ବ୍ୟଙ୍ଗ କବିତା – ମା ମହାଲକ୍ଷ୍ମୀଙ୍କୁ ଗୁହାରୀ – ଅମ୍ଳାନ ପ୍ରହରାଜ

ଲେଖକ ପରିଚୟ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ନିରାକାରପୁର, ଖୋରଧା | ସଦ୍ୟ ପୋଷ୍ଟ

ସକାଳୁ ସକାଳୁ ଗରମ ପାଣିରେ
ଗାଧୋଇ କି ଘରମଣି ।
ମୋ ଉପରେ ଛାଟି ଫ୍ରିଇଜ ପାଣିକୁ
ଉଠାଇଦେଲେ ଟି ପୁଣି ।
ଆଜି ମାଣବସା ଜାଣି,
କେମିତି ଶୋଇଚ ବଜାରକୁ ଯାଇ
ଝୋଟି ଛାଞ୍ଚ ଆଣ କିଣି ।
ଝୋଟି ଚିତା ଗୁଡା ଗତକାଲି ଠାରୁ
ପକାଇଲ ନାହିଁ କାଇଁ ।
ଜାଣିନା କି ତମେ ଏ ସବୁ ମୋ ହାତେ
ଜମା କରି ଆସେ ନାଇଁ ।
ବୋଉ ମୋ କହିଚି ତହିଁ,
ଗାଁ ରେ ରହିଲେ ମାଣ ବସା କର
ଟାଉନୁରେ ବାଧ୍ୟ ନୋହି ।
ତମକୁ କହିଚି କେବେଠାରୁ ମୁହିଁ
ଭଡା ଘର ଗୋଟେ ନିଅ ।
ଭୋବନିସୋରରେ ନହେଉ ପଛକେ
ଜଟଣିରେ ଯାଇ ରୁହ ।
ଶୁଣୁନା କାଇଁକି କୁହ,
ବାରମାସେ ତେର ଓଷା କରି ଗାଁ ରେ
ଶୁଖି କଳା କାଠ ଦେହ ।
ଯେତେ ବନ୍ଧୁ ଯେତେ କୁଣିଆ ମଇତ୍ର
ଯେତେ ତୁମ ଗୁଆ ଭାର ।
କୁଆଡେ ନ ଯାଇ ସମସ୍ତେ ଆସିକି
ଗାଆଁ ଟାରେ ହରବର ।
କରି କୁଣିଆ ସତ୍କାର,
ବାପ ଘରକୁ ମୁଁ ଯାଇ ପାରୁନାହିଁ
ମନ ମୋ ହେଲାଣି ବୋର ।
ବିନା ମାଣବସା ଲକ୍ଷ୍ମୀ ପୂଜା କରି
ଅମ୍ବାନୀ ଆଦାନୀ ଙ୍କର ।
ଧନର ସୁମାରି କରି ପାରିବେନି
ଇନ୍ଦ୍ର ବରୁଣ କୁବେର ।
ତାଙ୍କ ଠାରୁ ଶିକ୍ଷା କର,
ସବୁବେଳେ ଆଉ ମୋତେ କହିବନି
ମାଣବସା ଖାଲି କର ।
ଆହେ ଚକାଡୋଳା ଘେନ ମୋ ମିନତି
ସାନ୍ତାଣୀଙ୍କୁ ବାରେ କୁହ ।
ମୋ ଘରକୁ ଟିକେ ହାବୁଡ଼ି ଯାଆନ୍ତେ
ଘୁଞ୍ଚନ୍ତା ପଇସା ମୋହ ।
ଆହେ ପ୍ରଭୁ ବରାଭୟ ,
ବ୍ୟଙ୍ଗ ଗୋସେଇଁର ପ୍ରାର୍ଥନା ପୂରଣ
ହେବ କି ହେ ଦୟାମୟ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ