ଦାର୍ଢ୍ୟତା ଭକ୍ତି କଥାମୃତ – ଜଗନ୍ନାଥ ଦାସ ସମ୍ବାଦ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 22 ଜଣ ପାଠକ ପଢି ସାରିଛନ୍ତି

କାରାଗାରର ରୁଦ୍ଧ ପ୍ରକୋଷ୍ଠ ମଧ୍ୟରେ ଇତଃସ୍ତତଃ ପଦଚାରଣ କରୁଥିଲେ ବନ୍ଦୀ ବ୍ୟକ୍ତି ଜଣକ । “କ’ଣ ତାଙ୍କର ଅପରାଧ ? ତାଙ୍କର ଭୁଲ୍ ରହିଲା କେଉଁଠି ? ସ୍ତ୍ରୀ ପୁରୁଷ ସମସ୍ତଙ୍କୁ ଧର୍ମ ଉପଦେଶ ଦେବା, ପ୍ରଭୁଙ୍କ ମହିମା ତାଙ୍କ ଆଗରେ ବର୍ଣ୍ଣନା କରିବା କ’ଣ ଅପରାଧ ?ଖଳ ଲୋକଙ୍କର କଥାରେ ପ୍ରଭାବିତ ହୋଇ ତାଙ୍କୁ ମହାରାଜା ଡ଼କାଇ ପଠାଇ ଥିଲେ । ସେ ତ ପ୍ରକୃତ ସତ୍ୟ କଥା କହିଛନ୍ତି ।ନିଜେ ମହାରାଣୀ ମଧ୍ୟ ତାଙ୍କ ଠାରୁ ଠାକୁରଙ୍କ ମହିମା ପରମ ଶାସ୍ତ୍ର ଭାଗବତ ଶ୍ରବଣ କରୁଥିଲେ । ସ୍ତ୍ରୀ ଲୋକ ମାନଙ୍କ ମଧ୍ୟରେ ପୁରାଣ ଚର୍ଚ୍ଚା କରିବା କ’ଣ ଅପରାଧ ରେ ଗଣାଯାଏ ?”ଏହିପରି ନାନା ପ୍ରଶ୍ନ ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା । ହଁ ମନେ ପଡ଼ିଲା ତାଙ୍କର …. ,ସେଦିନ ମହାରାଜା ଯେତେବେଳେ ତାଙ୍କୁ କହିଥିଲେ ଯେ ପୁରୁଷ ହୋଇ ମହିଳା ମାନଙ୍କ ଗହଣରେ ପୁରାଣ ଚର୍ଚ୍ଚା କରିବା ହିଁ ତାଙ୍କର ଅପରାଧ ସେତେବେଳେ ସେ କହିଥିଲେ ,”ବିଶ୍ଵ ନିୟନ୍ତା ପ୍ରଭୁ ଶ୍ରୀହରି ଜଗନ୍ନାଥ ହିଁ ପରମ ପୁରୁଷ ।ଏ ଦୁନିଆଁ ରେ ଆମେ ସମସ୍ତେ ତାଙ୍କର ଅଂଶ ମାତ୍ର । ତେଣୁ ମୋ ନିକଟରେ ସ୍ତ୍ରୀ ପୁରୁଷ ର ଭେଦାଭେଦ ନାହିଁ ମହାରାଜ ।” ମହାରାଜା ଗର୍ଜି ଉଠିଥିଲେ, ” କ’ଣ କହିଲ ଦାସେ ? ତୁମ ଠାରେ ସ୍ତ୍ରୀ ପୁରୁଷ ଭେଦାଭେଦ ନାହିଁ? ଠିକ୍ ଅଛି କିଏ ଅଛ ରେ ! ରକ୍ଷୀ, ଦୈ।ବାରିକ ଏ ଦାସ ଙ୍କୁ କାରାଗାର ର ଏକ ନିଭୃତ କୋଠରୀରେ ବନ୍ଦୀ କରି ରଖ । ସେ ତାଙ୍କ ନାରୀ ସ୍ୱରୂପକୁ ଦେଖାଇଲେ ଯାଇ ମୁକ୍ତିଲାଭ କରିବେ ।” ଏହି ଆଦେଶରେ ବନ୍ଦୀ ହୋଇଥିଲେ ପୁରୁଷୋତ୍ତମ କ୍ଷେତ୍ର ନିବାସୀ ବିପ୍ର ଜଗନ୍ନାଥ ଦାସ । ଶୁଦ୍ଧ ଭକ୍ତିଭାବରେ ପରିପୂର୍ଣ୍ଣ ଜଗନ୍ନାଥ ଦାସ ଅତି ସରଳ ଜୀବନ ଯାପନ କରୁଥିଲେ । ଅନେକ ଶାସ୍ତ୍ର ଅଧ୍ୟୟନ କରି ମଧ୍ୟ ତାଙ୍କ ମନକୁ ଗର୍ବ ଅହଙ୍କାର ସ୍ପର୍ଶ କରି ପାରି ନଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଥିଲା ପ୍ରଗାଢ ଭକ୍ତି ଓ ବିଶ୍ବାସ ।ଅହରହ ସେ ଠାକୁର ଙ୍କୁ ସ୍ମରଣ କରୁଥିଲେ । ତାଙ୍କର ଭବିଷ୍ୟତ କର୍ମ ପନ୍ଥା ସ୍ଥିର କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ନିବେଦନ କରି ଧ୍ୟାନସ୍ଥ ହେଲେ ବିପ୍ର ଜଗନ୍ନାଥ । ତାଙ୍କର ଭକ୍ତି ଭାବରେ ଭାବଗ୍ରାହୀ ଜଗନ୍ନାଥ ସ୍ୱପ୍ନାଦେଶ ଦେଇ ପରମ ଶାସ୍ତ୍ର ଭାଗବତକୁ ପ୍ରାକୃତ ଭାଷାରେ ରଚନା କରିବାକୁ ଏବଂ ତାକୁ ପ୍ରଚାର ପ୍ରସାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।ସେଇ ନିର୍ଦ୍ଦେଶ ଅନୁସାରେ ଜଗନ୍ନାଥ ଦାସ ପ୍ରାକୃତ ଭାଷାରେ ରଚନା କରିଥିଲେ ଛନ୍ଦ ଯୁକ୍ତ ଶ୍ରୀମଦ୍ଭାଗବତ ମହାପୁରାଣ । ଆବାଳବୃଦ୍ଧ ବନିତା ତାଙ୍କର ସୁଲଳିତ କଣ୍ଠରେ ଅମୃତ ମୟ ଭାଗବତ ବାଣୀ ଶୁଣି ମନ୍ତ୍ରମୁଗ୍ଧ ହୋଇ ଯାଉଥିଲେ । ସ୍ତ୍ରୀ ଲୋକ ମାନେ ତାଙ୍କ ଚାରି ପାଖରେ ବେଢ଼ିବସି ଭାଗବତ ପବିତ୍ର କୃଷ୍ଣ କଥା ଶୁଣି ଭାବରେ ଗଦ୍ ଗଦ୍ ହୋଇ ଯାଉଥିଲେ । ତାଙ୍କର ଲୋକପ୍ରିୟତା ଖଳଲୋକଙ୍କୁ ସୁହାଇଲା ନାହିଁ । କୁକୁର ପବିତ୍ର ତୁଳସୀ ବୃକ୍ଷ ରେ ତା’ର ମାହାତ୍ମ୍ୟ ନଜାଣି ଗୋଡ଼ ଟେକି ମୁତ୍ର ତ୍ୟାଗ କଲାପରି, ମୂଷା ଭଲ ମନ୍ଦ ବିଚାର ନକରି ଦୂବପତ୍ର କାଟି ନଷ୍ଟ କଲାପରି ଖଳ ପ୍ରକୃତିର ଲୋକ ମାନେ ବିପ୍ର ଜଗନ୍ନାଥ ଦାସ ଙ୍କ ଚରିତ୍ର ଉପରେ କଳଙ୍କ ର ଛିଟା ଲଗାଇବାକୁ ପଛେଇଲେ ନାହିଁ । ବିଭିନ୍ନ ଉପାୟରେ ଜଗନ୍ନାଥ ଦାସ ଜଣେ ଲମ୍ପଟ ବୋଲି ରାଜାଙ୍କ ଆଗରେ ବର୍ଣ୍ଣନା କଲେ । ତେଣୁ ନିରପରାଧୀ ହୋଇ ମଧ୍ୟ ତାଙ୍କୁ କାରାଦଣ୍ଡ ଭୋଗିବାକୁ ପଡ଼ିଲା । କାରାଗାରର ଆବଦ୍ଧ ପ୍ରକୋଷ୍ଠ ମଧ୍ୟରେ ଇତଃସ୍ତତଃ ପଦଚାରଣ କରୁ କରୁ ଏସବୁ ମନେପକାଇ ମହାପ୍ରଭୁଙ୍କ ନିକଟରେ ଶରଣାପନ୍ନ ହେଲେ । ଚକ୍ଷୁ ଯୁଗଳରୁ ଝର ଝର ହୋଇ ଝରିଯାଉଥିଲା ଭାବାଶ୍ରୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣଗାନ କରିବା ସହିତ ଏହି ନିଷ୍ଠୁର ଅପମାନ ରୁ ମୁକ୍ତିଲାଭ ପାଇଁ ନିବେଦନ କରି କହିଲେ,”ହେ ମହାବାହୁ! ଘୋର ଅରଣ୍ୟରେ ମୃଗୁଣୀ ର ଡ଼ାକ ଶୁଣି ତାକୁ ଉଦ୍ଧାର କରିଥିଲେ । ଗଭୀର ଜଳରାଶି ମଧ୍ୟରେ କୁମ୍ଭୀର କବଳରୁ ଗଜରାଜର ବିକଳ ପ୍ରାର୍ଥନା ଶୁଣି ଚକ୍ରଧର ଚକ୍ରପେଶି ନକ୍ରର ନାଶ କରି ମୁକ୍ତି ପ୍ରଦାନ କରିଥିଲେ । ବିକଳ ନିବେଦନ ଶୁଣି ଅନେକ ଭକ୍ତ କୁ ଆପଣ ବିପଦରୁ ଉଦ୍ଧାର କରିଛନ୍ତି । ଭକ୍ତର ଅପମାନ କ’ଣ ଆପଣଙ୍କ ଅପମାନ ନୁହେଁ ମହାପ୍ରଭୁ ? ଆପଣଙ୍କ ଶରଣାପନ୍ନ ହେଲି ପ୍ରଭୁ । ମୋତେ ଏହି ଘୋର ବିପତ୍ତିରୁ ରକ୍ଷା କରନ୍ତୁ । ଆପଣ ଅନ୍ତର୍ଯ୍ୟାମୀ । ଆପଣଙ୍କ ନିକଟରେ ମୋର ମନର କଥା ଅଛପା ନୁହେଁ । ଆପଣ ନ ରଖିଲେ ମୋର ଆଉ କିଛି ଉପାୟ ନାହିଁ ପ୍ରଭୁ ।”ଏମିତି ସ୍ତୁତି କରୁକରୁ କାରାଗାର ମଧ୍ୟରେ ଶୋଇ ପଡିଲେ ବିପ୍ର ଜଗନ୍ନାଥ ଦାସ ।

ପ୍ରତ୍ୟୁଷରୁ ଏକ ଦିବ୍ୟ ସୁଗନ୍ଧ ଅନୁଭବ କରି ତାଙ୍କ ନିଦ୍ରା ଭଙ୍ଗ ହେଲା । ସେ ନିଜ ଶରୀର ଦେଖି ଚମକି ପଡ଼ିଲେ ।ଏ ଅଭୂତପୂର୍ବ ପରିବର୍ତ୍ତନ ଦେଖି ବିସ୍ମିତ ହେଲେ ଏବଂ ବାରମ୍ବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯୋଡହସ୍ତ ହୋଇ କୃତଜ୍ଞତା ଜ୍ଞାପନ କରି “ନିସ୍ତରିଲି, ନିସ୍ତରିଲି ପ୍ରଭୁ” ବୋଲି ଉଚ୍ଚାରଣ କଲେ । ବନ୍ଦୀଗୃହ କୁ ପ୍ରହରା ଦେଉଥିବା ରକ୍ଷୀ ବିପ୍ର ଜଗନ୍ନାଥ ଦାସ ଙ୍କ ବଦଳରେ ଜଣେ ସ୍ତ୍ରୀ ଲୋକକୁ କାରାଗାର ମଧ୍ୟରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ମନେ ମନେ ଭାବିଲା ତା’ର କିଛି ଭୁଲ ହୋଇ ନାହିଁ ତ ? କୋଲପକୁ ନିରୀକ୍ଷଣ କରି ଦେଖିଲା ସବୁ ଠିକ୍ ପୂର୍ବ ପରି ରହିଥିଲା । ସେ କାଳ ବିଳମ୍ବ ନକରି ଅନ୍ୟ ଜଣେ ପ୍ରହରୀ ଙ୍କୁ ଦାୟିତ୍ଵ ଦେଇ ମହାରାଜାଙ୍କ ପାଖକୁ ତୁରନ୍ତ ଜଣାଇବାକୁ ଚାଲିଗଲା ।ସେଇ ରାତିରେ ଭକ୍ତ ବତ୍ସଳ ମହାପ୍ରଭୁ ଜଗନ୍ନାଥ ଭକ୍ତ ର ବିକଳ ପ୍ରାର୍ଥନା ଶୁଣି ବନ୍ଦୀ ଗୃହରେ ପ୍ରବେଶ କରି ଦାସଙ୍କ କାୟା ପରିବର୍ତ୍ତନ କରି ସାରି ମହାରାଜା ଙ୍କୁ ସ୍ୱପ୍ନାଦେଶ ଦେଇ କହିଲେ, “ହେ ରାଜା ପ୍ରତାପରୁଦ୍ର ତୁ ତ ଏଠି ଅଚିନ୍ତା ରେ ଗଜଦନ୍ତ ପଲଙ୍କରେ ଶୋଇଛୁ, ତେଣେ ତୋରି ନିର୍ଦ୍ଦେଶରେ ମୋର ପରମ ଭକ୍ତ ବିପ୍ର ଜଗନ୍ନାଥ ଦାସ ଅପମାନିତ ହୋଇ କାରାଗାର ମଧ୍ୟରେ ଯନ୍ତ୍ରଣା ଭୋଗ କରୁଛି ।ସେ ମୋ ନିର୍ଦ୍ଦେଶ ଅନୁସାରେ ପ୍ରାକୃତ ଭାଷାରେ ମୋର ଅତି ପ୍ରିୟ ପରମ ଶାସ୍ତ୍ର ଭାଗବତ ପୁରାଣ ରଚନା କରି ପ୍ରଚାର କରୁଛି ।ତା ନିକଟରେ ସ୍ତ୍ରୀ ପୁରୁଷର ଭେଦାଭେଦ ନାହିଁ । ସମସ୍ତଙ୍କୁ ମୋର ଲୀଳାମୃତ ଶୁଣାଇବା ସବୁଠାରୁ ମହାନ୍ କାର୍ଯ୍ୟ । ପୁରସ୍କାର ବଦଳରେ ତାକୁ ଦଣ୍ଡ ଦିଆଗଲା କିପରି ?” ହଠାତ୍ ରାଜାଙ୍କର ନିଦ୍ରା ଭଙ୍ଗ ହେଲା । ଏହି ସମୟରେ କାରାଗାର ପ୍ରହରୀ ରାଜା ଙ୍କ ନିକଟରେ ଉପସ୍ଥିତ ହୋଇ ଅଲୈ।କିକ ଘଟଣା ସବୁକୁ ବର୍ଣ୍ଣନା କରିବାକୁ ଲାଗିଲା । ମହାରାଜା ଆଉ ବିଳମ୍ବ ନକରି ସଙ୍ଗେ ସଙ୍ଗେ ମନ୍ତ୍ରୀ ଙ୍କୁ ଡ଼କାଇ କାରାଗାର ଆଡ଼କୁ ଅଗ୍ରସର ହେଲେ । ବିପ୍ର ଜଗନ୍ନାଥ ଦାସ ଙ୍କୁ ଚାହିଁ ଚମକି ପଡ଼ିଲେ ମହାରାଜ୍ ପ୍ରତାପରୁଦ୍ର । ଏହା କ’ଣ ସମ୍ଭବ ? ଗୋଟିଏ ରାତି ମଧ୍ୟରେ ପୁରୁଷ ସ୍ତ୍ରୀ କୁ ପରିବର୍ତ୍ତିତ ହେଲା କିପରି ? ନିଜ ମନକୁ ବୁଝାଇବା ପାଇଁ ନିଜକୁ ନିଜେ କହିବାକୁ ଲାଗିଲେ, “ମହାପ୍ରଭୁ ଚାହିଁଲେ ସବୁ ଅସମ୍ଭବ ମଧ୍ୟ ସମ୍ଭବ ହୋଇ ପାରିବ ।” କାରାଗାର ମଧ୍ୟକୁ ପ୍ରବେଶ କରି ମହାରାଜା ଜଗନ୍ନାଥ ଦାସଙ୍କୁ କ୍ଷମାପ୍ରାର୍ଥନା କଲେ ଏବଂ ନିଜକୁ ଅପରାଧୀ ବିବେଚନା କଲେ । ଭକ୍ତ ଜଗନ୍ନାଥ ଦାସ ଏହା ମହାପ୍ରଭୁ ଙ୍କ ଇଚ୍ଛା କହି ପ୍ରଭୁ ଙ୍କୁ ସ୍ତୁତି କରିବାକୁ ଲାଗିଲେ ।”ମୁହୁର୍ତ୍ତକ ମଧ୍ୟରେ କ୍ଷଣପ୍ରଭା ପ୍ରାୟ ଜଗନ୍ନାଥ ଦାସ ତାଙ୍କ ପୂର୍ବ ସ୍ୱରୂପ କୁ ଫେରି ପାଇଲେ । “ଭକ୍ତ ଜଗନ୍ନାଥ ଙ୍କର ଜୟ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜୟ” ଧ୍ୱନି ରେ ଚାରିଆଡ଼େ ପ୍ରକମ୍ପିତ ହେଲା । “ଧନ୍ୟ ଭକ୍ତ ଜଗନ୍ନାଥ, ଧନ୍ୟ ତୁମର ପ୍ରଭୁଙ୍କ ପ୍ରତି ଭକ୍ତିଭାବ” କହି ଜଗନ୍ନାଥ ଦାସଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ମହାରାଜା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ।ଆଜି ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର ରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ନାମରେ ଏକ ମଠ ଶ୍ରେଷ୍ଠ ତୀର୍ଥ ଭାବେ ପରିଗଣିତ ହୋଇଆସୁଛି ।

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା-ଅନୁଗୋଳ,
ମୋବାଇଲ୍ ନମ୍ବର୍ – ୭୯୭୮୦୫୭୬୯୫

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

5 1 vote
Article Rating
Subscribe
Notify of
guest
0 Comments
Inline Feedbacks
View all comments