ଅଲିଖିତ ଇସ୍ତାହାର – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 12 ଜଣ ପାଠକ ପଢି ସାରିଛନ୍ତି

ସମୟର ଅଙ୍କେ ଭାବନା ପଲଙ୍କେ
ତୁମ ପଥ ଅନୁସରି
ଭୁଲିଯାଇଛି ମୁଁ ନିଜ ପଥ ଆଜି
ପ୍ରତିକ୍ଷଣେ ଝୁରିଝୁରି
ଅତୃପ୍ତ ଆତ୍ମା
କ୍ରୂର କାଳ ଅଭିଶାପେ
ଶିଳା-ସୁନ୍ଦରୀର ତନୁମନ କ୍ଷୀଣ
ସମର୍ପିତା ମନସ୍ତାପେ l

ବିଶ୍ଵାସ ବନ୍ଧନେ ତୁମ ଛବି ଆଙ୍କି
ଭୁଲିଲି ମୋ ନିଜ ଛବି
ଅନ୍ଧକାର ମୋତେ ଦୃଶ୍ୟ ହୁଏ ସଦା
ଗଗନେ ଥିଲେ ବି ରବି
ତୁମ ଛାୟାରେ
ଭାଙ୍ଗିଯାଏ ମୋର ନିଦ
ତୂଳୀତଳ୍ପ ଶେଯ ଲାଗେ କଣ୍ଟା ପରି
ହୃଦୟେ ଗଭୀର ଖେଦ l

ଠିକଣା ସନ୍ଧାନେ ହେଲି ମୁଁ ବିଭୋର
ତିଳତିଳ ଜଳିଜଳି
ଏବେ ମୁଁ ଭାବୁଛି ମୋ ନିଜ ଠିକଣା
କେଉଁଠି ପଡ଼ିଛି ବଳି
ସେ ପ୍ରତିବିମ୍ବ
ନିଃସର୍ଗ ପ୍ରୀତିର ରାସେ
ପ୍ରଣୟର ଭାଷା ଲେଖିଲେଖି ଯାଏ
ହୃଦୟ ମୋ’ ଅନାୟାସେ l

ଭ୍ରମିତ ମାନସେ ଅମିତ ଯନ୍ତ୍ରଣା
ଲୁଟିନିଏ ଓଠହସ
ତୁମ ଚିତ୍ରପଟ ତୃପ୍ତିମୟ ସ୍ଵପ୍ନେ
କରଇ ମୋତେ ବିବଶ
ଅସ୍ତିତ୍ୱ ମୋର
ତୈଳହ୍ରଦ ଉତ୍ତାପରେ
ମନ ପିପାସାର ନିରବ ଗୁଞ୍ଜନ
ଝରେ ନୟନର ନୀରେ l

ଯାହାକୁ ମୁଁ ପ୍ରଶ୍ନବାଚୀ ଭାବିଥିଲି
ସେ ପୂର୍ଣ୍ଣ ପ୍ରସଙ୍ଗଟିଏ
ପ୍ରତିଟି ଉଦ୍ଭବ ପୃଷ୍ଠାରେ ମୋ ନେତ୍ରେ
ଚିତ୍ରଭାନୁ ଦୃଶ୍ୟ ହୁଏ
ଲୁବ୍ଧ ଚମକ
ପରିଶୁଦ୍ଧ ପ୍ରାଣେ ମୋର
ମଧୁମୟ ମୂଲ୍ୟାୟନ କରିପାଏ
ଅଲିଖିତ ଇସ୍ତାହାର l

ଆସକ୍ତିର ମୋହେ ଉତ୍କଟ ଅକାଂକ୍ଷା
ଖୋଜେ ଲଳିତ ଲହର
ଉପସଂହାରଟା ଅଶ୍ରୁଲିପି ହୋଇ
ରଚିଚାଲେ ଅନ୍ତଃସ୍ୱର
ମଧୁ କଳ୍ପନା
ମୌନେ ଲେଖେ ପରିଭାଷା
ଅମାନିଆ ମୋହ ବଢ଼ାଏ ପିପାସା
ସ୍ଵପ୍ନ ଆଣେ ନୂଆ ଆଶା l

କୁମୁଦିନୀ ବେହେରା, ଅନୁଗୋଳ

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 ରିଭିୟୁ ଗୁଡିକ
Article Rating
ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 Comments
Inline Feedbacks
ସମସ୍ତ କମେଣ୍ଟ ଦେଖନ୍ତୁ