ଶିଶୁ କବିତା – ଆ କା ମା ବୈ – ମୀନାକ୍ଷି ପାଢ଼ୀ
ଆସରେ ପିଲେ ଆସ,
କଦଳୀ ପଟୁଆ ସଜାଡ଼ି ଦେଇ
ଡଙ୍ଗା ଗଢ଼ିବା ବସ।
ଗେଣ୍ଡୁଫୁଲେ ସଜାଇ,
ପାନ ଓ ଗୁଆକୁ ଯତନେ ରଖି
ଦୀପଟେ ଦେବା ଥୋଇ।
ଥୁରୁ ଥୁରୁ ପାହାନ୍ତି,
କାର୍ତ୍ତିକ ମାସର ପୂନେଇଁ ଦିନ
ଡଙ୍ଗା ସବୁ ଭସାନ୍ତି।
ଆମ ପୂରୁବ କାଳେ,
ସାଧବ ପୁଅଏ ବୋଇତେ ବସି
ବଣିଜ କରି ଗଲେ।
ଜାଭା ,ସୁମାତ୍ରା ,ବାଲି,
ଦ୍ବୀପରୁ ଦ୍ବୀପ ଦେଶରୁ ଦେଶକୁ
ବୋଇତ ଗଲେ ଚାଳି।
ଆମଦାନୀ-ରପ୍ତାନୀ,
ଜିନିଷ ଦେଇ ଜିନିଷ ଆଣି ଏ
ଦେଶକୁ କଲେ ଧନୀ।
ସେ କାଳ ଆଉ ନାହିଁ,
ସାଧବ ପୁଅ ଙ୍କ ବୋଇତ କଥା
ଗଲାଣି ସ୍ମୃତି ହୋଇ।
ସେଇ ସେ ସ୍ମୃତି ପାଇଁ,
ବୋଇତ ଟିଏ ବନ୍ଦାଇ ଦେବାରେ
ନଦୀ ଜଳେ ଭସାଇ।
ଆ କା ମା ବୈ,
ପାନ ଗୁଆଟି ଖାଇବୁ ତୁହି,ମୋ,
ଧରମ ମୋତେ ଦେଇ।
ମୀନାକ୍ଷି ପାଢ଼ୀ, ଶିକ୍ଷୟିତ୍ରୀ, ଚିକିଟୀ, ଗଞ୍ଜାମ
