ଶ୍ରୀରାଧାରାଣୀଙ୍କ ଶକ୍ତି – ପ୍ରମୋଦ କୁମାର ମହାନ୍ତି

ଲେଖକ ପରିଚୟ

ପ୍ରମୋଦ କୁମାର ମହାନ୍ତି
କଟକ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବ୍ରଜଭୂମି ପରେ କଲା ଇନ୍ଦ୍ର ଅନର୍ଗଳ ବର୍ଷା
ରାଜ୍ୟବାସୀଙ୍କ ପାଇଁ ଆଣିଦେଲା ଦୁଃଖ ଦୁର୍ଦ୍ଦଶା
ସହି ନପାରି ଟେକିଲେ କୃଷ୍ଣ ଗିରି ଗୋବର୍ଦ୍ଧନ
ଇନ୍ଦ୍ର ଅହଙ୍କାର ନାଶ ହେଲା ଦର୍ପ ତା’ ଦମନ ll

ଏଥି ଉତ୍ତାରେ ବ୍ରଜମଣ୍ଡଳେ ଆନନ୍ଦ ଉତ୍ସବ
ମଥୁରା ବୃନ୍ଦାବନ ଗୋପବାସୀ ପୁଲକେ ସର୍ବ
ବାଳଗୋପାଳ କୃଷ୍ଣଙ୍କ ସାରା ରାଜ୍ୟେ ଜୟକାର
ଧରଣୀ ହସିଲା ପ୍ରାଣ ଖୋଲି, ମୁଗ୍ଧ କୃଷ୍ଣସାର ll

ଗୋପୀ-ଗୋପିକା ସଭିଏଁ ହେଉଥିଲେ ଉଚ୍ଚାଟନ
ମୁଗ୍ଧ ହୋଇ କରୁଥିଲେ ନନ୍ଦସୁତ ଗୁଣଗାନ
ଏମିତି ଚମତ୍କାର ତ କେବେ ଆଖି ଦେଖିନାହିଁ
ଆବାଳବୃଦ୍ଧବନିତା ହେଉଥାନ୍ତି କୁହାକୁହି ll

ଅଦୂରେ କଳହେ ଲିପ୍ତ ମଧୁମଙ୍ଗଳ ଲଳିତା
ସାରା ସଂସାର କହେ ସିନା କୃଷ୍ଣ ଜଗତଜିତା
ମଧୁମଙ୍ଗଳ କହେ ସବୁତ କାହ୍ନା କରାମତି
ଲଳିତା କାଟଇ କଥା କହେ: ଏ ତ ଚାଟୁଗୀତି ll

ରାଧା ବିନା କୃଷ୍ଣ ଅଧା, ଶକ୍ତିହୀନ ଖାଲି ସିନା
କୃଷ୍ଣ ନାମେ କାହିଁ ଉଡାଉଛ ବିଜୟର ବାନା
ବାହ୍ୟଦୃଷ୍ଟିରେ ଦୃଶ୍ୟମାନ କୃଷ୍ଣଙ୍କ ଚମତ୍କାର
ହେଲେ ଅନ୍ତର୍ଦୃଷ୍ଟିରେ ଏସବୁ ରାଧାରାଣୀଙ୍କର ll

କ୍ରୋଧିତ ସେ ମଧୁମଙ୍ଗଳ କହେ: ଦେ’ ତୁ ପ୍ରମାଣ
ଜିତିଲେ ଲଳିତା କାଟିବି ଚୁଟି ଖାଉଛି ରାଣ
କହୁ ତୁ କେମିତି ଅସଣ୍ଠଣା ନିଆଁଗିଳା କଥା
ତୋ ଅଭିଲା କଥା ଶୁଣି ମୋର ଘୁରିଯାଏ ମଥା ll

ଉଛ୍ୱସି କହେ ଲଳିତା: ଶୁଣରେ ମଧୁମଙ୍ଗଳ
ରାଧାରାଣୀଙ୍କ ଗାଥା ଶୁଣି ହେବ ତୋ ମଙ୍ଗଳ
କହ ତ ଗୋବର୍ଦ୍ଧନ ଟେକିଲେ କୃଷ୍ଣ କେଉଁ ଅଙ୍ଗେ
କହିଦେବି ମଞ୍ଜ କଥା ଉତ୍ତର ତୁ ଦେଲେ ବେଗେ ll

କିଞ୍ଚିତ ଶଙ୍କିତ ମଧୁମଙ୍ଗଳ କହେ ବଚନ
ତମେ ସବୁ ଗୋପିକାଙ୍କ ମନେ ଖୁନ୍ଦା ଅଭିମାନ
ବାମହାତ କନିଷ୍ଠାଙ୍ଗୁଳିରେ ଟେକିଲେ ସେ ଗିରି
‘ଲୋ ଲଳିତା! ଆମ କାହ୍ନା ସଙ୍ଗେ କିଏ ହେବ ସରି? ll

ସ୍ମିତହାସେ କହେ ଲଳିତା: ହଁ ସେଇଠି ତ ମଞ୍ଜ
ବାମ ଅଙ୍ଗ କେବଳ ଶକ୍ତିର, ଵିଧିର ଏ ଖଞ୍ଜ
କୃଷ୍ଣଙ୍କ ବାମ ଅଙ୍ଗେ ଶ୍ରୀରାଧା ଶକ୍ତି ରୂପେ ରହି
କନିଷ୍ଠାଙ୍ଗୁଳିରେ ନିମିଷେ ଗିରି ଦେଲେ ଉଠେଇ ll

କୃଷ୍ଣଙ୍କ ନିଜସ୍ୱ ଦକ୍ଷିଣାଙ୍ଗ, ବାମ ଶକ୍ତି ରୂପୀ
ରାଧାରାଣୀ ରୂପେ ଏକ-ଅଭିନ୍ନ ଚାହାଁ ନିରେଖି
ଯଦି ଆହୁରି ସଂଶୟ ଅଛି ଦେଖ ସଦାଶିବ
‘ଅର୍ଦ୍ଧନାରୀଶ୍ୱର’ ରୂପେ ତାଙ୍କ ଅଖଣ୍ଡ ଗୌରବ ll

ଲଳିତାର ବ୍ୟାଖ୍ୟା ଶୁଣି ମଧୁମଙ୍ଗଳ ଚକିତ
ଏମିତି ବଳିଷ୍ଠ ଯୁକ୍ତି ନିଶ୍ଚେ ପ୍ରଶଂସାର ପାତ୍ର
ମୁହଁରେ ତୋଡ ସିନା ହୃଦୟେ କଲା ସେ ଗ୍ରହଣ
“ଜୟ ଶ୍ରୀରାଧାକୃଷ୍ଣ” କହି କଲା କେତେ ଜଣାଣ ll

କୃଷ୍ଣ ଖାଲି ରାଧାମୟ, କୃଷ୍ଣମୟ ରାଧା
ଶକ୍ତି ବିନା ବ୍ୟକ୍ତି ଖାଲି ରହିଥାଏ ଅଧା
ଇତି କଲି ଶ୍ରୀରାଧାରାଣୀଙ୍କ ଉପାଖ୍ୟାନ
ହୃଦୟର ସହ ସର୍ବେ କରିବ ପଠନ ll


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ