ଧୃତରାଷ୍ଟ୍ର – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁଁ ସ୍ଵପ୍ନବିଳାସୀ ଅନ୍ଧ ଧୃତରାଷ୍ଟ୍ର
କୈ।ରବଙ୍କ ଶ୍ରେଷ୍ଠ
ଅବାଞ୍ଛିତ ସ୍ନେହ, ସୋହାଗରେ
ବାସ୍ତବତା କୁ ଭୁଲିଯାଇଥିବା
ଜୀବନ-ଯୁଦ୍ଧର ମୁଁ ଏକ ପଙ୍ଗୁ ସୈନ୍ୟ
କ୍ଳାନ୍ତ ପରାଜିତ
ମୁଁ ସ୍ବପ୍ନବିଳାସୀ ଅନ୍ଧ ଧୃତରାଷ୍ଟ୍ର ।

ମୁଁ ଜାଣିଥିଲି ଗାନ୍ଧାରୀ ମୋ
ଧର୍ମ ଆଉ ନ୍ୟାୟ ଦୀପଶିଖା
ଧର୍ମବନ୍ତ ମହାତ୍ମା ବିଦୁର
ନିରପେକ୍ଷ ବିଚାର ପ୍ରଦୀପ,
ଜ୍ୟେଷ୍ଠପିତା ଭୀଷ୍ମ
ଶକ୍ତି, ଧର୍ମ, ନ୍ୟାୟର ବତୀଖୁଣ୍ଟ
ଜଗତର ମହନୀୟ ଶିକ୍ଷା
ତଥାପି ମୋ କଣ୍ଠରୁଦ୍ଧ
ଲଗାମ୍ ଛଡା ମନପାଇଁ
ସ୍ୱାର୍ଥମେଧ ଯଜ୍ଞର ନେଇଗଲି ଦୀକ୍ଷା ।
ମୁଁ ଜାଣିଥିଲି ଗାନ୍ଧାରୀ ମୋ
ଧର୍ମ ଆଉ ନ୍ୟାୟ ଦୀପଶିଖା ।

ନ୍ଯାସପ୍ରାପ୍ତ ସିଂହାସନ,
ରାଜମୁକୁଟରେ ମୁଁ ହେଲି ମୋହଗ୍ରସ୍ତ
ମୁଁ କ’ଣ ଜାଣିଥିଲି
ଏ ମୁକୁଟ,ଏ ସିଂହାସନ
ମୋତେ ଏମିତି କରିବ ସଂତପ୍ତ ?
ବଳୀ ମହାବୀର ପୁତ୍ର, ସୈନ୍ୟ, ସେନାପତି
ଝିଲ୍ଲି ପରାୟ କୁରୁକ୍ଷେତ୍ର ରଣଭୂମି ତଳେ
ଲୋଟିଯିବେ, ଡୁବିଯିବ ବିଜୟର ନେତ ?
ନ୍ଯାସପ୍ରାପ୍ତ ସିଂହାସନ
ରାଜମୁକୁଟରେ ମୁଁ ହେଲି ମୋହଗ୍ରସ୍ତ ?

ଶୁଣିଲିନି, କାହାକଥା କାନକୁ ନେଲିନି
ଅବତାରୀ କୃଷ୍ଣ ବୋଲି
ଯିଏ ଯେତେ ବୁଝାଇଲେ କିଛି ଶୁଣିଲିନି ।
ଅବାରିତ ଦ୍ୱଷ, ଅବିଶ୍ବାସର ବିଷ ମନ୍ତ୍ର
ମୋ କାନେ ଢାଳିଲା ଶକୁନି
ଗ୍ରହଣ କଲି ତା’ କଥା,
ଶୁଣୁଥିଲି କଳ୍ପନାର ମହଲରେ
ବିଜୟର ଦୃପ୍ତ ଶଙ୍ଖଧ୍ୱନି ।
ଶୁଣିଲିନି, କାହାକଥା କାନକୁ ନେଲିନି ।

ଏତେ ଅନ୍ୟାୟ
କେଉଁପରି ଧରଣୀ ସହନ୍ତା
ପିତୃହୀନ ସନ୍ତାନଙ୍କୁ ସ୍ନେହ ବଦଳରେ
ମହତ୍ୱ।କାଂକ୍ଷାକୁ ପୋଷଣ କରି
ମୁଁ ହେଲି କୁଟିଳ ଦଣ୍ଡଦାତା,
କୁଳବଧୁ ବିବସନା, ଜତୁଗୃହ ଦାହ,
କପଟପାଶା, ବନବାସ, ଅସହ୍ୟ ଯାତନା
ଧର୍ମ ତ ଅନ୍ଧ ନୁହେଁ
ନାର୍ଯ୍ଯ ଅଧିକାରରୁ ବଞ୍ଚିତ କଲି
ଧର୍ମ କ’ଣ ମୋତେ ବାଟ ଛାଡିଥାନ୍ତା ?

ମୁଁ ଆଜି କରୁଛି ମୋ
ଅକ୍ଷମଣୀୟ ପାପର ପୂର୍ଣ୍ଣ ପ୍ରାୟଶ୍ଚିତ
ବନାଗ୍ନିରେ ଶରୀର ମୋ ଅର୍ଦ୍ଧ ଦଗ୍ଧୀଭୂତ
ଆଉ ଅଳ୍ପକାଳ ପରେ
ଆଉ ଅଳ୍ପକାଳ ପରେ
ପ୍ରାଣବାୟୁ ହେବ ପରାହତ,
ସରିନାହିଁ ପ୍ରାୟଶ୍ଚିତ
ଶତପୁତ୍ର, ବିରାଟ ସାମ୍ରାଜ୍ୟ,
ଅକଳନ ସୈନ୍ୟ ଶ୍ରେଣୀ
ହରାଇବା ପରେ ବି
ଘୋଟି ଆସୁଛି ବନାଗ୍ନି ର ଭୟଙ୍କର ସ୍ରୋତ
ମୋ ସ୍ୱପ୍ନ, ମୋ କଳ୍ପନା, ସମ୍ଭ୍ରାନ୍ତ ଜୀବନ
ମୋ କୃତକର୍ମ ପାଇଁ ଧୂଳି ଧୂସରିତ ।
ଜୀବନ-ଯୁଦ୍ଧର ମୁଁ ଏକ ପଙ୍ଗୁ ସୈନ୍ୟ
କ୍ଳାନ୍ତ ପରାଜିତ
ମୁଁ ସ୍ବପ୍ନବିଳାସୀ ଅନ୍ଧ ଧୃତରାଷ୍ଟ୍ର ।

ଘନଶ୍ୟାମ ସାହୁ
ସହ- ସମ୍ପାଦକ – ତ୍ରିଧାରା ସାହିତ୍ୟ ସଂସଦ,
ବଇଣ୍ଡା, ଜିଲ୍ଲା – ଅନୁଗୋଳ
ମୋବାଇଲ୍ ନମ୍ବର୍ – ୭୯୭୮୦୫୭୬୯୫


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ