ଶିଶୁଗଳ୍ପ – ମାଡାମ ବୁଝିଲେ – ବି. ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 60 ଜଣ ପାଠକ ପଢି ସାରିଛନ୍ତି

“ଆରେ ମୁନା, ତୋ ମୁହଁ କାହିଁକି ଶୁଖିଯାଇଛି ? ଆଜି ତୋର ପରୀକ୍ଷା ଥିଲା ପରା ! କ’ଣ ସବୁ ପ୍ରଶ୍ନର ଉତ୍ତର ଲେଖିପାରିନୁ କି ?” ଅନୁ ଅପା ପଚାରିଲେ ।

“ହଁ ଲେଖିବି ଆଉ କ’ଣ ? ବିନା ଦୋଷରେ ଦଣ୍ଡ ପାଇଲି । ଖୁବ କାନ୍ଦ ମାଡ଼ିଲା ।” କୋହଭରା କଣ୍ଠରେ କହୁଥିଲା ମୁନା ।” ହେଲେ ମୁଁ ସେ ମନୀଷା ମାଡାମଙ୍କୁ ଛାଡ଼ିବିନି ।ମୋତେ ଯେମିତି ବ୍ୟବହାର କରିଛନ୍ତି, ତାଙ୍କୁ ଠିକ ସେମିତି ହଇରାଣ କରିବି । ମୋର କେତେଜଣ ସାଙ୍ଗ ବି କହିଛନ୍ତି, ମୋତେ ସାହାଯ୍ୟ କରିବେ ।” କ୍ରୋଧ ଆଉ ବିରକ୍ତିମିଶା ସ୍ୱରରେ କହୁଥିଲା ମୁନା ।

ମୁନା ପାଖ ହାଇସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼େ । ଏବେ ତା’ର ବାର୍ଷିକ ପରୀକ୍ଷା ଚାଲିଛି । ଅନୁ ଅପା ଜାଣନ୍ତି ମୁନାଟା ସମ୍ପୂର୍ଣ୍ଣ ଶାନ୍ତ, ସରଳ ନ ହେଲେ ମଧ୍ୟ ଏକଦମ ବଦମାସ ନୁହେଁ । ତେବେ ସେ ଏମିତି ଅବାଞ୍ଛିତ, ଅନୁଚିତ କଥାଗୁଡ଼ା କହୁଛି କାହିଁକି ?

ମୁନା ଭଳି ଆହୁରି ଅନେକ ଛୋଟବଡ଼ ପିଲାଙ୍କର ଅନୁଅପାଙ୍କ ସହିତ ଭାରି ଭଲ ଦୋସ୍ତି । ସେମାନେ ପାଠପଢ଼ା ସହ ଦେଶ ବିଦେଶର ଅନେକ ଖବର ଓ ଘଟଣା ତାଙ୍କଠୁ ପଚାରି ବୁଝନ୍ତି, ଶିଖନ୍ତି । ଜଣେ ଅନ୍ତରଙ୍ଗ ସାଥୀ ଭଳି ନିଜ ସମସ୍ୟା ଓ ହସଖୁସିକୁ ତାଙ୍କ ନିକଟରେ ମନଖୋଲି ପ୍ରକାଶ କରନ୍ତି ।

“ଆରେ, ଏମିତି ରାଗୁଛୁ କାହିଁକି ? ଘଟଣାଟା ସିନା ଖୋଲିକି କହିଲେ ଜାଣନ୍ତି ।” ଅପା ପଚାରିଲେ ।

“ଅପା, ତୁମେ ପରା କୁହ ପରୀକ୍ଷାରେ କପି କରିବୁନି, କାହାରିଠୁ ଦେଖି ଲେଖିବୁନି । ପ୍ରଶ୍ନ ବୁଝି ଉତ୍ତର ଦେବୁ । ହେଲେ ଆଉଜଣେ ଯଦି ହଇରାଣ କରେ, ମୁଁ କ’ଣ କରିବି ?” ମୁନା ପଚାରିଲା ।

“ମୁଁ ଝରକା ପାଖରେ ବସି ମୋ ଖାତାରେ ଉତ୍ତର ଲେଖୁଥିଲି । ଅଧା ପ୍ରଶ୍ନର ଉତ୍ତର ଦେଇଛି ଝରକା ସେ ପାଖରେ ଲୋକଟାଏ ଆସି ମୋତେ ଡାକିଲା । ଟେଷ୍ଟ ପେପରଟାଏ ଧରେଇ ଦେଇ ସାମନାରେ ବସିଥିବା ଡେଙ୍ଗା ପିଲାଟାକୁ ଦେଇଦେବାକୁ ଆଦେଶ ଦେଲା । ନ ମାନିଲେ ପରୀକ୍ଷା ପରେ ଦେଖିନେବ ବୋଲି କହି ଧମକ ବି ଦେଲା ।ସେତିକିବେଳକୁ ଆମ ପରୀକ୍ଷା ନିରୀକ୍ଷଣ ଦାୟିତ୍ୱରେ ଥିବା ମନୀଷା ମାଡାମ କେଇ ମୁହୂର୍ତ୍ତ ପାଇଁ ବାହାରକୁ ଯାଇଥିଲେ । ମୁଁ ଟେଷ୍ଟ ପେପରଟା ଆଣି ସାମନା ପିଲାକୁ ଦେବାକୁ ଯାଉଛି, ମାଡାମ ଫେରିଆସି ମୋତେ ଦେଖିନେଲେ । ମୁଁ କପି କରୁଛି ଭାବି ବହୁତ ଗାଳି ଦେଲେ । ସତ କହିବାକୁ ଚେଷ୍ଟା କଲାରୁ ମିଛ ବାହାନା କାଢୁଛି ବୋଲି କହି ମୋତେ ଶ୍ରେଣୀ ଭିତରୁ ବାହାର କରି ଆଣି ପଡ଼ିଆରେ ବସାଇଦେଲେ ।ସେଇଠି ଖୋଲାରେ ବସି ମୁଁ ପରୀକ୍ଷା ଦେଲି ।

ଅପା, ଏବେ ତୁମେ କୁହ- ଦୋଷ ନ କରି ମୁଁ ଦଣ୍ଡ ପାଇଲି କାହିଁକି ? ସେଇ ମାଡାମଙ୍କ ଲାଗି ମୋତେ ଅନ୍ୟପିଲା ଥଟ୍ଟା କଲେ । ସମସ୍ତେ ମୋତେ ପାଠଚୋର ଭାବିଲେ ।ଜଣେ କହିଲା କି ସେ ସବୁବେଳେ ବୁଲି ଖେଳି ପରୀକ୍ଷାରେ କପିକରି ପାସ କରୁଛି; ହେଲେ ମୁଁ ସବୁଦିନ ପାଠପଢ଼ି କପି ନ କରି ଏମିତି ଦଣ୍ଡ କାହିଁକି ପାଇବି ? ଏଥର ଠିକ କରିଛି, ମୁଁ ବି ପାଠ ନ ପଢ଼ି ଆଗାମୀ ପରୀକ୍ଷାରେ କପି କରିବି ।ମନୀଷା ମାଡାମଙ୍କୁ ପାନେ ଚଖେଇବି ।” ମନର ସବୁ ରାଗ-ଅଭିମାନକୁ ଉଦ୍ଗାରି ପକାଉଥିଲା ସେ ।

ଅପା ବୁଝିଲେ ମୁନାର ମନରେ ଆଘାତ ଲାଗିଛି ।ସେଥିପାଇଁ ଦୁଷ୍ଟପିଲାଙ୍କ ପରାମର୍ଶ ନେଲାଣି । ତୁରନ୍ତ କିଛି ଗୋଟେ କରିବାକୁ ହେବ । ସେ ମୁନାକୁ ବୁଝାଇବାକୁ ଚେଷ୍ଟା କଲେ ।

“ସତରେ ମୁନା, ତୋର ଏ ଅବସ୍ଥା ଦେଖି ମୋତେ ବି ବହୁତ ଦୁଃଖ ଲାଗୁଛି । ମାଡାମ ଯାହା କଲେ, ତାହା ଭୁଲ ନିଶ୍ଚୟ । ସେ ତୋତେ ମିଛରେ ଭୁଲ ବୁଝି ଗାଳି ଦେଲେ, ହେଲେ ତୁ ଯଦି ସବୁ ବୁଝି ପୁଣି ଏକ ଭୁଲ କାମ କରୁ, କ’ଣ ହେବ ଜାଣୁ !! ଘରେ ବାହାରେ ସମସ୍ତେ ତୋତେ ଖରାପ ପିଲା କହିବେ ।”

ଅପା ବୁଝାଉଥା’ନ୍ତି, “ଯିଏ ଭଲ ପାଠ ପଢ଼ନ୍ତି, ସେମାନେ କେବଳ ସ୍କୁଲ ପରୀକ୍ଷାରେ ଭଲ କରନ୍ତିନି, ତାଙ୍କର ଜ୍ଞାନ ଲାଭ ହୁଏ, ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମଧ୍ୟ ସଫଳ ହୁଅନ୍ତି । ଭଲପିଲା ବୋଲି ସାବାସି ପାଆନ୍ତି; କିନ୍ତୁ ପାଠକୁ ଠକୁଥିବା ପିଲା ଜାଣେନା ଯେ ସେ ନିଜକୁ ଠକୁଛି । ଭବିଷ୍ୟତରେ ଏଇ ଠକିବା ମନୋବୃତ୍ତି ଯୋଗୁଁ ସେ ଭୀଷଣ ହଇରାଣ ହୁଏ ।ଆଉ ରହିଲା ମାଡାମଙ୍କ କଥା । ସେ ତୋର ଶିକ୍ଷାଗୁରୁ ।ଯଦି ସେ ତାଙ୍କ ଭୁଲ ବୁଝିପାରନ୍ତି, ସେଇଟା ତୋ ପାଇଁ ହେବ ସବୁଠୁ ବଡ଼ ବିଜୟ ।ସେଥିପାଇଁ ତୁ ମନଦେଇ ପାଠପଢ଼ । ନିଜକୁ ଅଧିକ ଶୃଙ୍ଖଳିତ କର । ସମୟ ଆସିବ, ମନୀଷା ମାଡାମ ତାଙ୍କ ଭୁଲ ବୁଝିବେ ।” ଅପା ମୁନାକୁ ବୁଝାଇଦେଲେ ।

କଥାଟି ମୁନାର ମନକୁ ପାଇଲା ।

କେତେମାସ ପରର ଘଟଣା । ମୁନା ଖାଇବା ଛୁଟିରେ ଖାଇସାରି ହାତ ଧୋଇବାକୁ ନଳକୂଅ ପାଖକୁ ଯାଉଛି; ଦେଖିଲା ବୁଲା କୁକୁରଟେ କ’ଣ ଗୋଟେ ପାଟିରେ ଧରି ଟଣାଓଟରା କରୁଛି । ଭଲରେ ନିରୀକ୍ଷଣ କଲା ସେ । ‘ଆରେ, ଏଇଟା ତ କାହାର ଭ୍ୟାନିଟି ଭଳି ଲାଗୁଛି । କୌଣସି ମ୍ୟାଡାମଙ୍କ ବ୍ୟାଗ ବି ହୋଇପାରେ !’ କୁକୁର ଆଡ଼କୁ ଢେଲାଟାଏ ଫୋପାଡ଼ିଲା ମୁନା । କୁକୁର ଦୌଡ଼ି ପଳାଇଲା । ଏଣେତେଣେ ଖେଳାଇ ହୋଇ ପଡ଼ିଥିବା କାଗଜପତ୍ର ଓ ଟଙ୍କାକୁ ଏକାଠି କରି ଭ୍ୟାନିଟି ବ୍ୟାଗରେ ଭର୍ତ୍ତିକଲା ସେ ।

ଏଣେ ନିଜ ଭ୍ୟାନିଟିକୁ ଖୋଜି ଖୋଜି ଭୀଷଣ ବ୍ୟସ୍ତ ହେଲେଣି ମନୀଷା ମାଡାମ । ତନ୍ନତନ୍ନ କରି ଖୋଜିସାରିଲେଣି ଷ୍ଟାଫ କମନ ରୁମ ଆଉ କ୍ଲାସ ରୁମ ସବୁକୁ । ଜଣଜଣ କରି ଶିକ୍ଷକ ତଥା କର୍ମଚାରୀମାନଙ୍କୁ ପଚାରିସାରିଲେଣି ସେ । ହେଲେ କେହି ବି କିଛି ସୂଚନା ଦେଇପାରୁ ନ ଥା’ନ୍ତି । ସେଇ ବ୍ୟାଗରେ ରହିଛି ମାଡାମଙ୍କ ଚାକିରି କାଗଜପତ୍ର, ବ୍ୟାଙ୍କ ପାସବହି, ଅନ୍ୟାନ୍ୟ ଦରକାରୀ ଜିନିଷ ଓ କିଛି ଟଙ୍କା । ଦୁଃଶ୍ଚିନ୍ତାଯୋଗୁଁ ଝାଳରେ ବୁଡ଼ି ଗଲେଣି ମାଡାମ ।

ମୁନା ଆସି ସେଇଠି ପହଞ୍ଚିଲା । ମାଡାମ ମୁନା ହାତରେ ତାଙ୍କ ଭ୍ୟାନିଟି ଦେଖି ଟାଣିନେଲେ । ଟଙ୍କା ପଇସା ଆଉ ଦରକାରୀ କାଗଜପତ୍ର ଠିକ ଥିବାରୁ ଆଶ୍ୱସ୍ତ ହେଲେ ।

ମୁନାର କାନ୍ଧରେ ହାତରଖି କହିଲେ, “ଆଗରୁ ମୁଁ ତୋତେ ଗୋଟାଏ ଦୁଷ୍ଟପିଲା ବୋଲି ଭାବୁଥିଲି । ପରୀକ୍ଷାରେ ତୋତେ ଅପମାନ ବି ଦେଇଥିଲି । ହେଲେ ତୁ ସେ ସବୁକୁ ଭୁଲିଯାଇ ଆଜି ମୋର ବହୁତ ବଡ଼ ଉପକାର କଲୁ । ତୋର ଏଇ ସଚ୍ଚୋଟପଣିଆ ଆମ ସମସ୍ତଙ୍କ ଲାଗି ଉଦାହରଣ ହୋଇ ରହିବ ।”

“ଖାଲି ସେତିକି ନୁହେଁ, ପ୍ରଧାନ ଶିକ୍ଷକ ସେଠାରେ ପହଞ୍ଚି ହସିହସି ଉତ୍ତର ଦେଉଥିଲେ, ମୁନା ହେଉଛି ଆମ ବିଦ୍ୟାଳୟ ଲାଗି ଗର୍ବ ଆଉ ଗୌରବ । ସେ ସପ୍ତମଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛି । ଏଇ ଦେଖ, ସେଇ ସରକାରୀ ଚିଠି । ଆଜି ଆସି ସ୍କୁଲରେ ପହଞ୍ଚିଛି ।”

ମୁନା ଅବାକ୍ ହୋଇ ଛିଡ଼ା ହୋଇଥାଏ । ଏକାବେଳେ ଦୁଇ ଦୁଇଟା ବିରାଟ ସଫଳତା । ମାଡାମ ତାଙ୍କ ଭୁଲ ବୁଝିପାରିବା ଆଉ ନିଜ ପରିଶ୍ରମର ଫଳ ମିଳିବା; କୋଉଥିରେ ସେ ବେଶୀ ଖୁସି ହେବ !

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 ରିଭିୟୁ ଗୁଡିକ
Article Rating
ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 Comments
Inline Feedbacks
ସମସ୍ତ କମେଣ୍ଟ ଦେଖନ୍ତୁ