ପରୀ ରାଇଜ କାହାଣୀ – ପରୀକନ୍ୟା

ଏକଦା ଜଣେ ଲୋକର ସ୍ତ୍ରୀ ମରିଯିବାପରେ ସେ ଦ୍ୱିତୀୟ ବିବାହ କଲା । ତାର ଦ୍ୱିତୀୟ ସ୍ତ୍ରୀ ଜଣଙ୍କ ଖୁବ୍ ଗର୍ବୀ ତଥା ଅହଂକାରୀ ପ୍ରକୃତିର ଥିଲା । ସେ ସ୍ତ୍ରୀଲୋକଟିର ବି ତା’ ଆଗସ୍ୱାମୀର ଦୁଇଟି ଝିଅ ଥିଲେ ଏବଂ ସେମାନେ ତାଙ୍କ ମା ପ୍ରକୃତିର ଥିଲେ । ଏହି ବ୍ୟକ୍ତି ଜଣଙ୍କର ଆଗ ସ୍ତ୍ରୀର ଗୋଟିଏ ଛୋଟ ଝିଅ ମଧ୍ୟ ଥିଲା । ସେ ମଧ୍ୟ ତା ମା ପରି ଖୁବ୍ ସୁନ୍ଦର ଓ ଶାନ୍ତଶିଷ୍ଟ ସ୍ୱଭାବର ଥିଲା ।

କିଛି ଦିନପରେ ଏଇ ଛୋଟ ଝିଅଟିର ସାବତମା’ର ଅସଲ ରୂପ ପ୍ରକାଶ ପାଇଲା । ଝିଅଟିର ସୁନ୍ଦର ରୂପ ଆଉ ସୁନ୍ଦର ଗୁଣକୁ ତା ସାବତମା’ ଓ ସାବତ ଭଉଣୀମାନେ ଆଦୌ ସହ୍ୟ କରିପାରୁନଥିଲେ । ତେଣୁ ସେମାନେ ସମସ୍ତେ ଏଇ ଝିଅଟିକୁ ଘୃଣା କରୁଥିଲେ । ସାବତ ମା ଝିଅଟିକୁ ବାସନ ମାଜିବା ତଥା ସେମାନଙ୍କର ଶୋଇବାଘର ଓଳାଇବା, ଚୁଲିରୁ ପାଉଁଶ କାଢିବା ପ୍ରଭୃତି କାର୍ଯ୍ୟରେ ଲଗାଉଥିଲେ । ତାର ସାବତ ଭଉଣୀମାନେ ପୂରାଦେହକୁ ଦେଖି ପାରୁଥିବା ଆରିସି ଲାଗିଥିବା ସୁନ୍ଦର ଘରେ ସୁନ୍ଦର ଶେଯରେ ଶୋଉଥିବା ବେଳେ ତାକୁ ନଡା ବିଛା ହୋଇଥିବା ଅପରିଷ୍କାର ଘରେ ଶୋଇବାକୁ ଦେଉଥିଲେ ।

ଏଇ ନିରୀହ ଝିଅଟି ଧୈର୍ଯ୍ୟର ସହ ସେସବୁ ସହ୍ୟ କରୁଥିଲା ଏବଂ ତା ନିର୍ଯ୍ୟାତନା ବିଷୟରେ ବାପାକୁ କିଛି ବି କହିବାକୁ ସେ ଆଦୌ ସାହସ କରିପାରୁନଥିଲା କାରଣ ବାପା ତାର ନୂଆ ସ୍ତ୍ରୀ ଭୟରେ ତାକୁ ଗାଳିଦେବ ବୋଲି । ଝିଅଟି କାମ କରି କ୍ଳାନ୍ତ ହୋଇ ପଡିଲେ ରୋଷେଇ ଘରର କୋଣରେ ଗଦା ହୋଇଥିବା ପାଉଁଶ ଓ ଅଙ୍ଗାରଗଦା ଉପରେ ମନ ଦୁଃଖରେ ବସେ । ସେଇଥିପାଇଁ ତାକୁ ସେମାନେ ଅଙ୍ଗାରବାଳା ବୋଲି ଡାକୁଥିଲେ । ତାର ସାବତ ବଡ ଦୁଇ ଭଉଣୀଙ୍କ ମଧ୍ୟରୁ ସାନ ଭଉଣୀଟି ତା ବଡ ଭଉଣୀ ଭଳି କ୍ରୂର ଆଉ ନିଷ୍ଠୁର ନଥିବାରୁ ସେ ଏ ଛୋଟ ଝିଅଟିକୁ ଲାବଣ୍ୟମୟୀ ବୋଲି ଡାକୁଥିଲା । ଲାବଣ୍ୟମୟୀ ଚିରା ଓ ମଇଳା ପୋଷାକ ପିନ୍ଧି ଥିଲେ ମଧ୍ୟ ମୂଲ୍ୟବାନ ପୋଷାକ ପିନ୍ଧିଥିବା ତା ଭଉଣୀମାନଙ୍କଠାରୁ ସେ ଅତ୍ୟଧିକ ସୁନ୍ଦର ଦେଖାଯାଉଥିଲା ।

ଥରେ ସେ ଦେଶର ରାଜକୁମାର ଏକ ନୃତ୍ୟ ଗୀତର ଆସର ଆୟୋଜନ କରି ଦେଶରେ ଥିବା ବିଳାସୀ ଆଉ ସୁନ୍ଦରୀ କନ୍ୟାମାନଙ୍କୁ ସେଠାକୁ ନିମନ୍ତ୍ରଣ କଲେ । ଲାବଣ୍ୟମୟୀର ଭଉଣୀମାନଙ୍କୁ ମଧ୍ୟ ସେ ନୃତ୍ୟଗୀତ ଆସରକୁ ନିମନ୍ତ୍ରଣ କରା ଯାଇଥିଲା । ଦୁଇ ଭଉଣୀଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ସେମାନେ ଆନନ୍ଦରେ ସେମାନଙ୍କର ପୋଷାକପତ୍ର ପସନ୍ଦକରି ସେଗୁଡିକୁ ଲାବଣ୍ୟମୟୀକୁ ଇସ୍ତ୍ରୀ କରିବା ଓ ସଜାଡିବାକୁ ବରାଦ ଦେଲେ । ସେମାନେ ନୃତ୍ୟଗୀତ ଆସରକୁ କେଉଁ ପୋଷାକ ପତ୍ର ପିନ୍ଧି ଯିବାପାଇଁ କଥାବାର୍ତ୍ତା ହେଉଥିବାବେଳେ ଲାବଣ୍ୟମୟୀ ସେଗୁଡିକୁ ଇସ୍ତ୍ରୀ କରି ସଜାଡି ରଖୁଥିଲା ।

ବଡ ଭଉଣୀ କହିଲା ‘ମୁଁ ଫ୍ରାନ୍ସ ଦେଶୀୟ ମଖମଲି ପୋଷାକ ପିନ୍ଧି ଯିବି ।’

ସାନଭଉଣୀ କହିଲା ‘ଆଉ ମୁଁ? ମୁଁ ମୋର ରେଶମୀ ଜାମା ପିନ୍ଧି ଓ ତା ଉପରେ ସୁନାଫୁଲପକା ପାଇଜାମାଟି ପିନ୍ଧିବି ଏବଂ ପୃଥିବୀ ଶ୍ରେଷ୍ଠ ହୀରା ହାରଟି ବେକରେ ପିନ୍ଧିବି ।’ ସେମାନେ ତାଙ୍କର ଟୋପି ତିଆରି କରିବା ପାଇଁ ଟୋପି ତିଆରି ବାଲାକୁ ଡକେଇ ପଠେଇଲେ ଏବଂ ଓଠକୁ ଲାଲରଂଗରେ ରଞ୍ଜିତ କରିବାପାଇଁ ଲାଲ ପ୍ରଲେପ ଓ ପ୍ରସାଧାନ ସାମଗ୍ରୀ କିଣିବାକୁ ବରାଦ କଲେ ।

ଲାବଣ୍ୟମୟୀର ପ୍ରସାଧାନ ସଂପର୍କରେ ଭଲ ଧାରଣାଥିବାରୁ ସେମାନେ ତାକୁ ତାଙ୍କ କେଶବିନ୍ୟାଶ ପାଇଁ ନିୟୋଜିତ କଲେ । ସେମାନଙ୍କର କେଶବିନ୍ୟାଶ କରି ସାରିବାପରେ ଲାବଣ୍ୟମୟୀକୁ ସେମାନେ ପଚାରିଲେ ‘ଆଚ୍ଛା ଲାବଣ୍ୟମୟୀ ତୁ କ’ଣ ସେ ନୃତ୍ୟଗୀତ ଆସରକୁ ଯିବୁ ନାହିଁ?’

ତହୁଁ ସେ ଲାବଣ୍ୟମୟୀ ମନଦୁଃଖରେ କହିଲା ‘ନା ସେ ସବୁ ଆସର ଆମପାଇଁ ନୁହଁ ।’

ଏପରି କଥା ଶୁଣି ସେମାନେ କହିଲେ ‘ହଁ ତୁ ଠିକ୍ କହିଛୁ । ତୋ ଭଳି ପାଉଁଶ କାଢିବା ଲୋକକୁ ନୃତ୍ୟଗୀତ ଆସରରେ ଦେଖିଲେ ଲୋକେ ଓଲଟି ହସିବେ ।’

ନୃତ୍ୟଗୀତ ଆସରକୁ ଯିବାପାଇଁ ସେ ଦୁଇ ଭଉଣୀ ଆନନ୍ଦରେ ଏତେ ଅଧୀର ହୋଇ ଉଠିଲେ ଯେ ଦୁଇଦିନ ପର୍ଯ୍ୟନ୍ତ ଖିଆପିଆ ଭୁଲିଗଲେ । ସେମାନେ ନିଜର ପତଳା ଚେହେରାକୁ ସଜାଇବା ପାଇଁ ତତ୍ପର ହୋଇ ଆରିସି ଆଗରେ ଠିଆ ହୋଇ ନିଜକୁ ଚାହୁଁଥିଲେ ।

ଶେଷରେ ସେ ଆନନ୍ଦର ଦିନ ଆସିଲା । ସେମାନେ ରାଜସଭାକୁ ଗଲାବେଳେ ଲାବଣ୍ୟମୟୀ କେବଳ ତାଙ୍କ ଯିବା ବାଟକୁ ଚାହିଁରହିଲା । ସେମାନେ ଯେତେବେଳେ ତାର ଦୃଶ୍ୟ ଅନ୍ତରାଳରୁ ଚାଲିଗଲେ ସେ ଖାଲି ଭୋ ଭୋ ହୋଇ କାନ୍ଦି ଉଠିଲା ।

ଲାବଣ୍ୟମୟୀ ଭୋ ଭୋ ହୋଇ କାନ୍ଦି ଉଠିବାବେଳେ ଜଣେ ସ୍ତ୍ରୀ ଲୋକ ସେଠାରେ ଆସି ପହଁଚିଲା । ସେ ସ୍ତ୍ରୀଲୋକଟି ଲାବଣ୍ୟମୟୀକୁ ଘଟଣା ସଂପର୍କରେ ପଚାରିବାରୁ ଲାବଣ୍ୟମୟୀ କହିଲା ‘ମୁଁ ଚାହୁଁଥିଲି… ମୁଁ ଚାହୁଁଥିଲି…’ । ଏତିକି କହିଲାବେଳେ ସେ କଇଁ କଇଁ ହୋଇ କାନ୍ଦିଉଠି ଆଉ କିଛି ବି କହିପାରିଲା ନାହିଁ । ସେ ଆସିଥିବା ସ୍ତ୍ରୀଲୋକଟି ହେଉଛି ଜଣେ ପରୀ । ସେ କହିଲା ଝିଅ । ମୁଁ ତୋର ଜଣେ ଧରମ ମା’ । ତୁ କାହିଁକି କାନ୍ଦୁଛୁ ମୁଁ ଠିକ୍ ଜାଣେ । ତାପରେ ସେ ପରୀ କହିଲା ‘ତୁ ସେମାନଙ୍କ ସହିତ ରାଜସଭାକୁ ନୃତ୍ୟଗୀତ ଦେଖିବାକୁ ଚାହୁଁଥିଲୁ ନା- ଏଇ ଆ ନା?’

ଲାବଣ୍ୟମୟୀ ଦୀର୍ଘଶ୍ୱାସ ପକାଇ କହିଲା ‘ହଁ ।’

ତା ଧରମ ମା କହିଲା ‘ହଉ ଝିଅ । ତୋର ସେଠାକୁ ଯିବାପାଇଁ ସବୁ ବ୍ୟବସ୍ଥା ମୁଁ କରିଦେବି । ତୁ ବଜାରକୁ ଯାଇ ଗୋଟିଏ କଖାରୁ କିଣି ଆଣ ।’

ଲାବଣ୍ୟମୟୀ ଶୀଘ୍ରଯାଇ ବଜାରରୁ ଗୋଟିଏ କଖାରୁ କିଣି ଆଣିଲା । ଗୋଟିଏ କଖାରୁ କିଣିଆଣିଲେ ଯେ ତାକୁ କିପରି ନୃତ୍ୟଗୀତ ପାଖକୁ ଯିବାକୁ ତାହା ସାହାଯ୍ୟ କରିବ ତାହା ସେ ଆଦୌ ଜାଣି ପାରୁନଥାଏ ।

ଲାବଣ୍ୟମୟୀର ଧରମା ମା’ ସେ ପରୀଟି କଖାରୁ କଣା କରି ତା ଭିତରୁ ସବୁ ଶସତକ ଖୋଲି ବାହାର କରିଦେଲା । ସେ ଆଣିଥିବା ମନ୍ତ୍ରବାଡିରେ ସେ କଖାରୁ ଖୋଳପାଟାକୁ ବାଡେଇ ଦେବାରୁ ତାହା ଗୋଟିଏ ସୁନ୍ଦର ଘୋଡାଗାଡିରେ ପରିଣତ ହୋଇଗଲା । ସେଦିନ ତ ଲାବଣ୍ୟମୟୀଙ୍କ ଘରେ ମୂଷା ମାରିବା ପାଇଁ ବସାଯାଇଥିବା ଯନ୍ତାରେ ଛଟି ମୂଷା ପଡିଥିଲେ । ପରୀଟି ଲାବଣ୍ୟମୟୀକୁ ସେ ଯନ୍ତାର ଦୁଆର ତୁରନ୍ତ ଖୋଲି ଦେବାକୁ କହିଲା । ମୂଷାଗୁଡିକ ଯନ୍ତାରୁ ବାହାରି ଆସିବା ମାତ୍ରେ ସେ ପରୀଟି ତା ମନ୍ତ୍ର ବାଡି ଛୁଆଇଁ ଦେବା ମାତ୍ରେ ମୂଷାଗୁଡିକ ସୁବର୍ଣ୍ଣକେଶରଥିବା ଘୋଡାରେ ପରିଣତ ହୋଇଗଲେ ।

ଲାବଣ୍ୟମୟୀ ଏହା ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲା ଓ ଘୋଡାଗାଡିର ଚାଳକର ଅଭାବ ଦେଖି ସେ ତା ଧରମ ମା’କୁ କହିଲା ‘ମୁଁ ଯାଇ ଦେଖେ ଯନ୍ତାରେ ଯଦି ଆଉ ଗୋଟିଏ ମୂଷାଥିବ ତାକୁ ଗାଡି ଚାଳକ କରି ଦେବା ।’

ଏକଥା ଶୁଣି ପରୀଟି କହିଲା ‘ହଁ ତୁ ଯାଇ ଦେଖ ।’ ଲାବଣ୍ୟମୟୀ ଯନ୍ତାଟିକୁ ଆଣି ଦେଖିଲାବେଳକୁ ସେଥିରେ ଆଉ ତିନୋଟି ବଡ ମୂଷା ଥିଲେ । ସେ ବଡ ମୂଷାଙ୍କମଧ୍ୟରୁ ଯେଉଁ ମୂଷାର ବଡ ବଡ ଖାଡା ନିଶଥିଲା ତାକୁ ପରୀଟି ମନ୍ତ୍ରବାଡି ଛୁଆଁଇ ଗୋଟିଏ ବଡ ବଡ ମୁଛ ଥିବା ଗାଡି ଚାଳକରେ ପରିଣତ କରି ଦେଲା । ସେ ଏପରି ଗୋଟିଏ ଗାଡିଚାଳକରେ ପରିଣତ ହୋଇଗଲା ଯେ ସେପରି ଜଣେ ଗାଡିଚାଳକକୁ ଆଗରୁ କେବେ କେହି ବି ଦେଖି ନଥିଲେ । ତାପରେ ସେ ପରୀଟି ଲାବଣ୍ୟମୟୀକୁ କହିଲା ‘ତୁଯାଇ ବଗିଚାରୁ ଛ’ଟି ଝିଟିପିଟି ଧରିଆଣ ।’

ଲାବଣ୍ୟମୟୀ ବଗିଚାରୁ ଛ’ଟି ଝିଟିପିଟି ଧରିଆଣିଲା ଏବଂ ତାକୁ ମନ୍ତ୍ରବାଡି ଛୁଆଁଇ ସେମାନଙ୍କୁ ଛ’ଟି ପଦାତିକ ସୈନ୍ୟରେ ପରିଣତ କରି ଦେଲା । ସେମାନେ ରୂପାଖଚିତ ନୀଳ ପୋଷାକ ପିନ୍ଧି ଗାଡି ପଛରେ ଠିଆ ହେଲେ । ପରୀଟି ଲାବଣ୍ୟମୟୀକୁ କହିଲା ‘ତୁ ଚାହିଁଲେ ଏଇ ସୈନ୍ୟ ଓ ପାରିଷଦମାନେ ତୋତେ ଗାଡିରେ ସେ ନୃତ୍ୟ ସଭାକୁ ନେଇଯିବେ ।’

ଲାବଣ୍ୟମୟୀ କହିଲା ‘ହଁ ସେମାନେ ମୋତେ ନେଇଯିବେ ଯେ ହେଲେ ଏଇ ମଇଳା ଓ ପୁରୁଣା ଚିରା ପୋଷାକ ପିନ୍ଧି ସେଠାକୁ ଯିବି କିପରି?’ ଏକଥା ଶୁଣି ଲାବଣ୍ୟମୟୀର ଧରମ ମା’ ତାର ମନ୍ତ୍ରବାଡିଟି ଲାବଣ୍ୟମୟୀର ପୋଷାକରେ ଛୁଆଁଇ ଦେବାମାତ୍ରେ ତାର ପୁରୁଣା ପୋଷାକ ସବୁ ସୁବର୍ଣ୍ଣ ଖଚିତ ରୂପା ପୋଷାକରେ ପରିଣତ ହୋଇଗଲା । ଧରମ ମା ଲାବଣ୍ୟମୟୀକୁ କାଚର ସୁନ୍ଦର ଚଟି ହଳେ ଦେଲା । ଏଇସବୁ ସୁନ୍ଦର ପୋଷାକ ଓ ଚଟି ପିନ୍ଧି ଲାବଣ୍ୟମୟୀ ଘୋଡା ଗାଡିରେ ଯାଇ ବସିଲା । ଧରମ ମା’ ଲାବଣ୍ୟମୟୀକୁ ଆଦେଶ ଦେଇ କହିଲା ‘ଦେଖ ଠିକ୍ ରାତି ବାରଟା ବାଜିବା ମାତ୍ରେ ତୁ ନୃତ୍ୟଗୀତ ଆସର ଛାଡି ଚାଲି ଆସିବୁ ନଚେତ୍ ଠିକ୍ ରାତି ବାରଟାପରେ ଏଇ ଘୋଡାଗାଡିଟି କଖାରୁ, ଘୋଡା ଗୁଡିକ ମୂଷା, ଗାଡଚାଳକଟି ମଧ୍ୟ ମୂଷା ଓ ସେନାଗଣ ଝିଟିପିଟି ଓ ତୋର ଏଇ ସୁନ୍ଦର ପୋଷାକ ପୁଣି ଚିରା ଓ ପୁରୁଣା ପୋଷାକରେ ପରିଣତ ହୋଇଯିବ ।’

ଲାବଣ୍ୟମୟୀ ତା ଧରମ ମା’ ଆଗରେ ଶପଥ କରି ମଧ୍ୟରାତି ବାରଟା ପୂର୍ବରୁ ଫେରିଆସିବାକୁ କହିଲା ।

ଲାବଣ୍ୟମୟୀ ଘୋଡାଗାଡିରେ ବସି ଯାଇ ରାଜଦରବାରରେ ନୃତ୍ୟଶାଳା ନିକଟରେ ପହଁଚିଗଲା । ତାପରି ଜଣେ ଅପରିଚିତା ନବାଗତା ରୂପସୀଙ୍କୁ ଦେଖି ନିଜେ ରାଜକୁମାର ତାଙ୍କୁ ସ୍ୱାଗତ କରିବାକୁ ନୃତ୍ୟଶାଳାରୁ ଦୌଡି ଆସିଲେ । ଲାବଣ୍ୟମୟୀର ହାତଧରି ଘୋଡାଗାଡିରୁ ତାକୁ ଓହ୍ଲାଇଦେଇ ନୃତ୍ୟଶାଳା ମଧ୍ୟକୁ ନେଇଗଲେ । ନୃତ୍ୟ ଶାଳାରେ ଏପରି ଜଣେ ରୂପସୀକୁ ଦେଖି ସେଠାରେ ପୂର୍ଣ୍ଣ ନୀରବତା ଖେଳିଗଲା । ନୃତ୍ୟକରୁଥିବା ଅତିଥିମାନଙ୍କର ନୃତ୍ୟ ଓ ବାଜୁଥିବା ବେହେଲା ଗୁଡିକ ମଧ୍ୟ ବନ୍ଦ ହୋଇଗଲା । ସମସ୍ତେ ଖାଲି ଏକ ଲୟରେ ଏହି ନବାଗତା ସୁନ୍ଦରୀଙ୍କୁ ଚାହିଁବାକୁ ଲାଗିଲେ । ନୃତ୍ୟଶାଳାରେ ଗୁଞ୍ଜରଣ ଶୁଣାଗଲା ‘ଆଃ କି ସୁନ୍ଦର, ଆଃ କି ସୁନ୍ଦର!’

ସେ ଦେଶର ବୃଦ୍ଧରାଜା ମଧ୍ୟ ତାଙ୍କ ରାଣୀଙ୍କୁ କହିଲେ ଯେ ସେ ତାଙ୍କ ଜୀବନରେ ଏମିତିକା ସୁନ୍ଦରୀ ଆଦୌ ଦେଖିନାହାଁନ୍ତି । ସେଠାରେ ଉପସ୍ଥିତଥିବା ସମସ୍ତ ସ୍ତ୍ରୀ ଲୋକମାନେ ଲାବଣ୍ୟମୟୀର ପୋଷାକ, ଟୋପି ପ୍ରଭୃତିକୁ ଲକ୍ଷ୍ୟ କରୁଥାନ୍ତି ଯେପରିକି ସେହିପରି ସୁନ୍ଦର ପୋଷାକ ତିଆରି କରି ପିନ୍ଧି ତା ପରଦିନ ନୃତ୍ୟକୁ ଆସିବେ ବୋଲି ।

ରାଜପୁତ୍ର ଲାବଣ୍ୟମୟୀକୁ ସମ୍ମାନସହ ନେଇ ଗୋଟିଏ ଆସନରେ ବସାଇଲେ ଓ ତା ସହିତ ନୃତ୍ୟକଲେ । ଲାବଣ୍ୟମୟୀ ସେ ରାଜକୁମାରଙ୍କ ସହିତ ଏମିତି ନୃତ୍ୟ କଲା ଯେ ସମସ୍ତେ କେବଳ ତା ନୃତ୍ୟକୁ ହିଁ ପ୍ରଶଂସା କରିବାକୁ ଲାଗିଲେ । ସୁନ୍ଦର ଖାଦ୍ୟ ପରିବେଷଣ କରାଯାଉଥିଲେ ମଧ୍ୟ ରାଜକୁମାର ଖାଦ୍ୟ ନଖାଇ ଲାବଣ୍ୟମୟୀକୁ ନିବିଷ୍ଟ ଚିତ୍ତରେ ଚାହିଁ ରହିଥାନ୍ତି ।

ଲାବଣ୍ୟମୟୀ ଯାଇ ତାର ଭଉଣୀମାନଙ୍କ ପାଖରେ ବସିଲା ଏବଂ ରାଜକୁମାର ତାକୁ ଦେଇଥିବା କମଳା ଲେମ୍ବୁ ଓ ଅନ୍ୟାନ୍ୟ ସୁମିଷ୍ଟ ଫଳ ତା ଭଉଣୀଙ୍କୁ ଦେଲା ମାତ୍ର ତା ଭଉଣୀମାନେ ତାକୁ ମୋଟେ ଚିହ୍ନି ପାରିଲେ ନାହିଁ । ସେ ଲାବଣ୍ୟମୟୀ ତା ଭଉଣୀମାନଙ୍କ ସହିତ ଖୁସି ଗପ କରୁକରୁ ଘଂଟାରେ ରାତ୍ରି ଏଗାରଟା ପଇଁଚାଳିଶ ମିନିଟ୍ ବାଜିଲା ତେଣୁ ସେ ହଠାତ୍ ସମସ୍ତଙ୍କୁ ନମସ୍କାର କରି ଶୀଘ୍ର ସେଠାରୁ ଚାଲିଆସିଲା ।

ସେ ଲାବଣ୍ୟମୟୀ ଘରେ ପହଁଚି ତା ଧରମ ମା ପାଖକୁ ଯାଇ ତାଙ୍କୁ ଧନ୍ୟବାଦ ଦେଇ କହିଲା ଯେ ରାଜକୁମାର ତା ପରଦିନ ନୃତ୍ୟଶାଳାକୁ ଯିବାକୁ ତାକୁ ନିମନ୍ତ୍ରଣ କରିଛନ୍ତି ଏବଂ ସେ ମଧ୍ୟ ତାପରଦିନ ଯିବାକୁ ଇଚ୍ଛା କରୁଛି । ସେଦିନ ରାତିରେ ନୃତ୍ୟଶାଳାରେ ଯାହା ଯାହା ଘଟିଛି ତା ଧରମ ମା’ ଆଗରେ ବର୍ଣ୍ଣନା କରୁ କରୁ ତାର ଦୁଇ ଭଉଣୀ ଆସି କବାଟ ଠକ୍ ଠକ୍ କଲେ ଓ ଲାବଣ୍ୟମୟୀ ଦୌଡି ଯାଇ କବାଟ ଖୋଲିଦେଲା । ସତେ ଯେମିତି ନିଦରୁ ଉଠିଲା ଭଳି ଆଖି ମଳି ମଳି ଭଉଣୀମାନଙ୍କୁ ସେ ପଚାରିଲା ‘ସେଠାରେ ତମେ କେତେ ସମୟ ରହିଲ?’

ତାର ଜଣେ ଭଉଣୀ କହିଲା ‘ସେଠାକୁ ତୁମେ ଯାଇଥିଲେ ତୁମକୁ ଆଦୌ କ୍ଳାନ୍ତ ଲାଗି ନଥାନ୍ତା । ସେଠାରେ ଜଣେ ସୁନ୍ଦରୀ ରାଜକୁମାରୀ ଆକସ୍ମିକ ଭାବରେ ପହଁଚିଲେ ଏବଂ ଆମ ସହିତ ଖୁବ୍ଭଲ ବ୍ୟବହାର କରି ସେ ଆମକୁ କମଳାଲେମ୍ବୁ ଖାଇବାକୁ ଦେଲେ ।’

କିଛି ନଜାଣିଲାପରି ଲାବଣ୍ୟମୟୀ ସେ ରାଜକୁମାରୀର ନାଁ ପଚାରିଲା ହେଲେ ଦୁଇ ଭଉଣୀଯାକ ତା ନାଁ ଜାଣି ନାହାଁନ୍ତି ଏବଂ ରାଜକୁମାର ମଧ୍ୟ ତାଙ୍କ ନାଁ ଜାଣି ନାହାଁନ୍ତି ବୋଲି କହିଲେ । ଏକଥା ଶୁଣି ସେ ଲାବଣ୍ୟମୟୀ ଟିକିଏ ହସିଲା ଏବଂ କହିଲା ତାହେଲେ ସେ ତ ଦେଖିବାକୁ ଖୁବ୍ ସୁନ୍ଦର ହୋଇଥିବେ? ତମେ ସବୁ ଦେଖି କେତେ ଖୁସି ହୋଇନଥିବ । ମୁଁ କଣ ତାକୁ ଟିକିଏ ଦେଖି ପାରିବି ନାହିଁ ।’ ଲାବଣ୍ୟମୟୀ ତାର ଭଉଣୀ ମଧୁମୟୀକୁ କହିଲା, ଆଚ୍ଛା ପ୍ରିୟ ମଧୁମୟୀ ତୁମର ଏଇ ହଳଦୀ ରଙ୍ଗର ପୋଷାକଟିକେ ମୋତେ ପିନ୍ଧିବାକୁ ଦେବ କି? ମଧୁମୟୀ ତାକୁ ତାତ୍ସଲ୍ୟ କରି କହିଲା ‘ହଁ ହଁ ତା ନୁହେଁ ତ ଆଉ କ’ଣ?’ ମୁଁ ମୋ ପୋଷାକ ଗୋଟିଏ ପାଉଁଶ କାଢୁଥିବା ଝିଅକୁ ଦେବିନା କ’ଣ? ମୁଁ କ’ଣ ବୋକା ହୋଇଛି?

ଲାବଣ୍ୟମୟୀ ମଧୁମୟୀଠାରୁ ଠିକ୍ ଏଇ ଉତ୍ତର ହିଁ ଆଶା କରୁଥିଲା ଏବଂ ତାର ଏଇ ମନା କରିବାରେ ସେ ଭାରି ଖୁସି ହେଲା କାରଣ ସେ ତା କଥାକୁ ପରିହାସ ବୋଲି ମନେ କଲା ନାହିଁ ।

ତାପରଦିନ ନୃତ୍ୟ ଆସରେ ପୂର୍ବରାତି ଭଳି ଲାବଣ୍ୟମୟୀ ତା’ ଧରମ ମା’ର ସାହାଯ୍ୟ ପାଇ ଯାଇ ପହଁଚିଲା । ପୂର୍ବ ରାତି ଅପେକ୍ଷା ଏ ରାତିରେ ସେ ଆହୁରି ସୁନ୍ଦର ପୋଷାକ ମାନ ପିନ୍ଧି ଯାଇଥିଲା । ରାଜକୁମାର ତାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତା ପାଖ ଛାଡୁନଥିଲେ ଏବଂ ତା ସହିତ ଖୁବ୍ ମଧୁର ଭାବରେ ଗପ କରୁଥିଲେ । ରାଜକୁମାରଙ୍କ ସହ ଗପ କରିବାରେ ତାକୁ ଆଦୌ କ୍ଳାନ୍ତି ଜଣା ପଡୁନଥିଲା । ଏମିତି ଗପ କରୁ କରୁ ଘଂଟାରେ ରାତ୍ରି ବାରଟା ବାଜିଗଲା ଏବଂ ଲାବଣ୍ୟମୟୀକୁ ଜଣାଗଲା ଯେମିତି ରାତ୍ରି ଏଗାରଟା ବାଜିଛି । ହଠାତ୍ ବାରଟା ବାଜିବା କଥା ଜାଣି ଧରମ ମା’ର ଶପଥ କଥା ମନେ ପକାଇ ସେ ଉଠିପଡି କ୍ଷିପ୍ରଗତିରେ ଦୌଡିବାକୁ ଲାଗିଲା ।

ଲାବଣ୍ୟମୟୀ ଦୌଡିବାକୁ ଆରମ୍ଭ କଲାମାତ୍ରେ ରାଜକୁମାର ମଧ୍ୟ ତା ପଛେ ପଛେ ଦୌଡିବାକୁ ଲାଗିଲେ ମାତ୍ର ଲାବଣ୍ୟମୟୀ ପାଖରେ ଆଦୌ ପହଁଚି ପାରିଲେ ନାହିଁ । ଲାବଣ୍ୟମୟୀ ଜୋର୍ରେ ଦୌଡିବା ବେଳେ ତାର କାଚଜୋତାରୁ ଗୋଟିଏ କେଉଁଠି ହଜିଗଲା ଏବଂ ସେ ଅଣନିଶ୍ୱାସୀ ହୋଇ ଆସି ଘରେ ପହଁଚିଲା ଏବଂ ଦେଖିଲା ବେଳକୁ ତାର ପୋଷାକ ସବୁ ପରିବର୍ତ୍ତନ ହୋଇ ପୁରୁଣା ଏବଂ ଚିରା ହୋଇଯାଇଛି ମାତ୍ର କାଚ ଜୋତାରୁ ପଟିଏ ମାତ୍ର ଅଛି । ଲାବଣ୍ୟମୟୀର ହଜିଯାଇଥିବା କାଚ ଜୋତାକୁ ରାଜକୁମାର ପାଇ ସେଇଟିକୁ ଯତ୍ନରସହ ରଖିଲେ । ଲାବଣ୍ୟମୟୀକୁ ରାଜକୁମାର ଖୋଜି ଖୋଜି ବ୍ୟସ୍ତ ହୋଇପଡିଲେ । ରାଜପ୍ରାସାଦର ଜଗୁଆଳିକୁ ରାଜକୁମାର ଲାବଣ୍ୟମୟୀ ସମ୍ପର୍କରେ ପଚାରିବାରୁ ସେ କହିଲା ଯେ ରାଜପ୍ରସାଦ ଦ୍ୱାର ଦେଇ ଏକ ମଇଳା ଓ ଚିରା ପୋଷାକ ପିନ୍ଧି ଥିବା ଗୋଟିଏ ଝିଅ ବାହାରି ଦୌଡି ପଳାଇଲା ।

ଲାବଣ୍ୟମୟୀର ଦୁଇ ଭଉଣୀ ସେଦିନ ନୃତ୍ୟରୁ ଫେରିବା ପରେ ସେ ତାଙ୍କୁ ପଚାରିଲା ଯେ ସେମାନେ ଠିକ୍ ଭାବରେ ଆତିଥ୍ୟ ପାଇଥିଲେ କି ନା ଓ ସେ ସୁନ୍ଦରୀ ତରୁଣୀ ନୃତ୍ୟଶାଳାକୁ ଆସିଥିଲା କି ନାହିଁ । ସେମାନେ କହିଲେ ‘ହଁ ସେ ଆସିଥିଲା ମାତ୍ର ଯେମିତି ରାତ୍ରି ବାରଟା ବାଜିଛି ସେ ନୃତ୍ୟଶାଳାରୁ ବାହାରି ଦ୍ରୁତଗତିରେ ଚାଲିଗଲା ଓ ତାର ପାଦରୁ ଗୋଟିଏ କାଚଜୋତା ଖସିପଡିଲା ଏବଂ ରାଜକୁମାର ସେ ଜୋତାକୁ ଖୁବ୍ ଯତ୍ନର ସହ ରଖିଛନ୍ତି । କାହିଁକିନା ରାଜକୁମାର ସେ ଝିଅଟିକୁ ଖୁବ୍ ଭଲ ପାଉଥିଲେ ।’

ଲାବଣ୍ୟମୟୀର ଦୁଇ ଭଉଣୀ ଯାହା କହିଥିଲେ ତାହା ଠିକ୍ ଥିଲା ଏବଂ ରାଜକୁମାର ରାଜ୍ୟସାରା ଡେଙ୍ଗୁରା ଦେଇ ଘୋଷଣା କଲେ ଯେ ରାଜ୍ୟରେ ଯେଉଁ ଝିଅର ପାଦକୁ ସେ ଜୋତାଟି ହେବ ତାକୁ ସେ ନିଶ୍ଚୟ ବିବାହ କରିବେ ।

ରାଜାଙ୍କ ଲୋକମାନେ ସେଇ ଜୋତା ପଟକ ନେଇ ପ୍ରଥମେ ନୃତ୍ୟଶାଳାରେ ଉପସ୍ଥିତ ଥିବା ରାଜକୁମାରୀମାନଙ୍କୁ ଓ ପରେ ସାମନ୍ତମାନଙ୍କ କନ୍ୟାଙ୍କୁ ନେଇ କାଚ ଜୋତାଟି ପିନ୍ଧିବାକୁ ଦେଲେ ମାତ୍ର କାହାରି ପାଦକୁ ସେ ଜୋତା ପଟଟି ମୋଟେ ହେଲା ନାହିଁ । ଶେଷରେ ଲାବଣ୍ୟମୟୀର ଯେଉଁ ଦୁଇଟି ଭଉଣୀ ନୃତ୍ୟଶାଳାକୁ ଯାଇଥିଲେ ରାଜାଙ୍କ ଲୋକମାନେ ତାଙ୍କ ନିକଟକୁ ସେଇ କାଚ ଜୋତା ପଟଟି ଆଣି ଆସିଲେ । ସେ ଦୁଇଭଉଣୀ ଯେତେ ଚେଷ୍ଟା କରି ସେ ଜୋତାରେ ପାଦ ପୂରାଇଲେ ମଧ୍ୟ ତାଙ୍କ ପାଦକୁ ସେଇ ଜୋତାଟି ମୋଟେ ହେଲା ନାହିଁ । ପାଖରେ ଥିବା ଲାବଣ୍ୟମୟୀ ଯେ କି ସେଇ କାଚ ଜୋତା ବିଷୟରେ ଜାଣେ ସେ ଟିକିଏ ମୁରୁକି ହସା ଦେଇ କହିଲା ‘ମୋତେ ସେ ଜୋତାଟି ଦେଲ ମୁଁ ମୋ ପାଦରେ ମାପ କରି ଦେଖେ?’

ଲାବଣ୍ୟମୟୀର କଥା ଶୁଣି ତାର ଦୁଇ ଭଉଣୀ ହସି ଉଠି ତାକୁ ଉପହାସ କରିବାକୁ ଲାଗିଲେ ମାତ୍ର ରାଜାଙ୍କ ଲୋକ ଯେ ଜୋତାଟି ପରୀକ୍ଷା କରିବା ପାଇଁ ଆସିଥିଲା ସେ ଟିକିଏ ଲାବଣ୍ୟମୟୀ ଆଡକୁ ଚାହିଁ ତା ସୌନ୍ଦର୍ଯ୍ୟ ଦେଖି କହିଲା ଯେ ଚାହିଁବ ସେ ଜୋତାଟି ତା ପାଦରେ ପରୀକ୍ଷା କରି ପାରିବ ବୋଲି ଘୋଷଣା କଲା । ଏହା ପରେ ଲାବଣ୍ୟମୟୀ କାଚ ଜୋତାଟି ନେଇ ନିଜ ପାଦରେ ପରୀକ୍ଷା କରିଲାବେଳେ ସେ ଜୋତାଟି ତା ପାଦକୁ ଠିକ୍ ହୋଇଗଲା । ତାର ଦୁଇଭଉଣୀ ଆଉ ସମସ୍ତେ ଏହା ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ଲାବଣ୍ୟମୟୀ ତାର ପୋଷାକର ପକେଟରୁ ଯେମିତି ଆଉ ଗୋଟିଏ କାଚ ଜୋତା ବାହାର କରି ପାଦରେ ପିନ୍ଧିଲା ଓ ସେଠାରେ ତା ଧରମ ମା’ ଅକସ୍ମାତ ପହଁଚି ତା ମନ୍ତ୍ରବାଡି ଛୁଆଁଇ ତାର ପୋଷାକକୁ ସୁନ୍ଦର ପୋଷାକରେ ପରିବର୍ତ୍ତନ କରିଦେଇଛି ସେ ଠିକ୍ ପୂର୍ବରୁ ସମସ୍ତେ ନୃତ୍ୟଶାଳାରେ ଦେଖିଥିବା ରାଜକୁମାରୀ ପରି ଦେଖାଗଲା ।

ଏହା ଦେଖି ଲାବଣ୍ୟମୟୀର ଦୁଇ ଭଉଣୀ ତା ପାଦତଳେ ପଡି ପୂର୍ବରୁ ତାକୁ ଖରାପ ବ୍ୟବହାର ଦେଖାଇଥିବାରୁ କ୍ଷମା ମାଗିଲେ । ଲାବଣ୍ୟମୟୀ ସେମାନଙ୍କୁ ଆଲିଙ୍ଗନ କରି କ୍ଷମା ଦେଲା ।

ଲାବଣ୍ୟମୟୀକୁ ରାଜକୁମାରଙ୍କ ପାଖକୁ ନିଆଗଲା ଏବଂ ରାଜକୁମାର ତାକୁ ଦେଖି ଖୁବ୍ ଆନନ୍ଦିତ ହେଲେ ଏବଂ ଖୁବ୍ ଅଳ୍ପଦିନ ପରେ ଲାବଣ୍ୟମୟୀର ସେ ରାଜକୁମାରଙ୍କ ସହ ମହାଆଡମ୍ବରରେ ବିବାହ ହେଲା । ଲାବଣ୍ୟମୟୀ ତାର ଦୁଇ ଭଉଣୀଙ୍କୁ ରାଜ ପ୍ରାସାଦରେ ରଖି ଦୁଇ ସାମନ୍ତପୁତ୍ରଙ୍କ ସହ ସେମାନଙ୍କର ବିବାହ କରି ଦେଲା । ପରିଶେଷରେ ସେମାନେ ସମସ୍ତେ ଅତ୍ୟନ୍ତ ଆନନ୍ଦରେ ରହିଲେ ।


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ