ଅଣୁଗଳ୍ପ – ମାଣବସା – ସୁନନ୍ଦା ମହାନ୍ତି

ଲେଖକ ପରିଚୟ

ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ, ପୁରୀ | ସଦ୍ୟ ପୋଷ୍ଟ

ମାଣବସା ଗୁରୁବାର ଦିନ ଲଷ୍ମୀମାଆ ମନଦୁଃଖରେ ତାଙ୍କ ମନ୍ଦିରରେ ଉପବେଶନ କରିଥାନ୍ତି । ଜଗନ୍ନାଥ ମନଦୁଃଖର କାରଣ ପଚାରିଲେ କାଳେ ବଡଭାଇ ଲଷ୍ମୀଙ୍କୁ ପୁଣି କଣ କହିବେ, ଏଇ ଭାବନାରେ ସେ ବ୍ୟତିବ୍ୟସ୍ତ ହୋଇପଡିଥିଲେ । କିନ୍ତୁ ମାଆ ପଦ୍ମାଳୟାଙ୍କଠୁ କାରଣ ଟା ଜାଣି ଜଗନ୍ନାଥ ଆଶ୍ୱସ୍ତ ହେଲେ । ଲଷ୍ମୀ କହିଥିଲେ, ମାଣବସା ଗୁରୁବାର ପାଳନରେ ଆଉ କାହାର ଆନ୍ତରିକତା ନାହିଁ, ସମସ୍ତେ ପରସ୍ପରକୁ ପ୍ରତିଦ୍ବନ୍ଦୀ ପରି ଭାବି ଚିତା, ମୁରୁଜ ପକା କରୁଛନ୍ତି ସତ ହେଲେ ସେସବୁ ବିଭିନ୍ନ ଆପ ମାନଙ୍କରେ ପୋଷ୍ଟ କରିବାକୁ ଯୋଉ ଖୁସି ପାଉଛନ୍ତି, ଲଷ୍ମୀ ଙ୍କୁ ସନ୍ତୁଷ୍ଟ କରି ଭକ୍ତି ନିଦର୍ଶନ ଦେଖାଇବାରେ ସେମିତି କୋଉଠି ଦେଖିଲେନି । ପଳେଇ ଆସିଲେ ଭାରି ମନଦୁଃଖରେ, ଆଉ ଆଜିକାଲିର ରୀତି ନୀତି ଚଳଣିରେ ମଧ୍ୟ ଘୋର ଅବକ୍ଷୟ ଦେଖି ସେ ବହୁ ମର୍ମାହତ ।

ଏତିକି ବେଳେ ଲଷ୍ମୀମାଆ ମନ୍ଦିର ବାହାରେ ଦୀପ ବିକୁଥିବା ଜାଗାରେ ବହୁତ ଗହଳି ଓ ହୋ ହାଲ୍ଲା ଶୁଣି ଲଷ୍ମୀନାରାୟଣ ଦୁହେଁ ଛଦ୍ମ ବେଶରେ ବାହାରକୁ ଆସି ଦେଖିଲେ, ବୁଢୀଟିଏ କାନ୍ଦୁଛି ଆଉ ଦୀପବାଲା ତାକୁ ଚୋରଣୀ ବୋଲି କହି ତା’ଠୁ ଦୀପ ଭିଡି ନେଉଛି । ମଣିଷ ରୂପ ଧାରଣ କରି ଲଷ୍ମୀ ଓ ନାରାୟଣ ବୁଢୀଟି ପାଖେ ପହଂଚି ପଚାରିଲେ କଣ ହେଲା ଦୀପ କାହିଁକି ଚୋରୀ କରୁଥିଲ ମାଆ ? ବୁଢୀଟି ଆସ୍ୱାଶନା ଭରା କଥା ଶୁଣି କାନ୍ଦିପକେଇଲା ଆଉ କହିଲା, ନାହିଁ ବାବୁ ମୁଁ ବହୁତ ଗରୀବ, ଆଜି ମାଣବସା ଗୁରୁବାର, ହେଲେ ପୂଜା ପୂଜି କରିବାକୁ ମୋ ପାଖେ ସମ୍ବଳ ନାହିଁ । ନାତି ସରାଗାତ ରୁ ପଇସା ଆଣି ମାଆ ଲଷ୍ମୀଙ୍କ ପାଖରେ ଅନ୍ତତଃ ଦୀପ ଟିଏ ବସାଇ ଦେବି ଭାବି ଦୀପ ନେଇ ପଇସା ଦେଲା ବେଳକୁ, ସେ ଟଙ୍କିକିଆ ଦୀପ ଆଉ ନାହିଁ ଏବଂ ଏ ଟଙ୍କା ଵି ଅଚଳ ବୋଲି କହି ଦୀପବାଲା ମୋ ହାତରୁ ଦୀପ ଛଡେଇ ମତେ ଚୋରଣୀ କହିଲେ ଵି ମୋର ଦୁଃଖ ନାହିଁ । କିନ୍ତୁ ଏ ଟଙ୍କିକିଆ ଯଦି ଅଚଳନ୍ତି ବୋଲି ମୋ ନାତି ଜାଣିବ କେତେ ମନ ଦୁଃଖ କରିବ, ସେହି ପଇସାରେ କମ୍ପାସ କିଣି ଜ୍ୟାମିତିକ ଚିତ୍ର କରିବ କହୁଥିଲା, ତାର ସବୁ ଆଶା ଧୂଳିସାତ ହେଲା ବୋଲି ମୁଁ କାନ୍ଦୁଛି ।

ବାପା ମାଆ ତାର ବିଦେଶ ଗଲେ ଯେ ଆଉ ଫେରିଲେନି । ସେଠାରୁ ଫେରୁଥିବା ଲୋକ କହୁଥିଲେ ସେ ଜାଗାରେ କରୋନା ରେ କେତେ କିଏ ମରିହଜି ଗଲେ । ତା ଭିତରେ ମୋ ପୁଅ ବୋହୁ କୁଆଡେ ଗଲେ କିଏ କହିବ ବାବୁ ! ନାତିଟା ମୋ ପାଖେ ରହିଯାଇଛି । ବଞ୍ଚିଛୁ ଆମେ, ହେଲେ ପେଟ ପାଟଣା କରିବା ଖୁବ କଷ୍ଟ, ତା ଭିତରେ ଲଷ୍ମୀମାଆଙ୍କର ଶ୍ରଦ୍ଧାର ଦିନ ଆଜି ମାଣବସା ଗୁରୁବାର । କିଛି ନହେଲେ ଦୀପଟିଏ ବସାଇ ଶାନ୍ତିରେ ଘରକୁ ଫେରିବି ଭାବିଥିଲି, ସେତିକି ଵି ଭାଗ୍ୟ ରେ ନାହିଁ କହି ବୁଢୀଟି କାନ୍ଦି କାନ୍ଦି ଫେରୁଥିଲା ।

ଜଗନ୍ନାଥ କହିଲେ ଦେଖିଲ ତ ଲଷ୍ମୀ, କିଏ କହିଲା ଶ୍ରଦ୍ଧାଳୁ ନାହାନ୍ତି, ଚିହିଁବାକୁ ଵି ଭାବ ଦରକାର । ପଦ୍ମାଳୟା ଲଜ୍ଜ୍ୟା ବୋଧ କଲେ ସତ, ହେଲେ ବୁଢୀଟି ଘରେ ପୁଅ ବୋହୁ ଫେରିଆସିଥିବା ଦେଖି ଆନନ୍ଦ ରେ ଫାଟିପଡୁଥିଲା ତା ସହିତ ନାତିର ସପ୍ତମ ଶ୍ରେଣୀରେ ଏନଆରଟିଏସ ପରୀକ୍ଷାରେ ସ୍କଲାରସିପି ମିଳିବା ଖବର ସମସ୍ତଙ୍କ ଖୁସି କୁ ଦ୍ବିଗୁଣିତ କରିଥିଲା । ଆଉ ବୁଢୀକୁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳିଯାଇଥିଲା ଲଷ୍ମୀଙ୍କ ଅନୁଗ୍ରହରୁ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ