ଭସା ମେଘ – ସୀମାଞ୍ଚଳ ଖଟୁଆ
ନିଶଧୁଆ ପାଣି ଶୋଷ କି ମେଣ୍ଟାଏ
ଆକାଶର ଭସା ମେଘ,
ବରଷାର ଆଶା ଦେଖାଇ ଚାତକେ
ଘୂରୁଥାଏ ଚଉଦିଗ।(୧)
ବେଙ୍ଗ ମୁତିଲେ କି ଜମି ଓଦା ହେବ
ଦିବସ ସପନ ପରି,
ଭସା ମେଘ ଦେହି ଚାଷ କି ହୋଇବ
ବରଷିବ ଯେବେ ବାରି।(୨)
କର୍ମବୀର ମରି ହୁଅଇ ଅମର
ନିଜ ପୁଣ୍ୟକର୍ମ ଫଳେ,
ବାକ୍ୟବୀର କଥା ପାଣିରେ ତ ଗାର
ନିନ୍ଦା ଶୁଣେ କାଳେ କାଳେ।(୩)
ଭାସୁଥାଏ ଜଳେ କାଗଜର ଡଙ୍ଗା
ମନ ଲୋଭାଣିଆ ହୋଇ,
କିଛି କ୍ଷଣ ପରେ ଜଳେ ନଷ୍ଟ ହୁଏ
ସହଜେ ଯାଏ ମିଳେଇ ।(୪)
ମନୁଷ୍ୟ ଜନମ ଦୁର୍ଲଭ ଜନମ
ବଞ୍ଚିବା ମଣିଷ ପରି,
ମଣିଷ ପଣିଆ ନ ହାରିବା କେବେ
ସଦା ସତକର୍ମ କରି।(୫)
