ସ୍ୱପ୍ନ – ଗୋପାଳ ଚନ୍ଦ୍ର ସାଓ
ଫେରେଇ ଦିଅ ସେଇ ଅଭାବୀ
ଚାଳ ଘର ଅଙ୍କାବଙ୍କା ରାସ୍ତା
ବିଲ ଘେରା ବନ୍ଧରେ ଗାଧେଇ
ପଙ୍କୁଆ ଦେହରେ ଘରକୁ ଫେରିବା ବ୍ୟବସ୍ଥା
ଗାମୁଛାରେ ଗାମୁଛେ ମାଛ
ହାତ ଯାକ କଙ୍କଡା କାମୁଡ଼ା
ଆଉ ମାଛ ପତୁଆ ପଖାଳ କଂସା…
କହିପାରିବ କିଏ
କେଉଁଠି ଅଛି ସେ ହାତ ଖୋଳା
ପାହାନ୍ତିଆ ବାଲିଚୁଆ…?
ଯେଉଁଠି ପାଣି କାଢୁଥିଲା ଦିନେ
ମୋ ଗାଁ କାଳିଆ ଲଙ୍ଗଳା ଛୁଆ
ଆଉ ବିଲ ଆଡ଼ିରେ ଥିବା କାଶ ତଣ୍ଡି
ମାଳ ମାଳ ଗେଣ୍ଡାଳିଆ….
ଶାଗ ମାଛ ଦରରେ ନେଇଥିବା
ମୋ ସୁନା କ୍ଷେତ ଭାତ ହାଣ୍ଡି
ଫେରେଇ ଦେଇପାରିବ ମହୁଲ ଡାହି
ନା ପ୍ରଧାନ ଘର ବଡ଼ ପିଣ୍ଡା
ବଉଳ ମୂଳେ ବୁବେଇ ବଳା ପ୍ରତିଯୋଗିତା
ଆଉ ଗାଈଗୋଠ ଗୋ ଧୂଳି
ବେଢ଼ା ସଂକ୍ରିତ୍ତନ ଭାଗବତ ଟୁଙ୍ଗି…
ମାଗିଥିଲୁ ଜମି ବଦଳରେ ଜମି
ଭିଟାମାଟି ବଦଳରେ ଚାକିରୀ
ଅନ୍ଧାର ନେଇ ଆଲୋକ ଦିଅ
ଅସୁବିଧା ନେଇ ସୁବିଧା
ହେଲେ ଦେଇଦେଲ କିଆଁ
ବର୍ତ୍ତମାନ ବଦଳରେ ପ୍ରତିଶ୍ରୁତି
ଆଶା ର ସୁନେଲି କିଆରୀ…
ଆଜିବି ମନେ ଅଛି ମୋର
ସେଦିନର ସେଇ ସ୍ୱପ୍ନ ସବୁ
ଲୋକ ପ୍ରିୟ ଥଇଥାନ ନୀତି
ଅନେକ ସୁବିଧା ସୁଯୋଗ
ପଥପ୍ରାନ୍ତ ନାଟକ ଆଉ ଗୀତି
ପୋଲିସ ବାବୁଙ୍କ ଧମକ ଆଉ
ବଡ଼ବାବୁ ମାନଙ୍କର ନିର୍ଭର ପ୍ରତିଶ୍ରୁତି…
ହରେଇ ବସିଛି ଜୀବିକା
କେହି କେହି କହନ୍ତି ସର୍ବହରା
ବେଳେବେଳେ ଖୁସି ହୁଏ
ଅନ୍ୟର ସବୁଜ କ୍ଷେତ ଦେଖି
ଏଇ କ’ଣ ତେବେ ଆମ
ଇଚ୍ଛା ବିରୁଦ୍ଧାରେ ଦେଇଥିବା
ଜମି ବଦଳରେ ଫସଲ
ନା ଆହୁରି ଉନ୍ନତିର ଇସାରା…

କୁଆଡେ ଗଲା ସେ ଅନୁକମ୍ପା ରାଶି
କେହି କେହି କହନ୍ତି
ଦୁଇ ଲକ୍ଷ ନା ମିଳିବ ଆହୁରି ବେଶୀ
ଘର ସଜାଡ଼ିଲି,ଝିଅ ବାହାଦେଲି
ଦୁଇ ଭଉଣୀ ନେଲେ କିଛି
ବାସ…ଏବେ ତ ହାତ ଖାଲି
ହିସାବ କରୁଛୁ ଦୁଇ ପ୍ରାଣୀ ମିଶି…
-ଗୋପାଳ ଚନ୍ଦ୍ର ସାଓ
