ଅନୁଭୂତି କଥା – ବଂଶୀ – ସୁନନ୍ଦା ମହାନ୍ତି

ଲେଖକ ପରିଚୟ

ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ, ପୁରୀ | ସଦ୍ୟ ପୋଷ୍ଟ

ଜେ.ଏନ. ୟୁ ୟୁନିଭର୍ସିଟିରେ ପଢୁଥିଲା ବେଳେ ହଷ୍ଟେଲର ସବୁ ସାଙ୍ଗ ଦିନେ ପ୍ରସ୍ତାବ ଦେଲେ ମଥୁରା ବୃନ୍ଦାବନ ଯିବା । ଆଉ ଜୀବନରେ ଦେଖା ହେବ କି ନାହିଁ କାହା ସହିତ । କାହାର କିଏ କହିବ ପୁଣି ଜୀବନ କାଳ ଭିତରେ ଆଉ ଦିଲ୍ଲୀ ଆସିବାର ସୁଯୋଗ ଵି ମିଳିବ କି ନା ସେକଥା ଵି କିଏ ଜାଣେ ! ଗାଡି ଠିକ ହୋଇଗଲା, ସମସ୍ତଙ୍କ ଭିତରେ ମୁଁ ଏକମାତ୍ର ଓଡିଶାର । ପୁଣି ସାକ୍ଷୀଗୋପାଳ ଭଳି ଗୋଟିଏ ଛୋଟ ସ୍ଥାନର ହେଲେ ଵି ସାକ୍ଷୀଗୋପୀନାଥଦେବ, ଯେଉଁ ଠାକୁରଙ୍କ ଅନ୍ୟ ନାମ କୃଷ୍ଣ, କହ୍ନେଇ, ଗୋପାଳ, ଯାହାଙ୍କ ହସ୍ତର ବଂଶୀ ଅତ୍ୟନ୍ତ ମନମୁଗ୍ଧକର, ସେହି ସ୍ଥାନରେ ମୋ ଘର । କୋଉଦିନୁ ଦର୍ଶନ ହେଇନି ପ୍ରଭୁଙ୍କର । ଏଇ କିଛି ଦିନ ହେଲାଣି ପ୍ରତ୍ୟେକ ଦିନ ବଂଶୀର ମୂର୍ଚ୍ଛନା ଶୁଣୁଛି ମୁଁ ଅନ୍ତର ଭିତରେ । ମଥୁରା ବୃନ୍ଦାବନ ଯାଇ କହ୍ନେଇଙ୍କ ଦର୍ଶନ କରିବାପାଇଁ ମନ ଓ ହୃଦୟ ଖୁବ ଆନ୍ଦୋଳିତ ହେଉଥାଏ ମୋର । ଯିବାପାଇଁ ଦିନ ବାର ସ୍ଥିର ହୋଇଗଲା ।

ସେଦିନ ବାହାରି ପଡିଲୁ । ବାଟସାରା ସାଙ୍ଗମାନେ ବେଶ ମଜ୍ଜା ମଜ୍ଜା ଗପ ରେ ବୁଡି ଯାଇଥିଲା ବେଳେ ଓ ବିଭିନ୍ଣ ଭିଡ଼ିଓ ଦେଖି ମଜ୍ଜା ନେଉଥିଲା ବେଳେ ତଥା ଭିଡ଼ିଓ ପ୍ରସ୍ତୁତ କରୁଥିଲା ବେଳେ ମୋ ହୃଦୟର କୌଣସି ଗଭୀରତମ ପ୍ରଦେଶରୁ ଝଙ୍କୁରିତ ବଂଶୀ ସ୍ଵନ ମତେ ଖୁବ ଅଥୟ କରୁଥାଏ । ମୁଁ ମୋ ଡ଼ାଇରୀ ଖୋଲି କିଛି କବିତା ଲେଖିବାକୁ ଚେଷ୍ଟା ଜାରି ରଖିବାକୁ ଚାହିଁ ଵି ଲେଖି ପାରୁନଥାଏ । କାରଣ ଏଇଥି ପାଇଁ, ଖୁବ ନିକଟରୁ ମତେ ବଂଶୀ ସ୍ଵନ ଶୁଣାଯାଉଥାଏ । ସେହି ସ୍ୱର ମୋ ହୃଦୟ ଭିତରୁ ନା ମଥୁରା ବୃନ୍ଦାବନରୁ ବୁଝି ହେଉ ନଥିବା ବେଳେ ଆମେ ଆଗ୍ରାରେ ପହଂଚି ସାରିଥିଲୁ । ଆଉ ସେଠିକାର କାରୁକାର୍ଯ୍ୟ ପୂର୍ଣ୍ଣ ତାଜମହଲ ଦର୍ଶନ କରିବା ଭିତରେ ସମସ୍ତେ ମତାମତ ରଖୁଥିଲେ । ତାଜମହଲ ଦେଖିସାରିବା ପରେ ଆଉ କୁଆଡେ ଯିବାର ଆଗ୍ରହ ହିଁ ନାହିଁ । ହେଲେ କି ତାଜମହଲ କି ଆକବର ଟମ୍ବ, ସବୁଠି ସେଇ ମୂର୍ଚ୍ଛନା ମୋ ନିକଟରୁ, ଚାରିପଟେ ତ କେବେ ହୃଦୟ ତନ୍ତ୍ରୀ ରୁ । ଫେରିବା ବେଳେ ନିଶ୍ଚୟ ମଥୁରା ବୃନ୍ଦାବନ ଦେଇ ହିଁ ଫେରିବା ଉଚିତ ହେବ ବୋଲି ମୋ ପରାମର୍ଶକୁ ସମସ୍ତେ ସମ୍ମତି ଜଣେଇଥିଲେ ।

ସମସ୍ତେ ପୁଣି ଯିଏ ଯାହାର ଯେଉଁଭଳି ଇଚ୍ଛା ମଜ୍ଜି ଯିବା ଭିତରେ ମୁଁ କିନ୍ତୁ ଏଥର ଜବରଦସ୍ତ କିଛି ଲେଖିବାକୁ ଚେଷ୍ଟା କରି ଡ଼ାଇରୀ କାଢ଼େ ତ ସୁରଦାସ ଙ୍କ ଜୀବନୀ ପୃଷ୍ଠା ଗୁଡିକ ମୋ ଆଖି ସାମ୍ନାରେ ଉଦ୍ଭାସିତ ହେଇ ଉଠୁଥିଲା । କବି ଥିଲେ ଅନ୍ଧ, ପରିବାର ରୁ ବିତାଡିତ ହୋଇ ମଧ୍ୟ ଲେଖିଚାଲୁଥିଲେ କୃଷ୍ଣଙ୍କ ଭଜନ, ଗାଇ ଚାଲୁଥିଲେ ନିଜ ରଚନା କୁ ସୁଲଳିତ କଣ୍ଠ ସ୍ୱରରେ । କେହି ଭକ୍ତ ଦୟାପରବଶ ହୋଇ କବି ସୁରଦାସଙ୍କୁ କହ୍ନେଇଙ୍କ ମନ୍ଦିରରେ ଭଜନ କୀର୍ତ୍ତନ କରିବାର ସୁଯୋଗ ଦେଇଥିଲେ । ଭକ୍ତିର ନିଦର୍ଶନରେ ସ୍ଵରଚିତ ଭଜନ ଗୁଡିକ ଗାନ କଲା ବେଳେ ସତେ ଯେମିତି କହ୍ନେଇଙ୍କ ପରଶ ଲଭନ୍ତି ଭକ୍ତକବି ସୁରଦାସ । ଏମିତିକି ପ୍ରଭୁ କୋଉଦିନ କୋଉ ରଂଗ ର ବସ୍ତ୍ର ପରିଧାନ କରିଛନ୍ତି ଅନ୍ଧ କବି ସୁରଦାସ କହିପାରନ୍ତି । ସେବକ ପୂଜକ ଥରେ ଥରେ ପରୀକ୍ଷା କରିବାକୁ ଯାଇ କୃଷ୍ଣଙ୍କୁ ପତ୍ରରେ ଆଚ୍ଛାଦିତ କରନ୍ତେ, ସୁରଦାସ ଲଜ୍ଜ୍ୟାବନ୍ତ ଭାବେ କହିଥିଲେ ପ୍ରଭୁଙ୍କୁ କି ଅଭାବ ରହିଲା ଯେ ସେ ପତ୍ର ଆଭୂଷଣ କଲେ ! ସମସ୍ତେ ଏକଥା ଶୁଣି ସ୍ତବ୍ଧ ଚକିତ ହୋଇଥିଲେ ସତ, ହେଲେ ମୁଁ ସେହି ସବୁ କଥା ସବୁବେଳେ ଭାବୁଥିଲି । କେମିତି କେମିତି ଏସବୁ ସମ୍ଭବ ପ୍ରଭୁ ! ମତେ କେବଳ ବଂଶୀ ସ୍ଵନ ହିଁ ଶୁଭୁଥିଲା ।

ହଠାତ ସାଙ୍ଗଟିଏ ଜବରଦସ୍ତ ଭିଡ଼ିଓଟିଏ ଦେଖାଇ କହୁଥିଲା, ଦେଖ ଦେଖ ବଂଶୀ ନାମ୍ନୀ ଝିଅଟି ଆଖିରେ ଅନ୍ଧପୁଟୁଳି ବାନ୍ଧି ଶୁଙ୍ଘି ଶୁଙ୍ଘି ଯେକୌଣସି ବହିର ଯେକୌଣସି ପୃଷ୍ଠା ପଢିପାରୁଛି । ଏବଂ ଯେକୌଣସି ବସ୍ତୁ କୁ ଚିନ୍ହି ତାହା କେଉଁ ରଂଗ କହିଦେଉଛି । ତା ହାତରୁ ଫୋନ ଆଣି ଭିଡ଼ିଓଟିକୁ ଆଉଟିକେ ଭଲ କରି ଦେଖିଲି । ଅମିତାଭ ବଚ୍ଚନଙ୍କ ଶୋ କୁ ବଂଶୀ ନାମ୍ନୀ ଝିଅଟି ଆସି ଏସବୁ ଚମତ୍କାରିତା ଦେଖାଇ ସାରିବା ପରେ ଜାଣିଲି, ଝିଅଟି ବେଟର ମାଇଣ୍ଡ କୋର୍ସ କରିଥିବାରୁ ଏହା କରିପାରୁଛି ବୋଲି । ଏକଥା ତା ବାପାଙ୍କ ଠାରୁ ଶୁଣିବା ପରେ ଯେବେ ଅମିତାଭ ସାହେବ ପୁଣି ପ୍ରଶ୍ନ କରୁଥିଲେ, ବଂଶୀର ବାପାଙ୍କ ଏସବୁ ଟ୍ରେନିଂ ଏଵେ ଗ୍ଲୋବାଲ ହୋଇଗଲାଣି, ଯେଉଁ ପିଲାର ସମ୍ବେଦନଶୀଳତା ଶକ୍ତି ଅଧିକ ଥିବ ସେ ତାର ବ୍ରେନର ପ୍ରଶିକ୍ଷଣ କରାଇ ଯୋଗ, ପ୍ରାଣାୟାମ, ଧ୍ୟାନ, ସଂଗୀତ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିପାରିଲେ ଏହି ସ୍ବର୍ଗୀୟ ଶକ୍ତି ବା ଅଦ୍ଭୁତ କଳା ଲାଭ କରିପାରିବ । ଖୁସି ହୋଇଗଲି ମୁଁ । ମୋ ପ୍ରଶ୍ନର ଉତ୍ତର ମତେ ମିଳିଗଲା । ସୁରଦାସଙ୍କ ଭିତରେ ଥିଲା ଏ କଳା । ଧ୍ୟାନ, ଯୋଗ ଓ ଭକ୍ତିର ସମ୍ମିଶ୍ରଣ ଫଳରେ, ବ୍ରେନରେ କେବଳ ଧ୍ୟାନ, ଯୋଗ ଓ ଭକ୍ତିର ସମାହାରର ସୂତ୍ରଧର କୃଷ୍ଣଙ୍କୁ ସେ ଦେଖିପାରୁଥିଲେ ତାଙ୍କ ଦିବ୍ୟ ଚକ୍ଷୁରେ । ଆଉ ମୁଁ କେବଳ ସାକ୍ଷୀଗୋପୀନାଥଦେବଙ୍କ କଥା ଭାବି ଭାବି ଶୁଣୁଛି ବଂଶୀସ୍ଵନ । କି ସୁନ୍ଦର ସମନ୍ୱୟ ! ସତରେ ଚମତ୍କାର ବେଟର ମାଇଣ୍ଡ କୋର୍ସ, ଯାହା ସୁରଦାସ କରିଥିଲେ ଭକ୍ତି ପ୍ରାବଲ୍ୟରେ । ସାଙ୍ଗ ଟି କହୁଥିଲା ତୁ କଣ ସବୁ କହୁଛୁ, ମୋ ଆଖି ସମ୍ନା ରେ କହ୍ନେଇଙ୍କ ମୂର୍ତ୍ତି ଆଉ କର୍ଣ୍ଣ ପଟଳ ରେ ବଂଶୀ ର ମୂର୍ଚ୍ଛନା, ତଥାପି ମଥୁରା ଓ ବୃନ୍ଦାବନ ରେ ପହଂଚିବାକୁ ଢେର ବାକି ଥିଲା ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
4 ମାସ ପୂର୍ବରୁ

ଧନ୍ୟବାଦ ସୁନନ୍ଦାଜୀ। ଜନ୍ମାନ୍ଧ ଭକ୍ତକବି ସୁରଦାସଙ୍କର ଅମୃତମୟ ଭାବପୂର୍ଣ୍ଣ ବାଣୀ “कह्नैया तू वड़ा छलैया रे!” ସହିତ ସମନ୍ଵୟ ରକ୍ଷାକରି ଅମିତାଭ ବଚ୍ଚନଙ୍କର ଟି.ଭି ସୋ’ରେ ଝିଅଟି ଆଖିରେ ଅନ୍ଧପୁଟୁଳି ବାନ୍ଧି ଶୁଙ୍ଘି ଶୁଙ୍ଘି ଯେ କୌଣସି ବହିର ଯେ କୌଣସି ପୃଷ୍ଠା ପଢିପାରିବା କଳା ସହିତ କରିଥିବା ତୁଳନା ବାସ୍ତବରେ ମନକୁ ଛୁଇଁଗଲା। ଏ କଳାଟି ମଧ୍ୟ ଏକ ଭାବନାତ୍ମକ ମନସ୍ତାତ୍ତ୍ଵିକ ବିଶ୍ଳେଷଣ ମାତ୍ର।