ଅନାବୃତ ରେଶମ ନଗରୀ – ଦୀପିକା ଦାଶ

ଲେଖକ ପରିଚୟ

ଦୀପିକା ଦାଶ
ବ୍ରହ୍ମପୁର, ଗଞ୍ଜାମ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଐଶ୍ୱର୍ଯ୍ୟରେ ଲାବଣ୍ୟମୟୀ
ରେଶମ ନଗରୀର ଲାବଣ୍ୟ
ପିଠି ଉପରେ ତାର
ପ୍ରଭାତ ସୁରୁଜଟି ମୁରୁଜ ବୁଣୁଛି
ଅଙ୍ଗେ ଅଙ୍ଗେ ଯା’ର ଖେଳୁଛି
ଅନୁଢ଼ା ତରୁଣୀର ଯୌବନ ।

ମୁଁ କିନ୍ତୁ ସେଇଠି ,
ମୁହଁରେ ବିସ୍ମୟର ଚେନାଏ ହସ ଧରି
ଲଜ୍ୟାର ହଳେ ସ୍ବପ୍ନିଳ ଆଖି ସହ
ନଗର ଉପାନ୍ତ ରୁଗ୍ଣ ଗଳିର
କେଉଁ ଏକ ନିଶୁନ ଉପଗଳିରେ
ଅପେକ୍ଷା କରିଛି ।

ବାଘୁଆ ଶୀତର କୁହୁଡି ଆକାଶ ଭଳି
ଏ କି ଅନ୍ୟମନସ୍କତା
ତୁମେ ଆସୁଛ ବୋଲି ?
ମୋ ସହର ପବନରେ ଭରିଯାଇଛି
ପ୍ରବଳ ଧୃଷ୍ଟତା
ଏଇ ଅମାନିଆ ଆଖିରେ
ଆଖି ଭରି ଦେଖିବା ପାଇଁ ତୁମକୁ
ଆଜି ସମୁଦ୍ର ପ୍ରମାଣେ ତୃଷ୍ଣା ।

ଜାଣିଛ ?
ତୁମକୁ ଉପହାର ଦେବା ପାଇଁ
ଜହ୍ନକୁ ମାଗିଛି ମୁଁ
ସୁନେଲି ମଧୁର ଜହ୍ନରାତ୍ରୀ ।
ପ୍ରଗଲ୍ଭା ନଈ ଠାରୁ
କାଣିଚାଏ ଜଳ ଆଣି
କ୍ଳାନ୍ତ ପାଦକୁ ଧୋଇଦେବି ।
ଯଦି ଅତିଷ୍ଟ ହୁଅ ଜନରବରେ
ତୁମ ପ୍ରିୟ ଗୀତଗୋବିନ୍ଦର
ଦ୍ବାଦଶ ଅଧ୍ୟାୟ ଶୁଣାଇଦେବି ।

ମିଳନର ମହାର୍ଘ୍ୟ ମୁହୂର୍ତ୍ତରେ
ଆଖିର ନିଭୃତ କୋଣରୁ
ଅଝଟ କୁନି ଶିଶୁ ଭଳି
ଯଦି ଜକେଇ ଆସେ ଲୁହ
ବାରଣ କରିବ ନାହିଁ
ଗଙ୍ଗା ଜଳ ପରି ଦୁଇ ଟୋପା ଅଶ୍ରୁ ବୁହାଇ
ମୋକ୍ଷ ଲଭିବି
ତୁମ ମୁଖମଣ୍ଡଳକୁ ଚାହିଁ ।

ନିର୍ଜନ ଉପଗଳିର ପିଠିରେ
ତନ୍ଦ୍ରାର ଅଳ୍ପ ଆଗମନରେ
ଏବେ କିନ୍ତୁ ଖରା ମ୍ଳାନ ହେବାକୁ ବସିଲାଣି ।
ରେଶମ ନଗରୀ ସଂପୂର୍ଣ୍ଣ ଅନାବୃତ
ହଜିଯାଇଛି ତା ଦେହରୁ
ରେଶମୀ ପାଟ ବସ୍ତ୍ର
ତୁମେ କିନ୍ତୁ ଆସିଲ ନାହିଁ ।

ବେଳେ ବେଳେ ଇଛା ହୁଏ
ଚାଲିଯାଆନ୍ତି ଦୂର ସୁଦୁର
ଦିଗବଳୟର ଆର ପାରି ଡେଇଁ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ