ଅଣୁଗଳ୍ପ – ଆମ୍ବତୋଟା – ରୁଦ୍ର ନାରାୟଣ ଦାଶ

ଲେଖକ ପରିଚୟ

ରୁଦ୍ର ନାରାୟଣ ଦାଶ
ଅନାମ କଲୋନୀ, ପ୍ଲଟ- ୧୧୯୬, ଭୁବନେଶ୍ୱର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସେଦିନ ଖରାବେଳେ ଯାଉଥିଲେ ଅନତି ଦୂରରେ ଥିବା ବ୍ଯାଙ୍କକୁ କିଛି ପଇସା ଜମା କରିବାକୁ । ରୁଦ୍ର ସନ୍ନ୍ଯାସୀ ରୂପ ଧାରଣ କରି ସୂର୍ଯ୍ଯ ଯେ ତପସ୍ବୀଙ୍କ ପରି ଚ଼ମକୁଥା’ନ୍ତି ଆଉ ତାଙ୍କ ତେଜ ଯେ ଅସହନୀୟ ହୋଇପଡ଼ିଥାଏ ତାହା କାହାକୁ ବା ଅଛପା ! ଗାଁର ସେହି ବିଲ ମଝି ମାଟି ହିଡ଼ ରାସ୍ତାରେ ଗଲେ ବ୍ଯାଙ୍କଟା ପାଖ ପଡ଼ିବ ଭାବି ଆଗେଇଚ଼ାଲିଲେ କ୍ଷେତ୍ରମୋହନ ବାବୁ ଗନ୍ତବ୍ଯସ୍ଥଳକୁ । ହିଡ଼ ବାଟ ଦେଇ ଯିବାବେଳେ ପିଲାଦିନର ସେହି କିଛି ଅକୁହା କଥା ବର୍ଷାବିନ୍ଦୁ ହୋଇ ଝରିପଡୁଥିଲେ ତାଙ୍କ ଉପରେ । ଖରାର ସେ ଦ୍ବିଧାଯୁକ୍ତ କଷ୍ଟକୁ ଅନୁଭବ କରିବା ତ ଦୂରର କଥା ତା’ ପ୍ରତି ନଜର ଦେବାକୁ ମଧ୍ଯ ସମୟ ନଥିଲା ତାଙ୍କର । ପିଲାଦିନର ସେହି ଅଭୁଲା ରସସିକ୍ତ ପଟ୍ଟଚ଼ିତ୍ରମାନଙ୍କୁ କିଏ ବା ସାଧାକାଗଜରେ ଝରାଇପାରିବ ତା’ କଲମ ମୁନରେ । ଦୂର ଆମ୍ବତୋଟା ତଥା ସେଠି ଭାସିଆସୁଥିବା ତାଙ୍କ ସପ୍ତମ ଶ୍ରେଣୀର କିଛି ଅବର୍ଣ୍ଣନୀୟ ଚ଼ରିତ୍ର ନାଚୁଥିଲେ ଯେମିତି । ଦୀର୍ଘ ତେଇଶି ବର୍ଷ ପରେ ଲୁକ୍କାୟିତ ଭାବନାମାନେ ତାଙ୍କ ମନକୁ ହଠାତ ଯେମିତି ଝାଞ୍ଜିର ଗରମ ସ୍ପର୍ଶର ନରମ ହାତ ପରି ଲାଗି ଅନ୍ତସ୍ବର ଦେଇ ପାନପତରିଆ ଛାତିକୁ ଛୁଇଁ ପୂର୍ବ ଦିନର କଥାକୁ ବଖାଣୁଥିଲେ ।

ହଁ, ସପ୍ତମ ଶ୍ରେଣୀ । ଆମ୍ବତୋଟା ପାଖ ମାଇନର ସ୍କୁଲର ଛାତ୍ର ଥିଲେ ସେ । ମଧୁସ୍ମିତା ବି ଥିଲା ତାଙ୍କ ସହପାଠିନୀ ମଧ୍ଯବିତ୍ତ ନଥିଲେ ଅବା ଅତି ଗରିବ ବି ନଥିଲେ । ପାଠ ଓ ବ୍ଯବହାରର ସେହି ମଳୟ ସ୍ପର୍ଶରେ ତାକୁ ସମସ୍ତେ ବହୁତ ଭଲପାଉଥିଲେ । ବସନ୍ତର ଆବାହମାନ କରିବା ପୂର୍ବକ ଗ୍ରାମର ସେହି କଣ ମୁଣ୍ଡରେ ଥିବା ତାଳଗଛ ଠାରୁ ଏ ମୁଣ୍ଡରେ ବହୁଥିବା କ୍ଷିଣାଙ୍ଗୀ ଚ଼ିରସ୍ରୋତା ଯେ ଆମ ପ୍ରେମର ଜୀବନ୍ତ ସାକ୍ଷୀ । ଦୁହିଁଙ୍କ ମଧ୍ଯରେ ଥିବା ସାଧାରଣ ବନ୍ଧୁତ୍ବ କିଭଳି ପ୍ରେମ ପ୍ରଜାପତି ର ସ୍ପର୍ଶ ପାଇ ଉଡ଼ିବୁଲିଲା ତାହା କେବଳ ଏହି ଆମ୍ବତୋଟା ହିଁ ଜାଣେ । ମଲ୍ଲୀ, ଚ଼ମ୍ପା ଇତ୍ଯାଦି ତା’ କହରା କେଶ ପାଇଁ ନେଇ ସଜାଇବା, ଘରୁ ଚ଼ୋରାଇ ଆଣିଥିବା ଶାଳପତ୍ର ଠୋଲାରେ ମାଣ୍ଡିଆ ଜାଉ ଅବା ପାଖରେ ପଡ଼ିଥିବା ସେହି ଜଡ଼ ପଥର ଉପରେ ଦୁହିଁଙ୍କ ନାମକୁ ଏକାଠି ଲେଖିବା, ତା’ ପାଇଁ ଦୋଳଯାତ୍ରା ସମୟରେ କଞ୍ଚା ଆମ୍ବ ତୋଳି ଆଣିବା, ଶରତ ସନ୍ଧ୍ଯାର ଶୁଭ୍ର କିରଣ ତଳେ କାଶତଣ୍ଡୀ ପାଖେ ସମସ୍ତଙ୍କ ଆଢୁଆଳରେ ଭବିଷ୍ଯତର ସୁନେଲି ପ୍ରେମର ସ୍ବପ୍ନ ଦେଖିବା, ବାପାଙ୍କର ସେ ହରକ୍ୟୁଲେସ୍ ସାଇକେଲର ପଛ ପାଖରେ ବସାଇ ନିତି ସ୍କୁଲ ଆଣିବା ବେଳେ କେତେବେଳେ ଯେ ପ୍ରେମର ଆଦ୍ଯ କୈଶୋର ସ୍ପର୍ଶ କରି ସ୍ଥିର ମନକୁ ଦୋଳାୟମାନ ଗତିରେ ଦୂରକୁ ଠେଲିଦେଇଥିଲା ତା’ ବି ଅଜଣା ।

ଦଶମ ଶ୍ରେଣୀରେ ବାପଛେଉଣ୍ଡ ହେଇଯାଇଥିବା ମଧୁସ୍ମିତାକୁ କଥା ଦେଇ କଲେଜ ପଢ଼ା ପାଇଁ ଚ଼ାଲିଆସିଲି ସହରକୁ । କାଁ ଭାଁ ଗାଁକୁ ଯାଇ ଫେରିଆସେ; ବେଳେବେଳେ ଦେଖାହୁଏ । ମାତ୍ର କିଛିଦିନ ପରେ ସୁଲଗ୍ନା କହୁଥିଲା ସେ କୁଆଡେ ତା’ ମାମୁଁ ଘରକୁ ଚ଼ାଲିଯାଇଛି; ତା ମାମୁଁ ବାହା କରିଦେଇଛନ୍ତି ତାକୁ । ବେସୁରା ଗାୟକ କେହି କାନର ଗହ୍ବର ପ୍ରଦେଶରେ ବେତାଳିଆ ଭାବେ ଗାଇ ତା’ ମଧ୍ଯରୁ ଯେ କେତେବେଳେ ଅଦେଖା ଲହୁ ଝରାଇଦେଇ ସ୍ଥାଣୁ କରାଇଦେଲା ଜାଣିପାରିଲିନି । ତା’ବିଧବା ମାଆକୁ ଦେଖାକରି ଚାଲିଆସେ ବେଳେବେଳେ । କିଛି ଦିନ ପରେ ତା’ ମାଆ ହଇଜାରେ ଆରପାରିକୁ ଯିବା ପରେ ତା’ ଭାଗ୍ଯରେ ହଇଜା ଲେଖିଦେଇ ବିକିଦେଲା ତା’ ସ୍ବାମୀ ଅନ୍ଯ କାହାକୁ । ବସନ୍ତର ବାସନ୍ତୀ, ଗ୍ରୀଷ୍ମର ସନ୍ନ୍ଯାସିନୀ, ବର୍ଷାର ଲାସ୍ଯମୟୀ ରୂପ, ହେମନ୍ତର ହିମ ଶୀତଳ ସିମନ୍ତିନୀ, ଶରତର ଜୋଛନା ଏବଂ ଶୀତର ମାଧୁର୍ଯ୍ଯ ରହିଯାଇଥିଲେ ଯେମିତି ଆମ୍ବତୋଟା ପାଖରେ ଗୋଟେ ଯୁଗ ପାଇଁ ।

ଦୂର ଆମ୍ବତୋଟା ପାଖେଇ ଆସିଲାଣି । ଆମ୍ବତୋଟା ପାଖ ତା’ ଚ଼ାଳଘର ଆଜି ବି ଦଣ୍ଡାୟମାନ । ଏକାକି ହୋଇ ଠିଆହେଇଥିବା ଘର ପାଖକୁ ଆସି ଦେଖିଲି; ବାଉଁଶ ବତା ଓ ଅଖାବସ୍ତାରେ ବନ୍ଧା ହେଇଥିବା ତାଟି ଟା କବାଟ ରୂପେ, ବାଉଁଶ କଣି ଓ ଅଧା ଉଠା ମାଟିକାନ୍ଥ ଯାହା ଭଙ୍ଗୁରପ୍ରାୟ । ଚ଼ାଳଛପର ହୋଇନାହିଁ ପ୍ରାୟ ପାଞ୍ଚ ବର୍ଷରୁ ବୋଧ ହୁଏ । ସୂର୍ଯ୍ଯ ନିତି ପ୍ରତି ଭଲମନ୍ଦ ଖବର ରଖୁଛନ୍ତି ବୋଧେ ସେ ଚ଼ାଳ ଛାତର କଣା ବାଟେ ଏ ଘରର ।

– ଡ଼ାକିଲି- ଘରେ କିଏ ଅଛନ୍ତି??
ଉତ୍ତର ଆସିଲାନି.. ପୁନଶ୍ଚ ଦୋହୋରାଇଲି..,
ଚର୍ମ ଧୁଡୁଧୁଡୁ, ଅକାଳରେ ବାର୍ଦ୍ଧକ୍ଯ ସ୍ପର୍ଶ କରିଛି କାଳବୈଶାଖୀ ପରି । ନିସ୍ତେଜ ମୁହଁରେ ରାସ୍ତାର ହମ୍ପସ୍ ଭଳି ବାହାରିଆସିଛି ଛୋଟ ବଡ଼ ବ୍ରଣ । ଦେହ ସାରା ଫୁଟି ଉଠିଥିବା ଆବୁକୁ ନେଇ ଦୁଆର ମୁହଁରେ ଆସି ଠିଆ ହେଲେ ସେ ।

– ପଚ଼ାରିଲି ମଧୁ ନାହିଁ କି!
– ତୁମେ କିଏ?

ଆଖିର ଲୁହ ନାଚ଼ି ନାଚ଼ି କହୁଥିଲେ ଯେମିତି ମୁଁ ବା ତୁମର ସେହି ଅଭାଗିନୀ ମଧୁ । ଶରୀରର ଝାଳ ଲୁହର ଝର ଆଗରେ ଫିକା ପଡ଼ିଯାଇଥିଲେ । କାହାଣୀ ଶୁଣିବା ଅବା କିଛି ସେ କହିବା ଆଗରୁ କୁତ୍ସିତ ସମାଜରୁ ତା’ ଅବଶିଷ୍ଟ ବାସନ୍ଦ ଜୀବନକୁ ବାସ୍ନାରେ ପରିପୂର୍ଣ୍ଣ କରିବାକୁ ଯାଇ ଚ଼ାଳ ମଝିରେ ଅନାଇଥିବା ସେ ମଧ୍ଯାହ୍ନର ସୂର୍ଯ୍ଯଙ୍କୁ ସାକ୍ଷୀ ରଖି ପାଖରେ ଥିବା ପନିକିରେ ବୁଢ଼ା ଆଙ୍ଗୁଳି ର ଲହୁରେ ତା’ ହଇଜା ରୂପକ ଭବିଷ୍ଯକୁ ହଇଜାମୁକ୍ତ କରିବାର ଆଶା ନେଇ ଭରିଦେଲେ ମଥାର ଶୂନ୍ଯସ୍ଥାନକୁ ସେହି ଆମ୍ବତୋଟାର କୋଳେ ଆଉ ପୁଣି ଦୁହିଁଙ୍କ ନାଁ କୁ ଲେଖିଦେଇ ଚ଼ାଲିଆସିଲେ ମଧୁସ୍ମିତାକୁ ନେଇ ସହରକୁ ତା’ ଚିକିତ୍ସା ପାଇଁ ଜୀବନର ଏକ ମଧୁର ସ୍ବାଦ ଚ଼ାଖିବାର ଆଶା ନେଇ…….।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ