ଅଣୁଗଳ୍ପ – ଭଡାଘର – ସୁନନ୍ଦା ମହାନ୍ତି

ଲେଖକ ପରିଚୟ

ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ, ପୁରୀ | ସଦ୍ୟ ପୋଷ୍ଟ

କେହି ଜଣେ ସହକର୍ମୀ କହିଥିବାର ମନେପଡେ, ଯିଏ ସବୁଠୁ ଚାଲାକ, ସେ ନିଜେ ଧନବଳ, ଜନବଳ ଓ ପରିଶ୍ରମବଳ ଖଟେଇ ନିଜେ ଘରଟେ ନକରି, ଅନ୍ୟର ଘରକୁ ଭଡାଘର ରୂପେ ବ୍ୟବହାର କରି ସୁଖ ସ୍ଵାଚ୍ଛନ୍ଦ୍ୟ ରେ ସମୟ ଅତିବାହିତ କରିଦିଏ । ପ୍ରକୃତରେ କେଡେ ସତକଥା ଟିଏ, ଯାହା ମର୍ମେ ମର୍ମେ ଅନୁଭବ କରୁଛନ୍ତି ଅନୁଭବ ଦାସ ଓ ଶେଫାଳୀ ଦାସ । ସ୍ୱାମୀ ସ୍ତ୍ରୀ ଦୁହେଁ ଘର କରି କରି ନୟାନ୍ତ । ଆଉ ଭଡା ରଖି କର୍ଦ୍ଦମାକ୍ତ, ଏଇଥିପାଇଁ କି ଆଜି ଅମୁକ ଭାଙ୍ଗିଲା, କାଲି ସମୁକ ଲଗାଅ, ଆଜି ଲାଟିନରେ ପାଣି କାହିଁକି ଯାଉନି ତ କାଲି ନୂଆ ପାଣିପମ୍ପ କିଣି ରଖ । ଏସବୁ ଦାସ ଦମ୍ପତ୍ତିଙ୍କ କୋଉ ନଇପାରିଲା ପଣିଆ କେଜାଣି ! ଶାଳୀମାନେ କୁହନ୍ତି, ଭାଇଙ୍କୁ ନିଦା ବିଷ୍ଣୁ ଦେଖି ଭଡାଟିଆ ସବୁ ଏମିତି କହୁଛନ୍ତି । ନହେଲେ ମେଣ୍ଟେନାନ୍ସତ ଭଡାଟିଆଙ୍କର ହେବା କଥା । ଶଳାମାନେ କୁହନ୍ତି, ଲୋକଙ୍କୁ ଉପରଧ କଲେ ଏମିତି । କଥାରେ ନାହିଁ, “ଉପରଧ କଲେ କୁକୁରକୁ, କୁକୁର ମୁତଇ ଉପରକୁ ” ।

ହତାଶିଆ ଦମ୍ପତ୍ତି ଶେଷକୁ ଘର ତୋଳା କଥା କହି ଭଡାଟିଆଙ୍କୁ କାଢ଼ିବାରେ ସମର୍ଥ ହେଲେ ସତ, ହେଲେ ଏତେ ଘରଦ୍ୱାରର ଯତ୍ନ ତଥା ରକ୍ଷଣା ବେକ୍ଷଣ ଯେ ଅସମ୍ଭବ, ଏହା ବି ବୁଝିଥିଲେ । ଏକ ନୂଆ ପ୍ରସ୍ତାବ ଆସିଲା, କୌଣସି ଏକ ବ୍ୟାଙ୍କ ଘରଭଡା ନେବାର ଖବର ମିଳିଲା । ଦାସ ଦମ୍ପତ୍ତି ଭାବିଲେ ବ୍ୟାଙ୍କବାଲା ନେଲେ ଅସୁବିଧା ନାହିଁ, କାରଣ ସେମାନେ ତାଙ୍କ ସୁବିଧା ଅନୁଯାୟୀ ସବୁ ସଜାଡିନେଇ ରହିବେ । ତା ଛଡ଼ା, ପାଣି, ଇଲେକ୍ଟ୍ରିକ, ଲାଟିନ ର ସଦୁପଯୋଗ ଠିକଠାକ ହୋଇ ପାରିବ । ଅଳିଆ ଅସନା ନହୋଇ ଘର ବି ସ୍ଵଛ ରହିପାରିବ । ଦୁହେଁ ରାଜି ହୋଇଗଲେ । କିନ୍ତୁ ବ୍ୟାଙ୍କର ସର୍ତ୍ତ ଥିଲା ଭିନ୍ନ । ଘରେ ଆଉ କେହି ମଣିଷ ରହିପାରିବେ ନାହିଁ । ଯେତେ ସ୍ୱତନ୍ତ୍ର ଓ ସ୍ଵାତନ୍ତ୍ରତା ଥିଲେ ବି ସମ୍ପୂର୍ଣ୍ଣ ଖୋଲାଘର ଆବଶ୍ୟକ । ଦାସ ଦମ୍ପତ୍ତି ନିଜେ ରହିବା ପାଇଁ ଘରଭଡା ଖୋଜୁଥିଲେ । ପୁଅ ଝିଅ ଦୁହେଁ ତ ବିଦେଶରେ । ସେହି ସହକର୍ମୀଙ୍କ କଥା ମନେପକାଇ ଦୁହେଁ ଏଵେ ଭଡ଼ାଘରେ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ