ଶ୍ରୀୟା ଚଣ୍ଡାଳୁଣୀ – ସୀମାଞ୍ଚଳ ଖଟୁଆ

ଲେଖକ ପରିଚୟ

ସୀମାଞ୍ଚଳ ଖଟୁଆ
ଭୁବନେଶ୍ଵର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ନଗର ବାହାରେ ଘର ଯେ ତାହାର
ନାମ ଶ୍ରୀୟା ଚଣ୍ଡାଳୁଣୀ,
ସେବାରେ ତାହାର ପ୍ରସନ୍ନ ହୋଇଲେ
ବିଷ୍ଣୁଙ୍କର ପାଟ୍ଟଶାଣୀ।

ନଥିଲା କି ଶିକ୍ଷା ଧନ ଦଉଲତ
ସହଜେ ଅଛବ ଜାତି,
ତଥାପି ତାହାର ହୃଦୟ ନିର୍ମଳ
ଲକ୍ଷ୍ମୀଙ୍କ ସେବାରେ ମତି।

ମାର୍ଗଶିର ମାସ ଗୁରୁବାର ଜାଣି
ଶଯ୍ୟାକୁ ତତ୍ପରେ ଛାଡ଼ି,
ଏକବର୍ଣ୍ଣି ଗାଈ ଗୋବର ଆଣିଣ
ଘରକୁ ଥିଲା ସଜାଡ଼ି ।

ଅରୁଆ ଚାଉଳ ତୁରନ୍ତ ବାଟିଣ
ଲକ୍ଷ୍ମୀ ପାଦପଦ୍ମ ଚିତା,
ପୂଜାର୍ଚନା କଲା ମହା ଆନନ୍ଦରେ
ହୋଇ ସ୍ନାନ ଶୁଚିବନ୍ତା।

ଶୁକଳ ଧାନକୁ ମାଣରେ ପୂରାଇ
ଚନ୍ଦନ ସିନ୍ଦୁର ଦେଇ
ଧାନବେଣ୍ଟି କରି ଯତନେ ରଖିଲା
ପାହିଲି ମାଣରେ ନେଇ।

ଚୁଳ ମୂଳା ଆଖୁ ନଡ଼ିଆ କଦଳୀ
ଋତୁ ଫଳକୁ ସମର୍ପି,
ଧୂପ ଦୀପ ସହ ଶ୍ରଦ୍ଧାର ସୁମନ
ଭକ୍ତିରେ ଦେଲା ଅରପି ।

ଥିଲେ ଧନବନ୍ତ ପାଣ୍ଡିତ୍ୟ ଦମ୍ପତି
ଥିଲେ ଘରେ ସାଧବାଣୀ,
ସ୍ୱଛତା ଶୁଚିତା ନଦେଖିଣ ଲକ୍ଷ୍ମୀ
କୋଳେଇଲେ ଚଣ୍ଡାଳୁଣୀ।

ପ୍ରକୃତି ରୂପିଣୀ ଭଣ୍ଡାର ଘରଣୀ
ପ୍ରକୃତିର ପୂଜା ପାଇ,
ଧନଜନ ଗୋପ ଦେଇଥିଲେ ବର
ମହାଲକ୍ଷ୍ମୀ ଖୁସି ହୋଇ।

ଚଣ୍ଡାଳୁଣୀ ଦୋଷେ ଜଗା ବଳରାମ
ଲକ୍ଷ୍ମୀଙ୍କୁ ମନ୍ଦିରୁ ତଡି,
ବାରବର୍ଷ କାଳ କଷ୍ଟକୁ ଭୋଗିଲେ
ହୋଇଯାଇ ହିଡିଗିଡି।

ମନ୍ଦିରୁ ବାହାରି ସାଗର ଦୂହିତା
ବାପଘର ଗଲେ ନାହିଁ,
ସମୁଦ୍ର କୂଳରେ ଘର ତୋଳାଇଣ
ଆନନ୍ଦରେ ଥିଲେ ରହି।

ସର୍ବ ଦେବଦେବୀ ଅଷ୍ଟ ଯେ ବେତାଳ
ଲକ୍ଷ୍ମୀଙ୍କ ସହିତ ମିଶି,
ଜଗା ବଳିୟାଙ୍କ ବଡ ପଣିଆର
ଅହଙ୍କାର ଥିଲେ ନାଶି।।

ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହି,
ଘରର ସମସ୍ୟା ସମାଧାନ ହେଉ
ପରିବାର ଭାବ ଥାଇ।

ଝିଅ ଜ୍ୱାଇଁଙ୍କର କଳହ ମଧ୍ୟରେ
ଝିଅ ବାପ ରହୁଦୂରେ
ମାଆ ଭଉଣୀଲୋ କଳହ କାରଣୁ
ନଯାଅ ବାପାଙ୍କ ଘରେ।

ଲକ୍ଷ୍ମୀଙ୍କର ପୂଜା ହେଉ ଘରେ ଘରେ
ସେଥିରେ ବାରଣ ନାହିଁ,
ସାମାଜିକ ତତ୍ତ୍ୱ ବୁଝି ଆଚରିଲେ
ସମସ୍ୟା ରହିବ ନାହିଁ।

ସନ୍ଥ ବଳରାମ କାଳଜୟୀ କାମ
ସମାଜ ସଂସ୍କାର ପାଇଁ,
ସର୍ବେ ମିଳିମିଶି ଦେବଦେବୀ ପୂଜ
ଜାତିପାତି ଭୁଲି ଯାଇ।

ସୀମାଞ୍ଚଳ ଖଟୁଆ, ଭୁବନେଶ୍ବର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ