ଆଧୁନିକତା – ବୀର କିଶୋର ନାୟକ

ଲେଖକ ପରିଚୟ

ବୀର କିଶୋର ନାୟକ
ଖଣ୍ଡବନ୍ଧ, ଢେଙ୍କାନାଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆଧୁନିକତାର ପରଶେ ହୋଇଛି
ଜୀବନର ଧାରା ନୂଆ,
ପୁରୁଣାର ଯେତେ ମହକ ଥିଲେ ବି
ଅତୀତେ ଡୁବିଛି ତାହା |
ଯୁଗ ଉପଯୋଗୀ ବଞ୍ଚିବାର ଶୈଳୀ
ମଣିଷ ନେଉଛି ବାଛି,
ନହେଲେ ସମାଜ ସମାଲୋଚନାରେ
କହିବ ପଛୁଆ ଅତି |
ପୁରୁଣା ସଂସ୍କୃତି ଗୌରବ ମଣ୍ଡିତ
ହେଲେ ବି ଆଦର ନାହିଁ,
ପାଶ୍ଚାତ୍ୟ ଚଳଣି ସୁନ୍ଦର ଲାଗୁଛି
ଉପର ଚିକ୍କଣ ହୋଇ |
ଚୁଡା, ମୁଢି, ଗୁଡ଼ ଜଳଖିଆ ଭାବେ
ହୁଏନାହିଁ ବ୍ୟବହାର,
ବଦଳରେ ତାର ମାଗି, ଇପି ଆଦି
ଖାଦ୍ୟ ସବୁ ଚାଇନାର |
ସନ୍ଧ୍ୟା ଆସିଗଲେ ଭିଡ଼ ଲାଗିଯାଏ
ଫାଷ୍ଟଫୁଡ ଦୋକାନରେ,
ଚିକେନ ପକୋଡା,ଲଲିପପ ଆଉ
ଅଣ୍ଡାରୋଲ ମଜ୍ଜା ଭରେ |
ଝିଅ ମାନେ ସବୁ ପୋଷାକ ପିନ୍ଧନ୍ତି
ଯାହା ଲୁଚାଏନି ଲାଜ,
ପିନ୍ଧିବାକୁ ବାଧ୍ୟ ନହେଲେ କହିବେ
ମଫୁ ହୋଇଅଛି ସଜ |
ନମସ୍କାର ଆଉ ଲୋଡ଼ା ହେଉନାହିଁ
ହାଏ, ବାଏ, ହାଲୋ ଚଳେ,
ମାମ, ଡାଡ଼ ଡାକ ଶୁଣି ଖୁସି ଲାଗେ
ମାଆ, ବାପା ଭୁଲିଗଲେ |
ସବୁ ସହରର ଉଦ୍ୟାନେ ଭ୍ରମନ୍ତି
ପୁଅଝିଅ ଯୋଡି ଯୋଡି,
ଲୋକ ଗହଳିରେ ପ୍ରୀତି ଛୁଆଁ କେତେ
ପଡେ ନାହିଁ ତାଙ୍କୁ ମାଡି |
ଆଧୁନିକତାର ନାମରେ ଭୁଲୁଛି
ମଣିଷ ସାମାଜିକତା,
ବାହାଘର ପରେ ଜାଣନ୍ତି ଖବର
ଆଜିକାଲି ପିତା ମାତା |
ସ୍ନେହ ଶରଧାର ଦିନ ଆଉ ନାହିଁ
ସବୁ ସ୍ୱାର୍ଥର ସାରଥୀ,
ପାପ ପୂଣ୍ୟ କଥା ପୁରାଣ ଶାସ୍ତ୍ରରେ
ଗଲାଣି ତ ଧିରେ ଲୁଚି |
ଆଧୁନିକତା ତ ସାରା ଦୁନିଆରେ
ଦେଲା ନୂଆ ରଙ୍ଗ ଭରି,
ଲାଭ, କ୍ଷତି କିଛି ବିଚାର ନକରି
ନେଲେଣି ନିଜର କରି |

ଖଣ୍ଡବନ୍ଧ, ଢେଙ୍କାନାଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ