ଫୁଲହୋଇ ଫୁଟିବି – ବି.ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

ଫୁଲହୋଇ ଫୁଟିବି ମୁଁ
ଫୁଲପରି ହସିବି,
ଭୁରୁଭୁରୁ ବାସନାରେ
ଆନ ମନ ତୋଷିବି ।

ପାଖୁଡ଼ାରେ ଭଳିଭଳି
ରଙ୍ଗ ଦେବେ ସୁରୁଜ,
ଲାଗିବି ସତେ ଯେମିତି
ନାନାରଙ୍ଗ ମୁରୁଜ ।

ଅଭିମାନ ତେଜି ମନୁ
ନିରେଖିବି ଗଗନ,
ଜହ୍ନ,ତାରା,ସୂର୍ଯ୍ୟ ଦେଖି
ଭାବେ ହେବି ମଗନ ।

ମଧୁମକ୍ଷୀ, ଭ୍ରମରର
ମିଠାଗୀତ ଶୁଣିବି,
ପ୍ରଜାପତି ଡେଣାରେ ମୁଁ
ଛିଟରଙ୍ଗ ବୁଣିବି ।

ମଧୁଶୋଷି ମନ ତାଙ୍କ
ହେବ ଯେବେ ପ୍ରସନ୍ନ,
ମଣିବି ପରମ ସୁଖ
ହେଲି ବୋଲି ପ୍ରସୂନ ।

ଆଉ ଏକ ଅଭିଳାଷ
ହେବ କିବା ପୂରଣ,
ସେ ପରମ ପିତା ମୋତେ
ଦେବେ ପାଦେ ଶରଣ ।

ଫୁଲହୋଇ ଫୁଟିବି ମୁଁ
ଫୁଲହୋଇ ଫୁଟିବି,
ସେହି ବିଶ୍ୱନିୟନ୍ତାଙ୍କ
ଚରଣରେ ଲୋଟିବି ।

ଧନ୍ୟହେବ ପ୍ରାଣ ତେବେ
ତାଙ୍କ ପାଦେ ଲାଗିଲେ,
ଚିରକାଳ ପାଇଁ ଶାନ୍ତି
ମିଳିଯିବ ମାଗିଲେ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ