ଆହେ ଲୀଳାମୟ – ସୀମାଞ୍ଚଳ ଖଟୁଆ
ଚାଇନା ଭିଆଣ କରୋନା ବେମାରୀ
କଲା ନାନା ହଟହଟା,
ରୋଜଗାର ଶୂନ୍ୟ କରିଣ ଆମ୍ଭର
ଭାଙ୍ଗି ଦେଇଥିଲା ଅଣ୍ଟା।
ଅଣ୍ଟା ସଳଖିଣ ଚାଲିଲା ବେଳକୁ
ପଡ଼ିଲା ଘୋର ବିପତ୍ତି,
ସୁନାର ଫସଲ ମାଟିରେ ମିଶିବ
ଦେଖି ଫାଟିଯାଏ ଛାତି।
ଅଦିନିଆ ମେଘ ଦାଉ ସାଧୁଅଛି
ଚାଷୀ ହୁଏ ହନ୍ତସନ୍ତ,
ଫସଲ ତହାର କ୍ଷେତେ ସଢୁଅଛି
ବଢୁଅଛି ବାତପିତ।
ଧାର କରଜରେ ବୁଡ଼ି ରହିଅଛି
କିପରି ଶୁଝିବ ଋଣ,
ଚଉଦିଗ ତାକୁ ଦିଶଇ ଅନ୍ଧାର
ତନୁ ହୋଇଲାଣି କ୍ଷୀଣ।
ବୋଝର ଉପରେ ନଳିତାର ବିଡା
ଓମିକ୍ରନ ମହାମରୀ,
ଭାରତ ମାଟିରେ ପଶିଅଛି ଏବେ
କାୟାକୁ ତାର ବିସ୍ତାରି।
ସଂସାର ତାହାର ଅଚଳ ହୋଇଣ
ଦୁଃଖ ଦେବ ଅପ୍ରମିତ,
ଚାଷୀ ଭାଇ ଏବେ କାନ୍ଦୁଅଛି ବସି
ମୁଣ୍ଡରେ ଦେଇଣ ହାତ।
ଆହେ ଲୀଳାମୟ ଟିକିଏ ବିଚାର
ପରୀକ୍ଷା ଆଉ ନ ନିଅ,
କୃଷକ ମରିଲେ କୃଷି ଶେଷ ହେବ
କୃଷକେ ଅଭୟ ଦିଅ।
ସୀମାଞ୍ଚଳ ଖଟୁଆ, ଭୁବନେଶ୍ୱର
