ପ୍ରବନ୍ଧ – ଆଧୁନିକ ଶିକ୍ଷା ଏବଂ ମୂଲ୍ୟବୋଧ – ରୁଦ୍ର ନାରାୟଣ ଦାଶ

ଲେଖକ ପରିଚୟ

ରୁଦ୍ର ନାରାୟଣ ଦାଶ
ଅନାମ କଲୋନୀ, ପ୍ଲଟ- ୧୧୯୬, ଭୁବନେଶ୍ୱର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କୌଣସି ଏକ ଜାତି, ଦେଶ, ସମାଜ ଅବା ବିଶ୍ବର ପ୍ରକୃତ ପରିଚ଼ୟ ଏହାର ଶିକ୍ଷା ଦ୍ବାରା ସମ୍ଭବ ହୋଇଥାଏ । କୈଣସି ଏକ ଜାତିର ଅତୀତ, ବର୍ତ୍ତମାନ, ଭବିଷ୍ଯତ ଶିକ୍ଷା ଉପରେ ନିର୍ଭରଶୀଳ ହୋଇଥା’ନ୍ତି। ସଂସ୍କୃତି ର ମର୍ଯ୍ଯାଦା ତଥା ବର୍ତ୍ତମାନ ପିଢ଼ିର ବ୍ଯବହାର, ଶାଳୀନତା ତଥା ଭବିଷ୍ଯତର ପୂର୍ବାନୁମାନ ଶିକ୍ଷା ଦ୍ବାରା ସମ୍ଭବପର । ଶିକ୍ଷା ମାନବ ସମାଜକୁ ସଂଯତ କରିବା ସହ ମାନବୀୟ ଗୁଣ ତଥା ଜୀବନକୁ ମାର୍ଜନ କରିବା ପୂର୍ବକ ବିକାଶ ସାଧନ କରେ । ଲୁକ୍କାୟିତ ପ୍ରତିଭାକୁ ପ୍ରକାଶିତ ତଥା ମାନସିକ, ଶାରୀରିକ ବିକାଶର ମୂଳ ଭିତ୍ତିଭୂମି ଶିକ୍ଷା ପକାଇଥାଏ। ଅତଏବ ଶିକ୍ଷା ହେଉଛି ଗୋରସ ଯେଉଁଥିରେ ଶ୍ବେତସାର, ପୁଷ୍ଟିସାର, ସ୍ନେହସାର ଭଳି ସମସ୍ତ ପୋଷକ ତତ୍ତ୍ବ, ଭିଟାମିନ ରହିଥାନ୍ତି । ପ୍ରତ୍ଯେକ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହା ଏକ ସୁଷମ ଆହାର । ଅତଏବ “Education is the modification of behaviour.”

ଶିକ୍ଷା ବିଭିନ୍ନ ମାଧ୍ଯମରେ ଗ୍ରହଣ କରାଯାଏ । ନୈତିକ, ଶାରୀରିକ, ମାନସିକ, ବୈଷୟିକ, ସାକ୍ଷରତା ଆହୁରି ଅନେକ କିଛି। ଜୀବନର ମାର୍ଗକୁ ସରଳ ଓ ସୁପଥଗାମୀ କରାଇବାରେ ଏମାନଙ୍କ ଭୂମିକା ଯେ ଅବର୍ଣ୍ଣନୀୟ। ନୀତିଗତ ଆଧାର ତଥା ବିବେକାନୁମୋଦିତ ଶିକ୍ଷା ଅବା ଧର୍ମ ସମ୍ବନ୍ଧୀୟ ଶିକ୍ଷା ନୈତିକ ଶିକ୍ଷାର ଅଂଶବିଶେଷ। କୌଣସି ଜାତି ବିନା ନୈତିକ ଶିକ୍ଷାରେ ଅଗ୍ରସର ହୋଇପାରିବ ନାହିଁ। କୌଣସି ଏକ ବ୍ଯକ୍ତିଙ୍କୁ ନିଃସ୍ବାର୍ଥପର ଭାବେ କର୍ତ୍ତବ୍ଯନିଷ୍ଠ କରାଇ ଦୟା, କ୍ଷମା, ନ୍ଯାୟର ପ୍ରତିମୂର୍ତ୍ତି ଭାବେ ଗଢ଼ି ତୋଳିବାରେ ଏହି ଶିକ୍ଷାର ଉଦ୍ଦେଶ୍ଯ କହିଲେ ଅତ୍ଯୁକ୍ତି ହେବ ନାହିଁ। ଅନୁଶାସନ ମଧ୍ଯ ଏକ ଶିକ୍ଷା, ଯାହା ନୈତିକତାର ଦ୍ଯୋତକ। ନୈତିକତା ସମ୍ମାନ ଦେବା, ଶୁଦ୍ଧ ଭାଷାର ପ୍ରୟୋଗ, ସ୍ଥାନ, କାଳ, ପାତ୍ର ସହ ନିଜକୁ ନିୟନ୍ତ୍ରଣରେ ରଖିବାର କଳା ଶିଖାଏ। ପରିବାର ତଥା ପାରିପାର୍ଶ୍ବିକ ସମାଜରୁ ଶିଶୁ ତା’ ନୈତିକତା ଶିଖିଥାଏ। ସୁତରାଂ ସମାଜର ବ୍ଯବସ୍ଥା ବା ଅବ୍ଯବସ୍ଥା, ପରିବାର ର ବାର୍ତ୍ତାଳାପର ଶୈଳୀ, ଜୀବନଶୈଳୀ, ପିତାମାତାଙ୍କ ଚ଼ିନ୍ତାଧାରା ତା’ ନୈତିକ ଶିକ୍ଷା ଉପରେ ବିଶେଷ ପ୍ରଭାବ ପକାଏ। ଅତଏବ ଚରିତ୍ର ଗଠନରେ ଏମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।

ଭାରତ ସରକାରଙ୍କ ଦ୍ବାରା ପ୍ରଣୀତ ସମସ୍ତଙ୍କ ଶିକ୍ଷା ବ୍ଯବସ୍ଥା ହିଁ ସର୍ବଶିକ୍ଷା। ରାଷ୍ଟ୍ରନାୟକଙ୍କ ମତାନୁସାରେ; ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶିକ୍ଷା ସମସ୍ତ ଜନ ସମୁଦାୟ ପ୍ରାପ୍ତ କରିବା ଆବଶ୍ଯକ, ଯଦ୍ଦ୍ବାରା ଶିକ୍ଷାର ପ୍ରଚ଼ାର, ପ୍ରସାର, ବିକାଶ, ସୀକ୍ଷରତା ହାରରେ କ୍ରମବିକାଶ ହେବା ସଙ୍ଗେ ସଙ୍ଗେ ଶିକ୍ଷା ଯୋଗୁଁ ଭାରତ ବିକଶିତ ହେବାର ଆଶାର ସୂର୍ଯ୍ଯକୁ ଅତି ନିକଟରୁ ଦେଖିପାରିବ। ୨୦୦୩ ମସିହା ସୁଦ୍ଧା ୬ରୁ ୧୪ବର୍ଷ ବୟସର ସମସ୍ତ ପିଲାଙ୍କୁ ସରକାରୀ ବିଦ୍ଯାଳୟ, ଅଭିନବ ଶିକ୍ଷାକେନ୍ଦ୍ରମାନଙ୍କରେ ଭର୍ତ୍ତି କରାଯାଇ ମୌଳିକ ଶିକ୍ଷାକୁ ଅଗ୍ରାଧିକାର ରୂପେ ସୂଚ଼ିତ କରିବା ତଥା ପଛୁଆବର୍ଗଙ୍କୁ ମୁଖ୍ଯ ଶିକ୍ଷାସ୍ରୋତରେ ସାମିଲ କରିବା ପ୍ରଶଂସନୀୟ। ପିଲାମାନଙ୍କ ପାଠପଢ଼ା ପାଇଁ ଯଥେଷ୍ଟ ସୁବିଧା ଯଥା ଘର, ପାନୀୟଜଳ, ଭୋଜନ, ପାଠପଢ଼ା ଉପକରଣ ଯେପରିକି କଳାପଟା, ବହିବସ୍ତାନି ଇତ୍ଯାଦି ଉପଲବ୍ଧ ହେବା ସ୍ବାଗତଯୋଗ୍ଯ। ବିଦ୍ଯାଳୟ, ମହାବିଦ୍ଯାଳୟମାନଙ୍କରେ ସରକାରୀ ତଥା ବେସରକାରୀ ସ୍ତର ସୁବିଧା ସୁଯୋଗ ଉପଲବ୍ଧ କରାଇ ଶିକ୍ଷାର ଏକ ସୁଦୃଢ଼ ମାନଦଣ୍ଡ ପ୍ରତିଷ୍ଠା କରିବା ଦିଗରେ ସଦାଚେଷ୍ଟିତ ଏହା ଅନୁମେୟ । ପାଠ୍ଯଖସଡ଼ା ରୀତି ଅନୁଯାୟୀ ସର୍ବଶିକ୍ଷା ଅଭିଯାନ ଯେ ଅଗ୍ରସର ତାହା ସ୍ପଷ୍ଟ ଦୃଶ୍ୟମାନ। ଏହା ଦ୍ବାରା ଅଧ୍ଯୟନରତ ପିଲାଙ୍କ ମାନସିକ କ୍ରମବିକାଶ ତଥା ପରିସ୍ଥିତି ନିୟନ୍ତ୍ରଣ ତଥା ଚ଼ାଳନା ଦୁସ୍ଥ ଓ ପ୍ରପୀଡିତ ସମାଜକୁ ସାମ୍ନା କରିବାରେ ଅସଫଳ ହେବା ବହୁ ଜାଗାରେ ଦେଖାଯାଏ । ଉଦାହରଣ ସ୍ବରୂପ, ସର୍ବଶିକ୍ଷା ଅଭିଯାନ ସ୍ତରରେ ନିଯୁକ୍ତପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଶ୍ରେଣୀକୁ ଆସି ବିଷୟଭିତ୍ତିକ ପାଠକୁ ପଢ଼ାଇଦେଇ ଚ଼ାଲିଯିବା ଏବଂ ବିଷୟ ଶେଷରେ ପ୍ରଶ୍ନୋତ୍ତରକୁ ଖାତାରେ କରାଇବା ସ୍ବାଗତଯୋଗ୍ଯ ମାତ୍ର; ବିଷୟରେ ନିହିତ ଥିବା ପ୍ରକୃତ ଶିକ୍ଷା ତଥା ଜୀବନର କେଉଁ ଭାଗରେ ଏହା କାର୍ଯ୍ଯରେ ଆସିବ ବା କିପରି ସାମ୍ନା କରିବା ଏହାକୁ ବର୍ଣ୍ଣନା କରି ପିଲାଙ୍କ ସାମ୍ନାରେ ଉପସ୍ଥାପନ କରିବା ଏମାନଙ୍କ ପାଇଁ କାଠିକର ପାଠ ଅବା ଆସେନାହିଁ ତାହା ଆମକୁ ଅଜଣା। ଅତଏବ ଶିକ୍ଷକ ପାଠ୍ଯଖସଡ଼ା ଅନ୍ତର୍ଭୁକ୍ତ ହୋଇ ନ ରହିବା ଉଚ଼ିତ।

ଅନ୍ଯଏକ ପଟେ କହିବାକୁ ଗଲେ ସବୁ ଛାତ୍ରଛାତ୍ରୀଙ୍କ ସ୍ମରଣ ଶକ୍ତି ତତ ସହିତ ଶିକ୍ଷା ଗ୍ରହଣ କରିବାର ଶୈଳୀ ସମାନ ନଥାଏ। ଅତଏବ କେଉଁ ପିଲା କେଉଁଭଳି ଆଚରଣ ଶିକ୍ଷକଙ୍କଠାରୁ ଆଶା କରୁଛି ତାହା ଆଜିର ସମୟରେ ଶିକ୍ଷକ ଅନୁଧ୍ଯାନ କରିବାକୁ ନାରାଜ। ଏପରିକି କିଛି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ନାମରେ ବ୍ଯବସାୟିକ ବ୍ଯାପାର ଚାଲିଛି। ଫମ୍ପା ଢୋଲ ସାଜି ସେମାନେ ଶିକ୍ଷାର ମର୍ଯ୍ଯାଦାକୁ ତଳେ ପକାଇବା ସହ ପରିବାରର ଆର୍ଥିକ ଅବସ୍ଥାକୁ ଶୋଚନୀୟ କରିବାକୁ ମଧ୍ଯ ପଛାଉ ନାହାନ୍ତି। ସ୍ବର୍ଣ୍ଣ ମନ୍ଦିର ରୂପକ ଛାତ୍ର ସମାଜ ମଧ୍ଯରେ ଲୁକ୍କାୟିତ ଶିକ୍ଷାର ବୀଜକୁ ଅଙ୍କୁରୋଦଗମ କରିବା ପରିବର୍ତ୍ତେ ସେମାନେ ମହମ୍ମଦ ଘୋରୀ ସାଜି ସେମାନଙ୍କୁ ଲୁଣ୍ଠନ କରିବା ଆଜିକାଲି ଏକ ପ୍ରକ୍ରିୟା ହୋଇଗଲାଣି ଯେମିତି। ଗାନ୍ଧିଜୀଙ୍କ ‘ଆଧ୍ଯାତ୍ମିକ ଶିକ୍ଷା’ ଏଠାରେ ପ୍ରଣିଧାନ ଯୋଗ୍ଯ। ଶିକ୍ଷକ ପ୍ରଥମେ ନିଜେ ସତ୍ ଚରିତ୍ର ହେବା ତଥା ସତ କହିବା ସଂଯମ ରକ୍ଷା କରିବା ଆବଶ୍ଯକ। ପରନ୍ତୁ “ମୁଁ ମିଛ କହିବି ଏବଂ ପିଲାମାନଙ୍କୁ ସତ କୁହାଇବାକୁ ଚେଷ୍ଟା କରିବି” ତାହା ବ୍ଯର୍ଥ ଯିବା ସାର ହେବ। ଏଭଳି ଶିକ୍ଷକ ପିଲାଙ୍କୁ କିପରି ବା ସଂଯମର ଶିକ୍ଷା ଦେଇପାରିବେ‌। ଶିକ୍ଷକ ନିଜେ ସଂଯମ ରକ୍ଷା କରିବା ପୂର୍ବକ ଶିକ୍ଷା ରୂପକ ଅନନ୍ତ ପଥର ସନ୍ନ୍ଯାସ ହୋଇ ଭବିଷ୍ଯତ ଗର୍ଭରେ ଲୀନ ହେଇଯାଉ ପଛେ ଶିକ୍ଷାକୁ ଏକ ନୂଆ ଦିଶା ଦେଇଯାଉ ।

ସମୟ ବଦଳିଛି। ମୋବାଇଲ ଓ ଇଣ୍ଟରନେଟର ଯୁଗ ଚ଼ଳନ୍ତିପ୍ରାୟ। ବ୍ରହ୍ମାଣ୍ଡର ଅୟମାରମ୍ଭରୁ ଦିନ ରାତି ମିଶି ଚ଼ବିଶ ଘଣ୍ଟା ଏବଂ ତାହା ଆଜି ବି ସ୍ଥିର। ମାତ୍ର ବଦଳିଯାଇଛି ଭାବନା ଇଚ୍ଛାଶକ୍ତି, ମନଯୋଗ। ସମୟ ବଦଳିବା ସହ ଛୋଟ ପିଲାରୁ ବଡ଼ ପିଲା ଇଣ୍ଟରନେଟକୁ ଅଗ୍ରାଧିକାର ଦେବା ଆରମ୍ଭ କଲେଣି। ଅତଏବ ଶିକ୍ଷା ମାନଦଣ୍ଡ ଇଣ୍ଟରନେଟ ପାଦରେ ଦଳି ନହେଇଯାଉ; ଏଥିପାଇଁ କଠୋର ଅନୁଶାସନ, ନୈତିକ ଶିକ୍ଷାର ଉପଲବ୍ଧି ଜରୁରୀ ମନେହୁଏ। ଶିକ୍ଷକ ତ୍ଯାଗୀ ହୋଇ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ କରିବାରେ ନିଜ ଜୀବନକୁ ଦାନ କଲେ ସମାଜ ନୁହେଁ ବରଂ ବ୍ରହ୍ମାଣ୍ଡ ଚିରୋପକୃତ ହେବ ଏହା ଅକାଟ୍ଯ ସତ୍ଯ। ଏତଦ ବ୍ଯତୀତ ଛାତ୍ର ବିଶୃଙ୍ଖଳା ଆଧୁନିକ ଶିକ୍ଷାକ୍ଷେତ୍ରରେ ବାଧା ସାଜିଛି। ବାସ୍ତବତା ଅଭିମୁଖେ ନେବା ପରିବର୍ତ୍ତେ ଅବାସ୍ତବ ତଥା ହତାଶା, ଗ୍ଳାନି,ନୈରାଶ୍ଯର ମାର୍ଗକୁ ଠେଲି ଦେଉଛି। ଭବିଷ୍ଯତର ସୁନେଲି ସ୍ବପ୍ନକୁ ରକ୍ତିମ ଆଭାରେ ରଙ୍ଗୋଲି କରୁଛି ଛାତ୍ର ବିଶୃଙ୍ଖଳା। ଗୁରୁ-ଶିଷ୍ଯ ମଧ୍ଯରେ ଥିବା ହୃଦୟର ସମ୍ପର୍କ, ସମ୍ମାନ, ସ୍ନେହ ଲୋପ ପାଇବା ସହ ଶିକ୍ଷାକ୍ଷେତ୍ରରେ ‘ହିଟଲର ଯୁଗ’ ପ୍ରବେଶ କରିସାରିଲାଣି। ସମାଜବାଦର ବିଜୟଡିଣ୍ଡିମ ଲୀନ ହେବା, ଚ଼ାକିରୀ, ଅର୍ଥ ପଛରେ ମରୀଚିକା ପରି ଧାଇଁବା ସାଧାରଣ ଘଟଣାରେ ପରିଣତ ହେଇଗଲାଣି । ଶିକ୍ଷକ ଓ ଛାତ୍ର ରାଜରାସ୍ତାରେ ଆନ୍ଦୋଳନ କରିବା, ଶିକ୍ଷକ ସ୍ବାର୍ଥ ପ୍ରଣୋଦିତ ହୋଇ ଛାତ୍ରମାନଙ୍କୁ ନିଜର ଅସ୍ତ୍ର କରିବା ଶିକ୍ଷା ବ୍ଯବସ୍ଥାର ମେରୁଦଣ୍ଡକୁ ଭାଙ୍ଗିଦେଉଛି। ଛାତ୍ରସମାଜ ଶିକ୍ଷାକ୍ଷେତ୍ରରୁ ଓହୋରି ଅନୀତି ଦୁର୍ନୀତି, ଅଶାନ୍ତି ର ଐନ୍ଦ୍ରଜାଲରେ ଛନ୍ଦି ହୋଇ ଶାରୀରିକ ଅକ୍ଷମତା ରୋଗରେ ପୀଡିତ। କମ ବୟସରୁ ରାଜନୀତି କରିବା ଶିକ୍ଷାକ୍ଷେତ୍ରରେ ମହାମାରୀ ପ୍ରବେଶ କରିବା ପ୍ରାୟ; ଯାହା ଆଜି କାହାକୁ ଅଛପା ନାହିଁ।

ଶିକ୍ଷା ଏକ ସାଧନା। ଏହା ତପ, ଜପ ଏବଂ ଛାତ୍ର ଓ ଶିକ୍ଷକ ଜୀବନର ରାହା। ବଦଳୁଥିବା ସମୟ ସହ ଶିକ୍ଷାକୁ ନବଦଳାଇ ଶିକ୍ଷା ପ୍ରାପ୍ତିର ମାର୍ଗକୁ କିଞ୍ଚିତ ମାତ୍ରାରେ ବଦଳାଇ ନୈତିକତା ଅଣାଯିବା, ଶିକ୍ଷକ-ଛାତ୍ର ସମାଜ ମଧ୍ଯରେ ନିବିଡ ବନ୍ଧୁତ୍ବ ସ୍ଥାପନ କରିବା ପୂର୍ବକ ଶିକ୍ଷା ବିନିମୟ କରିବା ନିତାନ୍ତ ଆବଶ୍ଯକ; ତାହାର ସଫଳ ରୂପାୟନ ପାଇଁ ସାମୂହିକ ଉଦ୍ଯମ ଅନିବାର୍ଯ୍ଯ। ନିରନ୍ତର ଭାବେ ଶିକ୍ଷାକୁ ପାନ କରିବା ଦ୍ବାରା ଭାରତ ଆଗାମୀ ଦିନରେ ବିଶ୍ବଗୁରୁ ପଦ ଲାଭ କରିପାରିବ ତାହା ନିଃସନ୍ଦେହ । ଏଥିପାଇଁ ପାଟନାର ଖାନ ସାରଙ୍କ ମତରେ, “ଶିକ୍ଷା ଉସ୍ ଶେରନୀ କା ଦୁଧ ହେ, ଜିସିନେ ଇସ୍ କୋ ପିୟା ହେ ଉସନେ ଦାହାଡା ହେ”। ଅତଏବ ଶିକ୍ଷାଦାନ ଶିକ୍ଷା ଗ୍ରହଣ ସମସ୍ତଙ୍କ ପାଇଁ ମୁକ୍ତ ଏବଂ ବାଧ୍ଯତାମୂଳକ ହେବା ସହ ଏହାର ପ୍ରଗତି ଦିଗରେ ଧ୍ଯାନ ଦେବା ଆବଶ୍ଯକ ମନେହୁଏ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ