ସ୍ୱାଭିମାନ ବନାମ ଅହଙ୍କାର – ପ୍ରମୋଦ କୁମାର ମହାନ୍ତି

ଲେଖକ ପରିଚୟ

ପ୍ରମୋଦ କୁମାର ମହାନ୍ତି
କଟକ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ନାହିଁ ଧନ ଜନ ଯଶ ମାନ ଜ୍ଞାନ
ତଥାପି ସେ ନୁହେଁ କାହାଠାରୁ ନ୍ୟୁନ
ନିଜ ନିଷ୍ଠା ପ୍ରଚେଷ୍ଟାରେ ଆଗଭର
ସଦା ଆଶାବାଦୀ ବ୍ୟକ୍ତିତ୍ୱର ସ୍ୱର ll

ଯେ ଯେମିତି, ସେମିତି କରେ ଗ୍ରହଣ
ଯାହା ଯେତେବେଳେ, ଦେଖଇ କାରଣ
ଭାବେନାହିଁ ନିଜକୁ ତ ସର୍ବୋକ୍ତୃଷ୍ଟ
ତଥାପି ସେ ନୁହେଁ କାହାଠୁଁ ନିକୃଷ୍ଟ ll

ଦୟା ଚାହେଁ ନାହିଁ ସିଏ ବି କାହାର
କାହା ପ୍ରାଚୁର୍ଯ୍ୟରେ ନୁହେଁ ଈର୍ଷାତୁର
ଅନ୍ୟକୁ ବଞ୍ଚିତ କରି ନବଞ୍ଚିବ
ନିଜ ପରିଚୟ ସେ ସୃଷ୍ଟି କରିବ ll

‘ସମ ଭାବ’ ‘ନିଷ୍ଠ କର୍ମ’ ‘ଦୃଢ଼ ଚିତ୍ତ’
‘ଆତ୍ମବିଶ୍ୱାସ’ ତା’ ପୁଞ୍ଜି ଆକାଂକ୍ଷିତ
‘ପଥ’ର ପ୍ରେମୀ, ଅଜ୍ଞ ଗନ୍ତବ୍ୟ ସ୍ଥାନ
‘ନିବିଷ୍ଟ ପଥିକ’: ନାମ ‘ସ୍ୱାଭିମାନ’ ll

‘ହିଂସା-ଦ୍ୱେଷ-ଘୃଣା’ କରଇ ଉଦ୍ଗାର
ସ୍ତାବକ ଚାଟୁକାରଙ୍କ ‘ଜୀ ହଜୁର’
‘ପରନିନ୍ଦା’ ‘ଆତ୍ମ ବଡ଼ିମା’ ଉନ୍ମତ୍ତ
‘ଭାଷା-ଭାବ-ରଙ୍ଗ-ଢଙ୍ଗ’ରେ ଉଦ୍ଧତ ll

ସବୁବେଳେ କହେ: “ମୁଁ, ମୁଁ ହିଁ କେବଳ
ମୋ ନିର୍ଦ୍ଦେଶେ ସୂର୍ଯ୍ୟ ଚନ୍ଦ୍ର ଚଳାଚଳ”
ସଦା ଧ୍ରୁବ ସତ୍ୟ ତା’ର ତୁଣ୍ଡ ବାଣୀ
ନ ଶୁଣିଲେ ଦାଣ୍ଡେ ଧର ଭିକ୍ଷା ମୁଣି ll

ଉଚ୍ଚ ତାର କୂଳ ଗୋତ୍ର ଓ ମର୍ଯ୍ୟାଦା
ସେ ହିଁ ପୂର୍ଣ୍ଣାଙ୍ଗ ଓ ଆଉ ସବୁ ଅଧା
‘ଧନ-ଜନ-ଗୋପ-ଲକ୍ଷ୍ମୀ’ ଭରପୁର
ଉକ୍ତୃଷ୍ଟ ସେ, ନାହିଁ କାହାକୁ ଖାତିର ll

‘ଅନ୍ୟାୟ-ଅତ୍ୟାଚାର-ଶୋଷଣ’ ଇଛା
ଅନ୍ୟର କଷଣେ ପୂର୍ଣ୍ଣ ମନୋବାଞ୍ଛା
ସେ ହିଁ ସର୍ବୋତ୍ତମ, ଆଉ ସବୁ ଛାର
ପିୟୁଷରେ ବିଷ, ନାମ ‘ଅହଙ୍କାର’ ll

‘ଅହଙ୍କାର’ ଦାନଵ ତ ଭୟଙ୍କର
ସମ୍ପର୍କ ମନ୍ଦିର କରେ ଛାରଖାର
‘ସ୍ୱାଭିମାନ’ ବ୍ୟକ୍ତିତ୍ୱର ଆଭୂଷଣ
ମୁକୁଟ ସେ, କର ତାଙ୍କୁ ସମ୍ଭାଷଣ ll

ପ୍ରମୋଦ କୁମାର ମହାନ୍ତି


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ