ପ୍ରବନ୍ଧ – ଓଡିଆଣୀର ଝୋଟି ଓ ମାଣପୂଜା – ଡକ୍ଟର ଲକ୍ଷ୍ମଣ ସାହୁ

ଲେଖକ ପରିଚୟ

ଡକ୍ଟର ଲକ୍ଷ୍ମଣ ସାହୁ
ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, ମହାନଦୀବିହାର, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଓଡ଼ିଶାର ପ୍ରାଚୀନ ସଂସ୍କୃତି, ଧାର୍ମିକ ପରମ୍ପରା ଓ ଲୋକକଥା ପ୍ରତ୍ୟେକ ଓଡ଼ିଆ ଘରର ସାମାଜିକ ଚାଲିଚଳନକୁ ପରିପୃଷ୍ଟ କରିଥାଏ । ଏହାକୁ ସମୃଦ୍ଧ କରେ ଏହାର ରିତୀନୀତି । ଏହି ରିତୀନୀତିରେ ଲୁଚି ରହିଥାଏ ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ଅସଲ କଳା । ଓଡ଼ିଶାର ଇଷ୍ଟଦେବ ମହାପ୍ରଭୁ ଜଗନ୍ନାଥ ଜନତାଙ୍କ ଆରାଧ୍ୟ ଠାକୁର ହୋଇଥିବାରୁ ଏକ ସ୍ବତନ୍ତ୍ର ନୀତିଗତ ଆଦର୍ଶରେ ଅନୁପ୍ରାଣିତ ହୋଇ ଆସିଛି ପ୍ରତ୍ୟେକ ଓଡ଼ିଆ ପରିବାର । ପ୍ରତ୍ୟେକ ଓଡ଼ିଆ ପରିବାରରେ ପାରିବାରିକ, ସାମାଜିକ ଏବଂ ବ୍ୟବହାରିକ ଶିକ୍ଷା ଦେବାରେ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାବିଧି ଦ୍ଵାରା ଏହାର ପ୍ରତିଫଳନ ଘଟିଥାଏ । ମାର୍ଗଶୀର ମାସ ଗୁରୁବାର ଏଭଳି ଏକ ପର୍ବ ଯାହା ଓଡ଼ିଶାର ପ୍ରତ୍ୟେକ ଘରେ ପାଳନ କରିବାର ବିଧି ରହିଛି ।

ଓଡ଼ିଆ କ୍ୟାଲେଣ୍ଡରର ମାର୍ଗଶୀର ମାସ ତଥା ଇଂରାଜୀ ନଭେମ୍ବର-ଡିସେମ୍ବରରେ ଓଡ଼ିଶାର ପୁରପଲ୍ଲୀରେ ପାଳନ କରାଯାଏ ମାଣବସା, ଗୁରୁବାର ପର୍ବ ବା ଅନ୍ୟ ଅର୍ଥରେ ମାଣପୂଜା । ଏହି ପର୍ବରେ ମହାପ୍ରଭୁ ଜଗନ୍ନାଥଙ୍କ ପତ୍ନୀ ମା’ ଲକ୍ଷ୍ମୀଙ୍କୁ ଭକ୍ତି ସହକାରେ ପୂଜା କରାଯାଏ । ମା’ ଲକ୍ଷ୍ମୀଙ୍କ ପୂଜା ନିଷ୍ଠାର ସହ କଲେ ଘର ଧନଧାନ୍ୟରେ ପୂର୍ଣ୍ଣ ହେବା ସହ ପରିବାରରେ ସମୃଦ୍ଧି ଆସିଥାଏ । କେବଳ ଓଡ଼ିଶା ନୁହେଁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ମଧ୍ୟ ମା’ ଲକ୍ଷ୍ମୀଙ୍କୁ ପୂଜା କରିବାର ବିଧି ରହିଛି । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟା, କ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ଏହି ପୂଜାରେ ଘରେ ଧାନ ମେଣ୍ଟା ବା “ଧାନବେଣୀ”ରେ ସଜାଯାଇଥାଏ । ଅତି ସୁନ୍ଦର ଭାବରେ ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।

ଓଡ଼ିଆ ପରମ୍ପରା ଅନୁଯାୟୀ ମାର୍ଗଶୀର ମାସ ଅତ୍ୟନ୍ତ ପବିତ୍ର । ଭାରତ ଏକ କୃଷି ପ୍ରଧାନ ଦେଶ । ଏହାର ବିଭିନ୍ନ ରାଜ୍ୟରେ ଶସ୍ୟ ଅମଳର ସମୟ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ପବିତ୍ର ମାର୍ଗଶୀର ମାସ ହେଉଛି ଓଡ଼ିଶାରେ ଶସ୍ୟ ଅମଳର ସମୟ । ଶସ୍ୟ ବା ଧାନକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ଧରାଯାଏ । ଫଳତଃ ଏହିମାସରେ ଗୁରୁବାର ଦିନ ମା’ ଲକ୍ଷ୍ମୀଙ୍କ ପୂଜା କରିବା ବିଧି ରହିଛି । ଓଡ଼ିଶାର ପ୍ରତ୍ୟେକ ଗାଁ’ ଗୁଡ଼ିକରେ କ୍ଷେତରୁ ଧାନ କଟାଯାଇ ଧାନଖଳାରେ ସଂଗ୍ରହ ପାଇଁ ରଖାଯାଏ । ଘରକୁ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବାର ବିଧି ହେଉଛି ଏହି ପର୍ବ ପାଳନର ଉଦ୍ଦେଶ୍ୟ । ସାଧାରଣତଃ ଘରକୁ ନୂତନ ଅତିଥି ଆସିଲେ ଯେପରି ସ୍ୱାଗତ ସତ୍କାର କରାଯାଏ ସେଭଳି ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରି ପାଛୋଟି ନେବାର ଏହା ହେଉଛି ଏକ ବିଧି । ଫସଲ ଭଲ ହେଲେ ଘରକୁ ସୁଖ, ସମୃଦ୍ଧି ଓ ଶାନ୍ତି ବିରାଜିଥାଏ । ସେଥିପାଇଁଁ ସମସ୍ତେ ମା’ଲକ୍ଷ୍ମୀଙ୍କୁ କୋଟି ଧନ୍ୟବାଦ ଦେବାର ଏହା ଏକ ସହଜ ମାଧ୍ୟମ । ଖାଦ୍ୟ ଯେ ଜୀବର ମୂଳ ଆଧାର । ଖାଦ୍ୟ ବିନା ବଞ୍ଚିରହିବା ଅସମ୍ଭବ । ତେଣୁ ସବୁ ସମୟରେ ଖାଦ୍ୟ ବା ଶସ୍ୟକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ସାରଳା ଦାସଙ୍କ ଲକ୍ଷ୍ମୀନାରାୟଣ ବଚନିକା ହେଉ ଅବା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ହେଉ ଏଥିରେ ପରିବାର ସଦସ୍ୟଙ୍କ ମଧ୍ୟରେ ସମନ୍ୱୟ, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ଭକ୍ତି, ଗୁରୁଜନଙ୍କ ପ୍ରତି ଲଘୁଜନଙ୍କ ସମ୍ମାନ କରିବା ପାଇଁ ମଧ୍ୟ ଶିକ୍ଷା ଦିଆଯାଇଛି । ବିଶେଷ ଭାବରେ ସ୍ୱଚ୍ଛତାକୁ ଏହି ପୂଜାରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ସାଧାରଣତଃ ଗ୍ରାମାଞ୍ଚଳରେ ମାଟିଘର ଥିବାରୁ ମହିଳାମାନେ ଏହାକୁ ଗୋବର ଏବଂ ମାଟିରେ ଲିପା, ପୋଛା କରିଥାନ୍ତି । ଗାଈ ଗୋବର ଏକ କୀଟନାଶକ ଭାବେ କାର୍ଯ୍ୟ କରିଥାଏ ଏବଂ ଏଥିରେ ଘରଦ୍ୱାରା ଲିପାପୋଛା କଲେ ଜୀବାଣୁ ମୁକ୍ତ ହେବା ସହ ପରିଷ୍କାର ହୋଇଥାଏ । ଧାନଖଳାକୁ ଗୋବରରେ ଲିପି ଏଠାରେ ଶସ୍ୟ ସଂଗ୍ରହ କରାଯାଇ ରଖାଯାଏ । ମା ଲକ୍ଷ୍ମୀ ଝୋଟିଫୁଲକୁ ପସନ୍ଦ କରୁଥିବାରୁ ଧାନଖଳା ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁ ଆଡ଼େ ଅରୁଆ ଚାଉଳ ପ୍ରସ୍ତୁତ ପିଠଉରେ ଝୋଟି ପକାଇଲେ ପରିବେଶ ଅଧିକ ପବିତ୍ର ଓ ମନଲୋଭା ପାଲଟେ । ଏତଦ୍ ବ୍ୟତୀତ ଗୃହଲକ୍ଷ୍ମୀ ବା ସମାଜରେ ସ୍ତ୍ରୀମାନଙ୍କ ପ୍ରାଧାନ୍ୟ ଓ ଗୁରୁତ୍ୱ ଏହି ପୂଜାରେ ବର୍ଣ୍ଣନା କରାଯାଇଛି । ଗୃହସ୍ଥ ଜୀବନରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ଓ ଦୁହେଁ ପରସ୍ପରର ପରିପୂରକ । ଏହାକୁ ସମସ୍ତ ଗୃହକର୍ତ୍ତା ପାଳନ କରିବା ଉଚିତ୍ ବୋଲି ଅତି ସରଳ ସୁନ୍ଦର ଭାବରେ ଲକ୍ଷ୍ମୀ ପୁରାଣରେ ଉଲ୍ଲେଖ ରହିଛି । ସମାଜରେ ଥିବା ଉଚ୍ଚ-ନୀଚ, ଧନୀ-ଗରିବ, ଜାତି-ଅଜାତି, ଛୁଆଁ-ଅଛୁଆଁ ଭେଦଭାବ ଦୂରେଇ ଲୋକମାନଙ୍କୁ ସମାନ ଦୃଷ୍ଟିରେ ଦେଖିବା ପାଇଁ ମଧ୍ୟ ଏଥିରେ ଉତ୍ତମ ଶିକ୍ଷା ଦିଆଯାଇଛି ।

ସାରଳା ଦାସ ଓ ବଳରାମ ଦାସଙ୍କ ପୁରାଣରେ ଉଲ୍ଲେଖ ଅଛି ଏକଦା ମା ଲକ୍ଷ୍ମୀ ମାର୍ଗଶୀର ମାସ ଗୁରୁବାର ଦିନ ଶ୍ରୀମନ୍ଦିରରୁ ବାହାରି ଘର ଘର ବୁଲିବା ସମୟରେ ଜଣେ ନିମ୍ନବର୍ଗର ମହିଳାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ତାକୁ ବର ପ୍ରଦାନ କରିଥିଲେ । ସମାଜର ଜଣେ ନିମ୍ନଶ୍ରେଣୀ ଘରେ ମହାଲକ୍ଷ୍ମୀ ଯାଇଥିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଭାଇ ବଳରାମ ଏହାକୁ ଘୋର ବିରୋଧ କରିଥିଲେ । ଯାହା ଫଳରେ ମହାଲକ୍ଷ୍ମୀ ବଡ଼ଦେଉଳ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ । ବଳରାମ ଓ ଶ୍ରୀଜଗନ୍ନାଥଙ୍କୁ ଏକ ଉପଯୁକ୍ତ ଶିକ୍ଷା ଦେବା ପାଇଁ ମହାଲକ୍ଷ୍ମୀ ବିଭିନ୍ନ ଉପାୟରେ ଦୁଇ ଭାଇଙ୍କୁ ଭୋକିଲା ରଖିଦେଲେ । ମାୟା ବଳରେ ମହାଲକ୍ଷ୍ମୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ବାହାର କରିଦେଲେ । ପରିସ୍ଥିତି ଏପରି ହେଲା ଯେ, ଦୁଇଭାଇଙ୍କୁ ଭିକ୍ଷା ମାଗିବା ପାଇଁ ବାଧ୍ୟ ହେଲେ । ମହାଲକ୍ଷ୍ମୀଙ୍କ କୋପଭରା ଅଭିଶାପ ଶିକାର ହୋଇଥିବା ଦୁଇଭାଇଙ୍କୁ ଭିକ୍ଷା ମଧ୍ୟ କେହି ଦେଲେ ନାହିଁ । ଲକ୍ଷ୍ମୀ ଛାଡ଼ି ଚାଲି ଯାଇଥିବାରୁ ଏପରି ସ୍ଥିତି ଉପୁଜିଲା ବୋଲି ଦୁଇଭାଇ ଅନୁଭବ କଲେ । ଶେଷରେ କ୍ଷୁଧାର୍ତ ଥିବା ଦୁଇ ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ନିମ୍ନଜାତି ସଂପନ୍ନ ମହିଳା ରୂପୀ ଦେବୀ ମହାଲକ୍ଷ୍ମୀଙ୍କ ହାତରୁ ଅନ୍ନ ଗ୍ରହଣ କରି କାଳ କାଳକୁ ତାଙ୍କର ଯଶ ରଖିଗଲେ । ମହାପ୍ରଭୁ ଦେବୀ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ନିବେଦନ କଲେ । ଦେବୀ ଲକ୍ଷ୍ମୀ ମହାନ୍ଦରେ ଶ୍ରୀମନ୍ଦିରରେ ପ୍ରବେଶ କଲେ, ମାତ୍ର ସର୍ତ ରଖିଲେ ଯେ ଧରା ପୃଷ୍ଠରେ କୌଣସି ପ୍ରକାର ଜାତିପ୍ରଥା ରହିବ ନାହିଁ । ଏକ ଜାତି ହୀନ ସମାଜ ଗଠନରେ ପ୍ରୟାସ । ସେହି ଦିନ ଠାରୁ ମାର୍ଗଶୀର ମାସରେ ମହାଲକ୍ଷ୍ମୀ ଧରା ପୃଷ୍ଠକୁ ପରି ଭ୍ରମଣରେ ଆସିଥାନ୍ତି ବୋଲି ଜନ ବିଶ୍ୱାସ ରହିଛି । ମହାଲକ୍ଷ୍ମୀଙ୍କ ସ୍ୱାଗତ ନିମନ୍ତେ ଗୋମୟରେ ଘର ଦୁଆର ଲିପା ପୋଛା କରି ବିଭିନ୍ନ ଝୋଟିଚିତ୍ର ଅଙ୍କନ କରାଯାଇଥାଏ । ମହାଲକ୍ଷ୍ମୀ ଶୁଚି, ଶୁଦ୍ଧତା, ଭକ୍ତି, ନିଷ୍ଠା, ନୈବେଦ୍ୟରେ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ପୁରାଣ ବର୍ଣ୍ଣିତ ଲୋକକଥାରେ ପ୍ରଚଳିତ ଅଛି ।

ସକଳ ଦେବା ଦେବୀଙ୍କ ପୂଜା ଆରାଧନା ଠାରୁ ମହାଲକ୍ଷ୍ମୀଙ୍କ ପୂଜାବିଧି ମଧ୍ୟ ସ୍ୱତନ୍ତ୍ର । ମାଣ ବସାଇବାରୁ “ମାଣବସା” ନାମ ଆଧାରିତ । ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହୋଇଥାଏ । ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ଜଣା । ମାଣବସା ଗୁରୁବାର ୫ ପାଳି ପାଳନ କରାଯାଏ । ବାଉଁଶରେ ନିର୍ମିିତ ମାଣରେ ଧାନ ରଖି ସ୍ଥାପନ କରିବା ବିଧିକୁ ମାଣବସା କୁହାଯାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ହଳଦୀ ଓ ଗୁଗୁଳ ବାଟି ମାଣର ଉପର ପାର୍ଶ୍ୱରେ ଲେପ ଦିଆଯାଏ, ଯାହା ଏକ ମୁହଁର ରୂପ ନେଇଥାଏ । ସେଥିରେ କଉଡିକୁ ଚକ୍ଷୁ ଭାବେ ବ୍ୟବହାର କରି ନିଜର ସ୍ୱକୀୟ ସୃଜନ ଶୈଳି ଦ୍ୱାରା ମାଣକୁ ଏକ ସୁନ୍ଦର ମୁଖର ରୂପ ଦେଇ ଖଟୁଲିରେ ରଖି ତା’ ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ ସଜ୍ଜିତ କରାଯାଏ । ରଙ୍ଗ ବେରଙ୍ଗର ଛତ୍ରି ସଦୃଶ୍ୟ ଚାନ୍ଦୁଆ ଉପରେ ଟଙ୍ଗା ଯାଇଥାଏ କେହି କେହି ମାଣକୁ କାରିଗର ଦ୍ୱାରା ଗଢି ସୋଲ ଓ ଅନ୍ୟାନ୍ୟ ଦ୍ରବ୍ୟରେ ସେଥିରେ ଆଖି, ନାକ, କାନ ସୁନ୍ଦର ଭାବେ ଗଢାଇ ପୂଜା କରିଥାନ୍ତି । ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । କେହି କେହି ଗବପତ୍ର, ଗୟାତୁଳସୀ, କଳାପାତି, ସିନ୍ଦର ଫରୁଆ, ପିତ୍ତଳ ଲକ୍ଷ୍ମୀମୂର୍ତ୍ତି, ହସ୍ତୀ ଆଦି ରଖିଥାନ୍ତି । ଧାନଖଳାକୁ ମଧ୍ୟ ସେଦିନ ଝୋଟି ଚିତାରେ ଚିତ୍ରିତ କରାଯାଇଥାଏ ।

ମା’ ଲକ୍ଷ୍ମୀଙ୍କ ସ୍ଥାପନା ପାଇଁ ଠାକୁରଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜା ସ୍ଥାନରେ ପିଠଉରେ କୋଠି କରି ଷୋହଳ ପାଖୁଡା ପଦ୍ମଫୁଲ ଅଙ୍କାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ । ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଏ । ସିନ୍ଦୂର ବୋଳାଯାଇଥିବା ମାଣ ବା ଗଉଣୀକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ୱରୂପ ନୂଆ ଶୁକ୍ଳ ଧାନରେ ପୂର୍ଣ୍ଣ କରି ତା’ ଉପରେ ଗୁଆ ରଖାଯାଏ । ସେହି ମାଣକୁ ଖଟୁଲି ଉପରେ ବସାଇ ତା’ଉପରେ ଧାନବେଣୀ ରଖି ନୂତନ ପାଟଲୁଗାର ଓଢ଼ଣୀ ଢଙ୍କାଯାଏ । ଲକ୍ଷ୍ମୀଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୂର ଆଦି ଦେଇ ସ୍ଥାପନା କରାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ । ଏପରିକି କ୍ଷେତରୁ ଅଣାଯାଇଥିବା ଶୁକ୍ଳ ଧାନରେ ମେଟିଂ ପ୍ରସ୍ତୁତ କରି ମାଣ ଉପରେ କେବଳ ରଖାଯାଇନଥାଏ, ପୂଜା ଘରକୁ ଧାନରେ ପ୍ରସ୍ତୁତ ହୋଇଥିବା ମେଟିଂକୁ ବିଭିନ୍ନ ସ୍ଥାନରେ ସୁନ୍ଦର ଭାବରେ ସଜ୍ଜିତ କରାଯାଇଥାଏ । ମହାଲକ୍ଷ୍ମୀଙ୍କର ପଦ୍ମଫୁଲ ତଥା ଶୁକ୍ଳ ବର୍ଣ୍ଣ ଅତ୍ୟନ୍ତ ପସନ୍ଦ ହୋଇଥିବାରୁ ଏହିଦିନ ସଧବା ନାରୀମାନେ ଶୁକ୍ଳ ବସ୍ତ୍ର ପରିଧାନ କରିଥାନ୍ତି ।

ପ୍ରଥମ ପାଳିଠାରୁ ପୂଜା ଆରମ୍ଭ କରି ପଂଚମ ପାଳି ଦିନ ଉଯ୍ୟାପନ କରାଯାଏ । ତିନି ପ୍ରହର ଭୋଗ ମହାଲକ୍ଷ୍ମୀଙ୍କୁ ଅର୍ପଣ କରାଯାଏ । ପ୍ରଥମ ପ୍ରହରରେ ବାଳଭୋଗ ଫଳମୂଳ , ଦ୍ୱିତୀୟ ପ୍ରହର ବା ଦ୍ୱିପହର ସମୟରେ ଶଙ୍ଖୁଡ଼ି ଯଥା ଖେଚୁଡି, ଡାଲ୍ମା, ଶାଗ, କ୍ଷିରୀ, ବିଭିନ୍ନ ପ୍ରକାର ପିଠା ଏବଂ ତୃତୀୟ ପ୍ରହରରେ ମିଠା ଭୋଗ ଲାଗି କରାଯାଏ । ଦ୍ୱିପହର ଭୋଗ ସମୟରେ ମହାଲକ୍ଷ୍ମୀଙ୍କ ପୁରାଣ ବହି ପଢିବାର ବିଧି ରହିଛି ।ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନେବେଦ୍ୟ ସହ ବାଳଭୋଗରେ ଛେନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ । ଧୂପ ମଧ୍ୟରୁ ଏହାକୁ ବାଳଧୂପ କୁହାଯାଏ । ଏହାପରେ ମଧ୍ୟାହ୍ନ ଧୂପପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗିହେବା ପାଇଁ ଖିରି ବା ତରଣ, ଚକୁଳିପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ । ଏହିଦିନ ଘରକୁ କୌଣସି ଅତିଥି ଆସିଲେ ସେମାନଙ୍କୁ ଭୋଜନ ଦେବା ଦ୍ୱାରା ମା’ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । କିନ୍ତୁ ବିଶ୍ବାସ ଅଛି ବାହା ହୋଇଥିବା ଶାଶୁ ଘର ଝିଅ ଭୋଗ ବା ଲାଗି ଖାଇବାକୁ ଦିଆଯାଏ ନାହିଁ, କିନ୍ତୁ ଭଣଜା ଓ ଭାଣେଜୀ ଲକ୍ଷ୍ମୀଙ୍କ ନିକଟରେ ପୂଜା ହୋଇଥିବା ଭୋଗ ବା ଲାଗି ଖାଇଥାନ୍ତି । ପୂଜା ସାରିବା ପରେ ଘରର ମହିଳାମାନେ ମା’ ଲକ୍ଷ୍ମୀଙ୍କ ଠାରୁ ଆର୍ଶୀବାଦ ନେବା ପରେ ସମସ୍ତ ଗୁରୁଜନମାନଙ୍କ ଠାରୁ ଆର୍ଶୀବାଦ ନେଇଥାନ୍ତି । ମା’ ଲକ୍ଷ୍ମୀ ଭକ୍ତିରେ ସନ୍ତୁଷ୍ଟ ହେଉଥିବାରୁ ଏହିଦିନ ଘରେ କଳି, ଝଗଡ଼ା ନ କରି ପରସ୍ପର ପ୍ରତି ସ୍ନେହ ଓ ମମତାର ସହ ବ୍ୟବହାର କଲେ ମିଳିଥାଏ ମା’ ଲକ୍ଷ୍ମୀଙ୍କ ଅପାର କରୁଣା ।

ବାସ୍ତବରେ ଏହି ପର୍ବ ସମାନ ବିଧିରେ ଓଡ଼ିଶାର ବିଭିନ୍ନ ଆଦିବାସୀ ସମାଜରେ ମଧ୍ୟ ପାଳିତ ହୋଇଥାଏ । ସାନ୍ତାଳମାନେ “ଇରୁ ମାମଣେ”, ଭୂୟାଁମାନେ “ମଗୁଶୀର ଗୁରୁବାର ହଲବା”, ହୋ ଓ ଓମାନାତ୍ୟାମାନେ ଲକ୍ଷ୍ମୀ ପୂଜା କରିଥାନ୍ତି ।

● ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ