ଆଖିଠାର ମାରେ ଜହ୍ନ – ତ୍ରିଲୋଚନ ଦାସ
ବଇଶାଖୀ ଖରା ଜାଳି ଦିଏ ମନ
ମରୀଚିକା ତୋଳେ ଭ୍ରମ,
ଅଧା ସପନରେ ଭାଙ୍ଗିଯାଏ ନିଦ
ପ୍ରିୟା ରାଗି ତମ ତମ ॥୦॥
ଘୋର ବନସ୍ତରେ ନିଆଁ ଲାଗେ ଯେବେ
ମନ ତଳେ ଉଠେ ଧାସ,
କିଆ ଗୋହିରୀରେ କିଆ ଫୁଲ ଫୁଟି
ଚହଟି ଯାଏ ଲୋ ବାସ ।
ପରଦେଶୀ ମେଘ କେବେ ଆସିବ ଲୋ
ବୁଝିବ ଚାତକୀ ପ୍ରାଣ,
ବଇଶାଖୀ ଖରା ଜାଳିଦିଏ ମନ
ମରୀଚିକା ତୋଳେ ଭ୍ରମ ॥୧॥
ସହକାରେ କୁଞ୍ଜେ କୋଇଲିର କୁହୁ
ଅନ୍ତରକୁ ଯାଏ ଭେଦି,
ଆଶାର ଆକାଶ ଛୁଇଁତ ପାରେନା
ଆଖିଲୁହେ ପଣବନ୍ଦୀ ।
ମଲ୍ଲୀଫୁଟା ସଞ୍ଜେ ମନ ଅଗଣାରେ
ଆଖିଠାର ମାରେ ଜହ୍ନ,
ବଇଶାଖୀ ଖରା ଜାଳିଦିଏ ମନ
ମରୀଚିକା ତୋଳେ ଭ୍ରମ ॥୨॥
