍ଵୀକୃତ ଲାଭ କରିଛି । ଫଳତଃ ଏକ ସୁଦୃଢ ଧର୍ମ-ସଂସ୍କୁତି-ପରଂପରାର ମାସ କାର୍ତ୍ତିକ ପାଲଟି ଯାଇଛି..!!!

ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-୪
ଦୂରଭାଷ : ୯୦୪୦୧୫୧୪ ୭୫

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
2 Comments
Oldest
Newest Most Voted
Inline Feedbacks
View all comments
ରଙ୍ଗନାଥ ରଥ
Guest
ରଙ୍ଗନାଥ ରଥ
10 days ago

ଉତ୍କଳୀୟ ପରମ୍ପରା ଏବଂ ଆମ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ଏହି ଆଲେଖ୍ୟଟି ନୂତନ ପିଢି଼କୁ ଦିଗ୍ଦର୍ଶନ ଦେବ ଏଥିରେ ସନ୍ଦେହ ନାହିଁ।

ବୋଇତ ବନ୍ଦାଣ ଉତ୍ସବ ପାଳନ କରିବା କେବଳ ଯେ ଏକ ଧାର୍ମିକ ଚେତନାର କେନ୍ଦ୍ରବିନ୍ଦୁ, ତା’ ନୁହେଁ; ବରଂ ଏହା ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପ୍ରାଚୀନ ଉତ୍କଳକୁ ଋଦ୍ଧିମନ୍ତ କରିବାରେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲା।

ଆନ୍ତରିକ ଧନ୍ୟବାଦ ବରେଣ୍ୟ ପ୍ରାବନ୍ଧିକ ଡକ୍ଟର ଲକ୍ଷ୍ମଣ ସାହୁ ମହୋଦୟ।

ଡକ୍ଟର ଲକ୍ଷ୍ମଣ ସାହୁ
Guest

ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ ଅଶେଷ ଧନ୍ୟବାଦ ଜଣାଉଛି ।