ହଜି ଯାଇଛି ମୋ’ ଠିକଣା – ଯମେଶ୍ଵର କହଲସିଂହ
ପ୍ରିୟତମା ! ତୁମ ନୟନୁ ଝରିଲେ
ଲୁହର ଉଜାଣି ଯମୁନା
ମୋ’ ମନ କେଦାର ଭିଜି ଭିଜି ଯାଏ
ମୋତେ କିଛି ଭଲ ଲାଗେନା ॥
ସ୍ମୃତିର ଦୀପାଳି ନିତି ମୁଁ ଜାଳୁଛି
ଏକାକୀ ନୀରବ ବିଜନେ
ତୁମ ଯଉବନ ପାରିଜାତ ଫୁଟେ
ମୋ’ ମନ ନନ୍ଦନକାନନେ ॥
ତୁମରି ଆଖିରେ ଭରା ନିଦ ଦେଖି
ମୋ’ ଆଖିରେ ସାତ ସପନ
ତୁମକୁ ଟିକିଏ ଛୁଇଁବା ପାଇଁକି
ମୋ’ ମନରେ ଉଏଁ ତପନ ॥
ତୁମେ କୋଣାରକ ରୂପସୀ ନାୟିକା
ସମୟ ଶିଳାର ଗାତ୍ରରେ
ସଞ୍ଜ ନଇଁଗଲେ ତୁମ ପ୍ରତିଛବି
ଝଲସି ଉଠେ ମୋ’ ଅନ୍ତରେ ॥
ତୁମ ଶୁଭଶଙ୍ଖ ବାଜିଉଠେ ସଖୀ
ମୋ ମନ ମନ୍ଦିର ଭିତରେ
ନିତି ମୁଁ ଦେଖୁଛି ତୁମ ପଦ ଚିହ୍ନ
ମୋ’ ମନ ଗାଧୁଆ ତୁଠରେ ॥
ତୁମ ସରସୀରେ ପଦ୍ମ ଫୁଟିଲେ
ମୋ’ ମନରେ ହସେ ସବିତା
ତୁମ ହୃଦୟର ଦରଦୀ କବି ମୁଁ
ତୁମେ ମୋର ଗୀତି କବିତା ॥
ଶୋଭାପାଏ ତୁମ ତନୁ ମାନଚିତ୍ରେ
ଗିରିଶୃଙ୍ଗ, ବନ, ଝରଣା
ତୁମ ଓଠଛୁଆଁ ସଂଳାପ ଭିତରେ
ହଜି ଯାଇଛି ମୋ’ ଠିକଣା ॥

ପଢିବାକୁ ଭୁଲନ୍ତୁ ନାହିଁ
ଲୋକିପୁର, ଗଡମାଣତୀର, ଖୋରଧା
