ଡାକବଙ୍ଗଳା – ଦୀପିକା ଦାଶ

ଲେଖକ ପରିଚୟ

ଦୀପିକା ଦାଶ
ବ୍ରହ୍ମପୁର, ଗଞ୍ଜାମ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଫି’ଥର ଅମାବାସ୍ୟାର ସେଇ
ରହସ୍ୟମୟୀ ଅନ୍ଧାରୁଆ ରାତ୍ରୀ
ଯାହାର ମଧୁର କଳରବକୁ
ଗ୍ରାସ କରୁଛି
ଚେମେଣିର ଚେଁ ଚେଁ ସ୍ଵର
ସତର୍କତାର ବାର୍ତ୍ତା ବଖାଣୁଛି
ପେଣ୍ଡୁଲମ୍ ଟିର ଟିକ୍ ଟିକ୍ ଶବ୍ଦ ।
ବିଜୁଳିବତୀର ସ୍ତିମିତ ଆଲୋକରେ
ସ୍ପଷ୍ଟ ଦୃଶ୍ୟ ଅବଗୁଣ୍ଠନବତୀ ଝିଅ
ଦ୍ଵିତଳ ପ୍ରାସାଦ ବିଶିଷ୍ଟ ଡାକବଙ୍ଗଳା ଅଗଣାରେ ।
କେଜାଣି କାହିଁକି ?
ମେଘ ଜହ୍ନର ଲୁଚକାଳି
ମୋ ସାଥେ ଖେଳେ
ଦୃଶ୍ୟ ଅଦୃଶ୍ୟର ପ୍ରହେଳିକା ଭିତରେ
ହଠାତ୍ କେତେବେଳେ ଆସି
ମୋ ଫାଇଲ୍ କୁ ସଜାଡି ରଖେ
ଗମ୍ଭାରୀ କାଠର ଟେବୁଲ୍ ଉପରେ ।
ଅଲକ୍ଷ୍ୟରେ କାନରେ ମୋ
ଫିସ୍ ଫିସ କରି କୁହେ…
ବା……ଆ…..ବୁ !
ଏ ବା…..ଆ……ବୁ !
ଓଃ! କି କରୁଣତା ଥାଏ ତା’ କଣ୍ଠରେ ।
ପ୍ରଭାତୀ ପକ୍ଷୀର କାକଳି
ବୁଢ଼ୀ ମାଉସୀର କପେ ଗରମ ଚା’ରେ
କାଳ ରାତ୍ରୀଟି ପାହିଯାଏ
ଦରଶୁଆ ନିଦୁଆ ନିଦୁଆ ଆଖିରେ ।
ମୋ ମୁଣ୍ଡ ବାଳକୁ ସାଉଁଳେଇ
ବୁଢ଼ୀ ମାଉସୀର ସତର୍କ ବାଣୀ…
“ଚାଲି ଯା ବାବୁ ! ଏଠୁ ଚାଲି ଯା !
ମହୁଆ ପୁଣି ଫେରିଛି
ତା’ର ଅଣବାହୁଡା଼ ଯାତ୍ରାରୁ” ।
ହାଏ ! ମୁରୁଖୁଣି ଝିଅଟା ଥିଲା
ପ୍ରେମର ଜଟିଳ ଅଙ୍କକଷା ଶିଖିନ’ଥିଲା
ମନେ ମନେ ପ୍ରେମର ଉଚ୍ଚତା ସିନା ମାପ କଲା
କିନ୍ତୁ ଗଭୀରତା ମାପିବର ସୂତ୍ର
ପାଶୋରିଦେଲା ।
ସେଇ ଦିନ
ନୀଳ ବିଜୁଳି ଆଲୋକରେ ହଲ୍ଲୋଳମୟ
ସୁନ୍ଦର ସୁସଜ୍ଜିତ ଆଲୋକିତ
ଡାକ ବଙ୍ଗଳାର ଶୟନ କକ୍ଷ
ଦ୍ଵାରମୁହଁରେ ଗୋଲାପି ପରଦା
ବଗିଚାରେ ରଜନୀଗନ୍ଧାର ଭୁରୁ ଭୁରୁ ବାସ୍ନା
ବିଦେଶୀ ବୋତଲର ତାଳେ ତାଳେ
ଚୌଧୂରୀ ବାବୁର ଲାଳସାଲୋହିତ ଦୃଷ୍ଟି ପଡ଼ିଲା
ମହୁଆର ସଦ୍ୟ ଯୌବନ ଉପରେ ।
ବିବାହର ଅଦମ୍ୟ ଆଶା,
ପ୍ରତିଶ୍ରୁତିର ଆଢ଼ୁଆଳରେ
ଚୌଧୁରୀ ବାରମ୍ବାର ଚାଖି ଚାଲିଲା
ମହୁଆ ଦେହର କଞ୍ଚା ମାଉଁସର ସ୍ଵାଦ
ତା’ ଜିହ୍ୱାଗ୍ରରେ ।
ମହୁଆ ପେଟରେ ବଢ଼ୁଥିବା
ପାପର ବାପ କିଏ ?
ଆଭିଜାତ୍ୟର ପ୍ରତିପତ୍ତି କ୍ଷମତା ବଳରେ
ଚୌଧୁରୀ ତଣ୍ଟି ଚିପି ହତ୍ୟା କଲା
ଗରିବ ଅସହାୟ ଚାକରାଣୀ ମହୁଆକୁ ।
ବିଜନ ଡାକ ବଙ୍ଗଳାର ସେଇ ଅମାବାସ୍ୟା
ରାକ୍ଷସୁଣୀ ରାତ୍ରୀର କିଟ୍ କିଟ୍ ଅନ୍ଧକାରରେ ।
ଏବେ ବି ଗୁଞ୍ଜରିତ ହୁଏ
ମହୁଆର ଗୁମୁରି ଗୁମୁରି କାନ୍ଦଣା
ଏଇ ଡାକ ବଙ୍ଗଳାର ଭଙ୍ଗା କାନ୍ଥ
ଆକାଶକୁ ଚାହୁଁଥିବା ହେମକେଦାର ଗଛ
ମୁଖଶାଳାର ଶୋଭା ବର୍ଦ୍ଧିତ ପିତଳ ମୂର୍ତ୍ତି
ବେତର ଆସବାବ ପତ୍ର
ପାକଶାଳାର ପ୍ରତିଟି କଂସାବାସନରେ ।
ଏଇ ଅଶରୀରି ମୁକ୍ତି ଚାହେଁ
ତୃପ୍ତିର ବିକଟାଳ ହସ ତା’ କଣ୍ଠରେ
ଶୁଣିଛି କୁଆଡେ…
ଚୌଧୁରୀ ଗାଁ ହାଟ ଉନ୍ମୋଚନ କରି
ରାତ୍ରିଯାପନ କରିବ ଆସନ୍ତା ଶନିବାର
ଏଇ ମୂମୂର୍ଷୁ ଡାକ ବଙ୍ଗଳାରେ ।

ଦୀପିକା ଦାଶ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ