ସମ୍ପର୍କର ଗଭୀରତା – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜୀବନର ସଞ୍ଜେ ନିତ୍ୟ ରାସକୁଞ୍ଜେ
ମୁଁ ତୁମ ଅଭିସାରିକା,
ଅନାବିଳ ତୁମ ପ୍ରେମ ଆଲିଙ୍ଗନେ
ସଜାଅ ହେ ! ଚିତ୍ରଲେଖା !
ପ୍ରୀତି ଭାବନା
ଶିହରାଏ ତନୁମନ
ଅଳପ ବୟସୀ ରୂପସୀ ଅୟସୀ
ଭାବେ ହୁଅଇ ଉଚ୍ଛନ୍ନ l

ଶାଶ୍ୱତ ପ୍ରେମରେ ଉଛୁଳି ପଡଇ
ଦୁହିଁଙ୍କ ସମ୍ପର୍କ ସେତୁ,
କେତେ ଜନ୍ମ ପୁଣ୍ୟ ଫଳେ ଗଢ଼ିଅଛି
ଆମରି ସଂକଳ୍ପ ହେତୁ !
ହୃଦ ଅଙ୍ଗନେ
ଜୋଛନା ଲହରି ଖେଳେ
ଝରା ଶେଫାଳିର ଭରା ମହକରେ
ପ୍ରୀତିର ପୀୟୂଷ ଢାଳେ l

ଭାବୁ ; ଏ ସଂସାର ଆମକୁ ଅସାର,
ଆମେ ଦୁହେଁ ସଖୀ, ସଖା,
ଜନ୍ମ ଜନ୍ମ ପାଇଁ କାହାରିକୁ କେହି
କରିବାନି ଅଣଦେଖା !
ପୁଲକ ତୋଳେ
ଚିର ଆକାଂକ୍ଷାର ସ୍ଵପ୍ନ
ସ୍ପନ୍ଦିତ ହୃଦୟେ ବିଦଗ୍ଧ ଯନ୍ତ୍ରଣା
କଳ୍ପେ ପ୍ରୀତି ସମ୍ମୋହନ l

ଜାଣିବ ଜଗତ ଆମରି ପବିତ୍ର
ସମ୍ପର୍କର ଗଭୀରତା,
ଦୁଇଟି ଶରୀର ଏକ ଆତ୍ମା ହୋଇ
କେମିତି ଗାଆନ୍ତି ଗାଥା !
କୋଟି ମାଧୁର୍ଯ୍ୟ
ମୁଗ୍ଧ ମୂରତିରେ ଭରା
ଭିଜାଭିଜା ରାସେ ମଲ୍ଲିକାର ବାସେ
ଭାବ ହେବ ଅପାସୋରା l

ଧନ୍ୟ ହୋଇଯିବ ଦୁଇଟି ଜୀବନ
ଲଭି ପ୍ରଭୁ କୃପାଭିକ୍ଷା,
ସେ ପୁଣ୍ୟ ଗାଥାକୁ ଉତ୍ତର ପିଢିଙ୍କୁ
ବାଣ୍ଟି ଦେବା ମହାଶିକ୍ଷା !
ଶତ ଜଞ୍ଜାଳୁ
ସପନ ଦିହୁଡି ଜାଳି
ଭାବ ସମନ୍ଵିତ ପ୍ରୀତି ରସାମୃତ
ଦେବା ଜଗତକୁ ତୋଳି ll

କୁମୁଦିନୀ ବେହେରା, ଅନୁଗୋଳ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ