ଶୀତ ସ୍ନାତା – ମୀନାକ୍ଷି ପାଢ଼ୀ
ଶୀତ, ତମ ଛୁଆଁ ସକାଳ କଅଁଳ
ଖରାର ସ୍ନିଗ୍ଧ ତାତି,
ଚନ୍ଦ୍ରମଲ୍ଲୀକାର ମୁଗ୍ଧ ମାଧୁରୀମା
ଉଷୁମ୍ ଚାହାର ପ୍ରୀତି।
ଶିଶିର ଝଲସି ଶେଯେ ଝରିଯାଏ
କେଳି କୁସୁମର ମୁଖେ,
ତମ ଦିନ ଶୂନ୍ୟ ମନା ଅଳସେଇ
ଯାହିତାହି ପ୍ରତ୍ୟାଶିତ ସୁଖେ।
ଶୀତ,ତମ ରାତି ଅସୁମାରୀ ସ୍ବପ୍ନ
ରୂପା ତାରା ଟୋପା ଜହ୍ନ,
ପକ୍ଷୀ ବସା ଚିଉଁଥାଏ ଜୀଉଁଥାଏ
ଦରଦର ଅଭିମାନ।
ଶୀତ,ତମେ ମୋ ପ୍ରେମିକ ପ୍ରେମ ଭଳି
କ୍ଷଣସ୍ଥାୟୀ ହୃଦଦାହି,
ହେଲେ ହେଁ ତମର ଆସିବା ବାଟକୁ
ଅପଲକେ ଥାଏ ଚାହିଁ।

ଚିକିଟି ପେଣ୍ଠ,ଗଞ୍ଜାମ