ଭଡାଘର – ଶିଳ୍ପା ପର୍ବତ
ଲେଖକ ପରିଚୟ

ଶିଳ୍ପା ପର୍ବତ
ଛାଡି ଆସିଲି ଝାଟିମାଟି କାନ୍ଥ
ଗୁରୁବାର,ମାଣବସା
ବୋଉର ରାଗମିଶା ହସ,
ଭଡା ଘର ମୋ ପାଇଁ ସ୍ବର୍ଗ ଏବେ
ବୈକୁଣ୍ଠର ଦ୍ବାର ।
ଏଠି ଶୁଭୁନି ବୋଉ ହାତ ପାଣି କାଚ
ସକାଳର ଶଙ୍ଖନାଦ,ସନ୍ଧ୍ଯା ଭାଗବତ;
ମତେ ହିଁ କିଛି କରିବାକୁ ହେବ
ବୋଉ ନାହିଁ ଏଠି,
ବୋଉ ବିନା ଭାରି କଷ୍ଟ ଖାଇବାକୁ
ଅଧା କଞ୍ଚା ଅଧା ସିଝା ଭାତ ।
ବୋଉ କଥା ଭାରି ମନ ପଡେ
କାନ୍ଥର ଇଟା ସବୁ ଧୀରେ ଝଡି ପଡେ,
ଲୁହ ଭାରି ଅମାନିଆ
ଧୀରେ ଝରିପଡେ ।
ମୁଁ ନିଜକୁ ଦେଖେ
ଆଉ ଘର ମୋତେ ଦେଖେ,
ବୋଉ ବୋଉ ଶବ୍ଦ କରି
ମୋତେ ତୁନିରେ ପରଖେ,
ଟିକି ନିକିକଥା ଯେତେ
ବୋଉ ମନ ରଖେ ।
ମୁଁ ଝୁଣ୍ଟିଲେ ବି ବୋଉ ବୋଲି ଡାକେ
ଆଖି ବୁଜେ ଧୀରେ ଧୀରେ
ବୋଉ ମୁହଁ ଦେଖେ,
ଏଡୁଟେ ହେଲେଣି ହେଲେ
ପିଲା ବୋଉ ପାଖେ ।
ବୋଉ ବିନା ଘରଟା ଖାଁ ଖାଁ ଲାଗେ
ବୋଉଘର ମାଟି କାନ୍ଥ ହାତ ଠାରି ଡାକେ,
କଇଁ ଉଠେ,
ବୋଉର ନରମ ହାତ ମୁଣ୍ଡପରେ ଦେଖେ,
ବୋଉକୁ ଜାବୁଡି ଧରି ଛାତି ପାଖେ ରଖେ ।
