ଚାଷୀ ଭାଇର ଦୁଃଖ – ଡଃ ଶରତ କୁମାର ଚଉଁରୀ
ସନ୍ତାପରେ ସନ୍ତାପିତ ସଦା
ଦୀନ ଚାଷୀଭାଇ ର ଜୀବନ
ପ୍ରକୃତିର କ୍ରୂର ପ୍ରକ୍ରିୟାରେ
ନିର୍ଦ୍ଦୋଷରେ ହୁଏ ହୀନିମାନ।
ଗ୍ରୀଷ୍ମ ବର୍ଷା ସହି ଲୁହ ପିଇ
କ୍ଷେତେ ଶସ୍ୟ ଥିଲା ଉପୁଜାଇ
ବର୍ଷା ବାତ୍ୟା ତାଣ୍ଡବ ରଚିଲା
ନିମିଷକେ ସବୁ ଦେଲା ଧୋଇ।
କପାଳରେ କର ଦେଇ କାନ୍ଦେ
ଅନ୍ନଦା ତା ପ୍ରିୟ ଚାଷୀଭାଇ
କିପରି ସେ କୁଟୁମ୍ବ ପୋଷିବ
ବୁଦ୍ଧି ବାଟ କିଛି ଦିଶୁ ନାହିଁ।
ଋଣ ଭାର କିପରି ସୁଝିବ
ଚିନ୍ତାରେ ତା ତନୁ ହୁଏ କ୍ଷୀଣ
ପ୍ରାକୃତିକ ବିପର୍ଯ୍ୟୟ ଦେଲା
ଜୀବନରେ ଅସହ୍ୟ କଷଣ।
ସ୍ୱାର୍ଥପର ଦୁନିଆରେ କେ ଶୁଣିବ
ନିସ୍ଵ ଦୀନ ଚାଷୀଭାଇ ଦୁଃଖ
ନିଷ୍ଠୁର ନିୟତି ଲେଖିନାହିଁ
ତା କପାଳେ କାଣିଚାଏ ସୁଖ।
ତଥାପି ସେ ଥକିବନି ଆସୁ
ଯେତେ ବାଧାବିଘ୍ନ ଜୀବନରେ
କର୍ମପଥେ ହେବ ଅଗ୍ରସର
ଯେତେ ଦିନ ଥିବ ଏ ସଂସାରେ।
ପର ହିତେ ଜୀବନ ଉତ୍ସର୍ଗୀ
ବଞ୍ଚେ ଚାଷୀ ଦୁଃଖ କଷ୍ଟ ସହି
ତା ସମ ମହାନ୍ ଦାତାଟିଏ
ଜଗତରେ ନାହିଁ ଆନ କେହି।
ଡ. ଶରତ କୁମାର ଚଉଁରୀ
ସଂ: ଶିଶୁ ଦରବାର
ଟିଚର୍ସ କଲୋନି,ପିପିଲି,ପୁରୀ
