ପରଂବ୍ରହ୍ମଙ୍କ ଷୋଳକଳା – ପ୍ରମୋଦ କୁମାର ମହାନ୍ତି

ଲେଖକ ପରିଚୟ

ପ୍ରମୋଦ କୁମାର ମହାନ୍ତି
କଟକ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପରଂବ୍ରହ୍ମଙ୍କ ଏ ଜଗତ
ପଞ୍ଚଭୂତ ରେ ଆତଯାତ
‘ଷୋଳକଳା’ ସେ ନିରାକାର
ସାକାର ଅନିତ୍ୟ ସଂସାର ॥
ପ୍ରଥମ କଳା ‘ନୀରିକ୍ଷଣ’
‘କିଏ’ ‘କେଉଁଠି’ କରେ ‘କ’ଣ’
କାହାକୁ କରିବା ଉଚିତ
‘ଧ୍ୟାନ କଳା’ରେ ନିୟୋଜିତ ॥
ଦ୍ଵିତୀୟ କଳା ‘ପ୍ରାଣଶକ୍ତି’
ଯୋଗ ପ୍ରାଣାୟାମ ସଂହତି
ପ୍ରାଣଶକ୍ତି ହେଲେ ଅଧୀନ
ଜଗତ ମଙ୍ଗଳ ବିଧାନ ॥
ତୃତୀୟ କଳା ‘ଶ୍ରଦ୍ଧା-ଭକ୍ତି’
‘ବେଦ ଧର୍ମ’ ଗୁରୁ ‘ପ୍ରପତ୍ତି’
ପ୍ରେମ ଓ ଭକ୍ତିରେ ଅଟଳ
ଭକ୍ତ ଓ ଭଗବାନ ଖେଳ ॥
“ଖ’ ମାର୍ଗ କଳା” ହିଁ ଚତୁର୍ଥ
ଆକାଶେ ଭ୍ରମଣ ସମର୍ଥ
ମହାଶୂନ୍ୟରେ ଚଳାଚଳ
ଉଦ୍ଦେଶ୍ୟ: ଜଗତ ମଙ୍ଗଳ ॥
ପଞ୍ଚମ ‘ଅଗ୍ନିହୋତ୍ର ଶକ୍ତି’
ଅଗ୍ନି ବିଦ୍ୟାର କଳା କୃତୀ
ଯଜ୍ଞ ଉଦୟ ଅଗ୍ନିପିଣ୍ଡ
ଆଗ୍ନେୟାସ୍ତ୍ରର ଗୂଢ଼ ଭେଦ ॥
‘ଜଳନ୍ତରଣ କଳା’ ଷଷ୍ଠ
ପ୍ରଳୟ ପରେ ଗର୍ଭେ ତିଷ୍ଠ
ସାରା ଜଗତ ଜଳେ ଲୀନ
ସର୍ଜନା ହୁଏ ନିୟନ୍ତ୍ରଣ ॥
ସପ୍ତମ କଳା ‘ମଲ୍ଲବିଦ୍ୟା’
ସକ୍ଷମ ହୃଷ୍ଟପୁଷ୍ଟ ଯୋଦ୍ଧା
ନାଶିବ ଯେବେ ଖଳ ବଳ
ହୋଇବ ଜଗତ ମଙ୍ଗଳ ॥
ଅଷ୍ଟମ ‘ଜିତେନ୍ଦ୍ରିୟ କଳା’
‘ଇନ୍ଦ୍ରିୟ ଜୟ’: ଦିବ୍ୟ କଳା
ପର ଆପଣା ଶତ୍ରୁ ମିତ୍ର
ନାହିଁ ଭେଦ, ସଙ୍ଗ ଏକତ୍ର ॥
ନବମ କଳା ‘କାର୍ଯ୍ୟକ୍ଷମ’
‘ଦର୍ଶନ ଜ୍ଞାନ’ ସର୍ବୋତ୍ତମ
ପ୍ରୟୋଗ ସଶ୍ରଦ୍ଧ ପ୍ରଯତ୍ନ
ରିଷ୍ଟ ଖଣ୍ଡନ ବାଧାବିଘ୍ନ ॥
‘ପାଳନ କଳା’ ହିଁ ଦଶମ
ଉତ୍ପତ୍ତି ଉତ୍ପନ୍ନ କୁସୁମ
ଶସ୍ୟ ବୃକ୍ଷ ବୀଜ ଆଧାର
ସଦୁପଯୋଗରେ ସମ୍ଭାର ॥
ଏକାଦଶରେ ‘ବ୍ରହ୍ମଚର୍ଯ୍ୟ’
କଳା ସେ ସ୍ବର୍ଗୀୟ ମାଧୁର୍ଯ୍ୟ
ଚଉଦ ଭୁବନ ମାଲିକ
ନିୟନ୍ତ୍ରଣରେ ବିଶ୍ଵରୂପ ॥
‘ତପସ୍ୟା କଳା’ ତ ଦ୍ୱାଦଶ
ଧର୍ମ କର୍ତ୍ତବ୍ୟ ସମାବେଶ
ସହ୍ୟ କରି ସବୁ କଷଣ
ସୁରକ୍ଷାରେ ଜଗ-କଲ୍ୟାଣ ॥
‘ବେଦଜ୍ଞ କଳା’ ତ୍ରୟୋଦଶ
ସ୍ରଷ୍ଟା ଓ ଦ୍ରଷ୍ଟା ହୃଷୀକେଶ
ମନ୍ତ୍ର ରହସ୍ୟ ଭେଦ କରି
କଲ୍ୟାଣେ ବିନିଯୋଗ କରି ॥
‘ବାକ୍ଶକ୍ତି କଳା’ ଚତୁର୍ଦ୍ଦଶ
‘ବାଣୀ’ ‘ବଚନ’ କରେ ବଶ
‘ଅଧର’ ‘ବଚନ’ ‘ଅମୃତ’
ସ୍ୱର୍ଗ ଭୂବନ ‘ପାରିଜାତ’ ll
ପଞ୍ଚଦଶରେ ‘କ୍ରିୟାଶକ୍ତି’
କର୍ମନିଷ୍ଠ ଓ କର୍ମବ୍ରତୀ
ସୁକର୍ମ ହିଁ ଜନ ମଙ୍ଗଳ
ଅମାପ ‘ଶକ୍ତି-ଶିବ’ ଖେଳ ll
ଷୋଡ଼ଶ କଳା ‘ଆକର୍ଷଣ’
ବ୍ୟକ୍ତିତ୍ୱ ଆଭା ବିକିରଣ
ଲୁହା ଓ ଚୁମ୍ବକ ଯେପରି
‘ଜୀବ’ ‘ପରମ’ ସେହିପରି ॥
ଷୋଳକଳା ଯେ ବ୍ରହ୍ମ ପୂର୍ଣ୍ଣ
ଅନାଦି ଅନନ୍ତ ଅକ୍ଷୁର୍ଣ୍ଣ
ଜଗନ୍ନାଥ ବି ‘ଷୋଳକଳା’
କୋଟିଏ ସୂର୍ଯ୍ୟର ମେଖଳା ॥

ପ୍ରମୋଦ କୁମାର ମହାନ୍ତି


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ