ଜୀବନର ମୃଦୁ ବାର୍ତ୍ତାଳାପ – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏ ଜୀବନ ପରା ତୈଳଚିତ୍ରଟିଏ
ପ୍ରତି କାବ୍ୟନାୟକର
କଳ୍ପନା କୁମାରୀ ଭାବ ଅସୁମାରି
ରାଜବଧୂ ବୈଶାଳୀର l

ଜୀବନଟା ଏକ ଅମାବାସ୍ୟା ରାତି
ଜହ୍ନ ସ୍ମୃତି ଗନ୍ତାଘର
ଜୀବନଟା ଏକ ବର୍ଣ୍ଣାଳି ସନ୍ଧ୍ୟା
ପ୍ରୀତିର ମେଘ ମହ୍ଲାର l

ଜୀବନଟା ଏକ କୁଆଁରୀ ଓଠର
ଚାରୁ ଚନ୍ଦ୍ରକଳା ହସ
ଏ ଜୀବନ ଏକ ବିରହିଣୀ ପ୍ରିୟା
ଅସୁମାରି ଦୀର୍ଘଶ୍ୱାସ

ଜୀବନଟା ଏକ ଲୁଚକାଳି ଖେଳ
ସପନର ବାଲିଘର
ଜୀବନଟା ପରା ତାଳ, ଲୟ, ଛନ୍ଦେ
ସଙ୍ଗୀତର ସାତ ସୁର l

ଜୀବନଟା ଏକ ଅଧାଲେଖା ଚିଠି
ଲେଖିଲେ ସରଇ ନାହିଁ
ଅକୁହା କାହାଣୀ ଅଟେ ଏ ଜୀବନ
ଆରମ୍ଭ କି ଶେଷ ନାହିଁ l

ଜୀବନଟା ଏକ ଅନୁରାଗ ଭରା
ଦୁଇ ହୃଦୟ ଝଙ୍କାର
ଏ ଜୀବନ ରଙ୍ଗମଞ୍ଚ ଅଭିନେତ୍ରୀ
ନର୍ତ୍ତକୀ ରଙ୍ଗଶାଳାର l

ଜୀବନଟା କେଉଁ ଯମୁନା ତୀରରେ
ରାଈର ଦି’ ଟୋପା ଲୁହ
ଏ ଜୀବନ କେଉଁ ଆଷାଢ଼ ରାତିରେ
ଦରଦୀ ଯକ୍ଷର କୋହ l

ଜୀବନଟା ଖାଲି ସାଗର ବେଳାର
ଭଙ୍ଗାଗଢ଼ାର ଜୁଆର
ବେଳାଭୂମି ଯା’ର ନିରେଖି ଦେଖିଛି
ଲୁକ୍କାୟିତ ଅଭ୍ୟନ୍ତର l

ଅର୍ଦ୍ଧବିକଶିତ କଳି ଏ ଜୀବନ
ପାଖୁଡ଼ାର ସମାହାର
ପୁଣି ନିୟତିର ଅନୁକ୍ରମଣିକା
ସମ୍ଭ୍ରମ ବିଧାତାଙ୍କର ll

କୁମୁଦିନୀ ବେହେରା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ