ମହୋଦଧିରେ ସ୍ଵପ୍ନ – ଦୀପିକା ଦାଶ
ସେଦିନ ପୁରୀ ସାଗର ଉଜାଣି ଢେ଼ଉରେ
ଭାସି ଆସିଥିଲା ଏକ ବିଭୋର ସ୍ବପ୍ନ
ମୋ ମନର ଏକାକୀ ସୁବର୍ଣ୍ଣ ବେଳାଭୂମିକୁ
ଯା’ ଲାଜୁକି ସ୍ବପ୍ନିଳ ଆଖି ଅଳସ ଭାଙ୍ଗିଲେ,
ଦୂର ପାହାଡ଼ ଉହାଡ଼ରୁ ଉଠି ଆସୁଥିଲା ସୂର୍ଯ୍ୟ
ଯା’ ଫୁଲେଇ ମୁହଁର କୃତ୍ରିମ କ୍ରୋଧରେ
ଲୁଚିଯାଉଥିଲା ଜହ୍ନ ।
ସେମିତି ଶୁଭ୍ର ଶତଦଳ ଲାବଣ୍ୟରେ ଲାବଣ୍ୟମୟୀ,
ନିରୀହ ଶିଶୁର ଦରୋଟି ହସକୁ ଓଠରେ ଖେଳାଇ
ବନ୍ୟ ହରିଣୀ ପରି ଚାଲୁଥିଲା ଡେଇଁ ଡେଇଁ ,
ହାତରେ ଧରି ସେ ଗୁଡ଼ି ନଟେଇ ।
ତା’ ଦେହର ବାସ୍ନାରେ ମଦହୋସ
ସୁବର୍ଣ୍ଣ ବେଳାଭୂମିର ଦୁଷ୍ଟ ପବନ,
ତା’ ଚୁନିକୁ ଉଡାଏ ଛୁଇଁବାର ଆସ୍ପର୍ଦ୍ଧାରେ,
ତା’ ଗୋଲାପି ଚୁନି ଆଢ଼ୁଆଳରୁ ମୋତେ ଆବିଷ୍କାର କରି
ଫେରିଗଲା ସେ ଦଲକାଏ ପବନ ପରି,
କଟାକ୍ଷ ଚାହାଣୀରେ ଛାତିକୁ ମୋ ହାଣି ଦେଇ ।
କେଉଁ ଏକ ଆଦିମ କାଳରୁ
ଶୋଇ ରହିଥିବା ମୋ ମନର ଧୀବରଟି
ହଠାତ୍ ଉଠିଯାଏ ।
ଖୁବ୍ ସନ୍ତର୍ପଣରେ ସ୍ବପ୍ନର ଜାଲ ବୁଣେ
ଲାବଣ୍ୟବତୀର ମନ ମହୋଦଧିରେ ।
ସବୁ ସ୍ବପ୍ନ ପାଇଁ ସାଇତା ନ’ଥାଏ
ଏକ ମଧୁର ରାତ୍ରିର କଳେବର,
ଗୋଟେ ଚାଉଳରେ ଗଢା
ମୁଖମଣ୍ଡଳରେ ବିନୟଭଙ୍ଗୀ
ତଥାପି କେଜାଣି କାହିଁକି
ବିନ୍ଧାଣୀ ଗଢ଼ିଲାବେଳେ
ଯେମିତି ପ୍ରଭୁ ବିଶ୍ଵକର୍ମା ଅଗତ୍ୟାରେ
ଅଧା ଗଢା ଦାରୁମୁରତିକୁ ଛାଡି ଯାଇଥିଲେ
ଭୁଲବଶତଃ ଛିଦ୍ରଟିଏ ଛାଡ଼ି ଯାଇଥିଲା ତା’ ଉଦରରେ ।

ଜଳକା ଆଖିରେ ମୁଁ ଦେଖିଛି
ତା’ ମହାନିର୍ବାଣର ନିଆଁ,
କେମିତି ସେ ଅଭିମାନରେ ଗାଲେଇ
ଶୋଇଛି
ପ୍ରଶାନ୍ତିର ନିଦ୍ରା ଧରି ସ୍ଵର୍ଗଦ୍ଵାରରେ ।
ବିପୁଳ ଆକର୍ଷଣର ଆଧାର ସେ ।
ହାଏରେ !
ତା ଆୟୁଷ ଚୋରି କରି
ବିଧାତା ମଧ୍ୟ ଶୋଭା ବଢ଼ାଉଛି
ନିଜର ବୈକୁଣ୍ଠ ଭବନରେ…।
