ଫୁଟାଅ ସୁଧା-ପ୍ରସୂନ – କୁମୁଦିନୀ ବେହେରା
ତୁମେ ମୋ’ ଜୀବନେ ସାନ୍ତ୍ଵନାର ସ୍ରୋତ
ଶାନ୍ତିର ଅମରାବତୀ,
ଭାବମହଲର ଦିବ୍ୟ ଅନୁରାଗ
ଚେତନାର ମଧୁପ୍ରୀତି
ଭାବଲହରି
ଝରାଇ ଅମୃତ ଝର
ଚାରୁ ରୂପକଳ୍ପେ ରଚିଦେଇ ଯାଅ
କାବ୍ୟରସାଣିତ ଧାର l
ତୁମେ ପ୍ରେରଣାର କୁହୁକ ଲେଖନୀ
ମୋ’ ମନ-ନନ୍ଦନବନ,
ତୁମେ ସାଗରର ସାଉଁଟା ମୁକୁତା
ଗଗନର ତୋଫା ଜହ୍ନ
ଝରାଅ ଲିପି
ଛନ୍ଦ ଅଳଙ୍କାର ଦେଇ
ମଦାଳସୀ ମନୋରମ ମଧୁଛନ୍ଦେ
ଭାବରେ ଆସ ଓହ୍ଲାଇ l
ଉତ୍ତର ଆକାଶ ଧ୍ରୁବତାରା ତୁମେ
ମୋ’ ମନେ ଆଶା ବିଶ୍ଵାସ,
ମୁକତିର ମୋକ୍ଷ ମାର୍ଗ ପ୍ରଦର୍ଶକ
ତୁମେ ମୋ ଶେଷ ନିଃଶ୍ଵାସ
ନିଃସ୍ଵ ବୁକୁ ମୋ’
ତୁମ କାଉଁରୀ ପରଶେ
ମଉନବ୍ରତ ମୋ’ ଭାଙ୍ଗି ଦେଇଥାଅ
ଅଦୃଶ୍ୟେ ଆସି ମୋ’ ପାଶେ l
ତୁମେ ମୋ’ ପ୍ରାଣର ପୁଣ୍ଯ ସ୍ରୋତସ୍ଵିନୀ
ଗୀତାର ଗାୟତ୍ରୀ ମନ୍ତ୍ର,
ତୁମେ ଏ ମନର ସତ୍ୟ କଳ୍ପବଟ
ଭାବର କୁହୁକ ତନ୍ତ୍ର
ଅମୃତ ଧାର
ପ୍ରାଣେ ମୋ’ ଦିଅ ସଞ୍ଚରି
ମୁକ୍ତିର କୈବଲ୍ୟ ଦିଅ ଶ୍ରଦ୍ଧାଭରେ
ଶାନ୍ତି ଦିଅ ହୃଦେ ଭରି l
ତୁମେ ମୋ’ ହୃଦୟ ମିଷ୍ଟ ଅଲୋଡ଼ନ
ପ୍ରୀତିର ପୁଣ୍ଯ ପାର୍ବଣ,
ତୁମେ ଚେତନାର ଦୀପ୍ତିମନ୍ତ ଆଭା
ତୁମେ ହୃଦୟ ସ୍ପନ୍ଦନ
ରୁକ୍ଷ ଆହତ
ତୃଷିତ ତନୁରେ ମୋ’ର
ମଧୁର ପ୍ଳାବନ ପ୍ରବାହେ ଅନ୍ତରୁ
କ୍ଳେଶ କରିଥାଅ ଦୂର l
ତୁମେ କଳ୍ପନାର ଅସୀମ ଭଣ୍ଡାର
ଶାନ୍ତିର ପ୍ରଦୀପଶିଖା,
ତିମିର ତୀର୍ଥରେ ଜ୍ୟୋତିକୁ ପ୍ରକାଶି
ଦିଅ ସୌଭାଗ୍ୟର ରେଖା
ମହାନ୍ ଆଶାର
ହୁଅଇ ପ୍ରତିଫଳନ
ପରିକଳ୍ପନାର ଅମିୟଧାରରେ
ଫୁଟାଅ ସୁଧା-ପ୍ରସୂନ ll

କୁମୁଦିନୀ ବେହେରା, ଅନୁଗୋଳ
