ଅଣୁଗଳ୍ପ – ବଦନାମ ଗଳିର ନାୟିକା – ରୁଦ୍ର ନାରାୟଣ ଦାଶ

ଲେଖକ ପରିଚୟ

ରୁଦ୍ର ନାରାୟଣ ଦାଶ
ଅନାମ କଲୋନୀ, ପ୍ଲଟ- ୧୧୯୬, ଭୁବନେଶ୍ୱର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

– ରୁମ ନମ୍ବର ୩୩୬
– ଧନ୍ୟବାଦ
– କ’ଣ ଆପଣ ନୂଆ ?
– ହଁ
ସମୟ ପ୍ରାୟ ରାତି ୮ଟା । ଅଶୋକ ଯାଉଥିଲା ରୁମ ନମ୍ବର ୩୩୬ ଆଡ଼କୁ । କିଛି ବୁଝିହେଉନଥିଲା । ଚ଼ାଲିଚ଼ଳଣ, ଢ଼ଙ୍ଗରଙ୍ଗରୁ ତ ସେପରି ସେ ଜଣାପଡ଼ୁନଥିଲେ । ଲିଫ୍ଟରେ ଉପର ମହଲାକୁ ଯାଇ ୩୩୬ ନମ୍ବର ରୁମର କବାଟ ଠକ୍ ଠକ୍ କଲେ ଅଶୋକ । ଭିତରପଟୁ ଉତ୍ତର ଆସିଲା,
– ରୁହନ୍ତୁ ଟିକେ । ଅପେକ୍ଷା କରନ୍ତୁ ସାର ।
ସ୍ବରରୁ ଯାହା ଜଣାପଡ଼ୁଥିଲା ସେ ଯୁବତୀ ଓ ତାଙ୍କ ବୟସ ପାଖାପାଖି ତିରିଶ-ପଇଁତିରିଶ ଭିତରେ । କବାଟ ଖୋଲିଲେ ସେ । ଶ୍ୟାମଳବର୍ଣ୍ଣୀ, ଭଲ ସ୍ୱାସ୍ଥ୍ୟ ନଥିବା ସେହି ଯୁବତୀଙ୍କ ଚ଼େହେରାରୁ ଦେଖି ଜଣାପଡ଼ୁଥିଲା ସେ ଯେ ୪୦-୪୫ ବର୍ଷ । ମୁହଁରେ ତାଙ୍କର କଳା କଳା ଦାଗ ଗୁଡ଼ାଏ କିଛି କହୁଥିଲେ ଅଶୋକଙ୍କୁ ଆଉ ପରସ୍ପର ମଧ୍ୟରେ କଥାବାର୍ତ୍ତା ଚ଼ଲାଇଥିଲେ । ଆଖି ତଳ ସମ୍ପୂର୍ଣ୍ଣ କଳା ପଡ଼ି କପାଳରେ ଭାଙ୍ଗ ଆସିଯାଇଥିଲା । ଏକାଧାରାରେ କହିବାକୁ ଗଲେ ବୟସ ଅତିକ୍ରାନ୍ତ ନହେବା ପୂର୍ବରୁ ବାର୍ଦ୍ଧକ୍ୟ ଯେ ତାଙ୍କୁ ସ୍ପର୍ଶ କରିସାରିଥିଲା କହିବା ଆମର ଉଚ଼ିତ ହେବ ।
ରୁମ ର ଅପର ପାର୍ଶ୍ବକୁ ମୁହଁ କରି ଯୁବତୀ ଜଣକ କହିବା ଆରମ୍ଭ କଲେ,
– କ’ଣ କୁହନ୍ତୁ ! କ’ଣ ନେବେ ?
– ତୁମ ଆଖିରେ ଆଖି ମିଶାଇବାକୁ ଚ଼ାହେଁ..
– ମୋ ଆଖି ରେ ଆଖି ମିଶାଇଲେ କି ଲାଭ ହେବ ବାବୁ, ମୁଁ ତ ବଣମଲ୍ଲୀଟାଏ, କାଲି ସକାଳେ ଝଡ଼ିଯିବି..
କହୁ କହୁ ମୁଣ୍ଡ ଟେକି ଚାହିଁଦେଲେ ସେ ଅଶୋକ ବାବୁଙ୍କୁ ।
– ତୁ ! ତୁ ଏଠି କ’ଣ କରୁଛୁ ??
– ମୁଁ ଯଦି ତତେ ସମାନ ପ୍ରଶ୍ନ କରେ ଦିଦି ତେବେ ତୁ କି’ ଉତ୍ତର ଦେବୁ ?
ସତରେ କି’ ବିଡ଼ମ୍ବନା ସତେ !
ଅଶୋକ ବାବୁଙ୍କ ପାଟିରୁ ବାହାରି ଚ଼ାଲିଲା ଶବ୍ଦ, ଆଉ ରୋମନ୍ଥନ କରୁଥିଲେ ତାକୁ ବାରମ୍ବାର ଇତିହାସ ଘୋଷିବା ପରି । “ତୁ ମୋତେ ପଢ଼ାଇବା ପାଇଁ ଏତେ ଦୂର…। ଜାଣିଛୁ ଦିଦି, ଗାଆଁଠାରୁ ଏ ସହର ପାଖାପାଖି ୪୫୦କି.ମି. ଦୂର । ବଡ଼ ମଣିଷ କରିବା ପାଇଁ ଏମିତି ଜୀବନ ଜୀଇଁଲୁ ତୁ…। ହେ ଭଗବାନ” ! କହି କହି କାନ୍ଦିପକାଇଲେ ସେ ।
– ତୁ, ଏ ଠିକଣା ପାଇଲୁ କେମିତି ? ଗମ୍ଭୀର ସ୍ବରରେ ପଚ଼ାରୁଥିଲେ ଅଶୋକର ଦିଦି ।
– ଠିକଣା ମାଗି ମାଗି ତୁ ମନିଅର୍ଡର ଅବା ଚ଼ିଠିରେ ଦେଲୁନି ଦିଦି । ସେଦିନ ପାଖ ସହରକୁ କୌଣସି କାମରେ ଆସିଥିଲି, ଦେଖିଲି ପୋଷ୍ଟର ଆଉ ସେଥିରେ ତୋ ନାଁ, ଫଟୋ, ଆଡ୍ରେସ । ଫଟୋରୁ ଚ଼ିହ୍ନି ହେଉନଥିଲା ତତେ । କହୁ କହୁ ଗୋଡ଼ତଳେ ପଡ଼ିଯାଇ କ୍ଷମା ମାଗୁଥିଲେ, କହୁଥିଲେ, ‘ମୋ ପାଇଁ ତୁ ଏ ସମାଜ ଆଗରେ ନଗ୍ନତାର ପ୍ରତିମୂର୍ତ୍ତି ସାଜିଲୁ ।
ବାସ୍ କର ଅଶୋକ.. ବାସ ! ଶେଷରେ ତୁ ବି ଥିଲୁ ! କିନ୍ତୁ ତୁ ଏଠିକି ଆସିଲୁ କାହିଁକି ? ତୁ କ’ଣ ଜାଣିନୁ ଏ ଝିଅ ଏ ଅଞ୍ଚଳର ଦାମୀ ହଟ ଗାର୍ଲ ।
– ଏମିତି କ’ଣ କହୁଛୁ ତୁ..।
ଆଖିରୁ ଶୁଖୁନଥିଲା ସେ ଲୁହ ସେ ଯୁବତୀର ତଥାପି ସେ କହୁଥିଲା ନିଜକୁ ଏପରି ଆଖ୍ୟା ଦେଇ କହୁଥିଲା ଏ ବଦନାମ ଗଳିକୁ ଆସିଲୁ କାହିଁକି । ଅଶୋକ ହଠାତ କହିଉଠିଲେ ଯାହାର ନିଜ ଭଉଣୀ ସହ ଦୀର୍ଘ ସତର ବର୍ଷ ହେବ ଦେଖା ନହେଇଛି ସେ କେମିତି ତା’ ଠିକଣା ଜାଣି ନଦେଖାକରି ରହିପାରିଥା’ନ୍ତା ! କୁଣ୍ଢାଇ ପକାଇଲେ ଅତି ସ୍ନେହରେ ଅଶୋକ ତା ଦିଦିକୁ ।

ରାତି ପାହିଆସୁଥିଲା.. ରୁମ ଝରକାର ସେ ଦିଗନ୍ତରୁ ସିନ୍ଦୂରବର୍ଣ୍ଣ ଧାରଣ ପୂର୍ବକ ଉଦୟ ହେଉଥିଲେ ସୂର୍ଯ୍ୟ; ନୂତନ ସକାଳକୁ ଆମନ୍ତ୍ରିତ କରୁଥିଲେ ଭାଇଭଉଣୀ । ପ୍ରତ୍ୟାଖାନ କରୁଥିଲେ ଅଶୋକଙ୍କ ଭଉଣୀ, କହୁଥିଲେ,”ଏ ଯେ ବଦନାମ ଗଳି ଆଉ ମୁଁ ଯେ ତା’ର ନାୟିକା । ମୁଁ ଅବା ଏ ସାମ୍ରାଜ୍ୟକୁ କିପରି ତ୍ୟାଗ କରିପାରିବି ?” ସମାଜକୁ ନଡ଼ରି ସାହସର ସହ ଚ଼ାଲ ଦିଦି । ଦେଖିବୁ ସଂସାର ସୁନାମର କଳସ କେତେବେଳେ ଯେ ଢ଼ାଳିଦେବ ଜାଣିପାରିବୁନି । ଛାଡ଼ି ଆସିଲେ ସେ ବଦନାମ ଗଳି ଆଉ ଅତୀତକୁ ସେହି ରୁମ ନମ୍ବର ୩୩୬ରେ । ଏକ ସୁନାମ ଗଳିର ଅଭିମୁଖେ ଅଗ୍ରସର ହେଉଥିଲେ ଦୁଇ ଭାଇ ଭଉଣୀ ଦୀର୍ଘ ସତର ବର୍ଷ ପରେ ଏକ ସଙ୍ଗରେ………॥


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ