ଧନର ବୋହିବ ଝଡ଼ – ସୀମାଞ୍ଚଳ ଖଟୁଆ

ଲେଖକ ପରିଚୟ

ସୀମାଞ୍ଚଳ ଖଟୁଆ
ଭୁବନେଶ୍ଵର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସାହାସୀ ଓଡ଼ିଆ ବିଶ୍ୱାସୀ ଓଡ଼ିଆ
ବିଶ୍ୱାସର ପୋତ ନେଇ,
ବିଶ୍ୱାସ ଆଧାରେ ଦରିଆ ପାରିରେ
ପାଦ ଥାପିଥିଲା ନେଇ।(୧)

ଧଇର୍ଯ୍ୟର ପାଦ ବିଶ୍ୱାସର ପାଦ
ଅଙ୍ଗଦର ପାଦପରି,
ଯାଇଥିଲା ଦୁରେ ବାଣିଜ୍ୟର ପାଇଁ
ସମୁଦ୍ରର ବୁକୁଚିରି।(୨)

ବ୍ୟବସାୟ ଧର୍ମ ଅଭାବ ପୂରଣ
ସ୍ଥାନ କାଳ ପାତ୍ର ନେଇ,
ନେବା ଆଣିବାର କାର୍ଯ୍ୟ ସାଧୁଥିଲା
ସାଧବପୁଅଟି ହୋଇ।(୩)

ଓଡ଼ିଶାର ରାଜା ଜୟ କରିଥିଲେ
ଗଙ୍ଗା ଠାରୁ ଗୋଦାବରୀ,
ବନ୍ଦର ମାଳିନୀ ଓଡିଶାରେ ଥିଲା
ସୁଖ ସମ୍ପଦର ଶିରି।(୪)

ରୁଷିକୂଲ୍ୟା ଆଉ ମହାନଦୀ ଦେବୀ
କୁଶଭଦ୍ରା ବୈତରଣୀ,
ଅନେକ ସୁନାବ୍ୟା ନଦୀ ବୋହୁଥିଲା
ଦେଇଣ ମଙ୍ଗଳ ଧ୍ୱନି।(୫)

ବଙ୍ଗୋପସାଗର ଚିଲିକାର କୂଳ
ପ୍ରକୃତିର ଆଶୀର୍ବାଦ,
ଜାତିପାତି ଭୁଲି ସମୁଦ୍ରେ ଖେଳିଲେ
ବୋଇତକୁ କରି ମିତ।(୬)

ପାଲୁର ପିପିଲି ବଉଦ ବିନିକା
ହିଜିଲି ସମ୍ବଲପୁର,
ହରିହରପୁର ବାଲେଶ୍ୱର ଆଦି
ବନ୍ଦରର ଗନ୍ତାଘର।(୭)

କାର୍ତ୍ତିକ ପୂର୍ଣ୍ଣିମା ମାଘ ଅବସରେ
ବୋଇତ ବନ୍ଦାଣ ସାରି,
ଯାତ୍ରା କରୁଥିଲେ ବାଣିଜ୍ୟର ପାଇଁ
ବିଭୁ ସୁମରଣା କରି।(୮)

ବୈଶାଖ ଆଷାଢେଫେରିବା ସମୟ
ବାୟୁ ଅନୁକୁଳ ଜାଣି
ଘର ମୁହାଁ ହୋଇ ଫେରୁଥିଲେ ଭଲେ
ଆମାପ ସମ୍ପତି ଘେନି।(୯)

ଚାଇନା ଜାପାନ ସିଂହଳ ମାଳୟ
ଜାଭା ସୁମାତ୍ରା ବୋର୍ଣ୍ଣିଓ,
ବ୍ରହ୍ମଦେଶ ଯାଏ ପୋତ ନେଉଥିଲା
ସାହାସୀ ଓଡ଼ିଆ ପୁଅ।(୧୦)

ଓଡ଼ିଶା ଚାଉଳ ବ୍ରହ୍ମପୁରୀ ପାଟ
ସମ୍ବଲପୁରୀଆ ଶାଢ଼ୀ,
ଲାଖ ଝୁଣା ଘିଅ ଲବଣ ସହିତ
ନିଅନ୍ତି ଆନନ୍ଦେ ଗଡି।(୧୧)

ଆଣୁଥିଲା ହାତୀ କଉଡ଼ି ସମେତ
ସୁନା ଆଉ ହାତୀଦାନ୍ତ,
ସାଧୁତା କାରଣୁ ସମ୍ପର୍କ ସେଠାରେ
ଆଜି ବି ଅଛି ଜୀବନ୍ତ।(୧୨)

ଷଠି ଓଷା କଥା ବୋଇତ ବନ୍ଦାଣ
ବାଲିମେଳା ବାଲିଯାତ୍ରା,
ପୁରାଣ କାହାଣୀ କର୍ମାସାନୀ କହେ
ଓଡିଶାର ନଉଯାତ୍ର।(୧୩)

ଅତୀତକୁ ଦେଖି ଭବିଷ୍ୟ ନିର୍ମାଣେ
ଦାଦନ ବୁଦ୍ଧିକି ଛାଡ,
କୃଷି ବାଣିଜ୍ୟକୁ ଆଦରିଲେ ସର୍ବେ
ଧନର ବୋହିବ ଝଡ।(୧୪)

ସୀମାଞ୍ଚଳ ଖଟୁଆ, ଭୁବନେଶ୍ୱର ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ