ସାମାଜିକ ଜୀବନରେ ପ୍ରଥମାଷ୍ଟମୀ – ଡକ୍ଟର ଲକ୍ଷ୍ମଣ ସାହୁ

ଲେଖକ ପରିଚୟ

ଡକ୍ଟର ଲକ୍ଷ୍ମଣ ସାହୁ
ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, ମହାନଦୀବିହାର, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଓଡ଼ିଶା ଏକ ପୂଜାପାର୍ବଣର ରାଜ୍ୟ । ଏହାର ଆରାଧଦେବତା ଜଗତର ନାଥ ଶ୍ରୀଜଗନ୍ନାଥ । ଓଡ଼ିଶାବାସୀଙ୍କ ସୁଖ-ଦୁଃଖର ସାଥି ସେ କାଳିଆ କଳାସାଆନ୍ତ । ଭକ୍ତର ସେ ସିନା ବଡ଼ଠାକୁର, କିନ୍ତୁ ଅସଲରେ ସେ ବନ୍ଧୁ ପଣରେ ବନ୍ଧା । ମାନବିକତା ଗୁଣାବଳୀ ତାଙ୍କ ନିକଟରେ ପ୍ରତିଫଳିତ । ଅସହାୟ ଓଡ଼ିଆଙ୍କ ମନର କଥା ସବୁ ଶୁଣି, ଦୁଃଖ ଦୂର କରନ୍ତି । ମଣିଷ ଭଳି ଲୀଳା କରି ସେ ଓଡ଼ିଆମାନଙ୍କର ଅତି ଆପଣାର ପୁରୁଷୋତ୍ତମ ବୋଲାଇଛନ୍ତି । କେଉଁ ଅନାଦି କାଳରୁ ଓଡ଼ିଆମାନେ ତା’ଙ୍କୁ ନିଜର ଇଷ୍ଟଦେବ ଭାବେ ଗ୍ରହଣ କରି ନେଇଛନ୍ତି । ତେଣୁ ଶ୍ରୀମନ୍ଦିରରେ ପାଳିତ ହେଉଥିବା ମହାପ୍ରଭୁଙ୍କର ସମସ୍ତ ପର୍ବପର୍ବାଣି ଓ ଉତ୍ସବାଦି ମଧ୍ୟରୁ ପ୍ରଥମାଷ୍ଟମୀ ଓଡ଼ିଆମାନେ ଶ୍ରଦ୍ଧାର ସହିତ ଗ୍ରହଣ କରି ନିଜଘରେ ପାରମ୍ପରିକ ରୀତିରେ ପାଳନ କରିଥାନ୍ତି ।

ଏହି ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ, ପୋଢୁଆଁଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଇଥାଏ । ସେହି ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ ‘ପ୍ରଥମାଷ୍ଟମୀ’ କୁହାଯାଏ । ଓଡ଼ିଆ ପଞ୍ଜିକା ଅନୁସାରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମମାସ ଭାବରେ ଗଣନା କରାଯାଏ । ସେଥପାଇଁ ‘ମାର୍ଗଶିର’ ମାସକୁ ‘ଅଗ୍ରହାୟଣ ମାସ’ ବୋଲି କୁହାଯାଇଥାଏ । ବର୍ଷର ପ୍ରଥମମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ । ଓଡ଼ିଶାର ଏହା ଏକ ପାରମ୍ପରିକ ପର୍ବ । ପ୍ରତ୍ୟେକ ଓଡ଼ିଆ ଏହାକୁ ସୈାଭାଗ୍ୟ ମନେକରି ନିଜ ଜ୍ୟେଷ୍ଟ ସନ୍ତାନ/ସନ୍ତତିଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରିଥାନ୍ତି । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନ, ପୁଅ ବା ଝିଅଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ ।

ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ କାମନା ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଜ୍ୟେଷ୍ଠ ସନ୍ତାନଙ୍କୁ ପ୍ରଥମେ ସ୍ନାନ କରାଇ ନୂତନ ବସ୍ତ୍ର ପିନ୍ଧାଇ ଦିଆଯାଏ । ପରେ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତା’ଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନୂତନ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି । ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ର ଅପଭ୍ରଂଶ ହୋଇଛି ।

ପ୍ରଥାନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ବିଶେଷ କରି ମାମୁଁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ଏଥିପାଇଁ ମାମୁଁଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଓ ପରିହାସରେ କେହି କେହି ଅଷ୍ଟମୀ ବନ୍ଧୁ ବୋଲି କୁହନ୍ତି । ଧନୀ ହେଉ କି ଗରିବ ହେଉ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥ ଅହେତୁକ ଖୁସି ହୋଇଥାନ୍ତି । ପ୍ରଥମାଷ୍ଟମୀରେ ପାରମ୍ପରିକ ରୀତିନୀତି, ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ଅଛି । ସାଧାରଣତଃ ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ ବା ଅନୁପସ୍ଥିତିରେ ଘର ଚଳାଇବା ଓ ଛୋଟ ଭାଇ ଭଉଣୀମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ଘରର ମୁରବି ପଣର ଦାୟିତ୍ଵ ତା’ ଉପରେ ରହେ । ଯାହା ଫଳରେ ତା’କୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପୂଜା ବନ୍ଦାପନା କରିବାର ବିଧି କେଉଁ ଆବାହମାନ କାଳରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି ।

ଶିଶିର ବିନ୍ଦୁର ମୁକ୍ତା ଝଲମଲ ଓଢ଼ଣୀ ଟାଣି ଧରଣୀ ରାଣୀ ଯେତେବେଳେ ମଗୁଶୀରକୁ କୋଳରେ ଧରିଥାଏ, ସେତିକି ବେଳେ ବର୍ଷକର ବହୁ ପ୍ରତିକ୍ଷିତ ପ୍ରଥମାଷ୍ଟମୀ ମଗୁଶୀରର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ଉତ୍କଳ ଭୂମିରେ ପାଳିତ ହୁଏ । ସତରେ ଓଡ଼ିଶା ମାଟିରେ ପର୍ବ ଭିତରେ ଏହା ଏକ ନିଆର ପର୍ବ । ହଳଦି ପତ୍ରରେ ଏଣ୍ଡୁରି ପିଠାର ବାସ୍ନା ମନକୁ ଛୁଇଁ ଯାଉଥିବା ବେଳେ ସାରୁ, ମାଟିଆଳୁ,ମୂଳା, ବାଇଗଣ, କୋଶଳା ଶାଗ ତିଅଣରେ ଗରିବ ଠୁ ଧନୀକ ପରିବାର ଭିତରେ ଛୋଟିଆ ମହୋତ୍ସବ ଚାଲେ । ମାମୁଁ ମାଇଁଙ୍କ ଆଗମନରେ ଛୋଟ ଆସର ଘରେ ଘରେ ଉଲ୍ଲାସର ବାତାବରଣ ସୃଷ୍ଟି କରେ । ଏହି ଏଣ୍ଡୁରି ପିଠା ପାଇଁ ହଳଦୀ ପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ । କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଗୁଡ଼ ନଡ଼ିଆ ପୁର ଦିଆ ଯାଇ ଏଣ୍ଡୁରି ପିଠା ହଳଦୀ ପତ୍ରରେ ହେବା ପାଇଁ ପ୍ରସିଦ୍ଧ ଅଟେ ।

ପ୍ରଥମାଷ୍ଟମୀରେ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ଗୋଟିଏ ଯାତ୍ରା ଦିବସ । ଲିଙ୍ଗରାଜ ମହାପ୍ରଭୁ ପଢୁଆଁ ହେବା ପାଇଁ ଏହିଦିନ ତାଙ୍କ ମାମୁଁଘର ରୂପେ ପରିଚିତ ‘କପାଳିମଠ’କୁ ଯାତ୍ରା କରନ୍ତି । ଏହିମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’ ଅଟନ୍ତି । ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ । ଏହି ମଠ ହତାରେ ଗୋଟିଏ କ୍ଷୁଦ୍ର ପୁଷ୍କରିଣୀ ରହିଛି । ତାହା ପାପନାଶିନୀ ରୂପେ ପରିଚିତ । ‘ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ଅଛି । ଏହି ଦିନ ଅନେକ ବନ୍ଧ୍ୟାନାରୀ ସନ୍ତାନ କାମନା ଆଶାରେ ଏଠାକୁ ଆସି ଜଳପାନ କରି ଦୃଢ ବିଶ୍ବାସ ସହିତ ଭକ୍ତି ସହକାରେ ବରୁଣେଶ୍ୱର ଓ ବନଦେବ ସମେତ ଲିଙ୍ଗରାଜ ପ୍ରଭୁଙ୍କ ଦର୍ଶନ କରି ଫେରିଯାଆନ୍ତି ।

ଅନ୍ୟ ଦୃଷ୍ଟିରୁ ବିଚାର କଲେ ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’ ଧରାଯାଏ । ସମ୍ଭବତଃ ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ପ୍ରଚଳିତ ଥିଲା । ଏହି ଦେବୀଙ୍କ ପୂଜାର୍ଚ୍ଚନା, ଆରାଧନାରେ କୃଷକ ସନ୍ତାନ ଲାଭ କରିଛି ଏବଂ ଶସ୍ୟ ମଧ୍ୟ ପାଇଛି, କିମ୍ବା ଶସ୍ୟ ରୂପକ ସନ୍ତାନ ମଧ୍ୟ ସେ ଲାଭ କରିଛି- ଯାହାକୁ ସେ ଅତ୍ୟନ୍ତ ସୌଭାଗ୍ୟର କଥା ଭାବରେ ଗ୍ରହଣ କରିଛି । କୃଷକର ମନ ଏଥିଲାଗି ଆନନ୍ଦିତ ଓ ଉଲ୍ଲସିତ । ତେଣୁ ସେ ଅତି ଆନନ୍ଦ ସହକାରେ ଏହି ତିଥିକୁ ସୌଭାଗିନୀ ଅଷ୍ଟମୀ ରୂପେ ପାଳି ଆସିଛି । ଏହି ପ୍ରଥମାଷ୍ଟମୀକୁ ‘କାଳ ଭୈରବାଷ୍ଟମୀ’ ମଧ୍ୟ କୁହାଯାଏ । ଏହିଦିନ କାଳ ଭୈରବଙ୍କର ବ୍ରତ ଓ ପୂଜାର ପ୍ରଚଳନ ଥିଲା । ଯଦିଓ ଏବେ ଏହି ପୂଜାର ବିଲୁପ୍ତି ଘଟିଛି । ସ୍କନ୍ଧ ପୁରାଣର କୋଶୀଖଣ୍ଡରେ ଉଲ୍ଲେଖ ଅଛି, ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳଭୈରବୀଙ୍କ ନିକଟରେ ବ୍ରତ, ଉପବାସ ଓ ଜାଗରଣ ଆଦି ସମ୍ପାଦନ କଲେ ସକଳ ପାପରୁ ମୁକ୍ତି ମିଳିଥାଏ ।

ଏହି ପ୍ରଥମାଷ୍ଟମୀର ରାତ୍ରିତନ୍ତ୍ର ସାଧକମାନଙ୍କ ସାଧନା ବିଷୟରେ ତନ୍ତ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି । ତାନ୍ତ୍ରିକ ଭାଷାରେ ଏହାର ନାମ ‘ଘୋରରାତ୍ର’ । ନବଦୁର୍ଗାଙ୍କ ମଧ୍ୟରୁ କାଳରାତ୍ରି ଅନ୍ୟତମା । ଆଦ୍ୟାଶକ୍ତି କାଳରାତ୍ରି ରୂପେ ଏହିଦିନ ଅବତୀର୍ଣ୍ଣା ହୋଇଥିଲେ । ତନ୍ତ୍ର ସମ୍ବନ୍ଧୀୟ ବିଭିନ୍ନ ଶାସ୍ତ୍ରରେ ଏହି ବିଷୟରେ ଯଥେଷ୍ଟ ଉଲ୍ଲେଖ ରହିଛି । ଅତୀତରେ ବହୁ ସ୍ଥାନରେ ଭୈରବ ଓ ଭୈରବୀଙ୍କୁ ପୂଜା କରାଯାଉଥିଲା । କେବଳ ଓଡ଼ିଶାର ଘରେ ଘରେ ନୁହେଁ କି ଭୁବନେଶ୍ୱର ଲିଙ୍ଗରାଜ ପ୍ରଭୁଙ୍କର ନୁହେଁ, ବରଂ ଶ୍ରୀମନ୍ଦିରରେ ମଧ୍ୟ ପ୍ରଥମାଷ୍ଟମୀ ପର୍ବ ପାରମ୍ପରିକ ରୀତି ଅନୁଯାୟୀ ପାଳିତ ହୋଇଥାଏ । ଆଗରୁ ସୂଚିତ କରାଯାଇଥିଲା ଯେ ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଓଡିଆମାନଙ୍କ ଆଦିଦେବ ବଡ଼ଠାକୁର । ତାଙ୍କଠାରୁ ବଡ଼ କେହି ନାହିଁ । ତାଙ୍କର ଦେଉଳ ବଡ଼ ଦେଉଳ, ଦାଣ୍ଡ ବଡ଼ ଦାଣ୍ଡ, ପୂଜକ ବଡ଼ ପଣ୍ତା, ପ୍ରସାଦ ମହାପ୍ରସାଦ, ସବୁ କିଛି ତାଙ୍କର ବଡ଼, ଆନନ୍ଦର ବଜାର । ଶ୍ରୀମଦ୍ ଭଗବଦ୍ ଗୀତାରେ କୁହାଯାଇଛି, ‘ତ୍ବମାଦିଦେବଃ ପୁରୁଷ ପୁରାଣସ୍ତ୍ବମସ୍ୟ ବିଶ୍ଵସ୍ୟ ପରଂ ନିଧାନମ’ ।

ତେଣୁ ବିଶ୍ୱରେ ସବୁଠାରୁ ବଡ଼ ହିସାବରେ ପ୍ରଥମାଷ୍ଟମୀ ଦିନ ତାଙ୍କର ସ୍ଵତନ୍ତ୍ର ପୂଜାବିଧୂ, ରୀତିନୀତି ଶ୍ରୀମନ୍ଦିରରେ ପାଳନ କରାଯାଏ । ଏହି ଦୃଷ୍ଟିରୁ ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପର୍ବ ମାର୍ଗଶିର କୃଷ୍ଣ ଉଦୟବ୍ୟାପିନୀ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ । ଏହି ଦିନର ବିଧିବିଧାନ, ନୀତି, ପୂଜାର୍ଚ୍ଚନା ସଂପର୍କରେ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବିସ୍ତୃତ୍ବ ଭାବରେ ଉଲ୍ଲେଖ ରହିଛି । ପ୍ରଥମାଷ୍ଟମୀ ଦିନ ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ତିନି ବାଡ଼ରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ଵାରା ମହାସ୍ନାନ ନୀତି ସମ୍ପନ୍ନ ହୁଏ । ଏହା ପରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ନୂଆ ବସ୍ତ୍ର ଲାଗି କରାଇଥାନ୍ତି । ସେଭଳି ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ିରେ ଚନ୍ଦନ ଲାଗି କରି ଥାନ୍ତି । ଚନ୍ଦନଲାଗି ଶେଷ ପରେ ଠାକୁରମାନଙ୍କୁ ବେଶ କରାଯାଏ । ଏହି ବେଶରେ ଛଅମୂର୍ତ୍ତି ସୁବର୍ଣ୍ଣ ଅଳଂକାରରେ ସଜ୍ଜିତ ହୁଅନ୍ତି । ଶ୍ରୀବିଗ୍ରହମାନଙ୍କ ଠାରେ କର୍ପୂର ଲାଗିକରି ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସନ୍ତି । ପୁନଶ୍ଚ ସୁଦୁସୁଆର ପୂଜା କରିବା ଉତ୍ତାରେ ତିନି ବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ବରୁଣପୂଜା କରିଥାନ୍ତି । ଠିକ୍ ମଧ୍ୟାହ୍ନ ଧୂପ ଉଠିଲେ ତିନି ବାଡ଼ରେ ମଙ୍ଗଳାର୍ପଣ ବଢ଼ି ଫୁଲପରିଆ, ଖଦି ଓ ଛେଦା ପ୍ରସାଦ ଲାଗି ସାରି ବନ୍ଦାପନା କରାଯାଇଥାଏ । ଏହି ଦିନରେ ସ୍ଵତନ୍ତ୍ରଭାବେ ପ୍ରସ୍ତୁତ କରାଯାଇଥିବା ଏଣ୍ଡୁରୀ ପିଠା ସହିତ ନାଡ଼ୀ, ଧଉଳା, ଖଇରଚୂଳ, ସାନ ଆରିସା, ସରପୁଳି ପିଠା ଓ ଘିନାଡ଼ୀ, କାନ୍ତ କାକରା, ଗଜା, ବଡ଼ ଡ଼ାଳିମ୍ବ,ଓରିଆ, ମୁଗ, ଖିରୀ ଇତ୍ୟାଦି ମହାପ୍ରଭୁଙ୍କ ନିକଟରେ ଭୋଗ କରାଯାଏ । ପ୍ରକୃତରେ ପ୍ରଥମାଷ୍ଟମୀ ପର୍ବଟି ମହାପ୍ରଭୁଙ୍କ ‘ମାନବୀୟ ଲୀଳା’ର ଅନ୍ୟ ଏକ ଉଦାହରଣ । ପରିବାରର ଜ୍ୟେଷ୍ଠସନ୍ତାନ ପରି ସମଗ୍ର ବିଶ୍ଵର ଜ୍ୟେଷ୍ଠ ଭାବେ ବଡ଼ଠାକୁରଙ୍କୁ ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ଦିନ ପଢୁଆଁ କରାଯିବା ଓଡିଆଙ୍କ ମହାନତାକୁ ପ୍ରକାଶ କରେ । ଯେଉଁ ଭକ୍ତଗଣ ଚର୍ମଚକ୍ଷୁରେ ତାଙ୍କର ଦର୍ଶନ କରନ୍ତି, ସେମାନଙ୍କର ସକଳ ପାପତାପ ଖଣ୍ଡିତ ହୋଇ ଅନ୍ତିମ ସମୟରେ ସେମାନଙ୍କ ବୈକୁଣ୍ଠପ୍ରାପ୍ତି ସୁଗମ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ‘ପଶ୍ୟେଦ୍ ବା ପରୟା ଭକ୍ତା ମୁକ୍ତ ସ୍ୟାତପାପବୃନ୍ଦତଃ। ଅନ୍ତେ ବିଷ୍ଣୁପୁରଂ ଗଚ୍ଛେତ୍ ସର୍ବଶର୍ମପ୍ରବଂ ପରମ ।”

ବାସ୍ତବରେ ଉତ୍କଳର ପର୍ବପର୍ବାଣୀ ‘ପ୍ରଥମାଷ୍ଟମୀ’ ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ମହନୀୟ ଐତିହ୍ୟର ସ୍ମାରକୀ । ଏଥିପାଇଁ ଓଡ଼ିଆମାନେ ଅନ୍ୟମାନଙ୍କ ଠାରୁ ଅଧିକ ହୁଏତ ରକ୍ଷଣଶୀଳ ହେଇପାରନ୍ତି, କିନ୍ତୁ ଏସବୁ ଦ୍ଵାରା ଓଡ଼ିଆ ମାନେ ବିଭବଶାଳୀ । ପ୍ରଥମାଷ୍ଟମୀ ପାଳନରେ କେବଳ ଘରର ଜ୍ୟେଷ୍ଟ ସନ୍ତାନ ନୁହେଁ, ତା’ର ଇଷ୍ଟ , ଜଗତର ବଡ଼ ଠାକୁର ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରି ପରମ ଶାନ୍ତି ଲାଭ କରେ । ଏହାହିଁ ତା’ର ସାମାଜିକ ଭାବଧାରା ଓ ବ୍ୟକ୍ତିଗତ ତଥା ଜାଗତିକ ଅଭିମାନର ପରିପ୍ରକାଶ..!!!

● ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ-୪


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
2 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ବଣମଲ୍ଲୀ ପାଠକ
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
6 ମାସ ପୂର୍ବରୁ

ସୁନ୍ଦର ତଥ୍ୟ । ଆମ ମହନୀୟ ଓଡିଆ ସଂସ୍କୃତି । ନିଜକୁ ଖୁବ ଗର୍ବ ଲାଗେ ଆମ ପର୍ବ ପର୍ବାଣୀ ଗୁଡିକ ପାଳନ କରିବାକୁ ।

Ansuman
ବଣମଲ୍ଲୀ ପାଠକ
Ansuman
6 ମାସ ପୂର୍ବରୁ

Nice topic