ଶୀତରାଣୀ ଭାରି ସିଆଣୀ – ସତ୍ୟବାଦୀ ସାହୁ
ପାଦ ଚିପି ଚିପି ଆସେ ଶୀତରାଣୀ
ଧରାପୃଷ୍ଠେ ଥିରି ଥିରି
ଓଢଣୀ ଫାଙ୍କରେ ମୁହଁ ଦିଶିଲାଣି
ବାଆ ଵହେ ଶିରି ଶିରି ।
ଘାସ ଗାଲିଚାରେ ଶିଶିର ଟୋପାଏ
ଦିଶେ ମୁକ୍ତା ବିନ୍ଦୁ ପରି
ନାନା ଜାତି ଫଳ ପନିପରିବାରେ
ବାଡି ବଗିଚା ତ ଭରି।
ଶୀତ ଛୁଇଁଦେଲେ ଭାରି ମନେପଡେ
ମୋ ପ୍ରିୟା ଗୋଲାପି ଓଠ
ଦର ଆଉଜା ମୋ କବାଟ ଆଡେଇ
ପଶିଆସି କରେ ହଟ।
ଅନୁଢା କିଶୋରୀ ମନେ ଅସୁମାରୀ
ସ୍ଵପ୍ନ ଭରା ଶୀତରାତି
ପାଲିଙ୍କିରେ ଆସି ତା ରାଜକୁମାର
ବରିବ ଜୀବନସାଥି।
ରାତି ବଢିଗଲେ ପାହାନ୍ତିଆ ଜାଡ
କମ୍ବଳ ଖୋଜଇ ମନ
କମ୍ବଳ ଭିତରେ ପତ୍ନୀ ପ୍ରିୟତମା
ଲୋଡ଼େ ଉଷ୍ମ ଆଲିଙ୍ଗନ।
ଶୀତ ବଖାଣଇ ସାଧବ ବୋହୂର
ବୋଇତ ବନ୍ଦାଣ ସ୍ମୃତି
କାର୍ତ୍ତିକପୂର୍ଣ୍ଣିମା ପାହାନ୍ତିଆ ଜହ୍ନ
ଆ କା ମା ଵୈ ପୁଣ୍ୟ ତିଥି।

ମାର୍ଗଶୀର ମାସ ଶେଷ ଗୁରୁବାର
“ମାଣବସା” ନାମେ ଖ୍ୟାତ
ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ
ସର୍ବତ୍ର ହୁଏ ପାଳିତ।
ଆନନ୍ଦରେ ମନ ଅଧୀର ହେଲାଣି
ଗାଇବାକୁ ଶୀତ ଗୀତ
ଶୀତ ରାଣୀ ତମ ଶିଞ୍ଜିନୀ ଝଙ୍କାରେ
ଧରା ହେଉ ଗୁଞ୍ଜରିତ।
ସତ୍ୟବାଦୀ ସାହୁ
ସଂପାଦକ, ଜଟଣୀ ସାହିତ୍ୟ ସଂସଦ
ମୋ:ନଂ-୯୪୩୭୨୮୭୨୮୦
