କ୍ଷୁଦ୍ରଗଳ୍ପ – ଚରିତ୍ରହୀନ – ସୁନନ୍ଦା ମହାନ୍ତି

ଲେଖକ ପରିଚୟ

ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ, ପୁରୀ | ସଦ୍ୟ ପୋଷ୍ଟ

ନୂଆ କରି ଭଡାରେ ରାହିବାକୁ ଆସି ଅଶ୍ରୁଲେଖା ଲେଖା ପାଇଁ ଦୃଶ୍ୟ ସାଉଁଟୁ ଥିଲା । ନୂଆ ନୂଆ ରିପୋର୍ଟର କାମ କରୁଛି ତ ବିଶେଷ ଖବର ସବୁ ସଂଗ୍ରହ କରିବାକୁ ହେବ ଭାଵି ଛାତ ଉପର କୁ ଉଠି ଆସିଲା ଅଶ୍ରୁଲେଖା । ବାମପଟକୁ ଦି ଚାରି ଘର ଛାଡି ବିରାଟ ନହେଲେ ଵି ମାଧ୍ୟମ ଧରଣ ଠୁ ବଡ଼ କୋଠାଟିଏ । ଠିକ ଆଗକୁ ବଡ଼ ଝଙ୍କାଳିଆ ବରଗଛ ଟିଏ, ଆଉ ବରଗଛ ତଳେ ଜରିଗୋଟାଳୀ ଝିଅ ଓ ସ୍ତ୍ରୀ ଲୋକ ମାନଙ୍କୁ ଛାତ ଉପରେ ଠିଆ ହୋଇ ଦରବୁଡ଼ା ମଣିଷ ଜଣେ ଚହିଁଛି ଏକାଲୟରେ । ଅଶ୍ରୁଲେଖାକୁ କିଛି ସୁରାକ ମିଳିଗଲା ଲେଖିବା ପାଇଁ ଭାବି ଏକାଲୟରେ ସେଇଆଡ଼କୁ ଚାହିଁ ମନ ଓ ହୃଦୟ ଦେଇ ମାନସିକ ସ୍ତରରେ କିଛି ସଂଗ୍ରହ କରୁଥିଲା ବେଳେ ସୂର୍ଯ୍ୟ ଢଳି ଯାଇଥିଲେ । ଅନ୍ଧାର ମାଡିଆସୁଥିଲା ଓ ପକ୍ଷୀମାନେ ବସା ଫେରନ୍ତା ହେଉ ହେଉ ଜରିଗୋଟାଳୀ ମାନଙ୍କର ପ୍ରସ୍ଥାନ ହୋଇସାରିଥିଲା । ସେଇ ଦରବୁଢ଼ା ମଧ୍ୟବୟସ୍କ ଚେହେରା ଵି ଅପସରି ଯାଇଥିଲା । ଧେତ.. କହି ଅଶ୍ରୁଲେଖା ଵି ତଳକୁ ଓଲ୍ହେଇ ରୁମରେ ପଶିଗଲା । ବିଭିନ୍ନ ଭାବନା ଭିତରେ ଆଖିକୁ ନିଦ ନଥିଲା ତାର । କେମିତି ସକାଳ ହେଲେ ସେ ତା ଆଖି ଓ ମୁଣ୍ଡର ସମ୍ମିଶ୍ରଣ କରି ଖବର ସଂଗ୍ରହ କରିବ ଭାବୁଥାଏ ।

ସତରେ ଅଶ୍ରୁଲେଖା ଅଳ୍ପ ଅଳ୍ପ ଶୀତରେ ସକାଳୁ ଛାତ ଉପରେ ଦୁରକୁ ଦୃଷ୍ଟି ପହଁରେଇ ଯାହାକୁ ଖୋଜୁଥିଲା ତାଙ୍କୁ ପାଇଗଲା । ପୁରା ଖୋଲା ଦେହରେ କଣ ସବୁ ଛାତ ଉପରେ କରୁଥିଲେ ସେଇ ଦରବୁଢ଼ା ମଧ୍ୟବୟସ୍କ ଲୋକ, ଆଉ ଥରକୁ ଥର ଆଗ ପଟକୁ ଆସି ବରଗଛ ତଳକୁ କଣ ଫିଙ୍ଗୁଥିଲେ । କଣ ବୋଲି ଜାଣିହେଉନଥିଲା, ହେଲେ କିଛି ସମୟ ପରେ ପୂର୍ବର ସେହି ଜରିଗୋଟାଳୀ ଦଳ, ଝିଅ ଓ ସ୍ତ୍ରୀ ଲୋକ ସବୁ ପହଂଚି ଗଲେ । ତିନିତାଲାରୁ ଚଟାପଟ ଆସି ସେହି ଦରବୁଢ଼ା ମଧ୍ୟବୟସ୍କ ଲୋକ ତଳେ ସେମାନଙ୍କ ସଙ୍ଗେ କଣ ସବୁ କଥା ହେବାଟା ଅଶ୍ରୁଲେଖା କୁ ଅଡୁଆ ଭିତରୁ ସୂତାଖିଏ ପାଇଲା ପରି ମନେ ହେଲା । ପାଟିରୁ ବାହାରି ଆସିଲା ନିଶ୍ଚୟ ଦୋଷ ଅଛି ବୁଢାର । ଚରିତ୍ରହୀନ.. । ଦିନେ ନୁହେଁ ଏମିତି ତିନି ଚାରି ଦିନ ଦେଖିଲା ପରେ ପଞ୍ଚମ ଦିନ ଜଣେ ତାଗଡା କଳା ଲୋକ ସେ ଘରମାଲିକ ସହ କଣ ଉଚ୍ଚ ସ୍ୱରରେ କଥା ହେଉଥିଲା । ଅଶ୍ରୁଲେଖାର ଦୃଢ଼ ଧାରଣା ହେଇ ଗଲା ଯେ ଜରିଗୋଟାଳୀ ଝିଅ ବୋହୁଙ୍କୁ କିଛି ଅଶୋଭନୀୟ ଅଶାଳୀନ ବ୍ୟବହାର କରିଥିବାରୁ ନିଶ୍ଚୟ ସେମାନଙ୍କ ବାପା ଭାଇ ବା ସ୍ୱାମୀ କିଛି ନିଶ୍ଚୟ ପ୍ରତିବାଦ କରୁଛନ୍ତି । ଭଲ ଶିରୋନାମା ଟିଏ ଖୋଜି ଅଶ୍ରୁଲେଖା ଯେତେ ଯାହା ମନକୁ ଆଣୁଥିଲା, ‘ଚରିତ୍ରହୀନ’ ଶବ୍ଦଟି ଛଡ଼ା ଆଉ କିଛି ମନ ପାଉନଥିଲା ।

ସେଦିନ ଆପେ ଆପେ ତା ଗୋଡ଼ ଟାଣି ହୋଇଯାଇଥିଲା ସେହି କୋଠା ଘର ଯାଏଁ । କଲିଙ୍ଗ ବେଲ ଦେବା ଆବଶ୍ୟକ ହେଲାନି ଯେବେ ଦି’ତାଲାରୁ ଶୁଲଳିତ କଣ୍ଠରେ ପ୍ରଶ୍ନ ଟିଏ କାନରେ ପଡିଲା । …କିଏ ? କାହାକୁ ଖୋଜୁଛନ୍ତି ? ସାର ନାଁହାନ୍ତି… । କଣ କହିବାର ଅଛି ଯଦି ଉପରକୁ ଆସନ୍ତୁ କହି ଶିଡିର ଲାଇଟ ମାରି ଦେଇଥିଲେ । ବିନା ବାକ୍ୟ ବିନିମୟ ରେ ଉପରକୁ ଉଠିଥିଲା ଅଶ୍ରୁଲେଖା । ଆଉ ଉପରେ ଯାହାକୁ ଭେଟିଲା, ସେ କିଏ ହୋଇଥିବ ସେହି ବୟସ୍କ ପୁରୁଷ ଲୋକଙ୍କର ଭାବୁ ଭାବୁ ସେହି ସୁନ୍ଦରୀ, ଅଳ୍ପବୟସୀ ଲାଗୁଥିବା ସ୍ତ୍ରୀ ଜଣଙ୍କ କହୁଥିଲେ, ଆମେ ବୁଢା ବୁଢ଼ୀ ଦୁଇଜଣ ମାତ୍ର ଏଠାରେ ରହୁ । ପିଲାମାନେ ବାହାଚୋରା ହୋଇ ଯିଏ ଯାହା ଚାକିରୀ ଜାଗାରେ । କେତେବେଳେ କେମିତି ଆସନ୍ତି.. । ଆପଣ କିଏ ? କଣ କାମ ଥିଲା କି ସାର ଙ୍କ ପାଖରେ ? ସେତେବେଳକୁ ଅଶ୍ରୁଲେଖା ଭିତରେ କମ୍ପମାନ ଅବସ୍ଥା । ତଥାପି କହିଲା, ମୁଁ ଜଣେ ରିପୋର୍ଟର ତ… ସାର ଙ୍କ ବିଷୟରେ କିଛି ଲେଖିବାକୁ ଚାଁହୁଥିଲି । କାରଣ ଏଇ କେତେ ଦିନ ହେଲାଣି ତାଙ୍କୁ ଜରି ଗୋଟାଳି ମାନଙ୍କ ସହ… । ଛେପ ଢ଼ୋକି ଏତିକି କହିଛି ଅଶ୍ରୁଲେଖା, କଥା ଛଡେଇ ସେ କହୁଥିଲେ କାହିଁ କହୁଛ ଝିଅ, ତାଙ୍କ ପ୍ରକୃତି ପରା ସେମିତି.. । କଥା ଛଡେଇ ଅଶ୍ରୁଲେଖା କହିଲା କେମିତି ? ସେ କହିଚାଲିଥିଲେ, କାହିଁ କହୁଛ ଝିଅ, ବସ କି ଟ୍ରେନରେ ଗଲାବେଳେ କୋଉ ଝିଅ ବୋହୁ ଯଦି ଠିଆ ହୋଇଥିବେ, ନିଜ ସିଟ ତାକୁ ଦେଇ ଠିଆ ହେବେ । ବଜାରରେ କୋଉ ଝିଅ ଯଦି କିଛି ବିକୁଥିବ ତା’ର ବିକ୍ରି ହୋଇପାରୁନଥିବ ତ ତା’ଠୁ ସବୁତକ କିଣି ଆଣିବେ । ଏଇ ଦେଖୁନ ଦୀପାବଳି ପାଇଁ କୋଉ ଝିଅର ଦୀପ ବିକ୍ରି ହୋଇପାରୁନଥିଲା ତ ସବୁ କିଣି ଆଣିଛନ୍ତି ତା’ଠୁ । ପୁଣି କୋଉ ଝିଅ ବୋହୁ ଯଦି ପାଠ ପଢ଼ିପାରିନି ଅଭାବରୁ, ତାକୁ ଆଣି ଘରେ ରଖି ପଢ଼େଇବେ । ଆଉ ଏଵେ ତ ଜରିଗୋଟାଳୀ ଝିଅ ବୋହୁମାନଙ୍କୁ ଦେଖି ତାଙ୍କୁ ସବୁ ଜୋତା, ଘରେ ଯାହାସବୁ ଡବାଡ଼ଵି ଥିଲା ଦେଇ ସାରିଲେଣି । ପୁଣି ସବୁ କଣ କଣ ଖୋଜି ରଖିଛନ୍ତି, ତାଙ୍କ ସର୍ଦ୍ଦାର ଆଜି ଆସି କଥା ହୋଇ ଯାଇଛି । ଆସିକି ନେଇଯିବ । ଛେପ ଢ଼ୋକି ଅଶ୍ରୁଲେଖା ମନେ ପକାଉଥିଲା ଆଜି ସକାଳେ ଦେଖିଥିବା ଦୃଶ୍ୟ । ହଉହଉ ମୁଁ ଏଵେ ଆସୁଛି କହି ଯିବାକୁ ବାହାରିଲା ଅଶ୍ରୁଲେଖା । ସେ ପଚାରିଲେ.., ହେଲେ ଆପଣ କାହିଁ ଆସିଥିଲେ କହିଲେନି ତ ? ଅଶ୍ରୁଲେଖା କହୁଥିଲା ସାରଙ୍କର ଗୋଟେ ଇଣ୍ଟରଭିୟୁ ନେବାର ଥିଲା ତ ମାଡାମ… । ହଉ ଏଵେ ମୁଁ ଆସୁଛି ପରେ କେବେ ଆସିବି କହି ଉଠୁଥିଲା ଅଶ୍ରୁଲେଖା । ସାର ପହଂଚି ଯାଇ ଚା ନ ପିଇକି କେମିତି ଚାଲିଯିବେ କହୁଥିଲେ ଆଉ ମାଡାମ ଚା ବସାଉ ବସାଉ କହୁଥିଲେ ଆମକୁ ମଉସା ମାଉସୀ ଡାକ ଝିଅ । ଝିଅ ନଥିବାରୁ ଦୁନିଆଁ ଯାକ ଝିଅ ପରା ମଉସାଙ୍କୁ ନିଜ ଝିଅ ପରି ଲାଗନ୍ତି । ଅଶ୍ରୁଲେଖା ଖାଲି ଶିରୋନାମା କଣ ରଖିବ ବୋଲି ଭାବି ଭୂମିଉପରେ ନଖରେ ଗାର ଟାଣି ଚାଲିଥିଲା.. ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ