ଶ୍ରଦ୍ଧାଞ୍ଜଳୀ ହେ ବୀରାଙ୍ଗନା – ଶିବ ଚରଣ ମହାପାତ୍ର
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
ଧନ୍ୟ ହେ ତୁମ୍ଭେ ସୁଷମା ସ୍ୱରାଜ
ଅମଳିନ ରହୁ ଯଶ କୀର୍ତ୍ତନ…
ବିଜୟର ପଥେ ଅଦ୍ବିତୀୟ ତୁମେ
ଅପୂର୍ବ ଚିନ୍ତନ ବୁଦ୍ଧିମତ୍ତା
ଦୂରଦୃଷ୍ଟି ଲକ୍ଷ୍ୟ ରାଜନୀତି ଜ୍ଞାନ
ସମ୍ମୋହନ ମନ୍ତ୍ର ତୁମ କଥା…
ପ୍ରଚଣ୍ଡ ପ୍ରତିଭା ଅଧିକାରିଣୀ ଗୋ’
ଭାରତ ମା’ ପ୍ରିୟ ସନ୍ତାନ
ଧନ୍ୟ ହେ ତୁମ୍ଭେ ସୁଷମା ସ୍ୱରାଜ
ଅମଳିନ ରହୁ ଯଶ କୀର୍ତ୍ତନ…
ମଉଳି ଗଲା କି’ ପରାଣ କୁସୁମ
ନୀୟତି କରାଳ ହାତ ଧରି
ଅବିଶ୍ବାସ ଲାଗେ ବିଶ୍ୱାସ ମୋ ଆଜି
ଚାଲିଗଲ ଯେବେ ପର କରି…
ହୃଦବେଦୀ ପରେ ନୀରବେ ଜଳୁଛି
ଅଶ୍ରୁଭିଜା ପ୍ରାଣ ଦୀପ ଶିଖା
ଅନ୍ଧକାର ପଥେ ତୁମ କର୍ମ ବାଣୀ
ଉଜ୍ଜଳିତ କରେ ଶିଳାଲେଖା…
ନାରୀନେତ୍ରୀ ତୁମେ ଜ୍ଞାନୀ ଗୁଣି ଦକ୍ଷ
ଛାଡି ଦେଇଗଲ ପଦ ଚିହ୍ନ
ଧନ୍ୟ ହେ ତୁମ୍ଭେ ସୁଷମା ସ୍ୱରାଜ
ଅମଳିନ ରହୁ ଯଶ କୀର୍ତ୍ତନ…
ମୃତ୍ୟୁ ବି ସେଦିନ ଢାଳିଥିବ ଲୁହ
ତୁମ୍ଭ ଯଶ କୀର୍ତ୍ତି ନଈ କୂଳେ
ପ୍ରିତି ଆଲିଙ୍ଗନେ କମ୍ପିଥିବ ହାତ
ମରଣ ଚାଦର ଦେଲା ବେଳେ…
ତୁମ୍ଭ ବିୟୋଗରେ ତରୁ-ଲତା ଝୁରେ
ଝୁରେ ଜନ-ବନ-ଜୀବ-ପ୍ରାଣ
ଆକାଶେ ବାଦଲ କାନ୍ଦେ ଛାତି ପିଟି
କାନ୍ଦେ କୋହଭରା ସମୀରଣ…

ହାରିବା ଯା’ ଭାଗ୍ୟେ ଲେଖା ନାହିଁ କେବେ
ମୃତ୍ୟୁ ପାଶେ ହାରେ ତୁଚ୍ଛ ତନ
ଧନ୍ୟ ହେ ତୁମ୍ଭେ ସୁଷମା ସ୍ୱରାଜ
ଅମଳିନ ରହୁ ଯଶ କୀର୍ତ୍ତନ…
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
