କବିତା ମୁଁ ନବନୀତା – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 36 ଜଣ ପାଠକ ପଢି ସାରିଛନ୍ତି

ନିଦ୍ରାବତୀ କୋଳେ ଶୁଅନାହିଁ ଭୋଳେ
ଡାକେ ମୁଁ ତୁମ କବିତା,
ନିଃସଙ୍ଗତା ପଣ କରିବାକୁ ଦୂର
ଦେଇଥିଲ ମୋତେ କଥା
ଘନ ନିଶିରେ
ଉଠେ କଳ୍ପନା ଲହରି
ବିରାଟ ଆଶାର ପ୍ରତିଫଳନକୁ
ଦେଲ କି ମନୁ ପାସୋରି l

ପ୍ରତିଶ୍ରୁତି ନେଇ ଆସିଛି ମୁଁ ଧାଇଁ
ମୁଣ୍ଡ ଗୁଞ୍ଜିବାକୁ କୋଳେ,
ଧର ତୁମ ତୂଳୀ ରଙ୍ଗ ଦିଅ ବୋଳି
ଲେଖିଚାଲ ଆତ୍ମଭୋଳେ
କର ପ୍ରସୂନ
ପ୍ରୀତିଶବ୍ଦେ ଅନୁପ୍ରାସ
ଛନ୍ଦ ବିନ୍ୟାସରେ ଲଳିତ ମଧୁର
ବହଳ ଭାବ ବିଶ୍ଵାସ l

କଳ୍ପି କଳ୍ପନାରେ ସଜାଇବ ମୋତେ
ତୁମ ସପନନାୟିକା,
ପ୍ରକୃତିର ରଙ୍ଗେ ଭରି ମୋର ଅଙ୍ଗ
ସାଜିବି ଅଭିସାରିକା
ଆଶା ଆକାଂକ୍ଷା
ତୋଳେ କଳ୍ପନା ମହ୍ଲାର
ଉଷା ଉଷସୀର ଗହଳ ବାସରେ
ପ୍ରୀତିଛନ୍ଦର ଝଙ୍କାର l

ସଜାଇବ ମୋତେ ସ୍ନିଗ୍ଧ ଚାରୁମାଳା
ଦେଇ ସ୍ନେହର ବନ୍ଧନ,
ଶବ୍ଦରେ ଲେଖିବ ଗଳ୍ପ ପରିଭାଷା
ହରିନେଇ ମୋର ମନ
ଭାବ ଆବେଗେ
ବଢ଼େ ମୋ ହୃଦସ୍ପନ୍ଦନ
ମନ ଗାଇଯାଏ କୋମଳ ଗାନ୍ଧାର
ପ୍ରଣୟରେ ଝୁମେ ମନ l

ମନ-ଆଇନାରେ ପ୍ରତିବିମ୍ବ ଦେଖି
ରଚିବ କାବ୍ୟସମ୍ଭାର,
ତୁମ ଓଠଧାରେ ପ୍ରତିଧ୍ୱନି ହୋଇ
ତୋଳିବି ସୁରଝଙ୍କାର
ଛନ୍ଦ-ରାଗରେ
ଅସରା ଭାବକୁ ନେଇ
ଲେଖଦିଅ ଭାବମୟ ପରିଭାଷା
ତପ୍ତ ତନୁକୁ ଜଗାଇ I

କାବ୍ୟ ନାୟକ, ହେ ! କାବ୍ୟରେ କାବ୍ୟରେ
କର ମୋର ଶିଳାନ୍ୟାସ,
ପ୍ରତିଟି ପୃଷ୍ଠାରେ ରଙ୍ଗ ଭରିଦିଅ
ସଜେଇ ଶବ୍ଦବିନ୍ୟାସ
ଚାରୁ ଭୂଷଣେ
ତନୁବଲ୍ଲରୀ ସଜାଇ
ନିଃଶବ୍ଦ ଭାଷାର କଳ କଲ୍ଲୋଳରେ
ତନୁ ମୋ’ ଦେବ ଭିଜାଇ l

କବିତା ମୁଁ ତୁମ କାମିନୀ ଯାମିନୀ
ଅଙ୍କଶlୟୀନି ବି ହୋଇ,
ମହୁଆ ମହକେ ତୁମ ହୃଦୟରେ
ଉନ୍ମାଦ ଦେବି ଜଗାଇ
ନବନୀତା ମୁଁ
ହୃଦେ ମୋ ବଢ଼ଇ ଜ୍ୱାଳା
ପ୍ରୀତି ପ୍ରତୀକ୍ଷାରେ ଅଭିସାରିକା ମୁଁ
ମୋହିନୀ ମୁଁ ଚନ୍ଦ୍ରକଳା l

କୁମୁଦିନୀ ବେହେରା, ଅନୁଗୋଳ

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments