ବିପ୍ଲବୀ ଶହୀଦ୍ ଲକ୍ଷ୍ମଣ ନାୟକ – ବିଶ୍ଵବିଜୟୀ ଦାଶ

ଲେଖକ ପରିଚୟ

ବିଶ୍ଵବିଜୟୀ ଦାଶ
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା | +

Read More

ଏହି ବିଷୟଟି 18 ଜଣ ପାଠକ ପଢି ସାରିଛନ୍ତି

ସ୍ବାଧିନତା ସଂଗ୍ରାମ ର ପ୍ରତ୍ୟେକ ପର୍ଯ୍ୟାୟରେ ଓଡ଼ିଶାର ଆଦିବାସୀ ସମାଜ ସମସ୍ତ ପ୍ରତିବନ୍ଧକ କୁ ଅତିକ୍ରମ କରି ସେମାନଙ୍କର ଦେଶପ୍ରେମ,ଜାତୀୟତାବୋଧ ଓ ସ୍ବାଭିମାନ ର ପରିଚ଼ୟ ଦେବାକୁ କେବେ ଭୁଲିନାହାନ୍ତି।ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ରହିଥିବା ପରାଧିନତା ର ଶୃଙ୍ଖଳକୁ ଛିନ୍ନ କରିବା ପାଇଁ ମୁକ୍ତି ଯୁଦ୍ଧ ର ନିର୍ଭୀକ ସୈନ୍ୟମାନଙ୍କ ଶୌର୍ଯ୍ୟ,ଅଦମ୍ୟ ବୀରତ୍ବ,ଅପୂର୍ବ ଧୈର୍ଯ୍ୟ,ଅସୀମ ସାହାସ ଓ ନିର୍ଭୀକତାର ପରିଚ଼ୟ ବିଶ୍ବ ଇତିହାସରେ ଏକ ଦୃଷ୍ଟାନ୍ତମୂଳକ ବିରଳ ଘଟଣା।ଜନନୀ- ଜନ୍ମଭୂମି ର ଦାସତ୍ବ ବନ୍ଧନ କୁ ଛିନ୍ନ କରିବା ପାଇଁ ତା’ର ସୁଯୋଗ୍ୟ ସନ୍ତାନ ମାନଙ୍କର ବଳିଦାନ କୁ ଏ ଜାତି କେବେ ବି ଅସ୍ବୀକାର କରିପାରିବ ନାହିଁ।ଓଡ଼ିଶାର ନିଘଞ୍ଜ ଅରଣ୍ୟାନାନୀ ଅଧିବାସୀ ଆଦିବାସୀ ସମ୍ପ୍ରଦାୟର ମୁକ୍ତିସଂଗ୍ରାମ ରେ ଯୋଗଦାନ ଯେପରି ବିସ୍ମୟୋଦ୍ଦୀପକ ସେହିପରି ରୋମାଞ୍ଚକର।ସେହି ସମର ଯୁଗର ଅମର ଗାଥା ଆଜି ଇତିହାସ ର ମୂକସାକ୍ଷୀ। କୋରାପୁଟ ଜିଲ୍ଲାରେ ଭାରତଛାଡ଼ ଆନ୍ଦୋଳନର ନେତୃତ୍ବ ନେଇଥିବା ଆଦିବାସୀ ବୀର,ଅଦମ୍ୟ ସାହାସ ଓ ନିର୍ଭୀକ ସଂଗ୍ରାମୀ ଲକ୍ଷ୍ମଣ ନାୟକ । ସହୀଦ ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ପଦଲାମ ନାୟକ ଓ ମାତା ସମାରି ନାୟକ ଥିଲେ । ସହୀଦ ଲକ୍ଷ୍ମଣ ନାୟକ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ନାୟକ ଓ ସାନଭାଇ ଧନ ନାୟକ । ତାଙ୍କ ପିତା ପଦଲାମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା।ନିକଟରେ କୌଣସି ବିଦ୍ୟାଳୟ ନ ଥିବାରୁ କୋଲାବ ନଦୀ କୁଳର ବାଲିପଠାକୁ ସିଲଟ ଭାବରେ ବ୍ୟବହାର କରି ପିତା ପଦଲାମଙ୍କ ଠାରୁ ଅକ୍ଷର ଶିକ୍ଷା କରିଥିଲେ ସହୀଦ ଲକ୍ଷ୍ମଣ ନାୟକ।ତେନ୍ତୁଲିଗୁମ୍ମାର ଲୋକମାନେ ଓଡ଼ିଆ, ପରଜା, ଗାଦବା ଭାଷା ମିଶାମିଶି ଦେଶିଆ ଭାଷା କହୁଥିଲେ।ଲକ୍ଷ୍ମଣ ନାୟକ ଉଭୟ ଦେଶିଆ ଓ ଓଡ଼ିଆ ଭାଷା କହିପାରୁଥିଲେ ।

୧୯୨୧ ମସିହାରେ ମହାତ୍ମାଗାନ୍ଧିଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଏହାର ଦମନ ସ୍ୱରୂପ ବ୍ରିଟିଶ ସରକାର ନାନାଦି ଅତ୍ୟାଚାର ସହ ନୂତନ ଟିକସ ମାନ ଲାଗୁ କରିଥିଲେ।ଏହି ସମୟରେ ବିଭିନ୍ନ ସଶସ୍ତ୍ର ଆଦିବାସୀ ବିଦ୍ରୋହ ଦେଖାଯାଇଥିଲା।କୋରାପୁଟ ଜିଲ୍ଲାର ଗୁଣୁପୁର ,ରାୟଗଡାରେ “ଗୁମ୍ମା ଗରବା ମେଳି” ବା “ଗାଇବା ପିଲା ମେଳି” ସଂଘଟିତ ହେଇଥଲା । ପାରଳାଖେମୁଣ୍ଡି ଅଞ୍ଚଳର ମୁଠାଦାର ମାନେ ସରକାରଙ୍କ ବିରୁଦ୍ଧରେ ମେଳି କରିଥିଲେ । କୋରପୁଟକୁ ଲାଗି ମଧ୍ୟପ୍ରଦେଶ ( ବର୍ତମାନର ଛତିଶଗଡ଼ )ରେ “ବସ୍ତର ମେଳି” ନାମରେ ବିପ୍ଲବ ହେଇଥିଲା । ଏହି ସମୟରେ ଆନ୍ଧ୍ରପ୍ରଦେଶରେ ଆଲୁରୀ ସୀତାରାମ ରାଜୁଙ୍କ ନେତୃତ୍ୱରେ ରମ୍ଫା ଫିତୁରୀ ବା ମେଳି ଅନ୍ୟତମ ମୁଖ୍ୟ ଘଟଣା । ଏହି ମେଳି ଆଦିବାସୀମାନଙ୍କ ମଧ୍ୟରେ ବହୁଳ ଭାବରେ ବନ୍ଧୁକର ବ୍ୟବହାର ପ୍ରସାର କରିଥିଲା । ଏହା ଲକ୍ଷ୍ମଣ ନାୟକଙ୍କ ସ୍ଥାନ ମାଲକାନିଗିରି ଓ ଆନ୍ଧ୍ରର ପର୍ବତ୍ୟାଞ୍ଚଳରେ ସଂଘଟିତ ହେଇଥିଲା । ଏହି ମେଳିରେ ଯୋଗଦାନ କରିଥିବା କକୁର୍କୋଣ୍ଡଆ ଗ୍ରାମର କୋୟା ୟୁବକ ଚନ୍ଦ୍ର କୁଟିୟାଙ୍କ ସଂସ୍ପର୍ଶରେ ଲକ୍ଷ୍ମଣ ଆସି ତାଙ୍କଠୁ ବନ୍ଧୁକ ଚାଳନା ଶିକ୍ଷା କରିବା ସହ ନିଜ ଅଞ୍ଚଳରେ ସଶସ୍ତ୍ର ବିପ୍ଲବ ନିମନ୍ତେ ପରିକଳ୍ପନା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ପରାସ୍ତ ସୀତାରାମ ରାଜୁଙ୍କ ଆତ୍ମସମର୍ପଣ ସହ ଏହି ବିପ୍ଲବ ଓ ଯୋଜନାର ଅବସାନ ଘଟିଥିଲା।୧୯୩୭-୩୮ରେ ରାଧାକୃଷ୍ଣ ବିଶ୍ୱାସରାୟ ଜୟପୁର ନିକଟସ୍ଥ ନୂଆପୁଟରେ ଖୋଲିଥିବା ତାଲିମ ଶିବିରରେ ଲକ୍ଷ୍ମଣ ନାୟକ ଯୋଗଦାନ କରି ମହାତ୍ମାଗାନ୍ଧିଙ୍କ ଦର୍ଶିତ ଆଦର୍ଶ ନୀତି ଓ ଶୃଙ୍ଖଳିତ ଜୀବନଯାପନ ବିଷୟରେ ଶିକ୍ଷା ଲାଭ କରିଥିଲେ।ତାଲିମ ଶିବିରରୁ ଫେରି ଲକ୍ଷ୍ମଣ କୋରାପୁଟରେ ଖଦୀ ଓ ଅହିଂସାର ପ୍ରଚାର ଓ ପ୍ରସାରରେ ଯୋଗ ଦେଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମହାତ୍ମାଗାନ୍ଧିଙ୍କ ଆହ୍ୱାନରେ ବ୍ୟକ୍ତିଗତ ସତ୍ୟାଗ୍ରହରେ ଅଂଶଗ୍ରହଣ କରି ଜେଲଦଣ୍ଡ ପାଇଥିଲେ ।

୧୯୪୨ ମସିହା ଅଗଷ୍ଟ ୯ ବମ୍ବେ ଅଧିବେଶନରେ କଂଗ୍ରେସ ବ୍ରିଟିଶ ସରକାର ଭାରତ ଛାଡ ପ୍ରସ୍ତାବ ପାଶ କରିଥିଲା । ଏହା ପରେ ବ୍ରିଟିଶ ସରକାର କଂଗ୍ରେସକୁ ବେଆଇନ ଘୋଷଣା କରିଥିଲା । ଗୁପ୍ତରେ ଏହି ସମ୍ବାଦ ପାଇବା ପରେ ଲକ୍ଷ୍ମଣ ନାୟକ ବଲରାମ ପୁଜାରୀଙ୍କଦ୍ୱାରା ଜୟପୁରରୁ ଆସିଥିବା ନିର୍ଦ୍ଦେଶଗୁଡିକୁ ଆଦିବାସୀ ଭାଷାରେ ଅନୁବାଦ କରାଇ ( “କର ବା ମର”କୁ “ତୋର୍ ବୁତା ତୁଇ କର୍ , ନ ପାରିଲେ ମର୍”) ଗାଁ ଗାଁ ବୁଲି ଲୋକମାନଙ୍କୁ ସତ୍ୟାଗ୍ରହ ଓ ସ୍ୱାଧିନତା ନିମନ୍ତେ ଅହିଂସା ଲଢେଇର ବାର୍ତ୍ତା ପ୍ରଚାର କରିଥିଲେ । ୧୯୪୨ ମସିହାରେ ଅଗଷ୍ଟ ବିପ୍ଲବ ଥିଲା ତାଙ୍କ ଜୀବନ ର ସବୁଠାରୁ ବଡ଼ ଆହ୍ବାନ।୧୯୪୨ ମସିହା ଅଗଷ୍ଟ ୨୧ ତାରିଖ ଶୁକ୍ରବାର ଦିନ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ମାତିଲି ଥାନା ଘେରାଉ କରିଥିଲେ । ଲକ୍ଷ୍ୟ ଅହିଂସାପୂର୍ଣ୍ଣ ଭାବରେଥାନା ଉପରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ଏହି ଆନ୍ଦୋଳନର ଦମନ ନିମନ୍ତେ ପୋଲିସ କର୍ମୀମାନଙ୍କ ଉପରେ ଲାଠିମାଡ ସହ ଲକ୍ଷ୍ମଣ ନାୟକଙ୍କୁ ଅଲଗା ସମସ୍ତଙ୍କର ଦେଖିଲା ପରି ସ୍ଥାନକୁ ନେଇ ନିସ୍ତୁକ ମାଡ ମାରିବା ସହ ତାଙ୍କର ବୀରକେଶ (ନିଶ)କୁ ଓପାଡି ସେଥିରେ ନିଆଁ ଲଗାଇ ଦେଇଥିଲେ । ବନ୍ଧୁକର ବୟୋନେଟ ମାଡରେ ବେହୋସ ହୋଇପଡ଼ିଥିଲେ ଲକ୍ଷ୍ମଣ ନାୟକ । ଲକ୍ଷ୍ମଣଙ୍କ ଉପରେ ଏତାଦୃଶ୍ୟ ଅତ୍ୟାଚାର ପରେ ମଧ୍ୟ କର୍ମୀ ମାନେ ଆଗକୁ ବଢିଚାଲିବାରୁ ସେମାନଙ୍କ ଉପରେ ପୁଲିସ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ମୃତାହତମାନଙ୍କ ମଧ୍ୟରେ ଥିଲେ ଥାନା ଉପରେ ପତାକା ଧରି ଉଡେଇବାକୁ ଚଢ଼ିଥିବା ଟିମସଗୁଡାର ଲିଂଗ ଭୁମିଆ ଓ ସରଗିଗୁଡାର ନକୁଳ ମାଡକାମୀ । ଏ ଗୁଳିକାଣ୍ଡରେ ମାତାଲ ଅବସ୍ଥାରେ ଥିବା ଫରେଷ୍ଟଗାର୍ଡ ଜି.ରାମୟାର ମୃତ୍ୟୁ ହେଇଥିଲା । ଆନ୍ଦୋଳନକୁ ଦମନ କରିବା ପରେ ପୁଲିସ ଲକ୍ଷ୍ମଣ ନାୟକଙ୍କ ଅଚେତ ଶରୀରକୁ ମୃତ ମନେକରି ନିକଟସ୍ଥ ନାଳରେ ଫୋପାଡି ଦେଇଥିଲା । ଚେତା ଫେରିପାଇବା ପରେ ଲକ୍ଷ୍ମଣ ପରିସ୍ଥିତି ବୁଝିପରିଥିଲେ ଓ ଦୁର୍ଗମ ବଣରାସ୍ତା ମଧ୍ୟଦେଇ ଜୟପୁରରେ ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ପହଞ୍ଚିଥିଲେ । ତତପରଦିନ ଲକ୍ଷ୍ମଣ ନାୟକଙ୍କ ଶବ ଦେଖିବାକୁ ନପାଇ ପୁଲିସ ତାଙ୍କୁ ଫେରାର ଘୋଷିତ କରି ଫରେଷ୍ଟଗାର୍ଡ ଜି.ରମାୟାର ହତ୍ୟା ଅଭିଯୋଗରେ ବନ୍ଦୀ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା । ପୁଲିସର ଗିରଫ ପରୱାନ ପରେ ଲକ୍ଷ୍ମଣ ଆତ୍ମଗୋପନ କରିଥିଲେ ମଧ୍ୟ ଲୋକଙ୍କ ଉପରେ ଅତ୍ୟାଚାରର କାହାଣୀ ଶୁଣି ପୁଣି ନିଜ ଗ୍ରାମ ତେନ୍ତୁଲିଗୁମାକୁ ଫେରି ଆସିଥିଲେ । ୧୯୪୨ ମସିହା ସେପ୍ଟେମ୍ବର୨ ତାରିଖରେ ତେନ୍ତୁଲିଗୁମାରୁ ଲକ୍ଷ୍ମଣ ଓ ତାଙ୍କ ପୁତ୍ର ରଘୁନାଥ ,ସନଗୁମ୍ମାରୁ ବନସିଂ ପୁଜାରୀଙ୍କୁ ଗିରଫ କରାଯାଇଥିଲା। କୋରାପୁଟର ଅତିରିକ୍ତ ସେସନ୍ସ ଜଜ ଭି.ରାମନାଥଙ୍କ କୋର୍ଟରେ ବିଚାର କରାଯାଇ ଜି.ରାମୟାର ହତ୍ୟା ଅଭିଯୋଗରେ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା ।ବିଚାର ପରେ ତାଙ୍କୁ କୋରାପୁଟ ଜେଲରୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଥିବା ଅନ୍ୟ ପ୍ରମୁଖ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରଚେଷ୍ଟାରେ ପାଟନା ହାଇକୋର୍ଟରେ ଅପିଲ କରାଯାଇଥିଲେ ମଧ୍ୟ ତାହା ଖାରଜ ହେଇଯାଇଥିଲା । ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ତାଙ୍କୁ ଫାଶୀ ଦିଆଯାଇଥିଲା ।ସେହି ଦେଶପ୍ରେମୀ,ମହାନ୍ ସ୍ବାଧିନତା ସଂଗ୍ରୀମୀ ଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ ଶତ ଶତ ପ୍ରଣାମ।

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments