ଦାର୍ଢ୍ୟତାଭକ୍ତି କଥାମୃତ – ସତ୍ୟବତୀ ମାଧବାଚାର୍ଯ୍ୟ ସମ୍ବାଦ – ଘନଶ୍ୟାମ ସାହୁ

ଲେଖକ ପରିଚୟ

ଘନଶ୍ୟାମ ସାହୁ
ଆଠମଲ୍ଲିକ ରୋଡ, ବଇଣ୍ଡା, ଅନୁଗୋଳ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

“ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ହରେରାମ ହରେରାମ ରାମ ରାମ ହରେ ହରେ ”

ନଦିଆ ନଗରୀ ସୁମଧୁର ହରେକୃଷ୍ଣ ମହାମନ୍ତ୍ର ସହିତ ଖୋଳ ତାଳ ର ଝଙ୍କାର ମିଶ୍ରିତ ହୋଇ ଦିବ୍ୟ ଭାବ ପ୍ରେମ ରେ ଝଙ୍କୃତ ହୋଇ ଉଠିଥିଲା ସେଦିନ । ମହାପ୍ରଭୁଙ୍କ ଅବତାର ନେଇ ଜନସମାଜରୁ କଳ୍ମଷ ଦୂର କରି ନାମ ପ୍ରେମର ଭକ୍ତି ତରଙ୍ଗିଣୀ ରେ ଅବଗାହନ କରାଇବା ସକାଶେ ଶ୍ରୀ ଚୈତନ୍ୟ ଭକ୍ତ ମାନଙ୍କୁ ନେଇ ସଂକୀର୍ତ୍ତନ ଆରମ୍ଭ କରି ଦେଇଥିଲେ ।ସେଇ ସୁମଧୁର ସଂକୀର୍ତ୍ତନ ଧ୍ୱନି ରେ ଆକୃଷ୍ଟ ହୋଇ ପୁର ନରନାରୀ ଧୀରେ ଧୀରେ ସମ୍ମିଳିତ ହେବାକୁ ଲାଗିଲେ ।ମାଧବାଚାର୍ଯ୍ଯ ବା ସେଥିରୁ ବାଦ୍ ପଡନ୍ତେ କିପରି ? ପବିତ୍ର ଗଙ୍ଗା ନଦୀର କୂଳରେ ଅବସ୍ଥିତ ନଦିଆର ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମାଧବାଚାର୍ଯ୍ଯ । ପିଲାଟି ଦିନରୁ ସେ ଶ୍ରୀକୃଷ୍ଣ ଭକ୍ତି ପ୍ରେମରେ ନିଜକୁ ମଜ୍ଜାଇ ରଖିଥିଲେ । ଧର୍ମପତ୍ନୀ ସତ୍ୟବତୀ ସ୍ୱାମୀ ଙ୍କ ଏକାନ୍ତ ଅନୁଗାମିନୀ ହୋଇ ପାରିଥିଲେ ।ସାଧୁସନ୍ଥ, ଅତିଥି ଅଭ୍ଯାଗତଙ୍କୁ ଦେବତା ଜ୍ଞାନ କରି ଦୂଇପ୍ରାଣୀ ଚର୍ଚ୍ଚା କରୁଥିଲେ ।ପତିପରାୟଣା ସତ୍ୟବତୀ ଏ ପୂଣ୍ୟ କାର୍ଯ୍ୟ ରେ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ସେଦିନର କଥା ସେ ଜୀବନର ଶେଷ ପର୍ଯ୍ୟନ୍ତ ଭୁଲି ପାରି ନଥିଲେ। ସେଦିନ ସ୍ବାମୀ ମାଧବାଚାର୍ଯ୍ଯ ପ୍ରଭୁଙ୍କ ଅବତାର ଶ୍ରୀ ଚୈତନ୍ୟ ନିଆଁରେ ପଦାର୍ପଣ କରିବା କଥା ପତ୍ନୀ ସତ୍ୟବତୀ ଙ୍କୁ କହିଥିଲେ ।ନଗର କୀର୍ତ୍ତନର ଆୟୋଜନ ହେଉଥିବାରୁ ଶୀଘ୍ର ରନ୍ଧନ କାର୍ଯ୍ୟ ସମ୍ପନ୍ନ କଲେ ଶ୍ରୀ ଚୈତନ୍ୟ ଙ୍କ ଚରଣ ଧୂଳି ନେବାପାଇଁ ସାଥୀ ହୋଇ ଯିବାପାଇଁ ସ୍ଥିର କଲେ । ଏହି ସମୟରେ ସଂକୀର୍ତ୍ତନ୍ଯ ଧ୍ୱନି ଶୁଣି “ମୁଁ ଦେଖି ଆସୁଛି ” କହି ସେ ଘରୁ ବାହାରି ଚାଲିଗଲେ ।

ସ୍ତ୍ରୀ ସତ୍ୟବତୀ ଏକୋଇର ବଳା ବିଶିକେଶନ ପ୍ରାଣାଧିକ ଛଅ ମାସର ଶିଶୁ ପୁତ୍ରକୁ କୋଳରେ ଧରି ରନ୍ଧନ କାର୍ଯ୍ୟ ରେ ମନୋନିବେଶ କଲେ । ଏହି ସମୟରେ ସଂକୀର୍ତ୍ତନ୍ଯ ର ସ୍ୱର କ୍ରମେ କ୍ରମେ ତୀବ୍ର ହେବାକୁ ଲାଗିଲା । ଶ୍ରୀ ହରିଙ୍କ ଲୀଳାମୃତ କୁ ନାମ ସଂକୀର୍ତ୍ତନ୍ଯ ମାଧ୍ୟମରେ ଶ୍ରବଣ କରି ପୁର ନରନାରୀ ନିଜ ନିଜକୁ ଧନ୍ୟ ଧନ୍ୟ ମନେ କଲେ ।ପ୍ରଭୁ ଶ୍ରୀ ଚୈତନ୍ୟ ଙ୍କ ଦିବ୍ଯ ଭକ୍ତି ଭାବରେ ଜନତା ଖୋଳ ତାଳ ସହ ଉଦ୍ଦଣ୍ଡ କୀର୍ତ୍ତନ କରିବାକୁ ଲାଗିଲେ । ଏତେ ସୁମଧୁର ଦିବ୍ୟ ପ୍ରେମ ଭାବର ସଂକୀର୍ତ୍ତନ୍ଯ ଶୁଣି ଦେହ ଜ୍ଞାନ ଭୁଲିଯିବା ବିଚିତ୍ର କିଛି ନଥିଲା । ପତ୍ନୀ ସତ୍ୟବତୀ ସ୍ୱାମୀ ଙ୍କ ପାଇଁ ଶୀଘ୍ର ରନ୍ଧନ ଶେଷ କରି ସଂକୀର୍ତ୍ତନ୍ଯ ମଣ୍ଡଳୀ ନିକଟକୁ ଯାଇ ପ୍ରଭୁ ଶ୍ରୀ ଚୈତନ୍ୟ ଙ୍କ ଶରଣାପନ୍ନ ହେବାକୁ ମନ ସ୍ଥିର କରି ହାତ ଚଞ୍ଚଳ କଲେ । ହେଲେ ମନ ଯାଇ ନଦିଆ ନଗରୀର ରାଜରାସ୍ତାରେ ।ଭାବ ଭକ୍ତି ବିହ୍ୱଳିତା ସତ୍ୟବତୀ ଆତ୍ମବିସ୍ମୃତ ହୋଇ ପଡିଲେ । ନିଜ ସ୍ଥିତି ଭୁଲିଯାଇ କେତେ ବେଳ ପର୍ଯ୍ୟନ୍ତ ସେ ତାଳି ମାରି କୀର୍ତ୍ତନର ତାଳେ ତାଳେ ନୃତ୍ୟ କରିବାକୁ ଲାଗିଲେ ଜାଣି ପାରିଲେ ନାହିଁ । ସ୍ୱାମୀ ମାଧବାଚାର୍ଯ୍ଯ ମଧ୍ୟାହ୍ନ ଭୋଜନ ସମୟ ହୋଇ ଯାଇଥିବାରୁ ଶୀଘ୍ର ଗୃହକୁ ଫେରି ପତ୍ନୀ ଙ୍କ ଆଚରଣ ଏବଂ ପାରିପାର୍ଶ୍ବିକ ଅବସ୍ଥା ଦେଖି ସ୍ତମ୍ଭୀଭୂତ ହୋଇ ପଡିଲେ । ଚାରିଆଡ଼େ ରକ୍ତର ଛିଟା । ସେ ପତ୍ନୀଙ୍କର ବାହୁଧରି ହଲାଇବାକୁ ଲାଗିଲେ । ପତ୍ନୀ ସତ୍ୟବତୀ ପ୍ରକୃତିସ୍ଥ ହେଲା ବେଳକୁ ସବୁ କିଛି ଶେଷ ହୋଇ ସାରିଥିଲା । ସଂକୀର୍ତ୍ତନ୍ଯ ର ସୁମଧୁର ତାନ ତଥା ଭକ୍ତି ଭାବରେ ସେ ଦେହ ଜ୍ଞାନ ହରାଇ ତୁମ୍ବଫଳ ବଦଳରେ ଭୁଲ୍ ରେ ନିଜ କୋଳରେ ଧରି ଥିବା ଶିଶୁ ପୁତ୍ର କୁ ଖଣ୍ଡ ଖଣ୍ଡ କରି କାଟି ରନ୍ଧନ ପାତ୍ରରେ ଢାଳି ଦେଇଛନ୍ତି ବୋଲି ଜାଣି ପାରିଲେ । ନିଜକୁ ଧୀକ୍କାର କରି ମୁଣ୍ଡ ବାଡେଇ କାନ୍ଦି କାନ୍ଦି ଅଚେତ ହୋଇ ପଡିଲେ । ପଡିଶା ସ୍ତ୍ରୀଲୋକ ମାନଙ୍କୁ ପତ୍ନୀ ଙ୍କ ଦାୟିତ୍ଵ ଦେଇ ନିଜେ ରନ୍ଧନ ପାତ୍ରକୁ ଧରି ନାମ ସଂକୀର୍ତ୍ତନ୍ଯ ସ୍ଥାନ ର ମଧ୍ୟ ଭାଗରେ ରଖି ଦେଇ ପୁତ୍ର କୁ ବାହୁନି କାନ୍ଦିବାକୁ ଲାଗିଲେ । ମାଧବାଚାର୍ଯ୍ଯ କାନ୍ଦି କାନ୍ଦି ଶ୍ରୀ ଚୈତନ୍ୟ ଙ୍କୁ ହାତଯୋଡି ଗୋଟି ଗୋଟି ସବୁ ଘଟଣା ବର୍ଣ୍ଣନା କଲେ ।ମାଧବାଚାର୍ଯ୍ଯଙ୍କ ପତ୍ନୀ ସତ୍ୟବତୀ ଙ୍କର ବିରଳ ଶୁଦ୍ଧ ଭକ୍ତି ଭାବ ପ୍ରଭୁ ଶ୍ରୀ ଚୈତନ୍ୟ ଙ୍କ ସହିତ ଉପସ୍ଥିତ ନାମପ୍ରେମୀ ଭକ୍ତଗଣ ଙ୍କୁ ବିସ୍ମିତ କରିଥିଲା । ଶ୍ରୀ ଚୈତନ୍ୟ ଙ୍କ ପରାମର୍ଶକ୍ରମେ ଏକ ଶୋଭାଯାତ୍ରାରେ ଅଣାଗଲା ଭକ୍ତ ସତ୍ୟବତୀ ଙ୍କୁ ।

ଉଭୟେ ପତିପତ୍ନୀ ଶ୍ରୀ ଚୈତନ୍ୟ ଙ୍କ ପାଦତଳେ ଲମ୍ବ ହୋଇ ପଡ଼ି ରହିଲେ । ତାଙ୍କ ପରାମର୍ଶ କ୍ରମେ ଉପସ୍ଥିତ ସମଗ୍ର ଜନତା ହରିବୋଲ ଦେବା ସହିତ ଜୟ ଶ୍ରୀ କୃଷ୍ଣ ଧ୍ୱନି ଦେବାକୁ ଲାଗିଲେ । ସମସ୍ତଙ୍କର ମନ ମାଧବାଚାର୍ଯ୍ଯ ଆଣିଥିବା ରନ୍ଧନ ପାତ୍ର ଉପରେ କେନ୍ଦ୍ରୀଭୂତ ହୋଇଥିଲା । ସମସ୍ତେ ଧ୍ୱନି ଦେବା ସହିତ ଅପେକ୍ଷା କରି ରହିଥିଲେ କିଛି ଗୋଟିଏ ଆଧ୍ୟାତ୍ମିକ ଚମତ୍କାରିତାକୁ । ଶ୍ରୀ ଚୈତନ୍ୟ ଏକ ପରିଷ୍କାର କପଡ଼ା ଆଚ୍ଛାଦିତ କଲେ ରନ୍ଧନ ପାତ୍ରକୁ । ଜୟ ଶ୍ରୀ କୃଷ୍ଣ ଏବଂ ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ନଦିଆ ନଗରୀ । ଶ୍ରୀ ଚୈତନ୍ୟ ମନେ ମନେ ସ୍ମରଣ କଲେ ମହାପ୍ରଭୁ ଶ୍ରୀ ହରି ଙ୍କୁ । କିଛି ସମୟ ପରେ ହଠାତ୍ ଆଚ୍ଛାଦିତ ହୋଇଥିବା ରନ୍ଧନ ପାତ୍ର ର କପଡ଼ା ସହିତ ପାତ୍ର ଆନ୍ଦୋଳିତ ହେବାକୁ ଲାଗିଲା । ଉପସ୍ଥିତ ଜନତା ନିର୍ବାକ୍ ହୋଇଗଲେ । ହରିବୋଲ ଜୟ ଶ୍ରୀ କୃଷ୍ଣ ଧ୍ୱନି ବନ୍ଦ ହୋଇଗଲା । ଠିକ୍ ଏହି ସମୟରେ ରନ୍ଧନ ପାତ୍ର ମଧ୍ୟରୁ ଏକ ଶିଶୁର କ୍ରନ୍ଦନ ଧ୍ବନି ଶୁଣିବାକୁ ମିଳିଲା ।”ନିଅ ମା ,ତୁମର ଶିଶୁ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ କୃପାରୁ ଶିଶୁ ଟି ଜୀବନ୍ୟାସ ପାଇ ଯାଇଛି ।ଧନ୍ଯ ସତ୍ୟବତୀ ।ଧନ୍ଯ ତୁମର ପ୍ରଭୁଭକ୍ତି ।” ଶ୍ରୀ ଚୈତନ୍ୟ ଙ୍କ ନିର୍ଦ୍ଦେଶରେ ସତ୍ୟବତୀ “ମୋ ଧନ ,ମୋ ସଙ୍ଖାଳି “କହି ପାତ୍ର ମଧ୍ୟରୁ ନିଜ ଶିଶୁ ପୁତ୍ରକୁ କୋଳରେ ଧରି ବାରମ୍ବାର ଚୁମ୍ବନ ଦେବାକୁ ଲାଗିଲେ । କୃତଜ୍ଞତାର ଅଶ୍ରୁ ବିଗଳିତ ହେଲା ଉଭୟ ପତିପତ୍ନୀ ଙ୍କର । ଶ୍ରୀ ଚୈତନ୍ୟ ଙ୍କ ପାଦତଳେ ବାରମ୍ବାର ପ୍ରଣାମ କରିବାକୁ ଲାଗିଲେ ସେ ଦୁହେଁ । ଉପସ୍ଥିତ ଜନତା ଜୟ ଶ୍ରୀ କୃଷ୍ଣ ଜୟ ଶ୍ରୀ ଚୈତନ୍ୟ ଧ୍ୱନି ଦେବାକୁ ଲାଗିଲେ ।ବିରଳ ଶୁଦ୍ଧ ଭକ୍ତି ଭାବର ଅପୂର୍ବ ନିଦର୍ଶନ ଚିରଦିନ ପାଇଁ ଜନ ମାନସରେ ଉଦାହରଣ ହୋଇ ରହିଗଲା ।ଧନ୍ଯ ସତ୍ୟବତୀ ।ଧନ୍ଯ ମାଧବାଚାର୍ଯ୍ଯ । ଜୟ ଶ୍ରୀ ହରି ।

ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା – ଅନୁଗୋଳ
ମୋବାଇଲ୍ ନମ୍ବର୍ – ୭୯୭୮୦୫୭୬୯୫


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ