କ୍ଷୁଦ୍ରଗଳ୍ପ – ନାନୀ ର ବାହାଘର – ଅମିୟ ବେଜ୍

ଲେଖକ ପରିଚୟ

ଅମିୟ ବେଜ
ଘଟଗାଁ, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁଁ ନାନୀ ଆଡ଼କୁ ଚାହିଁଲି । ସେ ତା’ ମୋବାଇଲରେ କିଛି ଗୋଟେ କରୁଥିଲା । ମୁଁ ତା’ ସାମ୍ନା ସିଟ୍ ଖାଲି ଥିବାରୁ ବସିପଡିଥିଲି । ଟ୍ରେନ୍ ସିଟି ମାରିବା ପୂର୍ବରୁ ମୋତେ ପ୍ଲାଟଫର୍ମ ଉପରକୁ ଓହ୍ଲାଇ ଯିବାର ଥିଲା । ତେଣୁ ମୁଁ କାନ ଟିକୁ ବାହାରକୁ ଓ ଆଖି ଯୋଡିକ ନାନୀ ଉପରକୁ ରଖିଥିଲି । ସେ ତା’ କାମଯାଗାକୁ ଫେରୁଥିଲା । ଆଉ ମୁଁ ତାକୁ ଭୋର୍ ଗାଡିରେ ଛାଡିବାକୁ ଆସିଥିଲି । ବାବା ଟୁର୍ ରେ ଥିଲେ ।

ନାନୀ ହାତରେ ସମୁଦାୟ ଚାରିଟି ଧାତବ ମୂଦି ଥିଲା । ପ୍ରଥମ ପୁରୁଣା ତିନୋଟି ଭିନ୍ନ ଭିନ୍ନ ଭୟ ନେଇ ମମି ତାକୁ ପିନ୍ଧାଇଥିଲା । ଆଉ ଏଇଥରକ ସେ ନୂଆକରି ଚତୁର୍ଥ ମୁଦିଟିକୁ ଗଳାଇଥିଲା । ଯେଉଁଥିରେ ଛୋଟଛୋଟ ହୀରା ଖଞ୍ଜା ଯାଇ ଅସମ୍ଭବ ସୁନ୍ଦର ଦିଶୁଥିଲା । ଏଇଟି ନାନୀ ର ନିର୍ବନ୍ଧ ମୁଦ୍ରିକା ଥିଲା । ସେମାନେ ଦେଇଥିଲେ । ନାନୀ ହାତରେ ମେହେନ୍ଦୀ କରିଥିଲା । ହାତଟି ଭାରି ଲୋଭ ଲାଗୁଥିଲା ମୋତେ ।

ଅବଶ୍ୟ ମୁଁ ଏ ମୁଦିଫୁଦିରେ ବିଶ୍ୱାସ କରେନି । ମମି ର ଯାବତୀୟ କୌଶଳ କୁ ଫେଲ୍ କରାଇ ମୁଁ ମୋ ଆଙ୍ଗୁଠି ଗୁଡିକୁ ସଫା ଓ ପ୍ରାକୃତିକ କରି ରଖିଛି । କେବଳ ବାମପାଦରେ ସେଇ କଳାସୂତାଟିକୁ ନାଲି ଆଖି ଦେଖାଇ ମମି ବନ୍ଧାଇ ପାରିଛି ମୋ’ତେ । ଏସବୁ ତା’ ମନ ରଖିବାକୁ ମୁଁ କରିଛି । ମମିର ବଦଗୁଣ ହେଲା , ନପାରିଲେ ସେ କାନ୍ଦିବ । ଏଇ ଅସ୍ତ୍ର ଆଗରେ ଆମ ପୂରା ପରିବାର ହାର୍ ମାନୁ । ମୁଁ ପଚାରିଲି –

– ନାନୀ , ସତରେ ତୁ ଵାହା ହେବାକୁ ରାଜି ହୋଇଗଲୁ ?

ନାନୀ ମୋବାଇଲ ରୁ ଆଖି କାଢିଲା । ଚଷମା ତଳୁ ତା ଆଖି ଆବଶ୍ୟକ ଠାରୁ ବଡ଼ ଓ ଅଦ୍ଭୁତ ଦିଶେ ମୋତେ । ବିନା ଚଷମାରେ ତା ଆଖି ଖୁବ୍ ସୁନ୍ଦର । ଅଥଚ ସେ କିଛି ଦେଖିପାରେନି । ଅବଶ୍ୟ ଏଥର ନାନୀ ତା’ ବାଳତକୁ ଷ୍ଟ୍ରେଟ୍ ଓ ଦାମୀ ରଂଗରେ ରଂଗାଇଥିଲା । ଏସବୁ କାମ ଦାମିକା ଓ ଗ୍ୟାରେଣ୍ଟି ଯୁକ୍ତ ଥିଲା । ନିର୍ବନ୍ଧ ରେ ସଜାଇହେବାକୁ ନାନୀ ନିଜେ ଏ ଖର୍ଚ୍ଚ କରାଇଥିଲା । ଓ ସତରେ ସୁନ୍ଦରୀ ହୋଇଯାଇଥିଲା । ମୁଁ ପୁଣି ପଚାରିଲି –

– କେମିତି ମଂଗିଲୁ ଯେ ତୁ ନାନୀ ?

ନାନୀ ସେ ଚା ବିକାଳୀକୁ ଦୁଇକପ୍ ଲେମ୍ବୁ ଚା ଦେବାକୁ କହିଲା ଏଥର । ବାହାରେ ଅନ୍ଧାର ଥିବାରୁ , ନାନୀ କୁ ଷ୍ଟେସନ ରେ ଛାଡି ଆଲୁଅ ଆସି ଏକଦମ୍ ଫର୍ଚ୍ଚା ନହେବାଯାଏଁ ଏକୁଟିଆ ନଫେରିବାକୁ ମମିର ନିର୍ଦ୍ଦେଶ ଥିଲା । ମୁଁ ସେଥିପାଇଁ ଅପେକ୍ଷା କରିଥିଲି । ନାନୀ ର ଗାଡି ଛାଡିବା ସମୟ ହେଇ ନଥିଲା । ମୁଁ ତାକୁ ଟିକେ ବିରକ୍ତ କରାଇ ସାରିଥିଲି ।

ଏବେ ମଧ୍ୟ ଭୁବନେଶ୍ୱର ରେ ସବୁତକ ଭୁବନେଶ୍ୱର ହୋଇପାରିନାହିଁ । ଅନ୍ଧାର ମାତ୍ରକେ ଝିଅପିଲାଟିଏ ବିପଦ ମୁଖର । ଚଳନ୍ତା ସ୍କୁଟିରୁ ସୁନାଚେନ ଅବା ମୋବାଇଲ ଝାମ୍ପିନେବା ଏକ ମାମୁଲି ମାମଲା ଏଠି । ମୁଁ ଅବଶ୍ୟ ଚେନ୍ ପିନ୍ଧିନି । ମୋର ସିକଥ୍ ସେମିଷ୍ଟର ପରେ ମମି ମୋଲାଗି ନୂଆ ଡିଜାଇନ୍ ର ଚେନ୍ ଗଢିଦେବ । ଏସବୁ ନାନୀ ବାହାଘର ପାଇଁ ଅଟକିଛି । ତେବେ ସେ ଓଭରବ୍ରିଜ୍ ତଳୁ ଯେଉଁ କୁନି ଝିଅ ଟିର ଖଣ୍ଡିଆ ଶବ ମିଳିଥିଲା ଗତ ଦି’ମାସ ତଳେ , ସେଥିରେ କେବଳ କୁକୁର ବିଲୁଆ ଙ୍କ କାରସାଦି ନଥିଲା ବରଂ ଛାନଭିନ୍ ରୁ ଜଣା ପଡିଥିଲା , କିଛି ମଣିଷ ମଧ୍ୟ ଏ ମାଂସ ଭୋଜିରେ ସାମିଲ ଥିଲେ । ସେଇ ଘଟଣା ପରଠୁଁ ମମି ଆହୁରି ସତର୍କ ହୋଇ ପଡୁଥିଲା ଆମ ପ୍ରତି ।

ଆମ ଘରୁ ଷ୍ଟେସନ ପ୍ରାୟ ଅଧାଘଣ୍ଟା ସ୍କୁଟି ରାସ୍ତା ।

ନାନୀ କହିଲା – ନିର୍ବନ୍ଧ ସରିଲା ପରେ , ସତରେ ବାହାହେବାକୁ ରାଜି କି ନାହିଁ ପରି ବୋକା ପ୍ରଶ୍ନ କାହିଁକି ପଚାରିଲୁ ?

ସେ ବିରକ୍ତ ହୋଇସାରିଥିଲା । ମୁଁ ଆଉଟିକେ ରଗାଇବାକୁ ତା ଗାଲରେ ମୋ ଥଣ୍ଡା ହାତ ଛୁଇଁ ଦେଲି । ଆମେ ପ୍ରାୟ ଏମିତି ପରସ୍ପରକୁ କରୁ । ସେ ଚିଡିଗଲା । ଚା’ କପ ଚହଲି ଟିକେ ପଡିଗଲା ସିଟ୍ ରେ । ବେଳ ଭଲ ବୋଧେ ନାନୀ ର ଡ୍ରେସ୍ ଉପରେ ପଡିନି । ନହେଲେ ସେ ନିଶ୍ଚିତ ମୋତେ ଏଇ ଗାଡି ଭିତରେ ପିଟି ପକାଇଥାନ୍ତା । ଆମେ ଚୁପଚାପ ଚା ‘ ସାରିଲୁ । ଓ ଅସଭ୍ୟଙ୍କ ପରି ଗାଡିତଳକୁ କପ୍ ଯୋଡାକ ଫୋଫାଡିଦେଲୁ । ଏବଂ ଦେଖିଲୁ ଏ କୁକର୍ମ ଆଉକେହି ଯେମିତି ଦେଖିପକାଇ ନାହାନ୍ତି ତ ।

ନାନୀ ଭୁବନେଶ୍ୱର ଠୁଁ ପାଖାପାଖି ଦୁଇଶ’ କିଲୋମିଟର ଦୂରରେ ସରକାରୀ ଚାକିରୀ କରେ । ସରକାର ଙ୍କ ଛ’ବର୍ଷିଆ ଅନିୟମିତ କଣ୍ଟ ପାଇଁ ତା’ର ବଦଳି ହୋଇ ପାରୁନଥିଲା । ପ୍ରତି ଶନିବାର ସନ୍ଧ୍ୟା ରେ ଆସି ସୋମବାର ସକାଳୁ ଯିବାକୁ ତରତର ହୁଏ । ହପ୍ତାକର ଏଇ ଦୁଇ ରାତି ମୋତେ ଭଲ ନିଦ ହୁଏ । ମୁଁ ଓ ନାନୀ ଏକାଠି ଆମ ନିଅଣ୍ଟିଆ ଖଟରେ ଜାକିମାକି ଶୋଉ । ମୁଁ ତା ଉପରେ ଗୋଡ଼ ଲଦେ । ସେ ରାଗୁଥିଲେ ବି ଗୋଡ଼ ହଟାଇ ଦିଏନି ବାଧ୍ୟ କରି । ହପ୍ତାହର ଅନ୍ୟ ରାତି ଗୁଡିକରେ ମୁଁ ଭାରି ଏକୁଟିଆ ହୋଇଯାଏ । ମୋତେ ଡ଼ର ଲାଗେ । ସ୍ବପ୍ନ ସବୁ ଅଦ୍ଭୁତ ଦେଖେ । ମୁଁ ମମିକୁ ଯଦି କୁହନ୍ତି ସେ ମୋତେ ପାଖରେ ଶୁଆନ୍ତା । ତେବେ ବାବା ଅଫିସ ସାରି ଖୁବ୍ କ୍ଲାନ୍ତ ହୋଇଯାନ୍ତି । ଆମେ ଚାହୁଁ ମମି ବାବାଙ୍କ ସେବାରେ ରହିଥାଉ । ମୁଁ କହିଲି –

– ଜୀଜୁ ଏତେ ହ୍ୟାଣ୍ଡସମ୍ । ସେମାନଙ୍କ ଏତେ ଘରଦ୍ବାର । ଧନ । ସେଥିପାଇଁ ରାଜି ହୋଇଗଲୁ କି ତୁ ନାନୀ ?

ନାନୀ କହିଲା – ଫେରିବା ବେଳେ ଧିରେ ଗାଡି ଚଳାଇବୁ । ସେ ବଂକାଣି ପାଖରେ କୁକୁର ପଲଙ୍କୁ ଡ଼ରିବୁନି । ସେମାନେ କେବଳ ଭୁକନ୍ତି ।

ପୁଅଘର ସତରେ ଆମଠୁ ଖୁବ୍ ସ୍ବଚ୍ଛଳ ଥିଲେ । ବାବାଙ୍କ ମନରେ ଏଥିନେଇ ସାମାନ୍ୟ ସଂକୋଚ ମଧ୍ୟ ଥିଲା । କୁହନ୍ତି – ବନ୍ଧୁ ସମାସ୍କନ୍ଧ ହେଲେ ଭଲ । ମମି କିନ୍ତୁ ଭାରି ଉତ୍ସାହିତ ଥିଲା । ବାବାଙ୍କୁ ଢେର୍ ଲୋନ୍ କରାଇ ସାରିଥିଲା । ନାନୀ ପାଇଁ ପ୍ରଚୁର ଗହଣା ଗଢାଇ ସାରିଥିଲା । ବାବା କହୁଥିଲେ – ବଡ଼ ବାହାଘର ପରେ ଆମେ ଦେଖିବ କାଂଗାଳ ହୋଇଯିବା ।

ମମି ଯେବେ ଆଖିକାଢେ ବାବା ନିହାତି ନିରୀହ ପାଲଟିଯାନ୍ତି । ମୋତେ ମଜାଲାଗେ । ନାନୀ ବାବାଙ୍କ ପଟିଆ ହୋଇ ମମି ସହ ଲଢେ ।

ମୁଁ ଦିନେ ଗାଧୁଆ ଘରେ ନିଜକୁ ଖୋଲି ଲକ୍ଷ୍ୟ କଲି , ଯଦିଓ ନାନୀପରି ନୁହେଁ , ତଥାପି ମୁଁ ଯଥେଷ୍ଟ ବଡ଼ ହୋଇସାରିଥିଲି । ମୋତେ ଉଭୟ ଆଶ୍ଚର୍ଯ୍ୟ ଅଦ୍ଭୁତ ଓ ଲାଜଲାଜ ଲାଗୁଥିଲା ନିଜକୁ । ମୁଁ ଘୋଡିହୋଇ ପଡିଲି । ଆଉ ସ୍ଥିରକଲି , ନାନୀ ପରି ଖୁବ୍ ଶିଘ୍ର ମୋ ବାଳ ମାନଙ୍କୁ ସିଧା ଓ ଦାମୀରଂଗ କରାଇନେବି । ଅବଶ୍ୟ ଈଞ୍ଜିନିୟରିଂ କଲେଜର କୌଣସି ପୁଅପିଲା ମୋ ପସନ୍ଦ ତାଲିକାରେ ଆସି ପାରି ନଥିଲେ ଏପର୍ଯ୍ୟନ୍ତ । କାରଣ ମୁଁ ଯେଉଁ ‘ବିଶେଷ’ କଥାଟିକୁ ପୁଅଟିଏ ଭିତରେ ଖୋଜୁଥିଲି , ସେଥିପାଇଁ ଅନ୍ତତଃ କେହି ଏଠି ଉପଯୁକ୍ତ ନଥିଲେ ।

ଶୋଇବାବେଳେ ନାନୀ ଗୋଟିଏ କଥା ଦୋହରାଏ –

” ଦେହ ଆଉ ମନ ଦୁଇଟାଯାକ କ୍ଷତିଗ୍ରସ୍ତ ହୋଇଗଲାପରେ ପୁଣିଥରେ ପୂର୍ବାବସ୍ଥାକୁ ଫେରିପାରିବା ସମ୍ଭବ ହୁଏନି । କେବଳ ସାମୟିକ ମରାମତି କରିହୁଏ । ତେଣୁ ନାରୀ ଜୀବନରେ ଅନ୍ୟଠାରେ ଅବା କେଉଁଠାରେ ନିଜକୁ ସହଜ ଉପଲବ୍ଧ କରାଇଦେବା ଏକ ସଚରାଚର ନିର୍ବୋଧତା ଓ ବିପତ୍ତି । ”

ମୁଁ ନାନୀ କୁ କହିଲି – ୟା ପର ଛୁଟିରେ ତୁ ଫେରିବା ମାତ୍ରକେ ତୋର ବାହାଘର । ତାପରେ ତୁ ସ୍ତ୍ରୀ ଲୋକ । କହିବୁକି ତୋ’ ଝିଅ ଜୀବନର ଉପଲବ୍ଧି କ’ଣ ?

ଏଭଳି ପ୍ରଶ୍ନ ରେ ନାନୀ କାହିଁକି ଯେ’ ଚକିତ ନହୁଅନ୍ତା ? ମୁଁ ଆଜିଯାଏଁ କେବଳ ତା’ସହ ମାଡ଼ଗୋଳ ଅଭିମାନ ଇତ୍ୟାଦି କରିଆସିଛି । ଏମିତି ତାତ୍ତ୍ବିକ କଥାଟିଏ ପଚାରି ତାକୁ ଅପ୍ରସ୍ତୁତ କରାଇଦେବି ସେ କେମିତି ପ୍ରସ୍ତୁତ ହୁଅନ୍ତା ?

କହିଛି ନା , ମୁଁ ଗାଧୁଆଘରେ ନିଜକୁ ବଡ଼ ହୋଇଯିଵାର ଆବିଷ୍କାର କରିଛି ?

ନାନୀ ଘଡି ଦେଖିଲା । କହିଲା –

– ଓହ୍ଲାଇ ଯା । ପୁରା ରାତି ପାହିନି । ଆଉ ଦଶ ପନ୍ଦର ମିନିଟ ଏଠି ଷ୍ଟେସନ ଭିତରେ ରହିଯିବୁ । ତାପରେ ଯିବୁ । ଘରେ ପହଞ୍ଚି ଆଗ ଫୋନ୍ କରିବୁ । ମମିକୁ ମନେ ପକାଇ ଦେବୁ ସେ ନିର୍ବନ୍ଧ ଶାଢୀର ବ୍ଲାଉସ୍ ଦେଇଦେବ ତିଆରିବାକୁ ।

ମୁଁ ଉଠିଲି । ଟ୍ରେନ୍ ଭିତରେ ଭିଡ଼ ହେଲାଣି । ନାନୀ ସାମ୍ନାରେ ଦି’ଜଣ ଦମ୍ପତି ବସିଛନ୍ତି ଜାକିଜୁକି । ହୁଏତ ଜୀଜୁଙ୍କ ସହ ନାନୀ ବି ଏମିତି ଦିନେ ଯାତ୍ରା କରିବ । ମୋତେ ଆସ୍ବସ୍ତି ଲାଗିଲା । ମୁଁ ବାହାରକୁ ଯାଇ ଝର୍କା ସେପାଖରେ ଛିଡା ହେଲି । ସିଗ୍ନାଲ ହେଇ ସାରିଥିଲା । ଟ୍ରେନ୍ ଟିକେ ଝଟକା ଦେଇ ରହିଗଲା । ପଚାରିଲି –

– ସେ ଲୋକଟାକୁ ତୋ’ ନିର୍ବନ୍ଧ ହୋଇଯିବା କଥା କହିଛୁ ନାନୀ ?

– କେଉ ଲୋକଟାକୁ ?

– ଯାହାକୁ ଏଇ ଟିକେ ପୂର୍ବରୁ ଟାଇପ୍ କରୁଥିଲୁ ଯାଉଛୁ ବୋଲି ?

– ତୁ ଏସବୁରେ ମୁଣ୍ଡ କାହିଁକି ଖେଳାଇଲୁ ?

– ତଥାପି…

– ହଁ ସେ ଏକଥା ଜାଣନ୍ତି । ଏମାନେ ବଡ଼ଘର ଶୁଣି ଖୁସି ବି ଅଛନ୍ତି ।

– ଆଉ ଦୁଃଖ ?

– କିଛି ନାହିଁ ।

– ସତ ନାନୀ ?

– ଝିଅ ଜୀବନର ଉପଲବ୍ଧି ଏମିତି । ଅସଂପର୍କରେ ଯେ ଦୁଃଖ ଲେଖା ଥାଏ , ଏକଥା କେଉ ଝିଅ ନଜାଣେ ? ସ୍ତ୍ରୀ ଲୋକ ହୋଇଥିଲେ ନିଜ ଦୁଃଖ ତକକୁ ପ୍ରକାଶ୍ୟରେ ପ୍ରକାଶ କରିପାରନ୍ତା ଯାହା …

ଏଇଵେଳେ ଗାଡି ଛାଡିଦେଲା । ନାନୀ ହୁଏତ ଆଉ କଣ କହିଥାନ୍ତା । ସେ ଫେରିବା ବେଳେ ମୋ’ପାଖରେ ଆଉ ଏପରି ପ୍ରଶ୍ନ ନଥିବ । ଆମେ ସପରିବାରେ ତା ବାହାଘରରେ ମାତିଥିବୁ । ମୁଁ ଆଉ ନାନୀ ଉପରେ ଗୋଡଲଦି ହପ୍ତାକରେ ଦୁଇରାତି ନିର୍ଭୟ ନିଶ୍ଚିନ୍ତ ରେ ଶୋଇ ନପାରେ । ଏସବୁ ବି ହୋଇପାରେ ଝିଅଦୁଃଖ ।

ପୁଅପିଲା ଙ୍କ ପ୍ରତି ଆଗକୁ ମୋ ଦୃଷ୍ଟିକୋଣ ବଦଳୁ କି ନବଦଳୁ , ନିଶ୍ଚିତ କିନ୍ତୁ ନାନୀ ର ବାହାଘର ପୂର୍ବରୁ ବାଳ ସବୁଙ୍କୁ ଷ୍ଟ୍ରେଟ୍ କରାଇନେବି ମୁଁ ….

ଘଟଗାଁ , କେନ୍ଦୁଝର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ