ରଙ୍ଗମଞ୍ଚ – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଦୁନିଆର ଏହି ରଙ୍ଗମଞ୍ଚଟିରେ
ମୁଁ ସ୍ୱାର୍ଥୀ ମଣିଷଟିଏ,
ଯିଏ ଯେତେ ମୋ’ର ଉପକାର କଲେ
ଧନ୍ଯବାଦ ବି ନ ଦିଏ l

ଯିଏ ମୋତେ ଏହି ସଂସାରେ ଆଣିଲେ
କେତେ ଆପଣାର ହୋଇ,
ତାଙ୍କୁ ନିୟମିତ ନିନ୍ଦା ମୁଁ କରୁଛି
ଅପବାଦ ଦ୍ୱାହି ଦେଇ l

ଭଲକୁ ଭୁଲି ମୁଁ ମନ୍ଦ ପଥେ ଗମି
ହୁଏ ଯେବେ ହନ୍ତସନ୍ତ,
ସ୍ରଷ୍ଟାଙ୍କୁ ନିନ୍ଦି ମୁଁ ଦୋଷ ଦେଇ କହେ
ଦୁଃଖ ଦେଲ ଅପ୍ରମିତ l

ଜନ୍ମରୁ ଏ ଯାଏ କେମିତି ବଞ୍ଚିଛି
କେଉଁଠୁ ଭକ୍ଷେ ଆହାର,
ଛୋଟରୁ ବଡ଼ ମୁଁ ହୋଇଛି କେମିତି
କରେନା ତା’ର ବିଚାର l

ଭଲ ବେଳାରେ ମୁଁ ଭ୍ରୂକ୍ଷେପ କରେନା
ନିଜକୁ ମୁଁ ଶ୍ରେଷ୍ଠ ମଣେ,
ପୋକମାଛି ସମ ଦେଖେ ସମସ୍ତଙ୍କୁ
ଭାବେ ମୁଁ ସଂସାରେ ଜଣେ l

ଗର୍ବେ ହୋଇ ମତ୍ତ କହେ ମୋର ଚିତ୍ତ
ମୋ’ ବାହୁ ବଳରେ ମୁହିଁ,
ଅମାପ ସମ୍ପଦ କରିଅଛି ଠୁଳ
ମୋ’ ସମକକ୍ଷ କେ’ ନାହିଁ l

ଭୁଲିଯାଏ ମୁହିଁ ଧରମ କରମ
ମଙ୍ଗଳମୟଙ୍କ ସତ୍ତା
ଏ ରଙ୍ଗମଞ୍ଚର ନିର୍ଦ୍ଦେଶକ କିଏ
କିଏ ସେ ଭାଗ୍ୟବିଧାତା ?

ଦୁଃଖ ବେଦନାର ସ୍ଥିତି ପରିସ୍ଥିତି
ଆସିଲେ ଜୀବନେ ମୋର,
କାହିଁକି ହେ ପ୍ରଭୁ ! ଏତେ ଦୁଃଖ ଦେଲ
ବୋଲି ମୁଁ କରେ ଚିତ୍କାର l

କାହା ପାଇଁ ପ୍ରକୃତିର ନିକେତନେ
ରୋମାଞ୍ଚିତ ପ୍ରାଣ ମୋର,
ବୁଝିବା ବେଳକୁ ସବୁ ସରିଯାଏ
ଖାଲି ହୁଏ ନାରଖାର l

ତଥାପି ପ୍ରଭୁଙ୍କ ଅସୀମ କରୁଣା
ନ ଧରି ଦୋଷ ମୋହର,
ଚରଣାରବିନ୍ଦେ ଶରଣ ଦିଅନ୍ତି
ପରଂବ୍ରହ୍ମ ପରାତ୍ପର ll

କୁମୁଦିନୀ ବେହେରା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ