ପୂଜା-ବ୍ରତ-ଓଷା : ମାଣବସା – ପ୍ରମୋଦ କୁମାର ମହାନ୍ତି

ଲେଖକ ପରିଚୟ

ପ୍ରମୋଦ କୁମାର ମହାନ୍ତି
କଟକ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ସ୍ୱାଭିମାନ ଆମ ସଂସ୍କୃତି ସଂସ୍କାର
ଐତିହ୍ୟ ପରମ୍ପରା ଭବ୍ୟ ସମ୍ଭାର
ପିଢ଼ି ପରେ ପିଢ଼ି ହୋଇ ଅନୁସୃତ
ଜୀବନ ଦର୍ଶନ କରନ୍ତି ମହତ ॥
ପୂଜା ଦିଏ ଆଣି ନିଷ୍ଠାପର ଭକ୍ତି
ସର୍ବୋପରି ସେହି ଐଶ୍ୱରୀୟ ଶକ୍ତି
ବ୍ରତ କରଇ ସଂକଳ୍ପ ଅନୁରକ୍ତ
‘କ୍ଷଣ-ବିଜ୍ଞ’ ଭୁଲି ବିଗତ ଆଗତ ॥
ଓଷା ପୂର୍ଣ୍ଣ କରେ ବାଂଛିତ ମନସା
ଅବସାନ ହୁଏ ପ୍ରାପ୍ତିର ପିପାସା
ପୂଜା ବ୍ରତ ଓଷା ହୋଇ ସମନ୍ବିତ
ସଂସ୍କୃତି ସଂସ୍କାର କରନ୍ତି ମାର୍ଜ୍ଜିତ ॥
ଧନ୍ୟ ଥିଲା ସିଏ ଶ୍ରୀୟା ଚଣ୍ଡାଳୁଣୀ
ତା’ ନିଷ୍ଠାରେ ପ୍ରୀତ ଲକ୍ଷ୍ମୀ ଠାକୁରାଣୀ
ଶୁଣିଲେ ଗଞ୍ଜଣା ଛାଡ଼ିଲେ ଦେଉଳ
ହେବେନାହିଁ ତ୍ୟକ୍ତ ତାଙ୍କ ଭକ୍ତକୂଳ ॥
ଲକ୍ଷ୍ମୀପୁରାଣରେ ସାରା ଉପାଖ୍ୟାନ
ନୁହେଁ କେବଳ ସେ ଗୀତରେ ଵ୍ୟାଖ୍ୟାନ
ଅଛି ଭରପୁର ବହୁମୂଲ୍ୟ ବାର୍ତ୍ତା
ପୂଜା-ବ୍ରତ-ଓଷା ଅନ୍ତର ସ୍ୱଚ୍ଛତା ॥
ଗୋବର ଲିପାରେ ଶୁଦ୍ଧ ପୂତ ଚିତା
ସଂସ୍କୃତି ସଂସ୍କାର ଆଚାର ସଂହିତା
ସ୍ଵଛ ଯାହା ଦେହ ମନ ପରିବେଶ
ଦେବୀ ଦେବତାଙ୍କ ସେଠାରେ ନିବାସ ॥
ନାହିଁ କିଛି ଜାତି ବର୍ଣ୍ଣ ଭେଦଭାବ
ମାନବିକତାର ଆନନ୍ଦ ଉତ୍ସବ
ମାର୍ଗଶୀର ମାସ ଫସଲ ଅମଳ
କର ଭଲ କର୍ମ ପାଅ ଭଲ ଫଳ ॥
ଜାତି ଜାତି ପିଠା ଜିହ୍ୱା ଲାଳାୟିତ
ଖାଇ ପିଇ ଶୋଇ ଭୁଲି ଯିବାନି ତ
ସଂସ୍କୃତି ସଂସ୍କାର ପୂଜା ବ୍ରତ ଓଷା
ମାର୍ଗଶୀର ଗୁରୁବାର ମାଣବସା ॥


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ